Unknown

 

 

 

 

 

 

 

 

 

 

 

ସଞ୍ଜବତୀର ଦୁଇ ତୀରେ

ଶ୍ରୀ ପଦ୍ମଚରଣ ମହାପାତ୍ର

 

ପଦେ–

 

ଶ୍ରୀମାନ ପଦ୍ମଚରଣ ମହାପାତ୍ର ମୋ’ରି ଗାଁର ଜଣେ ଉଦୀୟମାନ ଛାତ୍ର, ମୋର ପଡ଼ୋଶୀ ହେବେ । ପିଲାଦିନୁ ଦୁଃଖ, ଦାରିଦ୍ର୍ୟ, ଅଭାବ, ଅନାଟନ, କୋଳରେ ବଢ଼ି ଆସିଥିଲେ ମଧ୍ୟ ସ୍ୱୀୟ ଅଧ୍ୟବସାୟ ଓ ପ୍ରତିଭା ବଳରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ କୃତୀ ଛାତ୍ର ଭାବରେ ଠିଆ ହୋଇ ପାରିଛନ୍ତି । ତାଙ୍କର ନିର୍ମଳ ଚରିତ୍ର ଓ ନିରହଙ୍କାର ସ୍ୱଭାବ ଏବଂ ନିରଳସ ଜୀବନର ପ୍ରାଣ ବିମୋହନ ସମ୍ପଦ ଦେଖିଲେ ମୋର ମନେହୁଏ ଏ ଉଦୀୟମାନ ଛାତ୍ର ଜଣକ କେବଳ ସାହିତ୍ୟ କ୍ଷେତ୍ରରେ ନୁହେଁ, ଜୀବନର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଦେଶ ଓ ଜାତିକୁ କିଛି ମହତ ଦାନ ଦେଇ ପାରିବେ–

 

‘‘ସଞ୍ଜବତିର ଦୁଇ ତୀରେ’’ ନାମକ ଉପନ୍ୟାସଟି ସେ ମୋତେ ଆଜି ଶୁଣାଇଲେ ଏବଂ ତାଙ୍କର ସେ ଲେଖା ଉପରେ ଗୋଟିଏ ଅଭିମତ ଦେବାପାଇଁ ଲୋଡ଼ି ବସିଲେ । ଆଦ୍ୟୋପାନ୍ତ ଉପନ୍ୟାସଟି ଶୁଣି ସାରିବା ପରେ ମୋର ମନେହେଲା ଶ୍ରୀମାନ ପଦ୍ମଚରଣଙ୍କ ଲେଖାରେ ପ୍ରାଣପ୍ରାଚୁର୍ଯ୍ୟ ପୂରାମାତ୍ରାରେ ପୂରି ରହିଛି–ଲେଖକଙ୍କର ଯଥେଷ୍ଟ ଶକ୍ତିରହିଛି ଯାହାର ଉପଯୁକ୍ତ କର୍ଷଣ ହେଲେ ଏ ଦେଶରେ ସେ ଜଣେ ଉଚ୍ଚକୋଟୀର ଔପନ୍ୟାସିକ ହୋଇ ପାରିବେ–

 

ଆଜିକାଲି ବହୁତ ଉପନ୍ୟାସ ପ୍ରକାଶ ପାଉଛି ସତ, କିନ୍ତୁ ସେମାନଙ୍କ ପରମାୟୁ କେତେ ? କେବଳ ଆଦିରସକୁ ପ୍ରାଧାନ୍ୟ ଦେଇ ସେଗୁଡ଼ିକ ଲେଖାଯାଇଥିବାରୁ ସେମାନଙ୍କର ପ୍ରାଣକେନ୍ଦ୍ର ସୁସ୍ଥ ସବଳ ମନୋଭାବ ସମାଜର ଅଗଣିତ ଜୀବନ ଉପରେ ପକାଇପାରୁନି, ଉପନ୍ୟାସ ଲେଖକ କେବଳ ସାମୟିକ ଆନନ୍ଦ ଟିକିଏ ଦେବାପାଇଁ ଯେକୌଣସି ଗୋଟିଏ କଥାବସ୍ତୁ ଉପରେ ଯୌନ ପ୍ରାଧାନ୍ୟ ଦେଇ ଉପନ୍ୟାସଟିଏ ଲେଖି ଦେଲେ ସେ ପ୍ରକୃତ ଉପନ୍ୟାସ ପଦବାଚ୍ୟ ବୋଲି କହିବା ସମୀଚୀନ ହେବନି । ଔପନ୍ୟାସିକ ସାମାଜିକ ଜୀବନକୁ ସୂକ୍ଷ୍ମ ଦୃଷ୍ଟିଭଙ୍ଗୀ ଦେଇ ଦେଖିବା ଉଚିତ, ସମାଜର ସୁଖଦୁଃଖ ଅଭାବ, ଅସୁବିଧା କୁସଂସ୍କାର, ଆଚାରବିଚାର, ଅତ୍ୟାଚାର ଅନାଚାର ଏ ସକଳ ପ୍ରତି ନିବିଡ଼ଭାବେ ଅବହିତ ହେବା ଉଚିତ । ସମାଜ ଉଚ୍ଚ ଆଦର୍ଶର ଅନୁବର୍ତ୍ତୀ ହୋଇ କିପରି ଆଗେଇ ପାରିବ ତା’ର ସମ୍ୟକ୍ ସୂଚନା ଦେବା ଲୋଡ଼ା, ମାନବ ସମାଜର କୋଟି କୋଟି ଜୀବନ କିପରି ଅବହେଳିତ ଅବସ୍ଥାରେ ରହିଛି ଏବଂ ସେମାନଙ୍କର ଜୀବନ୍ତ ବିକାଶପାଇଁ କି କି ପ୍ରତିବନ୍ଧକ ରହିଛି ଏ ସବୁ ଦେଖିବା ମଧ୍ୟ ଉଚିତ ।

 

ସମାଜ ଭିତରେ ଶିକ୍ଷିତ ହୁଅନ୍ତୁ ବା ଅଶିକ୍ଷିତ ହୁଅନ୍ତୁ ଜଣେ ଜଣେ ଉଦାରପ୍ରାଣ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ବିରାଟ ବ୍ୟକ୍ତିତ୍ୱ ଅଲକ୍ଷ୍ୟରେ ସମାଜକୁ ସୁନ୍ଦର ପ୍ରାଣବନ୍ତ କରି ଗଢ଼ିପାରୁଛି । ଏସବୁ ନାନା ବିଷୟ ପ୍ରତି ଲକ୍ଷ୍ୟ ରଖି ଉନ୍ନତ ଦୃଷ୍ଟିଭଙ୍ଗୀ ଦେଇ ଲେଖି ପାରିଲେ ପ୍ରକୃତ ଉପନ୍ୟାସ ଲେଖାଯାଇପାରିବ । ଏ ଦେଶର ଯେଉଁମାନେ ଉପନ୍ୟାସ ଲେଖନ୍ତି ସେମାନେ ସହର ଭିତରେ ତିନିତାଲା କୋଠା ଭିତରେ ରହି ମାନବ ଜୀବନରେ ପ୍ରତ୍ୟକ୍ଷ ସାହଚର୍ଯ୍ୟରେ ନ ଆସି ଉପନ୍ୟାସ ଲେଖନ୍ତି–ଫଳରେ ତାହା ହୃଦୟଗ୍ରାହୀ ହୋଇ ପାରେନାହିଁ ଏବଂ ସାମାଜିକ ଜୀବନର ପ୍ରତିବିମ୍ୱ ଲେଖାରେ ପରିସ୍ଫୁଟ ହୋଇପାରେ ନାହିଁ ।

 

ସେସବୁ ଦୃଷ୍ଟିରୁ ବିଚାର କଲେ ଦେଖିବାକୁ ହୁଏ ଶ୍ରୀମାନ ପଦ୍ମଚରଣଙ୍କ ଲେଖାରେ ସୂକ୍ଷ୍ମ ଦୃଷ୍ଟିଭଙ୍ଗୀ ଅଛି । ଆଦିରସର ପ୍ରାଧାନ୍ୟ ମୋଟେ ନ ଦେଇ ସେ ଯେ ଲେଖାଟିକୁ ଏତେ ସୁନ୍ଦର ଓ ସରସ କରି ପାରିଛନ୍ତି ଏବଂ ଉଚ୍ଚ ଆଦର୍ଶ ସମାଜ ଆଗରେ ରଖିପାରିଛନ୍ତି–ଏହା ତାଙ୍କ ଲେଖାର ଅନ୍ୟତମ ବିଶେଷତ୍ୱ । ଲେଖକ ପଲ୍ଲୀ ଭିତରେ ବଢ଼ିଛନ୍ତି । ପଲ୍ଲୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଏବଂ ପଲ୍ଲୀ ଜୀବନର ଚିତ୍ରକୁ ଏପରି ପ୍ରାଣବନ୍ତ ଭାଷାରେ ରୂପାୟିତ କରିଛନ୍ତି, ପାଠକ ପଢ଼ିଲାମାତ୍ରେ ତା’ର ଆଖି ଆଗରେ ସେଗୁଡ଼ିକ ନାଚିଗଲା ପରିଦିଶେ । ତାଙ୍କ ଭାଷାରେ ଓଜନ ଅଛି, କମନୀୟତା ଅଛି ଏବଂ ତା’ ସହିତ ସଂଯମବି ଅଛି–

 

ବିଷୟବୋଧ ଦୂରଦୃଷ୍ଟି ଏବଂ ଜୀବନର ବହୁ ଜଟିଳ ସମସ୍ୟା ସମ୍ପର୍କୀୟ ବିଷୟ ଉପନ୍ୟାସର ବହୁଭାଗରେ ଆତ୍ମପ୍ରକାଶ କରି ଲେଖକଙ୍କର ପ୍ରତିଭାର ସୁନ୍ଦର ପରିଚୟ ଦେଇ ପାରୁଛି–ଏଗୁଡ଼ିକ ଶ୍ରେଷ୍ଠ ଔପନ୍ୟାସିକର ପ୍ରଧାନ ଗୁଣ । ମୋର ମନେହୁଏ ତରୁଣ ଔପନ୍ୟାସିକର ଶ୍ରୀମାନ ପଦ୍ମଚରଣ ଏଇଦିନୁ ଉପନ୍ୟାସ ଦିଗରେ ତାଙ୍କର ଶକ୍ତିଶାଳୀ ଲେଖନୀ ଚାଳନା କଲେ ଭବିଷ୍ୟତରେ ଜଣେ ଉଚ୍ଚକୋଟୀର ଲେଖକ ହୋଇ ପାରିବେ । ‘‘ସଞ୍ଜବତିର ଦୁଇତୀରେ’’ ଉପନ୍ୟାସଟି ଓଡ଼ିଆ ଜାତୀୟ ସାହିତ୍ୟକୁ ଯେ ଗୋଟିଏ ବିଶିଷ୍ଟ ଦାନ ଏତକ କହିବାର ମୋର ଦ୍ୱିଧା ନାଇଁ । ମୁଁ ଶ୍ରୀମାନ ପଦ୍ମଚରଣଙ୍କୁ ଆଶୀର୍ବାଦ କରୁଛି ତାଙ୍କର ଲେଖା ଉତ୍ତରୋତ୍ତର ବଳିଷ୍ଠ ହେଉ ଏବଂ ସାଧନା ସିଦ୍ଧି ଲାଭ କରୁ–

 

କୃଷ୍ଣଚନ୍ଦ୍ର ତ୍ରିପାଠୀ

କବି–କୁଟୀର

ଭୀମପୁର, ବାଣପୁର

ପୁରୀ

ତା ୨୭ । ୧୦ । ୫୮

★★★

 

ମନକଥା

 

୧୯୫୭ ମସିହା ଦଶହରା ଛୁଟିରେ ମୁଁ ଯେତେବେଳେ ରୋଗ ପୀଡ଼ିତ ଥିଲି ସେତିକିବେଳେ ଏଇ ଉପନ୍ୟାସର ସୃଷ୍ଟି, ଶେଯରେ ପଡ଼ି ପଡ଼ି ଦିନ ସରୁ ନଥାଏ । ସେଇ ଅଳ୍ପ କେତେକ ଛୁଟି ଦିନ ଭିତରେ ଲେଖାର ଆରମ୍ଭ ଓ ଶେଷ । ତା’ ଭିତରେ ଏକବର୍ଷ ବିତିଗଲା । ୧୯୫୮ ମସିହା ଗ୍ରୀଷ୍ମଛୁଟିରେ ଲେଖାଟିକୁ ପୁନର୍ବାର ସଂଶୋଧନ କଲି ଓ ଆହୁରି ଥରେ ଲେଖି ବସିଲି ।

 

ଆଜି ଦୀର୍ଘ ଚାରିବର୍ଷ ପରେ ୧୯୬୨ ମସିହା ଅକ୍ଟୋବର ମାସରେ ଉପନ୍ୟାସଟି ଆତ୍ମପ୍ରକାଶ କରୁଛି । ଶାରଦା ଭବନର ପ୍ରୋପ୍ରାଇଟର ମହୋଦୟ ସାଦରେ ଏହାର ପ୍ରକାଶନର ଦାୟିତ୍ୱ ବହନ କରିଥିବାରୁ ତାଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି ।

 

ଲେଖକ ହୋଇ ଯଶ ଅର୍ଜନ କରିବାର ସାହସ ବା ଦୁଃସାହସ ମୋର ନାହିଁ । ଯେଉଁମାନେ ପଢ଼ିବେ ସେମାନେ ଗୋଟିଏ ମୁହୂର୍ତ୍ତ ଆନନ୍ଦଲାଭ କରିପାରିଲେ ଲେଖା ସାର୍ଥକ ହେଲା ବୋଲି ମନେକରିବି । ସ୍ୱକୃତ ତଥା ମୁଦ୍ରଣଜନିତ ତ୍ରୁଟି ନିମିତ୍ତ ସବିନୟ କ୍ଷମାପ୍ରାର୍ଥନା କରୁଛି-

 

ଏ ଦିଗରେ ଯେଉଁମାନେ ମୋତେ ଉତ୍ସାହିତ କରିଛନ୍ତି ସେହି ହିତୈଷୀ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଉଛି । ମୋର ଗାଁର ତଥା ଓଡ଼ିଶାର ପୂଜ୍ୟକବି ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟକରି ଉପନ୍ୟାସଟି ଉପରେ ‘‘ପଦେ’’ ଲେଖି ଦେଇଥିବାରୁ ତାଙ୍କ ପାଖରେ ମୁଁ ଋଣୀ ।

 

କଟକ–୨

ବିନୀତ

ବିଜୟାଦଶମୀ

ଲେଖକ

ତା ୮ । ୧୦ । ୧୯୨୬

 

★★★

 

ନାନୀ,

 

ଜନ୍ମ ନ କରି ମଧ୍ୟ ତୁମେ ମୋତେ ଜନ୍ମକଲା ମାଆଠାରୁ ଅଧିକ ସ୍ନେହ ଆଦର ଢାଳି ବଢ଼େଇଛ । ତୁମରି ହାତରେ ମୋର ପ୍ରଥମ ଉପନ୍ୟାସ ‘‘ସଞ୍ଜବତିର ଦୁଇତୀରେ’’ ଅର୍ପଣ କରି ତୁମରି ବିମଳ ଆଶୀର୍ବାଦ ଭିକ୍ଷା କରୁଛି ।

 

ତୁମର

ପଦ୍ମ

★★★

 

ଆଗତ ପ୍ରାୟ ଶାରଦୀୟ ସନ୍ଧ୍ୟା ।

 

ବସା ବାହୁଡ଼ା କୁଆଗୁଡ଼ିକ ଦଳଦଳ ହୋଇ କାଆ କାଆ ରାବରେ ଅନନ୍ତ ଆକାଶର ଶୂନ୍ୟତା ଭଙ୍ଗ କରି ଫେରୁଅଛନ୍ତି । ସଞ୍ଜବତି ନଦୀର ମୃଦୁଧାରା କଳ ସଙ୍ଗୀତରେ ବିଭୋର । ନଦୀର ଦକ୍ଷିଣ ଭାଗରେ ସୁନ୍ଦର ଏକ ଗୋଲାପ ଉପବନ । କେତେ ବାଳବୃଦ୍ଧ ଯୁବକ ଯୁବତୀ କବି ଭାବୁକ ତା’ରି ଭିତରୁ ଆନନ୍ଦ ପାଇଛନ୍ତି ତା’ର ଇତିହାସ ନାହିଁ । କେତେ ଗ୍ରୀଷ୍ମ ପ୍ରଖର ତାପ ତା’ର ବାଲୁବୁକୁରେ ମରୀଚିକା ସୃଷ୍ଟି କରିଛି, କେତେ ଆଷାଢ଼ର ଉଦ୍ଦାମ ଜଳ କଲ୍ଲୋଳରେ ରୁଦ୍ରସୁନ୍ଦର ମୂର୍ତ୍ତିଧରି ସେ ତୀରଭୂମିକୁ ପ୍ଳାବିତ କରିଛି, କେତେ ବସନ୍ତର ଶାନ୍ତ ସମୀର ତା’ର ବିପୁଳ କଳରାଶିରେ ସ୍ୱର ଭରିଛି, କେତେ ପଲ୍ଲୀ କିଶୋରୀଙ୍କ ନଗ୍ନ ରୂପଶ୍ରୀକୁ ଛାତିରେ ଭିଡ଼ିଧରି ସେ ଚୁମ୍ୱନ ଢାଳିଛି, ତାହା ତାକୁହିଁ ଜଣା । ଏହି ବିଚିତ୍ର ବିଶ୍ୱଜଗତର ସେ ଯେପରି ଏକ ମୌନସାକ୍ଷୀ । ଯୁଗଯୁଗ କାଳ କାଳ ଧରି ପରକୁ ଆନନ୍ଦ ଦେବା ଯେପରି ତା’ର ଆତ୍ମତୃପ୍ତି ।

 

ସେ ସୁନ୍ଦର । ସେ ସନାତନ ।

 

ସେଦିନର ଏକ ମଧୁମୟ ପ୍ରଦୋଷ । ଫୁଲ ସୁବାସରେ ବଗିଚାଟି ମହକି ଉଠୁଛି । ଫୁଲ ପରାଗରେ କଳା କଳା ଭ୍ରମର କେତୋଟି ଗୁଣୁଗୀତ ରଚିବାରେ ବ୍ୟସ୍ତ । ନଈ ଆରପାଖ ସବୁଜ ଶସ୍ୟ କ୍ଷେତ୍ରରୁ ଶୀତଳ ପବନ ଧୀରେ ଧୀରେ ବହି ଆସୁଛି । ମୃଦୁ ପବନରେ କଅଁଳିଆ ସ୍ପର୍ଶଲାଗି ଫୁଲଗୁଡ଼ିକ ଦୋହଲି ପଡ଼ୁଛି । ନଈ ଜଳରେ ହାତ ପାଦ ଧୋଇ ଜଣେ କିଏ ଆରପାଖ ହୁଡ଼ା ଉପରକୁ ଅଗ୍ରସର ହେଉଛି । ବାଁ କାନ୍ଧରେ ଗୋଟିଏ ବନିଶି, ଡାହାଣ ହାତରେ ଖାଳେଇ । ନଈ ପାଣିରେ ବଳଦ ହଳଙ୍କୁ ଧୋଇ ଦେବାରେ ସେଇ ଅଦୃଶ୍ୟ କ୍ଷୁଦ୍ର ମଣିଷଟି ବ୍ୟସ୍ତ । ବଗିଚା ମଝିର ସିମେଣ୍ଟ ଚୌକିଟି ଉପରେ ସୁଧାଂଶୁ ବସିରହି ଏ ସବୁକୁ ନିରୀକ୍ଷଣ କରୁଛି, ଏକାଗ୍ରଚିତ୍ତରେ–ମୁହଁରେ ତା’ର ଭାବନାର ସ୍ପଷ୍ଟ ସଙ୍କେତ । ସେତେବେଳକୁ ଆକାଶରେ କେତୋଟି ତାରାର ଶୁଭ୍ରପ୍ରଦୀପ ଜଳିଉଠିଲାଣି । ଦୂର ମଫସଲର ବାଡ଼ି ବଗିଚା ତୋଟାଭିତର ଦେଇ ସଞ୍ଜ ଆଲୋକ ଭାସି ଆସିଲାଣି–ଘଣ୍ଟ କାହାଳୀ ସ୍ୱର ଶୁଭିଲାଣି–ବୋଧହୁଏ ପଲ୍ଲୀ ଦେବାଳୟରେ ଆରତି ବଢ଼ିଲା–ଧୀରେ ଧୀରେ ଚତୁର୍ଥୀ ଚନ୍ଦ୍ରର ସ୍ନିଗ୍ଧ ଜ୍ୟୋତ୍ସ୍ନା ଦୂର ଚକ୍ରବାଳତକୁ ଝରି ଆସିଲା । କମଳ ବଗିଚା ଭିତରେ କହି କହି ପ୍ରବେଶ କଲା–ସୁଧାଂଶୁ, ମୋତେ ଆଜି ନଡାକି ଚାଲିଆସିଲ । ସବୁଦିନ ତ ଡାକ–ଆଜି କିନ୍ତୁ କାହିଁକି ଡାକିଲ ନାହିଁ ? ମୁଁ ତୁମର ଅପେକ୍ଷାରେ ଦାଣ୍ଡଦୁଆରେ ବସିରହିଥିଲି, ଆଚ୍ଛା–ଆଜିତ ଭାରି ଗମ୍ଭୀର ଦେଖାଯାଉଛ, କ’ଣ ହୋଇଛିକି ?

 

ନାଇଁ ଯେ କମ–ଗୋଟିଏ କଥା ଭାବୁଥିଲି–ଅଳ୍ପହସି ସେ କହିଲା ।

 

ସେ କଥାଟା ମୁଁ ଜାଣିବାର ନୁହ !

 

ସେପରି କିଛି ନୁହେଁ–ତୁମେ ଜାଣିଲେ କ’ଣ, ଦୁନିଆ ଜାଣିଲେବି ଯାଏଆସେ ନାହିଁ । ବିଶେଷତଃ ତୁମର ଜାଣିବା ନିହାତି ଦରକାର..... । ସୁଧାଂଶୁର କଥାରେ ବାଲ୍ୟଚପଳତା ପୂରି ରହିଥିଲା ।

 

ଏତେ କହିବା ଦରକାର ନାଇଁ । କହିଲେ ତ କହିବ–ନହେଲେ ନାହିଁକରି ଦବ । ମୋତେ ଏତେ ବାଙ୍କକଥା ଆସେନି । କମଳର ସ୍ନିଗ୍ଧ ମୁଖଶ୍ରୀ ଲଜ୍ଜାବନତ ହେଲା ।

 

ହେଇ କମ ମୋ ଉପରେ ରାଗିଲ । ହଉ–ଅଭିମାନରେ ତା’ର ମୁହଁଟି ତଳକୁ ନଇଁଗଲା-

 

କମଳ ତା’ ପାଖରେ ବସି ହସି ହସି କହିଲା–‘‘ସୁଧା ! ମୁଁ ସାଙ୍ଗସୁଖରେ କହିଦେଲି ବୋଲି ଅଭିମାନ କରୁଛ । ଛି, ଛି, ଆଚ୍ଛା, କଥାଟା କ’ଣ କୁହତ ?’’

 

ସୁଧାଂଶୁର ସମସ୍ତ ଅଭିମାନ କମଳର ଏଇ ସାଧାରଣ କେଇପଦ କଥାରେ କେଉଁଆଡ଼େ ମିଳାଇଗଲା । ସେ ହସି ହସି କହିଲା–କଥାଟା କ’ଣକି କ୍ଲାସ୍‍ରେ ସାର୍‍ ଯେଉଁ ମେନ୍‍ସୁରେଶନ୍‍ଟା ଦେଇଥିଲେ ସେଟା କରିପାରି ନଥିଲି । ତେଣୁ ସେଇ ବିଷୟ ନେଇ ଭାବୁଥିଲି, ତୁମେ ତ ଜାଣ, ଏଇ ବିଜନତା ଭିତରେ ସେ ସବୁ ବିଷୟର ସମାଧାନ ମିଳେ ।

 

ସତରେ କମ ମୋତେ କାହିଁକି ନିଜନ ଜାଗା ଖୁବ୍‍ ଭଲଲାଗେ । ନିଜନତା ଭିତରେ କି ଅମୃତ ଥାଏ କେଜାଣି ମୋର ସମସ୍ତ ଦୁଃଖ ତା’ ଭିତରେ କୁଆଡ଼େ ଉଭେଇଯାଏ । ତା’ର ମୋହନ ଆହ୍ୱାନ ମୋ ପ୍ରାଣରେ ଢାଳିଯାଏ ଶାନ୍ତିର ଏକ ସ୍ୱଚ୍ଛଧାରା । ଆଜିଠୁ ଭାବୁଛି ସେଇଥିରେହିଁ ଜୀବନ ବିତିଯାଉ । ବାସ୍ତବରେ ନିଜନତା ଭିତରେ ଶାନ୍ତିର ସ୍ଥାନ–ସୁଧାଂଶୁର ସ୍ୱର ଗମ୍ଭୀର ହୋଇ ଆସିଲା । ସେ ପୁଣି ଆରମ୍ଭ କଲା–ହଁ, ସେ ସବୁକଥା ଛାଡ଼ । ତୁମେ କହିଲ, ସେ କଥା ଭାବୁଥିଲ ନା ଆଉ କିଛି !

 

ମୋତେ ପୁଣି ଅବିଶ୍ୱାସ କରୁଛ କମ ! ତୁମ ପାଖରେ ମୁଁ କ’ଣ କେବେ କିଛି ଲୁଚାଏ । ଲୁଚାଇବାକୁ ଚେଷ୍ଟା କଲେବି ତୁମ ନିକଟରେ ମୁଁ ହାରମାନେ । ତୁମ ଭିତରେ କି ଚୁମ୍ୱକ ଥାଏ କେଜାଣି ମୋର ପ୍ରାଣର ଅତଳ ତଳୁ ସମସ୍ତ ଭାବ ଟାଣିହୋଇ ଯାଏଁ ତା’ରି ଆକର୍ଷଣରେ ଚେଷ୍ଟା କଲେବି ରୋଧି ପାରେନି । କହିଲ ଦେଖି ସୂର୍ଯ୍ୟର ଆଲୋକପାତରେ ପଦ୍ମ କ’ଣ ନଫୁଟି ରହିପାରେ ?

 

ସାମାନ୍ୟ ଏଇ କଥାତକରେ କମଳର ହୃଦୟ ଆନନ୍ଦରେ ନାଚି ଉଠିଲା । ଅଲକ୍ଷ୍ୟରେ ତା’ର ନୟନକଣରୁ ଦୁଇଧାରନୀର ଝରି ଆସିଲା ସ୍ନେହର ଅଶେଷ ସ୍ମୃତିଧରି । ସୁଧାଂଶୁ ମଧ୍ୟ କମଳ ଆଡ଼କୁ ଚାହିଁ ରହିଲା ସ୍ନେହଭରା ଚାହାଣିଢ଼ାଳି । ପ୍ରତିଦାନରେ ତା’ର ମଧ୍ୟ ଆଖି ଛଳଛଳ ହୋଇ ଆସିଲା । ଦୁହେଁ ଦୁହିଁଙ୍କୁ ଅନାଇଁ ରହିଲେ । ଅପଲକ ନେତ୍ର । ସ୍ନେହର ମୋହ କି ସୁନ୍ଦର, କି ପବିତ୍ର ! କେଉଁ ଅଦୃଶ୍ୟ ହସ୍ତ ସତେ ଯେପରି ସେଇ ପବିତ୍ର ସ୍ନେହର ଏକ ଅଛିଣ୍ଡା ରଜ୍ଜୁରେ ଦୁହିଁଙ୍କୁ ବାନ୍ଧି ଦେଇଗଲା, ସେଇ ପୁଷ୍ପ ସୁରଭିତ ଚନ୍ଦ୍ର ଚକିତ ଉପବନର ମହନୀୟ କୋଳରେ । ଆଜୀବନ ଅନାବିଳ ସ୍ନେହ କି ମହତ । କ୍ଷଣକ ପରେ ସୁଧା କହିଲା–ଆଚ୍ଛା କମ ! କ୍ଲାସ୍‍ରେ ସାଥୀ ସାଙ୍ଗ ହୋଇ ପାଠ ପଢ଼ୁଛେ, ଭାଇ ଭାଇ ପରି, ଏକ ପରିବାରର ଲୋକପରି ଏକାଠି ବସି, ମାତ୍ର ସେମାନେ ଆମକୁ ଏତେ ଘୃଣାକରନ୍ତି କାହିଁକି ? ଆମ ବିରୁଦ୍ଧରେ ଏତେ ଷଡ଼ଯନ୍ତ୍ର କାହିଁକି ? ଆମେ ତ ତାଙ୍କର କିଛି କ୍ଷତି କରୁନେ, ତାଙ୍କ ବିରୁଦ୍ଧରେ ଉଠୁନେ । ସେମାନେ କାହିଁକି ଆମ ବିରୁଦ୍ଧରେ ଲାଗି ରହିଛନ୍ତି । ଆମ ବିଷୟରେ ଅପନିନ୍ଦା କରୁଛନ୍ତି, ନାନା କୁକଥା ପ୍ରଚାର କରୁଛନ୍ତି, ଏଗୁଡ଼ାକ ବାସ୍ତବିକ ଠିକ୍‍ ନୁହେଁ । ମୁଁ ମଧ୍ୟ ଥରେ ଦି’ଥର ଚପଳକୁ ପଚାରିଲିଣି । ତାଙ୍କ ଭିତରେ କି ଜୁଆର ଉଠୁଛି କେଜାଣି ଦିନରାତି ଆମ ବିରୁଦ୍ଧରେ ସଜାଗ । ପାଠଶାଠ ପଢ଼ି ଆମେ ଯଦି ନିଜ ଭିତରେ ଏଇୟା କରିବା ଅଶିକ୍ଷିତ ଆଉ ନ କରିବେ କ’ଣ ? ସେମାନେ କ’ଣ ତିଳେ ଏକଥା ବୁଝୁଛନ୍ତି ।

 

ନାଇଁ ସୁଧାଂଶୁ ! ମୁଁ ବି ଥରେ ଦି’ଥର ଚପଳକୁ କହିଲିଣି–କାହିଁକି ତୁମେ ଏପରି ହେଉଛ-। ଆମେ କ’ଣ ଦୋଷକରିଛୁ କୁହ–ନିଜ ନିଜ ଭିତରେ ସମାଧାନ କରିଦେବା–ଭାଗବତ ଘରେ ନିରକ୍ଷର ଚାଷୀ ମୂଲିଆଙ୍କଦ୍ୱାରା ଗାଁ ଗାଁର ମାଲିମକଦ୍ଦମା ତୁଟି ଯାଉଛି, ଆମେ ଛାତ୍ର ଶିକ୍ଷିତ, ଆମର ସେଇକତ ସହଯୋଗ ମନବୃତ୍ତି ନାହିଁ । ନିଜନିଜ ଭିତରେ କଥାଟା ମୀମାଂସା କରି ଦେବାନି ହେଲେ ସେମାନେ କ’ଣ ମୋ କଥାକୁ କର୍ଣ୍ଣପାତ କରୁଛନ୍ତି । ସେଥିଲାଗି ପରା ମୁଁ କ୍ଲାସ୍‍ରେ ହାତେ ମାପି ଚାଖଣ୍ଡେ ଚାଲୁଛି । ହେଉ, ଧର୍ମର ଜୟ ପାପର କ୍ଷୟ । ଆମେ ଯଦି ତାଙ୍କର ଅମଙ୍ଗଳ ପାଞ୍ଚୁଥିବା ତେବେ ଭଗବାନ ଆମର ଅମଙ୍ଗଳ କରିବେ ନଚେତ୍‍ ତାଙ୍କରି ଉପାୟରେ ସେଇମାନଙ୍କରହିଁ କ୍ଷତି ହେବ ।

 

ସତ କମଳ, ଏୟାହିଁ ଠିକ୍‍ କଥା । ଆମେ ତାଙ୍କର ବିରୁଦ୍ଧରେ ଯିବାନାହିଁ, ତାଙ୍କର ଅମଙ୍ଗଳ ପାଞ୍ଚିବା ନାହିଁ; ତାଙ୍କ ସହିତ ମିଳିମିଶି ଚଳିବା, ସେମାନେ କଥା ନ କହିଲେ ଆମେ ଆଗ କଥା କହିବା । ଦେଖିବା କ’ଣ ହେଉଛି । ଏଇଦେଖ–ଚନ୍ଦ୍ର ଆସି ଅସ୍ତାଚଳରେ ବିଶ୍ରାମ ନେବା ଉପରେ । ରାତିଆସି ଦଶଟା ହେବଣି । ଚାଲ ଫେରିଯିବା ।

 

ଦୁହେଁ ଧୀରେ ଧୀରେ ବଗିଚା ଛାଡ଼ି ଚାଲିଲେ ।

 

ସୁଧାଂଶୁ ଓ କମଳ ଦୁଇଜଣ ଅତି ନିକଟତର ବନ୍ଧୁ । ଦୁହେଁ ଏକା ଶ୍ରେଣୀରେ ପାଠପଢ଼ନ୍ତି । ଦୁହିଁଙ୍କର ଘର ଏକା ଗାଁରେ । ସୁଧାଂଶୁର ବାପା ସାଧୁଚରଣ ଜଣେ ସ୍ୱନାମଧନ୍ୟ ଡି.ଏସ୍‍ପି. । ଜୀବନରେ ଗୋଇନ୍ଦା ବିଭାଗରେ କାମ କରି କରି ଅଶେଷ ଯଶ ଅର୍ଜନ କରିଛନ୍ତି । ତାଙ୍କର ଏକନିଷ୍ଠ କର୍ତ୍ତବ୍ୟ ବୋଧ ଓ କର୍ତ୍ତବ୍ୟ ସମ୍ପାଦନ, ନିଜର ବୃଦ୍ଧିବୃତ୍ତି ଓ କାର୍ଯ୍ୟ ତତ୍ପରତା ତାଙ୍କୁ ଆଜି ସାମାନ୍ୟ ଜଣେ କନେଷ୍ଟବଳରୁ D.S.P କରି ପାରିଛି । ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ତାଙ୍କର ସୁନାମ ଯଥେଷ୍ଟ । ମାସକୁ ଦରମା ଚାରିଶ ପଚାଶ । ସବୁବେଳେ ପ୍ରାୟ ବାହାରେ ସେ ରହନ୍ତି । ତେଣୁ ଘରର ସମସ୍ତ ଭାର ବଡ଼ପୁଅ ବସନ୍ତକୁମାରଙ୍କ ହାତରେ । ଜମି ପ୍ରାୟ ତିରିଶ ଚାଳିଶ ଏକର ହେବ । ସବୁ ଜମି ନିଜ ଚାଷରେ ଥାଏ । ଘରେ ଦୁଇହଳ ବଳଦ ଦୁଇଟା ଲଙ୍ଗଳ, ଦୁଇଟା ଶଗଡ଼–ସବୁ ଯୋଡ଼ି ସଜ । ହଳିଆ ଦାମ ପଧାନ । ତା’ ହାତରେ ଏ ସବୁର ଭାର । ବଳଦଙ୍କୁ ଆହାର ଦେବା ଗୁହାଳ ପାଇଟି କରିବା, ଚାଷ–ଲୁହା ଭାଜିଲା ତ କମାରଶାଳକୁ ନେଇ ସଜ କରିବା, ଆଜି ଶଗଡ଼ ଚକ ହୁଗୁଳି ତଲା ବଢ଼େଇକି ଡାକି ତିଆର କରିବା, ଏସବୁର ଦାୟିତ୍ୱ ଦାମ ନିଏ । ଦାମବି ଲୋକଟା ଭଲ । ପ୍ରକୃତି ଖୁବ୍‍ ସରଳ । ଦେଖିବାକୁ କଳା, କିନ୍ତୁ ସୁସ୍ଥ ସବଳ । ଦେହ ଯେପରି ଟାଣ ମନବି ସେପରି ଟାଣ । କାହା ବିରୁଦ୍ଧରେ ଯିବାର କା କାନ କେବେ ଶୁଣିନି । ବୟସ ଆସି ପଞ୍ଚତିରିଶ ହେଲାଣି କେବେ ତା’ ପାଟିରୁ ଶଳା ପଦ ବାହାରିବାର କିଏ ଜାଣିନି । ଅକୃତ୍ରିମ ଭଦ୍ର । ସରଳ । ଅମାୟିକ ।

 

ମନଲାଖିଧନ ଭଗବାନ ମଣିଷ କପାଳରେ ଯୁଗେଯୁଗେ ଜୁଟାଇ ଥାଆନ୍ତି । ସରଳ ପାଏ ସରଳତା, ଜଟିଳ ପାଏ ଜଟିଳତା । ଯେମିତି ହଳିଆକୁ ସେମିତି ସାଆନ୍ତାଣୀ । ସାଧୁଚରଣଙ୍କ ସ୍ତ୍ରୀ କୋମଳା ରୂପଲାବଣ୍ୟରେ ପରିପୂର୍ଣ୍ଣ । ଚରିତ୍ର ଅତିନିର୍ମଳ, ମହତ୍‍, ଉଦାର, ପେଟରେ ଓଦା କନା ପକେଇ, ଭୋକ ଉପାସରେ ରହି, ଭୋକୀଶୋଷୀ ମୁହଁରେ ଆହାର ଦେବା ଲୋକ । ମାଛିକୁ ମଁ କହିବା ତାଙ୍କ କଳ୍ପନାର ଅତୀତ । ବାସ୍ତବରେ ରୂପ ଯେଉଁଠି ଗୁଣ ସେଇଠି ରୂପଗୁଣର ଅପୂର୍ବ ସମାବେଶ ସୃଷ୍ଟିର ଏକ ଅଲଙ୍ଘ୍ୟ ନିୟମ । କୋମଳା ଦେବୀ ଯେପରି ରୂପବତୀ ସେପରି ଗୁଣବତୀ, ଶ୍ରୀମତୀ । ସାଇପଡ଼ିଶାରେ ତାଙ୍କର ଆଦର ବେଶୀ ତାଙ୍କର ମନକୁ ମାନି ଯୁଟିଛି ଦାମହଳିଆ । ଦାମର ମା’ଙ୍କ ପ୍ରତି ଭକ୍ତି ଯେତିକି ମା’ଙ୍କର ଦାମ ପ୍ରତି ସ୍ନେହ ସହାନୁଭୂତି ସେତିକି । ମା’ଙ୍କୁ ଦିନେ ନ ଦେଖିଲେ ଦାମକୁ ଭାତ ରୁଚେନି । ମା’ବି ଦାମର କୌଣସି ଅଭାବ ଅସୁବିଧା ଦେଖିଲେ କାନ୍ଦି ପକାନ୍ତି । ସକାଳୁ ଉଠି ଗୁହାଳ ଗୋବର ଗୋଟେଇ ଦାମ ବଳଦଙ୍କୁ ଆହାର ଦିଏ । ଆହାର ଦେବା ପରେ ପରେ ମା’ ତା’ର ବାଢ଼ି ଦିଅନ୍ତି କଂସେ ପଖାଳ, ବଡ଼ ଶୁଖୁଆଭଜା ଦିଖଣ୍ଡ, ପିଆଜ, ଲୁଣ, ମରିଚ, ଆମ୍ୱ ଆଚାର ଫଡ଼ାଏ । ଦାମର ସେତକ ଅମୃତ । ଶାନ୍ତିରେ ଖାଇଦେଇ ଦାମ ଯାଏଁ ବିଲକୁ ହଳଧରି ଚାଷବାସ କରିବାଲାଗି । ମା’ ଲାଗିପଡ଼ନ୍ତି ଘରର ଅନ୍ୟାନ୍ୟ କାମରେ-

 

ପାହାନ୍ତି ଗାଧୁଆ କୋମଳା ଦେବୀଙ୍କର ଏକ ଅପରିବର୍ତ୍ତନୀୟ ସ୍ୱଭାବ । କି ଖରା, କିବର୍ଷା, କିଶୀତ ସବୁବେଳେ ରାତି ଦୁଇଘଡ଼ିଥିବ ସ୍ନାନ ସାରିବା ତାଙ୍କର ଏକ ଦୈନନ୍ଦିନ କର୍ମ । ଦାମକୁ ଭାତଦେଇ ସାରି ଘରର ବାସିପାଇଟିରେ ଲାଗିପଡ଼ିନ୍ତ ସେ । କଂସା ଗିନା ମାଜି ସାରି ଘରଦୁଆର ଓଳିଆଓଳି କରନ୍ତି । ତା’ପରେ ଧୁଆଧୋଇ ହୋଇ ମଠାପିନ୍ଧି ହାଣ୍ଡିଶାଳରେ ପଶନ୍ତି । ଶୀଘ୍ର ରନ୍ଧାହେଲେ ସୁଧା ଖାଇ ସ୍କୁଲ୍‍କୁ ଯିବ । ଆଉ କା’ ଖିଆ ଡେରି ହେଲେ ଚଳିବ ତା’ର କିନ୍ତୁ ନୁହେଁ । ତେଣୁ କୋମଳା ଲାଗିପଡ଼ି ରୋଷେଇକାମ ନଅଟାବେଳକୁ ସାରନ୍ତି । ସୁଧାଂଶୁ ଖାଇ ସାରି ବହିଧରି ସ୍କୁଲ୍‍କୁ ବାହାରେ କୋମଳାଙ୍କର କୋଡ଼ପୋଛା ପୁଅ ସେ । ତେଣୁ ତାଙ୍କର ବେଶୀଶ୍ରଦ୍ଧା ତା’ ପ୍ରତି । ପିଲାଲୋକ ୮ଟାରୁ ଖାଇସାରି ସ୍କୁଲ୍‍କୁ ଯିବ ଯେ ଫେରିବ ୪ଟାକୁ । ଭୋକସମ୍ଭାଳି ପାରିବ କି ନାହିଁ ତେଣୁ ସେ ଟିଫିନ୍‍ କ୍ୟାରିଅର୍‍ରେ ଜଳଖିଆ ଦେଇଥାନ୍ତି । ସେ ସ୍କୁଲ୍‍କୁ ଯିବାପରେ ଘରର ଅନ୍ୟାନ୍ୟ କାମରେ ହାତ ଦିଅନ୍ତି ।

 

ସାଧୁଚରଣଙ୍କର ବଡ଼ପୁଅ ବସନ୍ତକୁମାର । ଇଂରାଜୀରେ ଅନର୍ସ ସହିତ ବି.ଏ. ପାସ୍ କରିଛନ୍ତି । ଉଚ୍ଚ ଚାକିରି କରିବା ତାଙ୍କର ଉଦ୍ଦେଶ୍ୟ । ମାତ୍ର ବାପାଙ୍କର ଅନିଚ୍ଛା ହେତୁ ଚାକିରିପାଇଁକି ଯାଇପାରୁ ନାହାନ୍ତି । ସାଧୁଚରଣ ଚାକିରି କରିଥିଲେହେଁ ସେ ସ୍ୱାଧୀନଜୀବୀ । ମୌଳିକ ଶିକ୍ଷାର ଆଦର ସେ କରନ୍ତି । ତାଙ୍କର ଇଚ୍ଛା ଶିକ୍ଷିତ ହେଇ ନିଜ ଗୋଡ଼ରେ ନିଜେ ଠିଆହୋଇ ଶିଖିବା ପ୍ରତ୍ୟେକର ଲକ୍ଷ୍ୟ ହେବା ଦରକାର । ଚାକିରିପାଇଁ ଚିତ୍କାର କରି ବୁଲିବା ଅପେକ୍ଷା ନିଜର ଜମିବାଡ଼ି ଉନ୍ନତ ଧରଣର ଚାଷକରି ଗାଁ ଗହଳର ସୁଖସମୃଦ୍ଧି ବଢ଼େଇବା ଆବଶ୍ୟକ । ଆତ୍ମନିର୍ଭରଶୀଳ ହେବା ପ୍ରତ୍ୟେକ ଶିକ୍ଷିତ ନାଗରିକର ଏକାନ୍ତ କାମ୍ୟ । ତେଣୁ ତାଙ୍କ ଇଚ୍ଛା–ବସନ୍ତକୁ ଚାକିରିର ଦୁର୍ବିସହ ଜୀବନରେ ନ ପୂରାଇ ନିଜ ଘରର ଦାୟିତ୍ୱ ତା’ ଉପରେ ଲଦି ଦେବେ । ପାରିବାରିକ ଜୀବନର ଧନ୍ଦା ଦେଇ ତାକୁ ଏକ ସୁନାଗରିକରୂପେ ଗଠନ କରିବେ । ବାପାଙ୍କର ଏଇ ଅଭିଳାଷ ବସନ୍ତକୁମାରଙ୍କୁ ଚାକିରିଆଡ଼ୁ ପଛକୁ ଟାଣି ରଖିଥାଏ । ସେ ଘରର ଦେଖାଶୁଣା କରନ୍ତି । ଜମିବାଡ଼ିର ହିସାବକିତାବ ରଖନ୍ତି ।

 

ସାଧୁଚରଣଙ୍କର ଆଦର୍ଶନୀତି, କମଳା ଦେବୀଙ୍କର ଉଦାରତା ତାଙ୍କ ପରିବାରଟିକୁ ସାରା ‘‘ମଲ୍ଲୀକାଶପୁର’’ରେ ଆଦର୍ଶ ସ୍ଥାନ ଦେଇଥାଏ ।

 

କମଳ ଓ ସୁଧାଂଶୁ ଏକା ଶ୍ରେଣୀର ଛାତ୍ର । ଦୁହେଁ ନବମ ଶ୍ରେଣୀରେ ପଢ଼ନ୍ତି । ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ମେ ପ୍ରଥମ ସପ୍ତାହରେ ହେବ । ପରୀକ୍ଷାପାଇଁ ଦୁହେଁ ଅକ୍ଳାନ୍ତ ପରିଶ୍ରମ କରୁଥାଆନ୍ତି । ସୁଧାଂଶୁ କ୍ଲାସ୍‍ରେ ପ୍ରଥମ ହୁଏ । କମଳ ୨ୟ ସ୍ଥାନ ଅଧିକାର କରେ । ଦୁହେଁ ଭଲ ପଢ଼ନ୍ତି । ପରସ୍ପର ଭିତରେ ଦୁହିଁଙ୍କର ସ୍ନେହ ସହାନୁଭୂତି ଅତି ନିଗୂଢ଼ । ଦୁହିଁଙ୍କର ଚରିତ୍ର ଓ ବ୍ୟବହାର ଅତି ମଧୁର । ତେଣୁ ସ୍କୁଲ୍‍ର ଶିକ୍ଷକମାନେ ମଧ୍ୟ ତାଙ୍କୁ ଭଲ ପାଆନ୍ତି । ଏ ଦୁହିଁଙ୍କ ଆଦର କ୍ଲାସ୍‍ର ଅନ୍ୟ କେତେ ପିଲାଙ୍କ ଆଖିରେ ଯାଏନି । କଙ୍କଡ଼ାକୁ ଗୋଳିପାଣି ସୁହାଏ–ନିର୍ମଳ ପାଣିରେ ସେ ଅବା ରହିବ କିପରି ? କ୍ଲାସ୍‍ର କେତେଜଣ ପିଲା ଭଲ ପଢ଼ନ୍ତି ନାହିଁ । ବ୍ୟବହାର ସ୍ୱଭାବରେ ମଧ୍ୟ ଭଲ ନୁହନ୍ତି । ତେଣୁ କେତେକ ସେମାନଙ୍କୁ ଭଲ ପାଆନ୍ତି ନାହିଁ । ସେଥିପାଇଁ ସେମାନେ ଭଲ ପିଲାଙ୍କର ଅମଙ୍ଗଳ ପାଞ୍ଚନ୍ତି । ଚପଳ ସେମାନଙ୍କର ଲିଡ଼ର୍ । ତାକୁ ସହଯୋଗ କରନ୍ତି ବଂଶୀଧର, ହରକୁମାର ଶଙ୍କର, ମାୟାଧର, କାମରୂପ, ଶୈଳେନ୍ଦ୍ର କୁମାର । ଏଇମାନଙ୍କର କମଳ ଓ ସୁଧାଂଶୁ ସହିତ ଅହିନକୁଳ ସମ୍ୱନ୍ଧ । କାରଣଟା କ’ଣ କିଛି ଜଣାଯାଏନି, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଦେଖାଯାଏ ଏମାନେ ସେ ଦୁହିଁଙ୍କ ସହିତ ଶତ୍ରୁତା କରନ୍ତି ।

 

ଥରେ କ୍ଲାସ୍ ପିଲାମାନେ ଗଣେଶ ଚତୁର୍ଥୀକୁ ଗୋଟିଏ ପତ୍ରିକା ବାହାର କରିବାର ସ୍ଥିର କଲେ । ସମସ୍ତେ ମତ ଦେଲେ ସୁଧାଂଶୁ ଓ କମଳ ସମ୍ପାଦକ ଓ ଉପସମ୍ପାଦକ ରହନ୍ତୁ । କ୍ଲାସ୍‍ ଶିକ୍ଷକମଧ୍ୟ ଏଥିରେ ସମ୍ମତ ହେଲେ, କାରଣ ସେ ଦୁହେଁ କ୍ଲାସ୍‍ର ଭଲଛାତ୍ର, ପୁଣି କ୍ଲାସ୍‍ର ଅଧିକାଂଶ ଛାତ୍ରଙ୍କର ମତ ସେମାନଙ୍କ ପଛରେ ଥାଏ, କିନ୍ତୁ ଏସବୁ ସତ୍ତ୍ୱେ ସେ ସାତଜଣଙ୍କର ପ୍ରତିବାଦ ଉଠିଲା-। ସେମାନଙ୍କ ମତରେ ଚପଳ ସମ୍ପାଦକ ରହିବ, ପ୍ରସ୍ତାବ ହେଲା । ଏପରି ମତଭେଦ ଘଟିବାରୁ କ୍ଲାସ୍‍ରେ ଭୋଟ୍‍ ନିଆଗଲା । ହେଲେ, ଯେତେ ପୋଡ଼ିଲେ କ’ଣ ଖାଣ୍ଟିସୁନା ପୋଡ଼ିଯାଏ, ବରଂ ତା’ର ଜ୍ୟୋତି ଅଧିକରୁ ଅଧିକତର ବିକାଶ ପାଏ । ଯାହାହେଉ ଯେତେ କୁଚକ୍ରାନ୍ତ କଲେ ମଧ୍ୟ ସୁଧାଂଶୁ ଓ କମଳ ସମ୍ପାଦକ, ଉପସମ୍ପାଦକରୂପେ ବଛା ହେଲେ ।

 

ଗଣେଶ ଚତୁର୍ଥୀ ରାତିରେ ପ୍ରକାଶ ପାଇଲା ‘ଶତହ୍ରଦା’ ସୁଧାଂଶୁ ଓ କମଳର ସମ୍ପାଦନାରେ । ସେଦିନ ମଧ୍ୟ ପିଲାମାନଙ୍କ ହାତକୁ ଆସିଲା ଆଉ ଏକ ପତ୍ରିକା ‘‘ନିଆଁ ଝୁଲ’’ ଚପଳର ସମ୍ପାଦନାରେ । ନିଆଁ ଝୁଲର ପ୍ରତି ପୃଷ୍ଠାରେ ପରୋକ୍ଷ ଭାବରେ କମଳ ଓ ସୁଧାଂଶୁର ନିନ୍ଦାବାଦ ପୂରି ରହିଯାଏ । ସେଦିନଠାରୁ ସମସ୍ତେ ବୁଝିଲେ ନବମ ଶ୍ରେଣୀରେ ଦୁଇଦଳ ।

 

ସମୟର ସୁଅ ଅବାରିତ । କାହାରିକୁ ଅପେକ୍ଷା କରିବା ତା’ର ସ୍ୱଭାବ ବିରୁଦ୍ଧ । ଅପ୍ରେଲ ମାସ ବିତିଗଲା, ଆଉ ମୋଟେ ଚାରିଦିନ ରହିଲା ବାର୍ଷିକ ପରୀକ୍ଷା । କମଳ ଓ ସୁଧାଂଶୁ ଦିନରାତି ପଢ଼ାପଢ଼ିରେ ବ୍ୟସ୍ତ । ପ୍ରତିଦିନ ସଞ୍ଜ ହେଲେ ସେମାନେ ଯାଆନ୍ତି ସଞ୍ଜବତି କୂଳର ସେଇ ଗୋଲାପ ବଗିଚା ଆଡ଼କୁ । ସେପାଖରେ ପ୍ରବାହିତ ହେଉଥାଏ ସଞ୍ଜବତି ନଦୀର ସ୍ୱଚ୍ଛ ସଲୀଳ ଜଳଧାର–ଉପରେ ନୀଳଆକାଶ–ପ୍ରତ୍ୟାବର୍ତ୍ତନଶୀଳ ବିହଙ୍ଗ କାକଳି ମୁଖରିତ–ତଳେ, ଅଦୂରରେ ସବୁଜ ଶସ୍ୟକ୍ଷେତ୍ରରୁ ଦଳଦଳ ହୋଇ କଳା କଳା ମଣିଷ ଘରମୁହାଁ ଫେରୁଥାଆନ୍ତି । ମାଟିର ମଣିଷ-। ଦୈନନ୍ଦିନ ଜୀବନର କାର୍ଯ୍ୟ ସମାପନ ପରେ ସଭିଏଁ କ୍ଳାନ୍ତି ଦୂର କରିବାଲାଗି ବ୍ୟାକୁଳୋନ୍ମୁଖ-। ଏ ଦିଗରେ ମଲ୍ଲୀକାଶପୁରର ପ୍ରତି ଦୁଆରେ ହସି ଉଠେ ସଞ୍ଜବତିର କ୍ଷୀଣ ଆଲୋକରେଖା-। ପଶ୍ଚିମାକାଶରେ ଦିଗଚକ୍ର ତଳେ ଅରୁଣର ଲୋହିତ ଛବି କ୍ଷୀଣତର ହୋଇ ଲିଭି ଆସେ-। ଗନ୍ଧବିଭୋର ସମୀରଣ ବହେ । ଦୂର ତୃଣ ପ୍ରାନ୍ତରରୁ ଗୋପାଳ ବାଳକ ଗୋଧନ ଗୋଷ୍ଠର ପଛେ ପଛେ ଫେରେ । ହାତରେ ତା’ର ସେଇ ନିତି ଦିନର ସାଙ୍ଗ ସ୍ୱରମୁଖର ବଂଶୀ । ଗୋଧୂଳିର ବିଦାୟ–ସଞ୍ଜର ଆଗମନ–ସୁନ୍ଦର ଦୃଶ୍ୟ–ମନୋରମ ପ୍ରକୃତିର ବିଚିତ୍ର ବିଭବ–ପ୍ରତ୍ୟେକ ମନରେ ଆଣିଦିଏ ଶାନ୍ତି, ଆନନ୍ଦ । କମଳ ଓ ସୁଧାଂଶୁ ୟା’ରି ଭିତରୁ ପାଆନ୍ତି ଅନାବିଳ ଶାନ୍ତି-। ମସ୍ତିଷ୍କର ସମସ୍ତ କ୍ଳାନ୍ତି ଦୂରକରି ରାତି ଘଡ଼ିକି ଦୁହେଁ ଘରକୁ ଫେରନ୍ତି ।

 

ଏହିପରି ଗୋଟିଏ ସଞ୍ଜରେ ବାର୍ଷିକ ପରୀକ୍ଷା ଶେଷ ହେଲା । ଏହିପରି ଗୋଟିଏ ସଞ୍ଜରେ ପରୀକ୍ଷା ଫଳ ବାହାରିଲା । କମଳ ପ୍ରଥମ ସ୍ଥାନ ପାଇଛି–ସୁଧାଂଶୁ ଦ୍ୱିତୀୟ ହୋଇଛି । ସୁଧାଂଶୁ ପ୍ରଥମ ହେଉଥିଲା ଦ୍ୱିତୀୟ ହେଲା, ସେଥିପାଇଁ ମନରେ ତା’ର ତିଳେହେଲେ ଦୁଃଖ ନାଇଁ କିମ୍ୱା କମଳ ୨ୟ ହୋଇଥିଲା ପ୍ରଥମ ହେଲା ସେଥିପାଇଁ ତା’ ମୁହଁରେ ଗର୍ବ, ଅହଂକାର ଆଭାସ ସୁଦ୍ଧା ମିଳେନି । ଫଳ ବାହାରିବାର ପରଦିନ ସେମାନେ ବାହାରିଲେ ଭ୍ରମଣ ଉଦ୍ଦେଶ୍ୟରେ ସରୋଜ ଓ ସୁଶୀଳ ସହିତ । ସରୋଜ, ସୁଶୀଳ ସେ ଦୁହିଁଙ୍କର ଦୁଇଜଣ ବନ୍ଧୁ । ଆପଣାର ।

 

ମଲ୍ଲୀକାଶପୁରର କୋଡ଼ିଏ ମାଇଲ ଉତ୍ତରକୁ ଭାଲେରୀଗିରିର ଅନ୍ତଃସ୍ଥଳରେ ନାରାୟଣୀ ପୀଠ ଅବସ୍ଥିତ । ଚତୁର୍ଦ୍ଦିଗ ଶ୍ୟାମକାନ୍ତ ଅରଣ୍ୟ ପରିବେଷ୍ଟିତ । ମଧ୍ୟସ୍ଥଳରେ ଅର୍ଦ୍ଧଏକର ପରିମିତ ସମତଳ ପ୍ରସ୍ଥର ଭୂମି । ସେଠାରେ ଦୁର୍ଗାଙ୍କର ଏକ ସୁନ୍ଦର ମନ୍ଦିର । ପର୍ବତର ଶିଖର ଦେଶରୁ କେତୋଟି କ୍ଷୁଦ୍ର ଗିରିଝର ବହି ଆସିଛି । ଦେଉଳ ସାମନାରେ ଗୋଟିଏ ଖୋଲ, ସେଠାରେ ଗିରିଝରଗୁଡ଼ିକର ଜଳ ସଞ୍ଚିତ ହୋଇ ରହେ । ଦେଉଳର ଅନ୍ୟ ଏକ ପାଖରେ ଲଗାଲଗି ହୋଇ ପଣସ ଗଛଗୁଡ଼ିଏ । ଅପର ପାଖରେ କେତୋଟି ବଂଶକୁଞ୍ଜ । ପାଦଦେଶରେ ନିଘଞ୍ଚ ଆମ୍ର ବନ । ଚତୁର୍ଦ୍ଦିଗ ନିରବ, ନିସ୍ତବ୍ଧ, ଗମ୍ଭୀର । ଏଇ ଗମ୍ଭୀରତା ଭିତରେହିଁ ପ୍ରକୃତିର ଆଲେଖ୍ୟ ପରିସ୍ଫୁଟ ହୁଏ ବଡ଼ ଗୋପନୀୟ ଭାବରେ । ଏଠି ଦୁର୍ଗାଦେବୀଙ୍କ ମନ୍ଦିର ସମୀପରେ ସତେ ଯେପରି ପ୍ରକୃତି ସଜୀବ ସୁନ୍ଦର ପ୍ରାଣବନ୍ତ ହୋଇଉଠେ, ୟା’ରି ସ୍ତରେ ସ୍ତରେ ଶାନ୍ତି ଯେପରି ତା’ର ମୁଗ୍ଧ ମଧୁର ଜୈତ୍ରବାଣୀ ଗାଇ ବୁଲେ ଝିଙ୍କାରିର ମଧୁସ୍ୱନରେ, ବାସ୍ତବିକ ସ୍ଥାନଟି କବି ଭାକୁକ–ରସିକର ପ୍ରିୟସ୍ଥଳୀ ।

 

କମଳର ବାପା ପ୍ରଶାନ୍ତକୁମାର ଗାଁର ଜଣେ ପୁରୁଖା ଲୋକ । ନ୍ୟାୟବିଚାରରେ ତାଙ୍କର ଆସନ ସବାଉପରେ । ପାଠଶାଠ ସେତେ ପଢ଼ିନାହାନ୍ତି, ମାତ୍ର ଯାହା ଜାଣନ୍ତି ସେଥିରୁ ତାଙ୍କର ହୃଦବତ୍ତାର ପରିଚୟ ମିଳେ । ତାଙ୍କୁ ଜଣେ ସୁଜ୍ଞାନୀ କହିଲେ ଅତ୍ୟୁକ୍ତି ହେବନାହିଁ । କେବଳ ସେକ୍‍ସପିଅରଙ୍କର କେତେଖଣ୍ଡ ନାଟକ, ବ୍ଳେକ୍‍ ବା ଓ୍ୟାଡ଼୍‍ସଓ୍ୟାର୍ଥଙ୍କର କେତୋଟି କବିତା ପୁସ୍ତକ କିମ୍ୱା ରଘୁବଂଶ, କୁମାରସମ୍ଭବ ଇତ୍ୟାଦିରୁ କେତେକ ପର୍ଯ୍ୟାୟ ମୁଖସ୍ଥକରି ଯେ ନିଜକୁ ଜ୍ଞାନୀ ବୋଲି ପରିଚୟ ଦିଏ ସେ ବାସ୍ତବିକ ସୁଜ୍ଞାନୀ ନୁହେଁ । ହୃଦୟବାନ ଲୋକହିଁ ବାସ୍ତବିକ ଜ୍ଞାନୀ । ଭଦ୍ର ପରିଚ୍ଛଦ ପିନ୍ଧି ନାଁର ଡାହାଣରେ ଚାରି ପାଞ୍ଚଧାଡ଼ିର ଉପାଧିଟିଏ ଲେଖି ଯେଉଁମାନେ ଦିନ ଦିପହରେ ମଣିଷ ବେକରେ ଛୁରି ମାରି ପାରନ୍ତି ସେମାନଙ୍କୁ କ’ଣ ଜ୍ଞାନୀ କୁହାଯାଇପାରେ ! ! ପ୍ରଶାନ୍ତକୁମାର ସେପରି ଜ୍ଞାନୀ ନୁହନ୍ତି, ତାଙ୍କର ହୃଦୟ ପବିତ୍ର, ସେ ଉଦାର ମହତ୍‍, ପରର ଦୁଃଖରେ ତାଙ୍କ ଆଖିରୁ ଲୁହ ଝରି ଆସେ, ଠିକ୍‍ ଯେପରି ଗ୍ରୀଷ୍ମତାପରେ କରକା ତରଳିଯାଏ ଆପେଆପେ–କିଏ ତାକୁ ରୋଧ କରିପାରିବ ? ମଣିଷପାଇଁ ଯିଏ ବୁକୁ ପ୍ରସାରି ଦିଏ କ’ଣ ଏ ଧରାର ଜୀବନ୍ତ ଦେବତା ନୁହେଁ ! ସିଏ କ’ଣ ଏ ଧରାରେ ସୃଷ୍ଟି କରେନି ଅଭିନବ ଜୀବନ ସଙ୍ଗୀତ-। ପ୍ରଶାନ୍ତକୁମାର ଏସବୁରେ କମ୍‍ ନୁହଁନ୍ତି କିନ୍ତୁ ସୃଷ୍ଟିର କି ବିଚିତ୍ର ନିୟମ, ବିଧାତାର କି ଅପରିବର୍ତ୍ତନୀୟ ବିଧାନ, ସତ୍‍ପଥ ଚିର ବାଧା ବିପଦପୂର୍ଣ୍ଣ । ସତ୍‍ଜୀବନ ନିତ୍ୟ ଦୈନ୍ୟ ପୀଡ଼ିତ-। ପ୍ରଶାନ୍ତକୁମାର ଗରିବ । ଘରେ ପାଞ୍ଚପ୍ରାଣୀ କୁଟୁମ୍ୱ । ସ୍ତ୍ରୀ କମଳିନୀ, ପୁଅ କମଳ, ଅଚଳ, ଓ ଝିଅ କାମିନୀ, ରାଗିଣୀ । ଏମାନଙ୍କର ସମସ୍ତ ଅଭାବ ଅସୁବିଧା ମେଣ୍ଟାଇବା ପ୍ରଶାନ୍ତକୁମାରଙ୍କ କର୍ତ୍ତବ୍ୟ-। ଯାହା ହେଉ କୌଣସି ଉପାୟରେ ସେ ଆଜିଯାଏ ଚଳାଇ ଆସୁଛନ୍ତି । ପରିସ୍ଥିତିରେ ପଡ଼ି ଦିନେ ଦିନେ ସେ ନିଜେ ଉପବାସ ରହି ଘରେ କହି ଦିଅନ୍ତି, ମୁଁ ଆଜି ବାହାରେ ଖାଇ ଆସିଛି-। ଏଥିରେ ସେ ସୁଖୀ । ଛୋଟ କୁଟୀରଟିରେ ପାଞ୍ଚଟି ମୁହଁର ହସହସ ଚାହାଣି, ଛୋଟ କାମିନୀ ଓ ରାଗିଣୀର ଦରଦର ମିଠା କଥା ତାଙ୍କୁ ସ୍ୱର୍ଗସୁଖ ଦେଇଯାଏ । ସେ ମନେ କରନ୍ତି ତାଙ୍କର ମାଟିର କୁଟୀରଟି କୁଟୀର ନୁହେଁ, ସରଗ !

 

କମଳର ଦଶମ ଶ୍ରେଣୀ ହେଲା । ପିଲାଟି ଭଲ ପଢ଼େ । ସ୍କୁଲ୍‍ରେ ସମସ୍ତେ ତାକୁ ଭଲ କହନ୍ତି, କିନ୍ତୁ ଗୃହର ଆର୍ଥିକ ଅନାଟନ ତା’ର ପାଠପଢ଼ାରେ ଅନେକ ପ୍ରତିବନ୍ଧକ ସୃଷ୍ଟିକରେ-। ଏଇ ଅଭାବର ଅନ୍ଧାରରେ ପଡ଼ି କେତେ ଯେ କମଳ ଅଫୁଟା ରହେ ତା’ କଳନା କରେ କିଏ-!! କମଳ କିନ୍ତୁ ଅନ୍ୟ ଏକ ଆଦର୍ଶରେ ଅନୁପ୍ରାଣିତ । ସେଦିନ ତ ସେ ପଢ଼ିଥିଲା ପୁଣ୍ୟାତ୍ମା ଗୋଦାବରୀଶଙ୍କ ଜୀବନୀରୁ, ଦୁଃଖ ଭିତରେ ମଣିଷ ମଣିଷ ହୁଏ, ପଙ୍କ ଭିତରୁ ତ ପଦ୍ମର ବିକାଶ, ତା’ର ଆଦର୍ଶ ସେଇ ନିଜେ । ଏଇ କଥାତକହିଁ ତା’ ମନରେ ଆଣିଦିଏ ଅସୀମ ଧୈର୍ଯ୍ୟ, ସାହସ, ପ୍ରେରଣା-। ସେ ନିଭୃତରେ ଭାବେ ଶତ ବାଧାବିଘ୍ନ ବିପଦ ଆପଦକୁ ଭ୍ରୂକ୍ଷେପ ନ କରି ପାଠ ପଢ଼ିବ-। ଜୀବନ ବେଳାରେ କେତେ ଝଞ୍ଜାବତାସ ବହିଯିବ କେତେ ଜୁଆରର ଭୀଷଣ ଗର୍ଜନ ବେଳାଭୂମିକୁ ଉଦ୍‍ବେଳିତ କରିବ, କିନ୍ତୁ ବେଳା ଯେପରି ପଡ଼ିଛି ସେପରି–ସବୁତ ସିଏ ମଥାପାତି ସହି ଯାଉଛି, ମଣିଷ ହୋଇ ସେ କାହିଁକି ପ୍ରକୃତିର ନିୟମରୁ ବହିର୍ଭୂତ ହେବ, ସେ ପ୍ରକୃତି ପୁରୁଷ–ପ୍ରକୃତିର ସନ୍ତାନ । ପ୍ରଶାନ୍ତକୁମାର ମଧ୍ୟ ଦିନେହେଲେ ତା’ର ଅଭାବ ଅପୂରଣ ରଖି ନାହାନ୍ତି-। ଦୈନ୍ୟ ଭିତରେ ସନ୍ତୁଳି ହୋଇ ସୁଦ୍ଧା ସେ କମଳର ପାଠପଢ଼ା ଖର୍ଚ୍ଚ ତୁଲେଇ ଆଣିଛନ୍ତି ।

 

କମଳ ଓ ସୁଧାଂଶୁ ବିମୋହନ ହାଇସ୍କୁଲର ଦୁଇଟି ଛାତ୍ର, ଦୁଇଟି ରତ୍ନ ପରି । ଦୁହିଁଙ୍କର ବ୍ୟବହାରରେ ସମସ୍ତେ ମୁଗ୍ଧ । ନିରାଡ଼ମ୍ୱର, ଅକୃତ୍ରିମ ଭଦ୍ର, ସରଳ, ଧୀରସ୍ଥିର ବାଳକ ଦୁଇଟି ସମସ୍ତଙ୍କର ଆଦରଣୀୟ । ଦୁହିଁଙ୍କର ଆକୃତି ପ୍ରକୃତିରେ, ନୀରକ୍ଷୀରର ସମ୍ପର୍କ । ଗ୍ରାମର ଯିଏ ହେଲେ କହେ–କମଳ ଓ ସୁଧାଂଶୁ ଦୁଇଟି ପିଲା ଆହା, ଦୁଇଟି ମଣିଷ–ସାକ୍ଷାତେ ରାମକୃଷ୍ଣ ବେନିଭାଇ, ରୂପ ଯେପରି ବିଦ୍ୟା ସେପରି, ଗୁଣ ମଧ୍ୟ ତତୁଲ୍ୟ । ଚରିତ୍ର ଅତି ନିର୍ମଳ, ନିଷ୍କଳଙ୍କ, ଠିକ୍‍ ଚଇତ ରାତିର ଜୋଛନା ପରି । କେଉଁ ଜନ୍ମର କି ସୁକୃତ ଥିଲା କେଜାଣି, ପିଲା ଦୁଇଟିତ ! କି ଲଳିତ ତାଙ୍କର ହସହସ କଥା ।

 

କମଳ ଓ ସୁଧାଂଶୁ ସବୁଦିନ ସାଥୀ ହୋଇ ସ୍କୁଲ୍‍କୁ ଯାଆନ୍ତି । ଫେରିଲାବେଳେବି ସାଙ୍ଗ ହୋଇ ଫେରନ୍ତି । ଦୁହେଁ ଦୁହିଁଙ୍କର ଅନ୍ତରଙ୍ଗ ବନ୍ଧୁ । ଜଣେ ଜଣକୁ ଦଣ୍ଡେ ନ ଦେଖିଲେ ପାଗଳ ହୁଏ-। ସ୍ନେହର ପରଶ କିଭଳି ଅନୁଭବୀହିଁ ଜାଣେ–ତା’ ଭିତରେ କି ସ୍ୱର୍ଗୀୟ ମାଦକଭରା ମକରନ୍ଦ ପୂରିଥାଏ ମଣିଷ ସେଥିରେ ହୁଏ ଉନ୍ମତ୍ତ, ପାଗଳ, ଅଧୀର । ସେଇ ଗୁପ୍ତ ପ୍ରେମର ମଧୁର ଆହ୍ୱାନ ମଣିଷର ହୃଦୟ ମନକୁ ବିମୋହିତ କରେ । ତା’ରି ଲାଗି ଏହି ନଶ୍ୱର ଧରାରେ ଚାରୁଚିତ୍ରମୟୀ ତାଜମହଲ ଜ୍ୟୋତ୍ସ୍ନା–ଧଉତ ଯମୁନାର ଜଳ ଦର୍ପଣରେ ମୁଖଶ୍ରୀ ଅବଲୋକନ କରି ନାଚି ଉଠୁଛି-। ବିଧୁର କବି କାଳିଦାସଙ୍କ କଣ୍ଠରୁ ଝରି ଆସିଛି ମେଘଦୂତର ମେଘମହ୍ଲାରିତ କମ୍ର ଛନ୍ଦରାଜି–ପ୍ରେମ ପାଗଳିନୀ ସତୀ ସାବିତ୍ରୀ ବିଶ୍ୱର ଇତିହାସରେ ରଚି ଯାଇଛନ୍ତି ଅଭିନବ ପ୍ରେମଧାରା ସ୍ନେହ, ପ୍ରେମ, ପବିତ୍ର ! କମଳ ଓ ସୁଧାଂଶୁ ଦୁହିଁଙ୍କ ମନ ମଧ୍ୟରେ ଠିକ୍‍ ସେଇ ସ୍ୱର୍ଗୀୟ ସ୍ନେହର ଗୋଟିଏ ସୂକ୍ଷ୍ମ ଧାରା ଅପ୍ରକାଶିତଭାବେ ପ୍ରବାହିତ ହେଉଥାଏ । ସମୟର ସୁଅ ଭିତରେ ଦୁହିଁଙ୍କର ବନ୍ଧନ ନିଗୂଢ଼ରୁ ନିଗୂଢ଼ତର ହୁଏ ।

 

ପରିବର୍ତ୍ତନଶୀଳ ଜଗତରେ ସବୁର ପରିବର୍ତ୍ତନର ଲାଗିରହିଛି । ଗ୍ରୀଷ୍ମ ଯାଉଛି ପୃଥିବୀପୃଷ୍ଠକୁ ଦଗ୍ଧ ଅନୁତପ୍ତ ସନ୍ତାପିତ କରି, ବର୍ଷା ଆସୁଛି ଶ୍ୟାମଳ ଶାଢ଼ିରେ ଦିଗ୍‍ଦିଗନ୍ତ ଆଚ୍ଛାଦିତ କରି । ଜଳଦ କୋଳରେ ହସି ଉଠୁଛି ସୌଦାମିନୀ, ସତେ ଯେପରି ଦୁନିଆକୁ ଇଙ୍ଗିତ କରି । ମଣିଷ ଜୀବନରେ ଠିକ୍‍ ସେପରି ଗ୍ରୀଷ୍ମ ଯାଉଛି, ବର୍ଷା ଆସୁଛି–ସେଇ ନିୟମରୁ ଦୂରେଇ ନ ଯାଇ ଆଜିବି ଶ୍ୟାମସୁନ୍ଦରପୁର ପୂରିଉଠୁଛି । ବର୍ଷା ଆସିଛି ଚଉଦିଗରେ ସବୁଜିମାର ସ୍ପର୍ଶ ଦେଇ ନଈ ପୋଖରୀରେ ପ୍ରାଣଭରି ଫାଟି ପଡ଼ୁଛି ଧଳା ଧଳା ଫୁଟନ୍ତ କୁମୁଦଗୁଡ଼ିକ । ପଲ୍ଲୀ ଅନ୍ତର ଉତ୍‍ଫୁଲ୍ଲ ହୋଇ ଉଠୁଛି । ବାଡ଼ିବଗିଚାରେ ନାନାଜାତିର ଫୁଲ ଫଳ ଦୋହଲି ପଡ଼ୁଛି ପବନର ମୃଦୁ ଗତିରେ-। ଚାରିଆଡ଼ ସବୁଜ ରଙ୍ଗରେ ଚିତ୍ରିତ, ସ୍ନିଗ୍ଧ, ସୁନ୍ଦର କାନ୍ତ କୋମଳ । ପ୍ରକୃତି ଦେବୀ ସତେଜ ହୋଇ ଉଠିଛି । ଗାଁ ଗାଁ ଚାରିପଟେ ସବୁଜ ଶସ୍ୟକେଦାର କେଉଁଠି କେତୋଟି କଳା କଳା ମଣିଷ କାମ କରିବାରେ ବ୍ୟସ୍ତ । ସେଇ କଳା କଳା ମଣିଷ ଭିତରେ ଦାମପଧାନବି ମିଶାଇ ଦେଉଛି ତା’ର ମନମତାଣିଆ ସରଳ ସଙ୍ଗୀତ । ଧାନଗଛର ଦୋଳାୟମାନ ପତର ଉପରେ ସିରି ସିରି ହୋଇ ବହିଯାଉଛି ସେ ସଙ୍ଗୀତ–ମିଳାଇ ଯାଉଛି ହିଡ଼ଗଡ଼ିରୁ ଝରଝର ହୋଇ ଝରି ଆସିଥିବା ଜଳଧାରର ଆତ୍ମା ଭିତରେ । ଦାମ ତା’ର ମା’ଙ୍କ ଜମିରେ ପ୍ରାଣପାତ କରି କାମ କରିବାରେ ବ୍ୟସ୍ତ–ଆଗପଛକୁ ନଜର ନଥାଏ । ଦିପହରକୁ ତା’ କାନରେ ବାଜେ ‘ବାପା’ ଡାକ । ସେ ଡାକ ଆଉ କାହାର ନୁହେଁ, ଛୋଟ ସରଜୁର ।

 

ଦାମର ଜନ୍ମମାଟି ଶ୍ୟାମସୁନ୍ଦରପୁର ମଲ୍ଲୀକାଶପୁରରୁ ଡାକେବାଟ ହେବ । ଛୋଟ ଚାଷୀପଡ଼ା ଖଣ୍ଡିଏ । ଗାଁରେ କେତେଜଣ ନିଃସ୍ୱାର୍ଥପର କର୍ମନିଷ୍ଠ ମୂଲିଆ ଶ୍ରେଣୀର ପରିବାର ବସବାସ କରନ୍ତି । ତା’ ଭିତରେ ଜଣେ ଅଧେ ବା ଧନୀ । ଦାମ ସେଇ ମଳିମୁଣ୍ଡିଆ ସରଳ ଚାଷୀମାନଙ୍କ ଭିତରୁ ଜଣେ । ପ୍ରତିଦିନ ସକାଳୁ ଉଠି ସେ ତା’ର ଆଦରର ମା’ଙ୍କ ଘରକୁ ଯାଏଁ । ସେଠାରେ ପଖାଳ ଖାଇ ବିଲକୁ ଆସେ । ଯିବା ଆସିବା କୋଶେ ବାଟ ତାକୁ ଦିପହଣ୍ଡ ପରି ଲାଗେ-। ମା’ଙ୍କର ସ୍ନେହର ମୋହ ତା’ର ସରଳ ପାଦ ଦୁଇଟିକୁ ଟାଣି ନେଇଯାଏ ସବୁଦିନ ସଞ୍ଜସକାଳେ-। ସେ ତିଳେହେଲେ ହେଳା କରିପାରେ ନାହିଁ । ଘରେ ତା’ ସ୍ତ୍ରୀ ଲଳିତା ପୁଅ ରୂପଳ ଓ ଛୋଟ ଝିଅ ସରୋଜିନୀ । ରୂପର ବୟସ ପନ୍ଦର ହେବ । ଚଷାଘରର ପୁଅ ପାଠ ବା ତା’ର ଦରକାର କ’ଣ-! ଗାଁ ଚାଟଶାଳିରେ ଭାଗବତ, ରାମାୟଣ ପଢ଼ା ଶିଖିଗଲେ ହେଲା । ସେତକ ରୂପର ହୋଇ ଯାଇଥିଲା । ଏଣିକି ସେ ବାପା ସାଥିରେ ବିଲକୁ ଯାଏଁ । ଶକ୍ତ ସବଳ ବଳିଷ୍ଠବାହୁ ତା’ର ମାଟିରେ ମାଟି ହୋଇଯିବାକୁ ଆଗଭର । ଯାହାରି ଅନ୍ନଜଳରେ ତାଙ୍କରି ପିଣ୍ଡ ଗଢ଼ା ସେଇ ମା’ଙ୍କର ଜମିରେ କାମ କରିବା ତା’ର ଆନନ୍ଦ । ମା’ବି ରୂପକୁ ନିଜ ପୁଅଠୁ ବଳି ଭଲ ପାଆନ୍ତି । ସେ ତା’ର ପ୍ରକୃତି ସୁନ୍ଦର ରୂପ ତା’ର ସ୍ୱଭାବ–ସୁଲଭ ମଧୁର ବ୍ୟବହାରରେ ମା’ଙ୍କୁ ମୁଗ୍ଧ କରେ । ପୂନିଅପରବରେ ଦାମ ଘରେ ଚୁଲି ଲାଗେନାହିଁ । ମା’ଙ୍କ ଘରେ ପରିବାରଟିର ପର୍ବ ହୁଏ ।

 

ସରୋଜିନୀର ବୟସ ଦଶବରଷ ହେବ । ଗରିବ ଚାଷୀର ଝିଅ ହେଲେ କ’ଣହେବ ତା’ ଦେହରେ ସୌନ୍ଦର୍ଯ୍ୟର ରୂପ ପୂର୍ଣ୍ଣତା ଥାଏ । ସକାଳୁ ବୋଉ ସହିତ ମିଶି ଘରର ବାସିପାଇଟି କରେ-। ଦିପହରକୁ ମୁଣ୍ଡରେ ଭାତକଂସା ଧରି ବାପ ପାଖକୁ ଯାଏଁ । ତା’ର ମନ୍ଥରଗତିରେ ତରଳ ଯୌବନର ଇଙ୍ଗିତ ଉଦ୍‍ଭାସିତ ହୋଇ ଉଠେ । ବଙ୍କାସରୁ ହିଡ଼ ଉପରେ ସେ ଚିତ୍ରିତ ପ୍ରଜାପତି ପରି ଗୁଣୁଗୁଣୁ ଗୀତ ଗାଇ ଏକଲୟରେ ଚାଲିଥାଏ । ଦୁଇପାଖର ଧାନ ପତର ତା’ର କୋମଳ କରଟିର ପରଶ ପାଇ ଦୋଳିଉଠେ । ସେ ନିଶ୍ଚିନ୍ତା । ସରଳା–ସୁନ୍ଦରୀ–ପ୍ରକୃତିପୃଷ୍ଠା । ଏଇପରି କେତେକ ଯୌବନ ଦୀପ୍ତ–ପଲ୍ଲୀଲଳନା ପଲ୍ଲୀ କେଦାରମାଳରେ ଦିନ ଦିପହରେ ଘୂରି ବୁଲୁଥାନ୍ତି-। ସେମାନଙ୍କର ରୂପଲାବଣ୍ୟରେ ସତେ ଯେପରି କେଦାରଅନ୍ତର ରସାଣିତ ହୋଇଉଠେ-। ସେମାନଙ୍କର ଜବା ଅଧରରେ ଯେଉଁ ଅପୂର୍ବଲାସ୍ୟ ଖେଳିଯାଏ, ସେଇଥିରେହିଁ ପଲ୍ଲୀ ଅନ୍ତର ପୁଲକି ଉଠେ ସେମାନଙ୍କର କମଳ କୋମଳ କର ସ୍ପର୍ଶରେ ପଲ୍ଲୀଭୂମି ସବୁଜ ଶ୍ୟାମଳକାନ୍ତ ରୂପ ଧାରଣ କରେ । ସେଇମାନେହିଁ ବାସ୍ତବିକ ପଲ୍ଲୀଲକ୍ଷ୍ମୀ । ସେମାନେ ଗରିବ ଚାଷୀ ମୂଲିଆର ଝିଅ ଧନୀ ଜମିଦାରର କନ୍ୟାବଧୂ ପରି ହର୍ମ୍ମ୍ୟବିଳାସିନୀ ସମ୍ପତ୍ତିଶାଳିନୀ ନୁହନ୍ତି । ସେମାନଙ୍କ ପାଇଁ ବନାରସୀ ଶାଢ଼ି, ଚିତ୍ରିତ ବ୍ଲାଉଜ୍‍, ସ୍ନୋ, ପାଉଡ଼ର ସ୍ୱପ୍ନ । ଦୁଧ, ଘିଅ, ମାଛ, ମାଂସ ସେମାନଙ୍କ କଳ୍ପନାର ବାହାରେ । ସେମାନେ ଶାଗ ପଖାଳର ଜୀବ କିନ୍ତୁ ପ୍ରକୃତି ସେମାନଙ୍କର ଜନନୀ । ସେଇ ପ୍ରକୃତି କୋଳରେ ଫୁଟିଉଠେ ସେମାନଙ୍କର ପ୍ରାକୃତିକ ଯୌବନର ଆଭା–ନିଷ୍କଳଙ୍କ, ନିର୍ମଳ, ହୁଏତ ମଧୁର, ଚିରସୁନ୍ଦର ।

 

ସଞ୍ଜବେଳକୁ ଦାମ ପୁଅ ରୂପ ଓ ଝିଅ ସରଜୁ ସହିତ ଘରକୁ ଫେରେ । ପଥ ମଧ୍ୟରେ ଆସୁ ଆସୁ ସେମାନଙ୍କ ସହିତ କେତେ କଥାବାର୍ତ୍ତା କରେ । ଦୀର୍ଘ ଦିନର କ୍ଳାନ୍ତି ଏଇଥିରେହିଁ ତା’ର ଉପଶମ ହୁଏ । ବାଟ ସରି ସରିଯାଏ । କ୍ଳାନ୍ତି କମି କମି ଆସେ । ତା’ର ମନରେ ପୁଲକ ସଞ୍ଚରି ଉଠେ । ରୂପ ଓ ସରଜୁର କୋମଳ ମଧୁର କଥାରେ ତା’ର ପିତୃହୃଦୟ ଫୁଲିଉଠେ । ସେ ଗର୍ବକରେ ଭଗବାନ ତା’ ପ୍ରତି ସଦୟ । ଦାମପରି ଆହୁରି ଅନେକ ବାପା ନିଜ ନିଜର ପୁଅ ଝିଅ ସହିତ ଘରକୁ ଫେରନ୍ତି । ସେମାନେ ସଭିଏଁ ଏହି ଆନନ୍ଦର ଅଧିକାରୀ । ଏ ଆନନ୍ଦ ପଙ୍କିଳ ନୁହେଁ–ସ୍ୱଚ୍ଛ, ଅନାବିଳ । ହୃଦୟ ପ୍ରତି ହୃଦୟର ଅନାବିଳ ଅନୁରାଗ, ବାପପ୍ରତି ପୁଅ ଝିଅର ଗଭୀର ମମତା-। ପୁଅଝିଅ ପ୍ରତି ବାପର ସରଳ ସ୍ନେହ ସହାନୁଭୂତି । ଗାଁ ନିକଟତର ହେଲେ ରୂପ ସରଜୁ ସହିତ ଘରକୁ ଫେରେ । ଦାମ ସିଧା ସଳଖ ଯାଏଁ ମା’ଙ୍କ ଘର ଆଡ଼େ । ସେଠାରେ ଜମିର ଯାବତୀୟ ହାନିଲାଭ କହେ । କେତେ ବିଲ ବଛା ହେଲା କେତେ ଅଧିକା ମୂଲିଆ ଲାଗିଲେ, କେତେ ଜମି ଖେଳୁଆ ପଡ଼ିଲା, କାଲି କେଉଁ ଜମିରେ କେତେ ମୂଲିଆ ଲାଗିବେ ଇତ୍ୟାଦି ଇତ୍ୟାଦି ସବୁ କହେ-। ରାତି ଦୁଇଘଡ଼ିକି ହାତରେ ଲଣ୍ଠନଟି ଧରି ନିଜ ଘରକୁ ଫେରେ–ଖାଇବା ବାକି ନଥାଏ-। ତେଣୁ ଗହୀର ମଝିରେ ମନ ଖୁସିରେ ଚାଲି ଚାଲି ଆସେ । ବିଲମାଳର ସିରିସିରି ଶୀତଳ ପବନର ମାଦକଭରା ପରଶ ଉପଭୋଗ କରି ସେ ଉତ୍‍ଫୁଲ ହୁଏ । ଘରେ ସ୍ତ୍ରୀ ଲଳିତା ପୁଅଝିଅଙ୍କୁ ଖାଇବାକୁ ବାଢ଼ିଦେଇ ଦାଣ୍ଡଦୁଆରେ ଚାହିଁରହିଥାଏ ଦାମର ଫେରନ୍ତା ବାଟକୁ । ଗୋଟିଏ ଦିନର ବିଚ୍ଛେଦ ପରେ ମିଳନ ଆରାମଦାୟକ । ଘରେ ଦାମ ପାଦ ଦେଲାମାତ୍ରେ ଛୋଟ କୁଡ଼ିଆଟି ତାଙ୍କର ହସ ଆନନ୍ଦର ଢେଉରେ ଭାସିଯାଏ । ତୁଙ୍ଗ ସୌଧ, ଶଙ୍ଖ ମଲମଲ ହର୍ମ୍ମ୍ୟ ତା’ ଆଗରେ ଅତି ତୁଚ୍ଛ, ଅତି ନଗଣ୍ୟ । ମାଟିର କୁଟୀର ଖଣ୍ଡି ସେଇ ମୁହୂର୍ତ୍ତରେ ମାଟିର ସ୍ୱର୍ଗରେ ପରିଣତ ହୁଏ । ଦାମ ସେନ୍ତରାପଟି ଖଣ୍ଡି ତଳେ ପାରିବସେ । ଦୁଆରବନ୍ଧରେ କିରାସିନିଡ଼ିବିଟି ମିଞ୍ଜିମିଞ୍ଜି ହୋଇ ଜଳୁଥାଏ-। ପାଖରେ ରୂପ ଓ ସରଜୁ ବସି ଖୁସି ଗପ କରନ୍ତି । ଲଳିତା ଟିକିଏ ମାଲପା ଲଗେଇ ଦାମର ଗୋଡ଼ ଦୁଇଟି ମୋଡ଼ିଦିଏ । ଏଇପରି ରାତି ପହରେ ଯାଏଁ ହସ ଖୁସୀ ଦୁଃଖ ସୁଖ ଚାଲେ-। ପରେ ସମସ୍ତେ ନିଦ୍ରାର ଗଭୀର କୋଳରେ ଆଶ୍ରୟ ନିଅନ୍ତି । ଦିନ ଯାଏଁ ରାତି ଆସେ-। ଦିନଯାକର ବିଚ୍ଛେଦ ପରେ ପୁଣି ରାତ୍ରି ମିଳନ ଉପସ୍ଥିତ ହୁଏ । ଅନାବିଳ ଆନନ୍ଦର ଉତ୍ସ ଫୁଟିଉଠେ-। କ୍ଷଣକରେ ପୁଣି ତାଙ୍କରି ଭଙ୍ଗାକୁଡ଼ିଆ ଭିତରେ ଆନନ୍ଦ ଉଲ୍ଲାସର ଢେଉ ଖେଳିଯାଏ । ଚାରୋଟି ଜୀବନର ସରଳ ସ୍ରୋତ ଏପରି ଭାବରେ ପ୍ରବାହିତ ହୁଏ ।

 

ଶ୍ୟାମସୁନ୍ଦରପୁରର ରଙ୍କସ୍ୱାଇଁ, ହରି ପଧାନ, କାହ୍ନୁ ପରିଡ଼ା, ହୁରୁଷି ବେହେରା ପବନା ପରିଡ଼ା ମାଗାପଧାନ ସମସ୍ତେ ଦାମର ସାଙ୍ଗ ଦାମର ହୃଦୟର ଅଖଣ୍ଡ ବନ୍ଧନ ନିକଟରେ ସମସ୍ତେ ବନ୍ଧା । ପ୍ରତ୍ୟେକେ ପରସ୍ପରର ସୁଖ ଦୁଃଖର ଭାଇ । ଦାମ ଏମାନଙ୍କ ସହିତ ମିଳିମିଶି ଚଳେ । ସମୟ ଟିକିଏ ମିଳିଲେ କାହାପାଇଁ କିଛି କାମ କରିଦିଏ । କା ସାଥିରେ ଯାଏଁ ବଳଦ କିଣି, କା ସାଥିରେ ଯାଏଁ ତା’ର ବନ୍ଧୁବାନ୍ଧବ ଘରକୁ ବରକନ୍ୟା ପ୍ରସଙ୍ଗ ନେଇ । ଭାରି ମିଳାପି ଲୋକ । ଦିନେଦିନେ ମନ ପଡ଼ିଯାଏତ ଚାରି ପାଞ୍ଚଙ୍କୁ ସାଙ୍ଗକରି ତଳ ନାଳ ଆଡ଼େ କୋଡ଼ି ମୁଗୁରା ଧରି ମାଛଧରି ପଳାଏ । କୋଉଦିନ ହୁଏତ ବଣକୁ ଯାଏଁ କାଠ ଗୋଛାଟେ ଆଣିବାପାଇଁ । ଘରେ ବସି ରହିବା ତାକୁ ଭଲଲାଗେ ନାହିଁ । ଏଇଥିପାଇଁ ଗାଁରେ ସମସ୍ତଙ୍କର ସେ ଆଦରର ପାତ୍ର । ପରହିଂସା ପରଶ୍ରୀକାତରତା କୂଟ କପଟ କ’ଣ ସେ ଜାଣେ ନାହିଁ । ସାରା ଗାଁଟିରେ ଶାନ୍ତିର ଆବରଣ ଘୋଡ଼ାଇ ହୋଇଥାଏ । ସମସ୍ତେ ଆନନ୍ଦରେ ଦିନ କଟାନ୍ତି ।

 

ଦୀର୍ଘ ଦୁଇ ବରଷ ବିତି ଯାଇଛି କେତେ ପରିବର୍ତ୍ତନ ଭିତର ଦେଇ । ଦୁନିଆରେ ତ ପରିବର୍ତ୍ତନ ଲାଗି ରହିଛି, କିନ୍ତୁ କମଳର ଆକସ୍ମିକ ପରିବର୍ତ୍ତନ ତାକୁ ଭଗ୍ନପ୍ରାଣ କରି ଦେଇଛି । ଏକାଦଶ ଶ୍ରେଣୀରେ ପାଦ ଦେଲା ବର୍ଷ ପ୍ରଶାନ୍ତକୁମାରଙ୍କ ପରଲୋକ ହେଲା । ସେଥିରେ ତାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା । ଘରର ବଡ଼ପୁଅ ତେଣୁ ତା’ ଉପରେ ପରିବାରର ସମସ୍ତ ଦାୟିତ୍ୱ । ଛୋଟଭାଇ ଅଚଳର ପାଠପଢ଼ା ଘରେ ବିଧବା ମା’ ପିତୃହୀନା ଛୋଟ କାମିନୀ ଓ ରାଗିଣୀ । ଏ ସମସ୍ତ କଥା ଚିନ୍ତା କଲାବେଳେ ତା’ ମୁଣ୍ଡରେ ଆକାଶ ଛିଡ଼ି ପଡ଼ିଲା ପରି ବୋଧହୁଏ-। ଅଲକ୍ଷ୍ୟରେ, ଅଜାଣତରେ ତା’ର ଆଖିପତା ଛଳଛଳ ହୁଏ । ଦୁଇଧାର ଲୁହ ବହିଆସେ, ଗଣ୍ଡ ଦୁଇଟି ଲୁହସିକ୍ତ ହୁଏ । ସେତେବେଳେ ତା’ର ମନେପଡ଼େ ସେଇ ଗୋଧୂଳି ବେଳାର ସଞ୍ଜବତି ନଈ-। କଳ୍ପନା ନୟନରେ ଭାସିଯାଏ ସଲୀଳ ହିଲ୍ଲୋଳର ବିମୁଗ୍ଧ ଛନ୍ଦ । ସେଇ ପୁଷ୍ପ ସୁରଭିତ ଗୋଲାପ ଉପବନ ତା’ ପ୍ରାଣରେ ଅଜାଣତରେ ଢାଳିଯାଏ ନୂତନ ଧୈର୍ଯ୍ୟ ପ୍ରେରଣା ଓ ସାହସ-। ସିମେଣ୍ଟଚୌକି ସାମନାରେ ସେ ଯେଉଁ ମୁକୁଳିତ ରକ୍ତଲାଲ ଗୋଲାପ କଳିଟି ତା’ର ଅନ୍ତର ଭିତରେ ଝଲସି ଉଠେ ଅସୀମ ଯୁଗର ଏକ ଅନାବିଳ ଆହ୍ୱାନ ଦେଇ–ମୋ ଅବୟବ କଣ୍ଟକମୟ, ମୋ ପତ୍ର କଣ୍ଟକମୟ,–ମୁଁ କିନ୍ତୁ ଚିର ସୁନ୍ଦର, ଶବଳ ଚିତ୍ରିତ । ସୌନ୍ଦର୍ଯ୍ୟର ଅପରୂପ ପରିପାଟୀ–ତୁମରି ଜୀବନ ଠିକ୍‍ ସେପରି ତୁମେ ମଣିଷ । ମଣିଷ ଜୀବନ ଶତ ବାଧାବିଘ୍ନ ବିପଦମୟ-। ତୁମ ଜୀବନରେ କେତେ ଘୂର୍ଣ୍ଣିବାୟୁ ପ୍ରବଳ ଗତିରେ ବହିଯିବ ତୁମକୁ ହତାଶା ନିରୁତ୍ସାହ ନିରୁଦ୍ୟମ କରିବାକୁ–ତୁମ ଚଳନ୍ତା ପଥରେ ବୃଷ୍ଟିହେବ ଅଗଣନ ଦୁଃଖ ବଜ୍ର–ତୁମ ଜୀବନ ଦୀପର ବଳିତାଟି ଉଠାଇ ନେବାକୁ ଅନେକ ଜୀବ ଚେଷ୍ଟା କରିବେ–କିନ୍ତୁ ତୁମକୁ ଏ ସବୁ ଭିତରେ ଦମ୍ଭଧରି ଠିଆ ହେବାକୁ ହେବ–ତୁମକୁ ନିଆଁ ସାଥିରେ ଖେଳିବାକୁ ପଡ଼ିବ ତୁମକୁ ବିପଦ ଆଗରେ ଛାତି ପତାଇବାକୁ ହେବ–ପାରିବ ? ପାରିବ ତୁମେ ? ହଁ, ହଁ, ପାରିବ ! ଭଗବାନଙ୍କର ଲକ୍ଷ୍ୟ ତୁମେ ପାରିବ । ତୁମେ ମଣିଷ । ଅନନ୍ତ ପ୍ରାଣର ଅଧିକାରୀ । ତୁମର ଦୁନିଆପ୍ରତି କର୍ତ୍ତବ୍ୟଅଛି-। ଭଗବାନଙ୍କର ତୁମେହିଁ ସତ୍ତା ପାଇଛ । ନିଶ୍ଚୟ ପାରିବ । ଯଦି ନ ପାରିବ ତେବେ ଏ ଦୁନିଆରେ ତୁମର ଅଧିକାର ନାହିଁ । ତୁମେ ଚିରଦିନ ସୃଷ୍ଟିକରିବ ଜୀବନ୍ତ ନରକ । ତା’ରି ଭିତରେ ଘାରିହୋଇ ତୁମେ ଜୀବନର ସର୍ବସ୍ୱ ନଷ୍ଟ କରିବ । ମଣିଷ ଜୀବନଟା ପରା ଏୟା । ଯଦି ଗୋଲାପ ପରି ଫୁଟିବାକୁ ଚାହଁ–ଜୀବନ ତୁମର କଣ୍ଟକମୟ କରିବାକୁ ପଡ଼ିବ । ତା’ପରେ ତୁମେ ଜୀବନର ପୀୟୂଷ ଚାଖି ପାରିବ ।

 

କମଳର ଆଖି ଛଳଛଳ ହୁଏ–ଥପଥପ ହୋଇ ଦୁଇଟୋପା ଲୁହ ଗଡ଼ିଯାଏ । ହାତଯୋଡ଼ି ସେ ପ୍ରଣାମ କରେ । କାହାକୁ ? ସିଏ ଜାଣେ ।

 

ସ୍କୁଲ୍‍ର ଟେଷ୍ଟ ପରୀକ୍ଷା ଶେଷ ହେଲା । କମଳ ଓ ସୁଧାଂଶୁ ଦୁହେଁ ସେଣ୍ଟ୍ ଅପ୍‍ ହେଲେ-। ପରୀକ୍ଷା ଫିସ୍‍ ୫୨ଟଙ୍କା ଆଠଅଣା ଦେବାକୁ ପଡ଼ିବ । କେନ୍ଦ୍ର ପରୀକ୍ଷା ପୁରୀରେ ହେବ-। ସେଠାକୁ ଯାଇ ରହି ପରୀକ୍ଷା ଦେବାକୁ ପ୍ରାୟ କୋଡ଼ିଏ ଟଙ୍କା ଦରକାର । ମୋଟାମୋଟି ଅଶୀ ଟଙ୍କା ହେଲେ ଚଳିବ । ସୁଧାଂଶୁ ଧନୀ ଘରର ପିଲା–ଚିଠି ଲେଖିଲାମାତ୍ରେ ବାପା ଟଙ୍କା ପଠାଇ ଦେଲେ କିନ୍ତୁ କମଳ ଗରିବ, ଟଙ୍କା ପାଇବ କାହୁଁ ! ବାପା ମଲାବେଳକୁ ଜମିମାଣେ ବନ୍ଧା ପକାଇ ଶୁଦ୍ଧ କାମ ଚଳାଇଥିଲା । ସେ ଦିଗରୁ ଆଶା ନାହିଁ । ଘରର ବାସନକୁସନ ବା ସୁନାରୁପା ଅଳଙ୍କାର ସେତେ କିଛି ନାହିଁ ବିକିବାକି କାମ ତୁଲାଇ ନେବାକୁ । ସବୁ ଦୁଆର ବନ୍ଦ । ମନେମନେ ଅନେକ କିଛି ଭାବିଲା, କିଛି ସ୍ଥିର କରିପାରିଲା ନାହିଁ । ମନଦୁଃଖରେ ସେ ଦିନ ରାତିରେ ନଖାଇ ଶୋଇ ପଡ଼ିଲା । ଘରେ କହିଦେଲା–ମୁଁ ଜଣେ ବନ୍ଧୁଙ୍କ ଘରେ ଖାଇ ଆସିଛି ।

 

ରାତ୍ରି କ୍ରମଶଃ ନିବିଡ଼ରୁ ନିବିଡ଼ତର ହେଲା । ଗମ୍ଭୀରତା ଘନେଇ ଆସିଲା–କମଳର ଭାବନାର ସୁଅ ଦ୍ରୁତଗତିରେ ଅଥଳ ଅକୂଳ ହୋଇ ଛୁଟିବାକୁ ଲାଗିଲା । ତେବେ ଉପାୟ ! ମନେମନେ କ’ଣ ସ୍ଥିର କଲା କେଜାଣି, ଅଧରାତି ସରିକି ଆଖିକି ନିଦ ଛୁଇଁଲା ।

 

ରାତ୍ରିର ନିସ୍ତବ୍ଧତା ଭଙ୍ଗକରି କୁଆଗୁଡ଼ାକ କା କା ରାବରେ ବସା ଛାଡ଼ିଲେ । ଗାଁ ପୂର୍ବମୁଣ୍ଡ ହରିଜନ ପଡ଼ାରୁ କୁକୁଡ଼ାଗୁଡ଼ାକ ଶବ୍ଦ କରିବାକୁ ଲାଗିଲେ । ପୂର୍ବାକାଶ ରକ୍ତବର୍ଣ୍ଣ ଦେଖାଗଲା–କୁଆଁତାରା କ୍ରମେ ମଳିନ ନିଷ୍ପ୍ରଭ ହେଲା । ଉଷାର ଲୋହିତ ଆଲୋକଛଟା ପ୍ରାଚୀବଧୂର ମୁଖମଣ୍ଡନ କଲା–ଗାଁ ମଝିରେ ଲଙ୍ଗଳ ଶବ୍ଦ ଶୁଣାଗଲା । ବୋଧହୁଏ ଚାଷୀମାନେ ହଳଧରି ବିଲ କାମକୁ ବାହାରିଲେ । ବଡ଼ କୂଅ ପାଖରେ କେତେକ ମାଇପିଙ୍କର ଟୁପୁଟାପ୍‍ ଶବ୍ଦ, ଗରାର ଟାଇଁଟାଇଁ ଶବ୍ଦ, ସକାଳର ସୂଚନା ଦେଲା । ସକାଳ ହେଲା । କମଳ ଶେଯରୁ ଉଠି ନିତ୍ୟକର୍ମ ଶେଷ କଲା । ମନରେ ସେଇ ଗୋଟିଏ ବିଷୟ ନେଇ ତୁମୂଳ ସଂଗ୍ରାମ ଲାଗି ରହିଛି । କିପରି ଜୟୀ ହେବ ତାହାହିଁ ତା’ର ଭାବନା । ସବୁ କାମ ସାରି ହାତରେ କନା ଛତାଖଣ୍ଡି ଧରି ଘରୁ ବାହାରିଲା । ବୋଉକୁ କହିଗଲା–ମୋତେ ଅପେକ୍ଷା କରିବ କାହିଁ, ମୋର ଆସିବା ବୋଧହୁଏ ଡେରି ହେବ, ତୁମେ ଖାପିଅ ସାରିଥିବ ।

 

ମଶାଣି ଦଣ୍ଡା ପଛକୁ ରହିଲା–କମଳ ଏକମୁହାଁ ହୋଇ ଚାଲିଛି–ମଶାଣି ଦଣ୍ଡାର କିଆ ଗୋହିରିରୁ ଦି’ଚାରିଟା ବିଲୁଆ ବାଁ ଆଡ଼ୁ ଆସି ଡାହାଣ ଆଡ଼ କିଆ ବାଡ଼ରେ ଖଡ଼୍‍ ଖଡ଼୍‍ ହୋଇ ପଶିଗଲେ । ମଶାଣି ଉପର ବୁଢ଼ା ବରଗଛ ଉପରେ ଶଙ୍ଖଚିଲଟିଏ ବସିଥିଲା ହଠାତ୍‍ ଫୁର୍‍କିନା ଉଠିଗଲା । କମଳର ମନରେ ଶୁଭ ଆଶଙ୍କା ଜନ୍ମିଲା । ସେ ଆଗକୁ ଆଗକୁ ଗୋଡ଼ କାଢ଼ି ଚାଲିଲା । ସୁନାମାଟି ଗହୀର ଆସି ଅଧା ହେଲା । ବଙ୍କା ସରୁ ହିଡ଼ ରାସ୍ତାରେ ସେ ଚାଲିଛି । ପାଦେ ଆଗକୁ ଗୋଡ଼ ବଢ଼ାଇଲେ ଶ୍ୟାମସୁନ୍ଦରପୁର ପାଦେ ନିକଟେଇ ଆସୁଛି–କମଳର ମନରେ ଆଶା ଅଧିକରେ ଘନୀଭୂତ ହୋଇ ଉଠୁଛି ପାଠପଢ଼ାର ମୋହ ତା’ର ବିବେକକୁ ବଦ୍ଧପରିକର କରି ଦେଉଛି । ମନଟା ତେଣେ କାମିନୀ ଓ ରାଗିଣୀ ଆଡ଼କୁ ସଜଳ ସ୍ନେହ ଧରି ଟାଣି ହୋଇ ଯାଉଛି । ଘରର ଅବସ୍ଥା ତାକୁ ପାଦେ ପଛକୁ ଟାଣି ଧରୁଛି । ବିବେକ କିନ୍ତୁ ଆଗକୁ ଗୋଡ଼ ଦେବାକୁ ନିର୍ଦ୍ଦେଶ ଦେଉଛି । ବିବେକ ମନର ତୁମୂଳ ସଂଗ୍ରାମ–ଜୟ କାହାର କେଜାଣି !!

 

ଭାବି ଭାବି କମଳ ଆସି ଶ୍ୟାମସୁନ୍ଦରପୁର ଗାଁମୁଣ୍ଡେ ପହଞ୍ଚିଲାଣି, ତା’ର ଖିଆଲ ନାହିଁ । ଗାଁମୁଣ୍ଡ ଗୋପୀନାଥଙ୍କ ଦେଉଳ ସାମନାରେ ମୁଣ୍ଡିଆଟିଏ ମାରି ସିଧାସଳଖ ଚାଲିଲା ମାଧବାନନ୍ଦ ଚୌଧୁରୀଙ୍କ ଦାଣ୍ଡଦୁଆର ଆଡ଼େ । ସେତେବେଳକୁ ସମୟ ଆସି ଦଶଟା ହେବଣି । ମାଧବାନନ୍ଦ ସ୍ନାନାଦି ସମାପନ କରି ରାମନାମ ନେଇ ଫେରୁଥିଲେ । କମଳକୁ ଦେଖି ସେ କିଛି ଭାବି ପାରିଲେ ନାହିଁ । କମଳ ଚୌଧୁରୀଙ୍କୁ ନମସ୍କାର ଜଣାଇଲା । ପ୍ରତିନମସ୍କାର ଦେଉ ଦେଉ ମାଧବାନନ୍ଦ ପଚାରିଲେ–କିରେ କମଳ ! ଏତେ ଦିନକେ କ’ଣ ପିଉସା ମନେ ପଡ଼ିଗଲେ ? ହଉ ହଉ, ବହୁ ଦିନ ହେଲା ଦେଖି ନଥିଲି । ହଁ, ତୁମେ ତ ସବୁ ପାଠଶାଠ ପଢ଼ି ବଡ଼ବାବୁ ହେବ, ଆମ ଭଳି ମଳିମୁଣ୍ଡିଆ ଗାଉଁଲି ଲୋକଙ୍କୁ ମନେ ରଖିବ କିଆଁ !

 

ତାଙ୍କ ତୁଣ୍ଡରୁ କଥା ଛଡ଼ାଇ ନେଇ କମଳ କହିଲା–ନାଇଁ ପିଉସା ବଡ଼ ପାଠ ପଢ଼ିବାର ସୁଯୋଗ ତ ମୋର ନାହିଁ, ଯଦି ବା ଭଗବାନଙ୍କ ଆଶୀର୍ବାଦରୁ ମିଳିବ ମୁଁ କ’ଣ ମୋ ଗାଁ ଲୋକଙ୍କୁ ଭୁଲିଯିବି । ମୋର ସାଇପଡ଼ିଶା କକେଇ, ଦଦେଇ, ଭାଇନା, ଭାଉଜ, ମାଉସୀ, ପିଉସୀ, ଖୁଡ଼ୀ ଏମାନଙ୍କୁ ଘୃଣାରେ ନାକ ଟେକିବି, ନମସ୍କାର କରିବି ନାହିଁ । ଏଗୁଡ଼ାକ କ’ଣ ସୁନ୍ଦର ହବ–ପାଠ ପଢ଼ି ଆମେ ୟା ଶିଖିବୁ ! ପାଠ ପଢ଼ି ତାହାହେଲେ ମାନ୍ୟ ଧର୍ମ ଶିଖିଲୁ କ’ଣ ? ଛି ଛି–ଏଗୁଡ଼ାକ ଯିଏ ଭାବନ୍ତି ସେମାନେ ମୂର୍ଖ, ଅମଣିଷ, ମୋତେ ଆଶୀର୍ବାଦ କର ମୋର ସେ ପରିବର୍ତ୍ତନ ନ ହେଉ । ତେବେ ମୋର କି ଉଚ୍ଚ ପାଠ ପଢ଼ିବାର ସୁବିଧା ଅଛି ଯେ....କମଳର ଆଖି କୋଣ ଓଦା ହୋଇ ଯାଇଥିଲା–ମାଧବାନନ୍ଦଙ୍କ ନଜର ସେଆଡ଼େ ନାହିଁ–ସେ କହି ଚାଲିଛନ୍ତି, କାହିଁକି ? ମୁଁ ଶୁଣୁଛି ତୁ କୁଆଡ଼େ ଭଲ ପଢ଼ୁଛୁ, କ୍ଲାସ୍‍ ପିଲାମାନଙ୍କ ଭିତରେ ପ୍ରଥମ ହୋଇଛୁ । ସମସ୍ତଙ୍କର ଆଶା ତୁ ବଡ଼ ପରୀକ୍ଷାରେ ନାଁ କରିବୁ, ତୁ କ’ଣ ଏ ଅମଙ୍ଗଳ କଥାଗୁଡ଼ାକ ତୁଣ୍ଡରେ ଧରୁଛୁ । ଛିଆ–ଛିଆ ।

 

ନା ପିଉସା ! ତୁମେତ ଜାଣ ଆମଘରର ଅବସ୍ଥା । ବାପା ଆଖିବୁଜିବା ଦିନଠୁ ମୁଁ କିପରି ଘର ଚଳାଇ ଆଣୁଛି ତା’ ମୁଁ ଜାଣେ, ଆଉ ଜାଣନ୍ତି ଭଗବାନ । ଆମର ଆଉ କିଏ ଭରସା ଅଛି ଯେ... । କମଳର ଆଖି ସିକ୍ତ ହୋଇଗଲା ଲୁହ ଜଳରେ । ସେ ଅଜାଣତରେ ଗାମୁଛା କାନିରେ ଆଖି ପୋଛିଲା । ‘‘ବାପା ଆଖିବୁଜିଲାବେଳକୁ ଘରେ କାଣି କଉଡ଼ିଏ ସୁଦ୍ଧା ନଥାଏ । ସେଇ ସମୟକୁ ମୋର ପ୍ରିଟେଷ୍ଟ ପାଖେଇ ଥାଏ । କୌଣସିମତେ ଧାର ଉଧାର କରି ଶୁଦ୍ଧାଦି କ୍ରିୟା ଶେଷ କଲି । ତା’ ପରଠୁ ଦେଖା ଦେଲା ଘରର ଆର୍ଥିକ ଅନାଟନ । ବାପା ଥିଲାବେଳେ ସିନା କିଛି ଜଣା ପଡ଼ୁ ନଥିଲା, ଏବେ ମୁଁ ବୁଝୁଛି ଘର ଚଳେଇବା କି କଷ୍ଟକର କଥା । ବାପା କି ଦୁଃଖରେ ପେଟରେ ଓଦାକନା ପକେଇ ଆମକୁ ଚଳେଇ ନଥିବେ ! ବହୁତ ଦିନର କଥା ତୁ ନୁହେଁ, ଏଇ ଦୁଇଚାରିମାସ ତଳର କଥା ।’’ କମଳର କଣ୍ଠରୁଦ୍ଧ ହୋଇ ଆସିଲା । ଠିକ୍‍ ଆଷାଢ଼ର ଆଦ୍ୟ ଅସରା ପରି ତା’ ନୟନରୁ ଝରି ଆସିଲା ଦୁଇଧାରା ଅଶ୍ରୁ । ମାଧବାନନ୍ଦଙ୍କର ହୃଦୟବି ଏଥିରେ ତରଳିଗଲା, ତାଙ୍କର ଆଖି ଛଳଛଳ ହେଲା । ମଣିଷ ହୃଦୟ ପରା ରକ୍ତମାଂସ ହାଡ଼ରେ ତିଆରି !!

 

ଆଖିରୁ ଲୁହ ପୋଛି କମଳ କହିଲା–ପିଉସା ! ଏତେ ଅଭାବ ଅସୁବିଧା ଭିତରେ ମୁଁ ଆଜିଯାଏ ପାଠପଢ଼ା ତୁଲେଇ ଆଣିଲି । ଆଉ ଦୁଇଦିନ ରହିଲା ପରୀକ୍ଷା ଫିସ୍ ଦେବାକୁ । ଭଲ ପଢ଼ିଲେ କ’ଣ ହେବ, ଟଙ୍କା ଦେଲେ ସିନା ପରୀକ୍ଷାକୁ ଯିବି ନଚେତ୍‍ ମୋ ପଢ଼ା ସେତିକିରେ ରହିବ-। ମୋର ଆଉ ଅନ୍ୟ ଉପାୟ ନାହିଁ । ସେଥିପାଇଁ ତୁମ ପାଖକୁ ଧାଇଁ ଆସିଛି । ତୁମ ଇଚ୍ଛା, ମୋର ଭରସା, ତୁମେହିଁ ଅସୁବିଧାଟା ମେଣ୍ଟଣ କରିବ ।

 

ଶେଷପଦକ ଶୁଣି ମାଧବାନନ୍ଦଙ୍କ ହୃଦ୍ ଭିତରାଟା ସାମାନ୍ୟ ତଳକୁ ଦବିଗଲା ପରି ଜଣାଗଲା–କ’ଣ କହି ଆସୁଥିଲେ ହଠାତ୍‍ ପୁଅ ଚପଳ ପାଖରେ ପହଞ୍ଚି କହିଲା–ବାପା, ତୁମେ ପରା ଗାଧୋଇ ଯାଇଥିଲ ? ଏତେବେଳଯାଏ କ’ଣ କରୁଥିଲ ? ଏବେ ଆସି ବାରଟା ବାଜିବା ଉପରେ । ଘରେ ବୋଉ ଚାହିଁ ବସିଛି, ତୁମେ ଖାଇସାରିଲେ ଖାଇବ, ଭାତଗଣ୍ଡାକ ଶୁଖି ଚାଉଳ ହୋଇ ଗଲାଣି ଶୀଘ୍ର ଆସ ।

 

ତାକୁ ‘‘ହଁ ଯାଉଛି’’ କହିଦେଇ ମାଧବାନନ୍ଦ କମଳକୁ କହିଲେ, ତୁ ଏଇ ଦାଣ୍ଡଘର ଖଟ ଉପରେ ବସିଥା–ମୁଁ ଟିକିଏ ଲୁଗାଟା ପାଲଟି ଗଣ୍ଡେ ଖାଇଦେଇ ଆସୁଛି । କାନ୍ଧରେ ଗାମୁଛାଟା ଶୁଖିଗଲାଣି ପରା–ବହୁତଗୁଡ଼ାଏ ବେଳ ହେଲାଣି–ହଉ ତୁ ବସ, ମୁଁ ଆସିଲେ ଯାହା ବିଚାର କରିବା-

 

କମଳ ବିଚରା ସକାଳୁ କିଛି ଖାଇନାହିଁ । ପ୍ରବଳ ଭୋକ ହେଲାଣି, ହେଲେ ଭୋକକୁ ଡରିଲେ କିଛି ହେବ ନାହିଁ । ଟଙ୍କା ଆଶାରେ ତ ଆସିଛି । ଚୁପ୍‍ ହୋଇ ଦାଣ୍ଡଘର ଖଟଉପରେ ବସି ରହିଲା ।

 

ଚପଳ କମଳକୁ ନିଜ ଘରେ ଦେଖି ମନେମନେ ରାଗରେ ପାଚି ଗଲାଣି; କିନ୍ତୁ ମୁହଁ ଖୋଲି କିଛି କହିଦେବାର ସାହସ ନଥାଏ । ମାଧବାନନ୍ଦଙ୍କୁ ତା’ର ଭାରି ଭୟ । କାମ ବାହାନାରେ ଦାଣ୍ଡଘର ଦେଇ ଦୁଇ ଚାରିଥର ଏପାଖ ସେପାଖ ହେଲାଣି । ସମୟ ସମୟରେ କ୍ରୋଧମିଶ୍ରିତ ଦୃଷ୍ଟିରେ କମଳ ଆଡ଼କୁ ତାଚ୍ଛଲ୍ୟକରି ଚାହିଁ ଦେଉଥାଏ । କମଳ ମଧ୍ୟ ଚପଳର ସବୁ ହାବଭାବ ଠଉରେଇ ନେଲାଣି । କିନ୍ତୁ କହିବାର ଉପାୟ ନାହିଁ । ସେ ଯେ ତା’ର ବାପାଙ୍କ ପାଖରେ ଭରସା ରଖି ଆସିଛି–ହେଲେ ମଣିଷର ମନତ, ସବୁ ଗୁଣ ପୂରିରହିଛି, କାମକ୍ରୋଧ, ଲୋଭମୋହ, ମାୟାମମତା, ହିଂସାଦ୍ୱେଷ–ସବୁ ଗୁଣକୁ ତେଜି ପାରୁଛି କିଏ ? ଖୁବ୍ କମ୍‍, ଯେଉଁମାନେ ଛାଡ଼ନ୍ତି ସେମାନେ ହୁଅନ୍ତି ମହାପୁରୁଷ, ଦେବତା । କମଳର ଅନ୍ତରରେ ମଝିରେ ମଝିରେ ବିଦ୍ରୋହ ଓ ପ୍ରତିହିଂସାର ବହ୍ନି ହୁତୁହୁତୁ ହୋଇ ଜଳି ଉଠେ କିନ୍ତୁ କ୍ଷଣକପାଇଁ । ପୁଣି ମନକୁ ମନ ସେ ସାନ୍ତ୍ୱନା ଦିଏ, ନୀରବରେ ବସି ରହି ଭାବେ ଅଜ୍ଞାତ ଭବିଷ୍ୟତର କଥା ।

 

ପାପମନ ସବୁବେଳେ ଅସ୍ଥିର । ଚପଳ ମନରେ କେତେକଅଣ ପ୍ରଶ୍ନ ଉଠୁଛି । ‘‘କାହିଁକି ଆସିଛି’’ କ’ଣ ପାଇଁ ଆସିଛି ? କି କାମ ଅଛି ?? ଏ ପ୍ରଶ୍ନ ତା’ ମନକୁ ବାରବାର ଆଲୋଡ଼ିତ କରି ଦେଉଛି । କୌଣସି ସମାଧାନ ସେ ପାଇ ପାରୁନାହିଁ । ଶେଷରେ ମାଧବାନନ୍ଦଙ୍କୁ ଯାଇ ପଚାରିଲା–ବାପା ! କମଳତ ଆମ ଘରକୁ କେବେହେଲେ ଆସେନି ! ଆଜି କାହିଁକି ଆସିଛି ? କ’ଣ କିଛି କାମ ଅଛି କି ? ତୁନି ହୋଇ ମନମାରି ବସି ରହିଛି ଯେ ।

 

ମାଧବାନନ୍ଦ ସେତେବେଳକୁ ଖାଇ ବସିଥିଲେ, ପାଖରେ ସ୍ତ୍ରୀ ଭାନୁମତୀ ବସି ପଙ୍ଖା ଧରି ବ୍ୟଜନ କରୁଥାଆନ୍ତି । ପାଟିକୁ ଭାତଗୁଣ୍ଡା ନେଉ ନେଉ ମାଧବାନନ୍ଦ କହିଲେ କିରେ ଚପଳ ! ତୁମର ପରା କ’ଣ ପରୀକ୍ଷା ଫିସ୍ ବନ୍ଧାହେବ ତୁ ତ ମୋତେ ଆଜିଯାଏ କହିନୁ । ସେଇ ବିଷୟ ନେଇ କମଳ ଆସିଛି ।

 

ହଁ ବାପା, ମୁଁ ଭୁଲି ଯାଇଥିଲି–ତୁମର ତ ଖାଇବା ଘଡ଼ିକ ବ୍ୟତୀତ ଅନ୍ୟ ସମୟରେ ଦେଖାପାଏନି । ସବୁବେଳେ ତୁମେ ମାଲିମକଦ୍ଦମା ବିଷୟ ନେଇ ଗାଁ ଲୋକଙ୍କ ସାଥିରେ ବ୍ୟସ୍ତ, ମୁଁ ସେଇ ଯୋଗୁଁ କହିପାରିନି । ଆମର ପରୀକ୍ଷା ଆସନ୍ତା ଫେବୃୟାରୀ ମାସ ଏକୋଇଶ ତାରିଖ ଦିନ ହେବ । ଏଇମାସ ୨୭ ତାରିଖ ସୁଦ୍ଧା ଅଶୀଟଙ୍କା ଫିସ୍ ଦିଆହେବ । କମଳ କ’ଣ ଟଙ୍କା ନବାକୁ ଆସିଛି କି ବାପା ?

 

ହଁ । ତା’ର ତ ଅବସ୍ଥା ଜାଣୁ, ପ୍ରଶାନ୍ତ ମରିବା ଦିନଠୁ ତାଙ୍କର ଅବସ୍ଥା କହିଲେ ନ ସରେ-। ଘରେ ଖାଇବା ପିଇବାକୁ କିଛି ନାଇଁ ଦି’ଦିଟା ଝିଅ, ସାନ ପିଲାଟିର ପାଠପଢ଼ା, ଏ ସବୁର ଦାୟିତ୍ୱ କମଳ ଉପରେ । ତା’ର ପୁଣି ପରୀକ୍ଷା ଫିସ୍ ଦିଆହେବ । ଏଥିରେ ସେ ନିରୁପାୟ ହୋଇ ମୋ ନିକଟକୁ ଆସିଛି । ତା’ କଥା ଶୁଣିଲାବେଳୁ ମୋ ମନଟା କିପରି ଗୋଳେଇଘାଣ୍ଟି ହେଉଛି-। ଭାବୁଛି, ତାକୁ ଟଙ୍କା ଶହେଟା ହାତଉଧାର ଦେବି । ସେ କୁଆଡ଼େ ଖୁବ୍‍ ସରଳିଆ ପିଲା-। ଭଲତ ପଢ଼ୁଛି ରୋଜଗାର କଲେ ମରଦପୁଅ ଟଙ୍କା ଶହେଟା ସୁଝି ଦେବନି ।

 

ନାଇଁ ବାପା, ତୁମେ ସେ କଥା ଆଦୌ କରନି, ତୁମେ କମଳକୁ ଚିହ୍ନିନ ବାପା, ଗୋଟେ ମହାକାଳଫଳ, ଉପରଟା ସିନା ଚିକଣଚାକଣ ଗୋଲଗାଲ, ଭିତରଟା ଖାଲି ପୋଡ଼ାଅଙ୍ଗାର । ତା’ର ପେଟ ଭିତରେ ଦାନ୍ତ ବାପା ତୁମେ ତାକୁ ବୁଝିନ । ମୁଁ ତା’ ସାଥିରେ ଚାରିବର୍ଷ ପଢ଼ି ଆସିଲିଣି ତାକୁ ଚିହ୍ନିନି କିମିତିତା ପିଲା ! ଗର୍ବୀଙ୍କ ଶିରୋମଣି, ମିଛୁଆଙ୍କ ସର୍ଦାର, ଠକଙ୍କ ଓସ୍ତାତ, ତାକୁ ଟଙ୍କା ଦେଲେ ଫେରି ପାଇବା ମୁସ୍କିଲ୍ ।

 

ଏତେଗୁଡ଼ାଏ କଥା ଏକାଧାରାରେ ଶୁଣି ମାଧବାନନ୍ଦ ବିସ୍ମୟ ହେଲେ । ତାଙ୍କ ହୃଦୟରେ କମଳ ବିଷୟରେ ଏକ ଆନ୍ଦୋଳନ ସୃଷ୍ଟି ହେଲା ।

 

ଚପଳର ମା’ ପାଖରେ ବସିଥିଲେ । ସେ ଏତେଗୁଡ଼ାଏ କଥାଶୁଣି ସମ୍ଭାଳି ପାରିଲେ ନାହିଁ । କହିଲେ, ନାଇମ ! ତୁମେ ଏ କଥାଗୁଡ଼ା କିଆଁ ଶୁଣୁଛ । ମୁଁ କାଲି ଶୁଣିଥିଲି, ତା’ର କମଳ ସହିତ ପଡ଼େନି । ସେଇଥିପାଇଁ ସେ ତା’ ନାଁରେ ଛଅନଅ ଯୋଡ଼ିକରି କହୁଛି । ଗାଁରେତ ହାଡ଼ିଠୁ ବାଉରି ଯାଏଁ ସମସ୍ତେ କମଳର ପ୍ରଶଂସା କରୁଛନ୍ତି–ତା’ ବାପାକୁ ତୁମେ କ’ଣ ଚିହ୍ନିନ ! ସେଇ ବାପର ପୁଅଟି ! ଏମିତି ଗୋଟେ ବରଷରେ ସେ ଘରର ଖାନ୍‍ଦାନୀ କମିଯିବ । ତୁମେ ମୋ କଥାରଖି ତାକୁ ଟଙ୍କା ଶହେ ଦିଅ ।

 

ମଣିଷ ମନରେ ପ୍ରଥମଥର ପାଇଁ ଯାହା ସମ୍ୱନ୍ଧରେ ଯେଉଁ ଧାରଣା ପଶେ ତାହା ବହୁଦିନ ଧରି ମନ ଭିତରେ ବସାବାନ୍ଧି ରହେ । ସହଜରେ ଅପସୃତ ହୁଏନାହିଁ । ଭାନୁମତୀ ଯେତେ ବୁଝାଇଲେ କ’ଣ ମାଧବାନନ୍ଦ ବୁଝିବା ଲୋକ । ଚପଳର କଥାରେ ସେ ଆଶ୍ଚର୍ଯ୍ୟ ହୋଇ କହିଲେ–ହଇରେ ଚପଳ ! ସେ ଗୋଟେ ଇମିତି ପିଲା ! ମୁଁ ଆଗରୁ ଜାଣିଥିଲେ ଦାଣ୍ଡଦୁଆରୁ ତାଙ୍କୁ ଘଉଡ଼େଇ ଦେଇଥାନ୍ତି । ଛି ଛି ଛି ଛି, ଆଉ ହବନାଇଁ ହବନାଇଁ । ନା ନା, ତାକୁ ଟଙ୍କାଦେବା ଉଚିତ ହେବନାଇଁ ।

 

ଚପଳ ମାଧବାନନ୍ଦଙ୍କର ରାଗନିଆଁ ଉପରେ କୁଟା ଛିଞ୍ଚିବାର ଆରମ୍ଭ କଲା–ବାପା ! ସେ ଏଡ଼େ ଖରାପ ପିଲା ମୁଁ ଜାଣି ନଥିଲି । ଗଲା ପରୀକ୍ଷାରେ ସାର୍‍ଙ୍କୁ ଖୁସାମତ କରି ଫାଷ୍ଟ ହେଲା । ମୋ ବିରୁଦ୍ଧରେ ଖଚମିଛ ବାରକଥା ଲଗେଇ କହିଲା ଯେ ସାର୍ ଆଜିଯାଏ ମୋତେ ଭଲ ପାଉ ନାହାନ୍ତି । ସେଥର ସିମିତି ହେଡ଼୍‍ମାଷ୍ଟ୍ରେ ତା’ ଯୋଗୁଁ ମୋତେ ଚାରିଟଙ୍କା ଫାଇନ୍‍ କରିଥିଲେ । ଗୋଟେ ଚୁପ୍‍ସଇତାନ ବାପା । ତାକୁ ଟଙ୍କା ଜମା ଦିଅନାହିଁ ।

 

ଏ ସମସ୍ତ କଥା ଶୁଣି ମାଧବାନନ୍ଦ ମନେମନେ ଚିଡ଼ିଗଲେ । ସିଦ୍ଧାନ୍ତ କଲେ କମଳକୁ ନାହିଁ କରିଦେବେ; କିନ୍ତୁ ଭାନୁମତୀଙ୍କ ଅନୁରୋଧ ତାଙ୍କୁ ଏପରି ନିଷ୍ଠରୁ ପଥରୁ ପଛକୁ ଟାଣି ଧରିଲା-। ନାରୀର ହୃଦୟ କି କୋମଳ କେଜାଣି, ତା’ର ଅନ୍ତର କି ଉପାଦାନରେ ଗଢ଼ା କେଜାଣି, ପରଦୁଃଖରେ ତା’ର ହୃଦୟ ତରଳିଯାଏ । ଭାନୁମତୀ ସ୍ୱାମୀଙ୍କୁ ଅନୁରୋଧ କରି କହିଲେ ଦେଖ, ମୋ ରାଣ, ମୋର ଅନୁରୋଧ, ତୁମେ ଖାଇ ବସିଛ, ଅନ୍ନ ହାତରେ ଅଛି, କମଳକୁ ନିରାଶ କରାଅ ନାହିଁ, ତା’ର ଆଶା ଅନ୍ନଥାଳରେ ଧୂଳି ଭରନାହିଁ । ତାକୁ ଶହେଟଙ୍କା ଦେଇଥାଅ । ଭଗବାନ ଆମର ମଙ୍ଗଳ କରିବେ, ସେ କ’ଣ ଶୁଝିଦେବନି କି !

 

ମାଧବାନନ୍ଦ କିଛି ଠିକ୍‍ କରିପାରିଲେ ନାହିଁ । ସ୍ତ୍ରୀଙ୍କର ଅନୁରୋଧ, ବାଧ୍ୟ ହୋଇ ସ୍ଥିର କଲେ କିଛି ବନ୍ଧା ରଖି ଶହେଟଙ୍କା ଦେବେ । ହାତଉଧାର ଦେବାଟା ଠିକ୍‍ ହେବନି । ପୁଣି ଭାବିଲେ, ତା’ର ତ ବନ୍ଧା ଦେବାକୁ କିଛି ନାହିଁ । ବାପ ମଲାବେଳକୁ ଜମି ଖଣ୍ଡକ ବିକି ଶୁଦ୍ଧକ୍ରିୟା କରିଥିଲା, କ’ଣ ଅଛି ଯେ ବନ୍ଧା ଦେବ । ପୁଣି ଥରେ ମନ ଭିତରେ ଜାଗି ଉଠିଲା ତା’ର ତ ଘରଖଣ୍ଡକ ଅଛି, ସେଖଣ୍ଡିକ ଦେଇଥାଉ । ସିଏତ ସଚ୍ଚୋଟ ପିଲା, ମୁକୁଳେଇ ଦେବନି କି ?

 

ଖାଇସାରି ହାତରେ ପାନଚାଙ୍ଗୁଡ଼ିଟି ଧରି ମାଧବାନନ୍ଦ ଦାଣ୍ଡଘରକୁ ଆସିଲେ । ସେତେବେଳକୁ କମଳ ଭୋକରେ ଆଉଟୁପାଉଟୁ ହୋଇଗଲାଣି । ଭୋକଜାଳାରେ ଆଖିକୁ ତନ୍ଦ୍ରା ମାଡ଼ି ଆସୁଛି । ସେ କିନ୍ତୁ ଭୋକ ଉପାସକୁ ପଛରେ ପକେଇ ନିରୀହ ଶରଣାର୍ଥୀ ଶିଶୁଟିଏ ପରି ପ୍ରତୀକ୍ଷାକୁଳ ହୃଦୟରେ ଚାହିଁ ବସିଥାଏ । ଭବିଷ୍ୟତର ସୁନେଲି ଆଶାହିଁ ତା’ ମନରେ ଢାଳି ଦେଉଥାଏ ବିପୁଳ ପ୍ରେରଣା ।

 

ସପ ଉପରେ ବସି ପାନ ଖଣ୍ଡକରେ ଚୁନ ଲଗାଉ ଲଗାଉ ମାଧବାନନ୍ଦ କହିଲେ–ଆଚ୍ଛା କମଳ, କ’ଣ କରିବା କହିଲୁ ? ଚପଳର ପରୀକ୍ଷାଫିସ୍‍ ଦିଆହେବ ଶହେଟଙ୍କା । ଏ ବର୍ଷ ଜମିବାଡ଼ି ଲଗୁତିରେ ଟଙ୍କା ଦୁଇ ତିନିଶ ଯାଏଁ ଖର୍ଚ୍ଚ ହୋଇଗଲା । ହଳିଆ ମୂଲିଆଙ୍କର ଗୁଡ଼ାଏ ଟଙ୍କା ବାକି ଅଛି, ହାତରେ ହାଲକୁ ପଇସାଟିଏ ନାହିଁ, କ’ଣ କରିବି କିଛି ଠିକ୍‍ କରି ପାରୁନି ।

 

ଚୌଧୁରୀଙ୍କର ଏଇ କଥା ଦୁଇ ପଦ କମଳର ଆଶା ପାଦପରେ କୁଠାରାଘାତ କଲା । ହତୋତ୍ସାହ ହୋଇ ସେ ପୁଣି ଥରେ ଆଖି ଛଳଛଳ କରି କହିଲା–ପିଉସା ! ତୁମ ଇଚ୍ଛା, ତୁମ ଭରସାରେ ଚାଲି ଆସିଥିଲି । ତୁମେ ଯଦି ନାହିଁ କରିବ ତେବେ ମୁଁ ଆଉ କ’ଣ କରିବି । ମୋର ତ ଅନ୍ୟ ଉପାୟ ଆଉ କିଛି ନାହିଁ । କେବଳ ଏକମାତ୍ର ଉପାୟ ପାଠପଢ଼ା ଛାଡ଼ି ଘରେ ବସିବି । ଅଧାପାଠୁଆ ହୋଇ ଏ ପୋଡ଼ାମୁହଁ କାହାକୁ ଦେଖାଇବି ଯେ ? ତୁମର ମନ ଯାହା ତାହାକର । ତୁମକୁ ହେଲେ କେଉଁଠୁଁ ମିଳିପାରେ ମୋତେ କେହି ହେଲେ ଦେବେ ନାହିଁ । ମୋର ଘର ଖଣ୍ଡିକ ପଛେ ବନ୍ଧାରଖ–କମଳର ଆଖିରୁ ଥପଥପ ହୋଇ ଦୁଇଟୋପା ଲୁହ ଗଡ଼ି ପଡ଼ିଲା ।

 

ବନ୍ଧା ନାଁ ଶୁଣି ଚୌଧୁରୀଏ ଛଳନାରେ କାନରେ ହାତ ଦେଲେ । ରାମ, ରାମ, ହଇରେ କମଳ, ବନ୍ଧାକଥା ତୁ ତୁଣ୍ଡରେ ଧରୁଛୁ । ଛି ଛି, ମୁଁ ତୋଠାରୁ ବନ୍ଧା ରଖିବିତ ରଖିବି ନାହିଁ କାହାଠୁ ? ହାତରେ ନାହିଁ ବୋଲି ସିନା ଟିକିଏ ପଛଉଛି ।

 

ମନଦୁଃଖରେ କିଛି ସମୟ ନୀରବ ରହି କମଳ କହିଲା–ତାହାହେଲେ ପିଉସା ଆଉ କାହାଠାରୁ ଆଣିଦେଇଥାଅ । ତୁମକୁ ମିଳି ପାରିବ । ମୋର ଘର ଖଣ୍ଡିକ ବନ୍ଧାରଖ ଦୁଃଖନାଇଁ, କିନ୍ତୁ ଟଙ୍କା ଶହେଟା ଆଣିଦେଲେ ମୁଁ ତୁମ ପାଖରେ ଆଜୀବନ ଋଣୀ ହୋଇ ରହିବି ।

 

କିଛି ସମୟ ଭାବିବାପରେ ଚୌଧୁରୀଏ କହିଲେ–ହଁ କମଳ, ଗୋଟିଏ କଥା ମନେ ପଡ଼ିଲା । ଓକିଲ ନରହରି ମହାନ୍ତି ଟଙ୍କା ଶହେଟା ଗଲା ପରଦିନ ମୋ ପାଖରେ ରଖି ଦେଇଯାଇଛନ୍ତି । କେବେ ନେବେ କହି ନାହାନ୍ତି । ଅନୁମାନ ଏଇ ମାସକ ଭିତରେ ନେଇଯିବେ । ସେ ଟଙ୍କାତକ ତତେ ଦେବି ଭାବୁଛି କିନ୍ତୁ ସେ ଯଦି ଆଠ ଦଶଦିନ ଭିତରେ ମାଗନ୍ତି ମୁଁ ଅପଦସ୍ଥ ହେବି ସିନା–ଅନ୍ୟ କୌଣସି ରାହା ମୋତେ ଦିଶୁନି ।

 

ହଉ ପିଉସା, ମୋତେ ସେ ଟଙ୍କା ଶହକ ଦେଇଥାଅ । ମୁଁ ମୋର ଘର ଖଣ୍ଡିକ ବନ୍ଧକ ଲେଖି ଦେଉଛି । ଯଦି ସେ ଏଇ କେଇ ଦିନ ଭିତରେ ମାଗନ୍ତି ତେବେ ତାଙ୍କୁ ହାଣ୍ଡନୋଟ୍‍ଟା ଦେଇ କହିବ, ଏପରି ଅସୁବିଧାରେ ପଡ଼ିବାରୁ ମୁଁ ଜଣକୁ ସେ ଟଙ୍କାତକ ଧାର ଦେଇଛି–ବୁଡ଼ିଯିବାର ଆଶଙ୍କା ନାହିଁ ।

 

ପରିଶେଷରେ କୃତ୍ରିମ ଅନିଚ୍ଛାସତ୍ତ୍ୱେ ଚୌଧୁରୀଏ କମଳ କଥାରେ ହଁ ଭରିଲେ–ଦେଖେ କମଳ ! ତୋଠାରୁ ମୁଁ କେବେ ବନ୍ଧା ରଖନ୍ତି ନାହିଁ, କିନ୍ତୁ ଏପରି ଅସୁବିଧାରେ ପଡ଼ି ଘରଖଣ୍ଡିକ ବନ୍ଧା ରଖିବାକୁ ବାଧ୍ୟ ହେଉଛି । ମନରେ କିଛି ଭାବିବୁ ନାହିଁଟି ?

 

ଭାବିବି ଆଉ କ’ଣ ! କମଳ ଅଜାଣତରେ ଆଖିରୁ ଲୁହ ପୋଛିଲା ।

 

ଚୌଧୁରୀଙ୍କ କଥାନୁସାରେ ଚପଳ ଯାଇ ଗୁରୁ ମହାନ୍ତିଙ୍କୁ ଡାକି ଆଣିଲା । ଟଙ୍କିକିଆ ଟିକଟ ବସି ହାଣ୍ଡନୋଟ୍ ଲେଖାହେଲା । କମଳର ଦସ୍ତଖତ ତା’ ଉପରେ ରହିଲା । ଠିକ୍‍ ସଞ୍ଜ ସରିକି କମଳ ଟଙ୍କାଧରି ଘରକୁ ଫେରିଲା । ସେତେବେଳକୁ ଗହୀରମାଳରେ କୁଆଗୁଡ଼ାକ କା କା ରାବି ବସାକୁ ଫେରୁଥାନ୍ତି ! କମଳର ମନରେ ସତେ ଯେପରି ସ୍ୱାଗତବାଣୀ ଢାଳି ଦେବାକୁ ସେମାନେ ଆଜି ଜାଗ୍ରତ । ‘‘କମଳ ତୁମେ ଠିକ୍‍ କରିଛ, ଚିନ୍ତାକରନାହିଁ । ତୁମରିପରି ମଣିଷହିଁ ଏ ଦେଶରେ ଗଢ଼ିବ ନୂଆ ସମାଜ, ତୁମେହିଁ ହେବ କର୍ମବୀର ।’’ କମଳର ମନରେ କେତେ ଯେ ଆନ୍ଦୋଳନ ସୃଷ୍ଟି ହେଉଥାଏ ତା’ କଳନା କରିବ କିଏ ? ନିଜର ପୈତୃକ ସମ୍ପତ୍ତି ବୋଲି ସେତିକି ଥିଲା । ଆଜି ତା’ ପର ହାତକୁ ଟେକା ହେଲା । ଏ ଦୁଃଖରେ ହୃଦୟ ତା’ର ଫାଟି ପଡ଼ୁଥାଏ, କିନ୍ତୁ ଭବିଷ୍ୟତର କଳ୍ପନା ତା’ ମନରେ ଶାନ୍ତି ଆଣିଦିଏ । ‘‘ପାଠ ପଢ଼ିଲେ ଟଙ୍କା ଶହେ ସୁଝି ପାରିବିନି !’’

 

ଏପରି ନାନା କଥା ଭାବି ଘରେ ପହଞ୍ଚିଲାବେଳକୁ ସଞ୍ଜ । ଘରେ ପାଦ ଦେବାମାତ୍ରେ କମଳିନୀ ପଚାରିଲେ କମ, ମୋତେ ଆସୁଛି ବୋଲି କହିଦେଇ ଗଲୁ ଯେ ଏବେ ସଞ୍ଜ ହେଲାଣି । ମୁହଁ ଶୁଖି ଯାଇଛି । ସକାଳୁ ପେଟରେ କିଛି ପଡ଼ିନି । ଆ ଆ ଆଗ ଖାଇପକା ପଛେ ଯାହାକିଛି । ସୁଧା ଆସି ତିନିଥର ଫେରିଗଲାଣି ନଈକୂଳ ଆଡ଼େ ବୁଲି ଯିବାକୁ ।

 

ଖାଇ ସାରିଲାବେଳକୁ ରାତି ଆସି ଘଡ଼ିଏ ହୋଇଥାଏ । କମଳ ଟିକିଏ ଆଶ୍ୱସ୍ତ ହୋଇ ଗୋଟି ଗୋଟି କରି ସମସ୍ତ ଘଟଣା କହିଗଲା ତା’ର ଆଦରର ବୋଉକୁ । ପାଖରେ ତା’ର ବସିଥାଏ ଛୋଟଭାଇ ଅଚଳ ଓ ଛୋଟ କାମିନୀ, ରାଗିଣୀ । ସବୁକଥା ଶୁଣି କମଳିନୀଙ୍କ ମୁଣ୍ଡ ଉପରେ ଭାବନାର ବଜ୍ର ଭାଙ୍ଗିପଡ଼ିଲା–ଦୁନିଆଟା ତାଙ୍କ ଚକ୍ଷୁରେ ଅନ୍ଧକାରମୟ ଦେଖାଗଲା । ଯେମିତି ଏ ଦୁନିଆଟା ନିର୍ମମ, ନିଷ୍ଠୁର, କ୍ରୂର । ସେ ପାଷାଣପ୍ରତିମାପରି ମୂକହୋଇ ଚାହିଁରହିଲେ କମଳର ଲୁହଭରା ସଜଳ ମୁଖଟିକୁ । କମଳ ନିର୍ବାକ୍‍ ନିସ୍ପନ୍ଦ, ସ୍ଥିର । ଅଚଳ କାମିନୀ ରାଗିଣୀ ଶିଶୁପରି କମଳିନୀଙ୍କ ପାଖରେ ବସି କାନ୍ଦିବାକୁ ଲାଗିଲେ । ନିର୍ଜନ ରାତ୍ରିର ଅନ୍ଧକାର ଭିତରେ ସତେ ଯେମିତି ଏଇ ପରିବାରର ଜୀବନ ଅନ୍ଧକାରମୟ ହେଲା । କିନ୍ତୁ କିଏ ଜାଣେ, କେବେ ରାତ୍ରିର ଅନ୍ଧକାର ପରେ ଆସିବ ଉଷାର ଆଲୋକ ପ୍ଳାବନ । ରାତ୍ରିର ଗମ୍ଭୀରତା କେବଳ ଏଇ ୫ଟି ପ୍ରାଣୀର ଲୁହ ଜଳରେ ଘନୀଭୂତ ହେବାକୁ ଲାଗିଲା ।

 

କମଳିନୀ କାନ୍ଦି କାନ୍ଦି କହିଲେ–ହଉ ତୁତ ଅପବ୍ୟୟ କରିନୁ, ପାଠ ପଢ଼ିବୁ, ମଣିଷ ହେବୁ, ସେଥିରେ ମୋର ଆପତ୍ତି ନାହିଁ । କେବଳ ପିତୃ ଅର୍ଜିତ ସମ୍ପତ୍ତି ଆଜିଠାରୁ ଶେଷ ହେଲା । ଏତିକି ମନଟାକୁ ଆନ୍ଦୋଳିତ କରି ଦେଉଛି । ମାଟିର କୁଡ଼ିଆ ହେଲେ କ’ଣ ହେଲା–ତା’ ପ୍ରତି ଯେ ମମତା...ଅପାସୋରା । କମଳିନୀଙ୍କ ଚକ୍ଷୁରୁ ଚାରିଟୋପା ଲୁହ ମାଟି ଉପରେ ଥପଥପ ହୋଇ ପଡ଼ି ଭିଜିଗଲା । ମାଟି ଯେପରି ତାଙ୍କର ଦୁଃଖରେ ସମବେଦନା ଜଣାଇବାକୁ ବ୍ୟାକୁଳ ।

 

ଅଚଳ କେବଳ ବୋଉକୁ ଶାନ୍ତ କରିବାରେ ଲାଗିଥାଏ । ବୋଉ ! ତୁ ତୁନିହ ବୋଉ, ତୁ କାନ୍ଦିଲେ ମୋତେ ଅଧିକ କାନ୍ଦ ଲାଗୁଛି । କମଳ ଭାଇତ କିଛି ପାଣିକି ଫିଙ୍ଗିଦେଇ ନାହାନ୍ତି ପାଠ ପଢ଼ିଲେ ମୁକୁଳେଇ ଦେବେନି କି, ତୁ ତୁନିହ ବୋଉ ।

 

ରାତ୍ରିର ନିସ୍ତବ୍ଧତା ଘନେଇ ଆସିଲା । ବାରିଆଡ଼ ତାଳଗଛ ଉପରେ ପେଚାଟା ବସି ରାବ ଛାଡ଼ିଲା । ମଝି ଅଗଣାର ଜାମୁଗଛ ଡାଳରେ ଜୁଳୁଜୁଳିଆ ପୋକଗୁଡ଼ାକ ଦପଦପ ଆଲୁଅ ଦେଖେଇ ଉଡ଼ିବାକୁ ଲାଗିଲେ । ବାଦୁଡ଼ିଗୁଡ଼ାକ ଫଡ଼୍‍ ଫଡ଼୍‍ ହେଲେ–ଗମ୍ଭୀର ରଜନୀ ଆକାଶରେ ତାରା କଇଁ ରଡ଼ୁଛି–କମଳିନୀ କ୍ଷଣକାଳ ଶୂନ୍ୟ ଆକାଶକୁ ଅନାଇ ରହିଲେ । ପରେ ଅଚଳ, କାମିନୀ ଓ ରାଗିଣୀକୁ ଧରି ଶୋଇବାକୁ ଗଲେ । କମଳ ବାଡ଼ିପିଣ୍ଡାରେ ବିଛଣାଟା ପକାଇ ମୁହଁ ମାଡ଼ି ପଡ଼ି ରହିଲା । ଆଖିକୁ ନିଦ ନଥାଏ–ବିଛଣା ତଳେ ଦୁନିଆଟା ତାକୁ ଅନ୍ଧକାରମୟ ଦେଖା ଯାଉଥାଏ ।

 

ମାଧବାନନ୍ଦ ଶ୍ୟାମସୁନ୍ଦରପୁରର ଜଣେ ନାମଜାଦା ମାମଲତ୍‍କାର । ପାଖଆଖ ସବୁ ଗାଁରେ ତାଙ୍କ ନା ଡାକ । ମାଲିମକଦ୍ଦମା ବିଷୟରେ ତାଙ୍କର ଗଭୀର ଗବେଷଣା ଅଛି । ପାଠଶାଠ ସେତେ ପଢ଼ି ନଥିଲେ ମାତ୍ର ଯାହା ପଢ଼ିଛନ୍ତି ସେତକ ତାଙ୍କୁ ମାମଲତଗିରିରେ ଯଥେଷ୍ଟ ସାହାଯ୍ୟ କରେ । ଦୁଇ ଚାରିବର୍ଷ ଖୋର୍ଦ୍ଧାରେ ମୁକ୍ତିଆର ଥିଲେ । ଓକିଲ ମହଲରେ ସାମାନ୍ୟ ସାମାନ୍ୟ ମନୋମାଳିନ୍ୟ ସୃଷ୍ଟି ହେବାରୁ ଏବେ ଆସି ଗାଁରେ ସେଇ ବ୍ୟବସାୟ ଚଳାଇଛନ୍ତି । ବେଶ୍‍ ଚାରିପଇସା ରୋଜଗାର ହେଉଛି । ଦାଣ୍ଡଦୁଆରୁ କେତେବେଳେ ଲୋକ ଛାଡ଼ୁ ନାହାନ୍ତି । କିଏ ହୁଏତ ଦଲିଲ୍‍ ଦସ୍ତାବିଜ ଲେଖିବାକୁ ଆସୁଛି, କିଏ ବା ମକଦ୍ଦମାର ଦଫାଟା ବୁଝିବାକୁ ଆସୁଛି । ଚୌଧୁରୀଏ ସକାଳୁ ଉଠି ଦାନ୍ତପତ୍ର ଘଷି ହାତରେ ଚା’ କପ୍‍ଟେ ଧରି ଦାଣ୍ଡଦୁଆରକୁ ବାହାରି ପଡ଼ନ୍ତି-। ଚୌକିରେ ବସି ଚା’ କପ୍‍କୁ ଶେଷ କଲାବେଳକୁ ପାନ ଚାଙ୍ଗୁଡ଼ିଟା ପାଖକୁ ଆସି ସାରିଥାଏ-। ଜଣେ ଅଧେ ଗାଁରୁ ଆସି ଦାଣ୍ଡଦୁଆରର ବେଞ୍ଚ୍ ଉପରେ ବସିଥାଆନ୍ତି । ସେତେବେଳୁ କାମ ଆରମ୍ଭ ହୁଏ–ଦିନ ଦଶଟା ସରିକି ଚୌଧୁରୀଙ୍କ ସଭା ଭାଙ୍ଗେ, ଚୌଧୁରୀଏ ଗାଧୋଇ ଯାନ୍ତି ।

 

ଦି’ଜଣଙ୍କ ମଝିରେ ଅଯଥା କଳିଗୋଳଟେ ସୃଷ୍ଟି କରି ଭଲଲୋକ ହୋଇ ଚାରିପଇସା ପାଇବାର ବାଟ ତାଙ୍କୁ ବେଶ୍‍ ଜଣା । ସେ ବିଦ୍ୟାରେ ତାଙ୍କର ଉପାଧି ବୋଧହୁଏ ଏମ୍‍.ଏ.ଠାରୁ ବଳି ପଡ଼ିବ । ଏଣିକି ପୁଅ ଚପଳକୁ ମଧ୍ୟ ପାରମ୍ପରିକ ପ୍ରଥାଟାକୁ ଶିଖେଇବାକୁ ସୁର୍‍ କଲେଣି । ତାଙ୍କର ଇଚ୍ଛା–ଚପଳର ଅନ୍ତତଃ ମାଟ୍ରିକଟା ହୋଇଗଲେ ତା’ପାଇଁ ଦାଣ୍ଡଦୁଆରେ ଆଉ ଗୋଟିଏ ଚୌକି ପଡ଼ିବ । ଚପଳରବି ଏସବୁ ପ୍ରତି ଢେର୍ ମମତା–ଆଜିକାଲି ବା ପାଠଶାଠଗୁଡ଼େ ପଢ଼ି କିଏ କ’ଣ କରି ପକଉଛି । ଦାଣ୍ଡଦୁଆରେ ବସି କାନରେ କଲମ ଖୋସି ବେଶ୍‍ ଆରାମରେ ଯଦି ଦିନକୁ ଦଶବାର ଆମଦାନୀ ହୋଇ ପାରିଲା ତେବେ ତା’ଠାରୁ ଅଧିକ ସୁବିଧା କ’ଣ ଅଛି ? ଚପଳର ଏଇୟା ଇଚ୍ଛା । ବର୍ତ୍ତମାନ ସେ ଚୌଧୁରୀଙ୍କଠାରୁ ଶିକ୍ଷା ଆରମ୍ଭ କଲାଣି । ଚୌଧୁରୀଏ ମଧ୍ୟ ଗୋଟେ ଦି’ଟା କେସ୍‍ରେ ପୁଅର କରାମତି ବୁଝିଲେଣି, ତାଙ୍କର ବିଶ୍ୱାସ ମାଟ୍ରିକ ପରୀକ୍ଷା ପରେ ରୋଜଗାରଟା ଦୁଇଗୁଣ ହୋଇଯିବ ।

 

ସେଦିନ ଦିନ ବାରଟା ହେବ । ମାଧବାନନ୍ଦ ଖାଇସାରି ଦାଣ୍ଡଦୁଆର ଚୌକି ଉପରେ ବସି ପାନ ଭାଙ୍ଗୁଛନ୍ତି । ପାଖରେ ଦୈବାତ୍‍ କେହି ନାହାନ୍ତି । ମାଧବାନନ୍ଦ ଦାଣ୍ଡଆଡ଼କୁ ଚାହିଁ ଦେଖିଲେ ପବନା ପରିଡ଼ା କାନ୍ଧରେ ଲଙ୍ଗଳଟା ଥୋଇ ବଳଦ ହଳଙ୍କୁ ଆଗରେ ଓଡ଼େଇ ଓଡ଼େଇ ବିଲରୁ ଫେରୁଛି ।

 

ଚୌଧୁରୀଙ୍କ ମୁଣ୍ଡକୁ କଥାଟା ବେଶ୍‍ ଖାପିଲା । ପବନାକୁ ପାଖକୁ ଡାକିଲେ । ପବନା ଲଙ୍ଗଳଟା ଥୋଇ ବଳଦ ହଳଙ୍କୁ ଦହଡ଼େଇ ଦେଇ ଚୌଧୁରୀଙ୍କ ଦାଣ୍ଡଦୁଆରେ ଯାଇ ବସିଲା । ମାଧବାନନ୍ଦ ନିରୋଳା ଦେଖି କହିଲେ–କିରେ ପବନା ! ତୁମେଗୁଡ଼ାକ ଏ ଗାଁର ମଣିଷଟି ? ତୁମ ଦିହରେ ଟୋପେ ରକ୍ତ ନାଇଁ ! ଛି–ଛି–ଛି–ଛି ହଇରେ, ଦାମପଧାନ ଗୋଟେ ଲୋକ, କେରାଣ୍ଡି ଚିପିଲେ ମୁଣ୍ଡରେ ପିତ୍ତ, ତା’ର ବୁଦ୍ଧି କେତେ ? ସେ ଯାଇ ମଲ୍ଲୀକାଶପୁରରେ ତୁମ ଗାଁର ଅପନିନ୍ଦା କରୁଥାନ୍ତି, କହୁଛି କ’ଣ ନା, ଶ୍ୟାମସୁନ୍ଦରପୁରର ଲୋକଗୁଡ଼ାକ ବଦମାସ, ବେଇମାନ ! ସେ ଗାଁର ଚୌଧୁରୀ ଘରବୁଡ଼ାଙ୍କ ସରଦାର । ସେ ଗାଁର ଚାଷୀଗୁଡ଼ାକ ଚୋର ଦଳର ନେତା । ରାତିରାତି ଯାଇ ୟା’ ତା’ ବିଲରୁ କଳେଇ ଚୋରେଇ ଆଣୁଛନ୍ତି । ଏଗୁଡ଼ାକ ପୁଣି କାନ ଶୁଣନ୍ତା ! ଦାମପଧାନ-! ବକଟେ ବୋଲି ଚମ ନାହିଁ ଦେହରେ–ସିଏ ପୁଣି ୟା କହନ୍ତା ! ଏ ଗାଁରେ ଜନ୍ମହୋଇ, ଏ ଗାଁର ପାଣି ପବନରେ ବଢ଼ି, ଏଇ ଗାଁର ଲୋକଙ୍କ ସାଥିରେ ଚାଳକୁ ଚାଳ ବାନ୍ଧି ରହି ସେ ପୁଣି ଏଇ ଗାଁକୁ କୁରାଢ଼ି ଚୋଟ ଦିଅନ୍ତା । ଆଉ ହବନାଇଁ, ହବନାଇଁ, ଜାଣିଲୁ ପବନା; ତୁମେଗୁଡ଼ାକ ଅମଣିଷ..... ।

 

ଚୌଧୁରୀଙ୍କର ଏ କଥାରେ ପବନା ନିଜକୁ ବିଶ୍ୱାସ କରି ପାରିଲାନାହିଁ ! ବିସ୍ମୟ ହୋଇ କହିଲା–ନାଇଁ ସାଉକାରେ ! ଦାମତ ସେମିତି ମଣିଷ ନୁହେଁ ! ଆମ ସାଥିରେ ତ ବେଶ୍‍ ଭଲ ଭାବରେ ଚଳୁଛି, ଭୁଲ୍‍ରେ ତା’ ପାଟିରୁ ଆଜିଯାଏ ଆମେ ଶଳାପଦ ଶୁଣିନୁ ସିଏ ପୁଣି ନିଜ ଗାଁ ଲୋକଙ୍କର ଅପନିନ୍ଦା କରିବ ! ରାତିରାତି ଉଜାଗର ରହି ଯିଏ ପରପାଇଁ କାମ କରିବା ଲୋକ, ନିଜ ଗାଁ କଥାରେ ଯେ ନିଜର ଜୀବନ ଦେବାକୁ ଆଗଭର ତା’ ପାଟିରୁ ଏକଥା ବାହାରିବାର ମୋତେ କାଇଁ ବିଶ୍ୱାସ ହଉନି ସାଉକାରେ ।

 

ତୁମେ କାହୁଁ ଜାଣିବ ? ନରମାୟା ନାରାୟଣଙ୍କୁ ଅଗୋଚର, ତୁମେ ତ ହେଲ ମାଟିର ଜୀବ । ସରଳ ପ୍ରକୃତିର, ତୁମେ ଏସବୁ ଗହନ କଥାରେ ପଶିପାରିବ କୁଆଡ଼େ ? ମୁଁ କ’ଣ ଏକଥା ଜାଣିଥିଲି ! ଆଜି ଯାଇଥିଲି ବୋଲି ଶୁଣିଲି ସିନା । ମୁଁ ତେବେ କ’ଣ ମିଛୁଆ ? ଜାଣୁ ପବନା ! ଚୌଧୁରୀର ମୁଣ୍ଡବାଳ ଧଳା ହେଲାଣି, ହେଲେ ତା’ ପାଟିରୁ ମିଛ ପଦେ ବାହାରିବାର ଏ ଖଣ୍ଡମଣ୍ଡଳରେ କିଏ କହିଦେବନି । ଚୌଧୁରୀଏ ମୁରୁକି ହସଟେ ମାରି ପୁଣି କହିଚାଲିଲେ, ଆଜି ସେ ଗାଁକୁ ଗୋଟେ କେସ୍ ବିଷୟ ନେଇ ଯାଇଥିଲି ଯେ ଏ କଥାତକ ମୋ କାନରେ ପଡ଼ିଲା । ଦାମ ତ ପାଣିସୁଅ ପରି କହି ଚାଲିଛି । ସେ କ’ଣ ଜାଣେ ମୁଁ ଆସି ଶୁଣୁଛି ବୋଲି । ଆର ସାଇର ମାଗୁଣିଜେନା ଘର ଦାଣ୍ଡଦୁଆରେ ଠିଆହୋଇ ଅନର୍ଗଳ କହିଚାଲିଛି । ମୁଁ ପରା ନିଜେ ଦୁଇ କାନରେ ଶୁଣିଛିରେ.....’’

 

ପବନାର ସରଳ ନିର୍ମଳ ମନ ଭିତରେ ଚୌଧୁରୀଙ୍କର ଏତେଗୁଡ଼ାଏ କଥା ଏକ ଦୂଷିତ ବାତାବରଣ ସୃଷ୍ଟି କଲା । ତରଳ ଲୁହାରେ ଯାହା ଗଢ଼ିବ ତାହା ହେବ–ଗ୍ରାମର କୃଷକ–ସରଳ, ତାଙ୍କୁ ଯେଉଁ ବାଟକୁ ଟାଣି ନେବ ସେଇ ବାଟକୁ ଚାଲିଯିବେ । ଆଗପଛକୁ ବିଚାର ନାହିଁ । ପବନା ସାମାନ୍ୟ ରାଗିଯାଇ କହିଲା–ହଉ ସାଉକାରେ, ମୁଁ ଟିକିଏ ଭିତରେ ଭିତରେ କଥାଟା ବୁଝେ । ଆଜି ହୁରୁଷି, ଭାଗା, ହରିଆ ଏମାନଙ୍କୁ କହେ ।

 

ବୁଝିବିଚାରି କାର୍ଯ୍ୟ କଲେ

ପ୍ରମାଦ ନ ପଡ଼ଇ ଭଲେ ।

 

ଯଦି କଥାଟା ସତ ହୋଇଥିବ ଦାମ କଥାଟା ଦେଖି ଦବାନି ? ତୁମେ ତ ଅଛ ଦେଖିବନି ସାଉକାରେ ଶ୍ୟାମସୁନ୍ଦରପୁରିଆ ମଣିଷ ନା ମୁର୍ଦ୍ଦାର । ଗାଁରୁ ଯଦି ଦାମର ଛପର ନ ଉଡ଼ିଯାଇଛି । ଚୌଧୁରୀ କଠିନ ହସଟାଏ ହସି କହିଲେ–ଆରେ, ମୁଁ କ’ଣ ସେ କଥା ଜାଣିନି । ପବନା, ହୁରୁଷି, ମାଗା, ହରିଆ ଏମାନେ ଯିମିତି ମଣିଷ, ଆମେ ଟିକିଏ ହୁଁ କରିଦେଲେ ତା’ର ଦାଣ୍ଡଦୁଆର ମାଟି ସରିଯିବ । କ’ଣ କହିବା ? ଗାଁର ତ ଚାଳବନ୍ଧା ଭାଇଟେ, ତାକୁ ଗୋଟେ ହଇରାଣ କରିବା କ’ଣ ? ଯେତେ ସମ୍ଭାଳିଲେ ମଧ୍ୟ ତା’ର ଦିନକୁଦିନ ଦିମାକ ବଢ଼ି ଚାଲିଛି । ଲୁହା କଅଁଳ ହେଲେ ବିରୁଡ଼ି କାମୁଡ଼ି ଗୋଡ଼ାଏ । ହଁ, ଏସବୁ କାହିଁକି ହେଉଛି ଜାଣୁ ପବନା ! ଏସବୁ ସାଧୁବାବୁ ଘର ଭାତ ତାକୁ କରଉଛି । ଖାଇବାକୁ ପାଉ ନଥିଲା ନା, ଏବେ ବେଶ୍‍ ଭଲକରି ମୁଠେ ଖାଇବାକୁ ମିଳିଲା । ସେଇଥିପାଇଁତ ପୁଅର ଗୁଣଗୁଡ଼ାକ ଫୁଟି ଉଠୁଛି । ହଉ ହଉ, ଚୌଧୁରୀଏ ମୁଣ୍ଡ ଟୁଙ୍ଗାରିଲେ–ଆରେ, ବେଳ କେତେଗୁଡ଼ାଏ ହେଲାଣି । ଯା, ଯା ଭୋକ ହେବଣି । ଓଦା ଲୁଗା ଦିହରେ ଶୁଖିଲାଣି-। ହଁ, କଥାଟା ଟିକିଏ ତଦାରଖ କରିବୁ ।

 

ପବନା କାନ୍ଧରେ ଲଙ୍ଗଳଟା ପକାଇ ଚାଲିଗଲା । ଚୌଧୁରୀଏ ମୁରୁକି ହସାଟେ ଦେଇ ମନେମନେ ଭାବିଲେ ଏଥରକ ପୁଅ ଯାଏଁ କୁଆଡ଼େ ? ଗାଁରୁ ଯଦି ଘର ଛାଡ଼ି ନ ପଳେଇଛି–ମଣିଷ ହୋଇ ନାଗ ସାପ ଲାଙ୍ଗୁଡ଼ରେ କାନ କୁଣ୍ଡଉଛି । ହୁଁ ଚୌଧୁରୀଙ୍କ ସାଥିରେ ପୁଣି ଖେଳ ଖେଳୁଛି । ହବ ନାଇଁ, ହବ ନାଇଁ ।

 

ଚୌଧୁରୀଙ୍କର ଏହି କୁଚକ୍ରାନ୍ତ ଭିତରେ ଅନେକ ରହସ୍ୟ ଥିଲା । ଥରେ ଚପଳ କ’ଣ ଦି’ଚାରି ପିଲାଙ୍କ ସାଥିରେ ବାଟରେ ଜଗିଥିଲା କମଳ ଓ ସୁଧାଂଶୁକୁ ମାଡ଼ ଦେବ ବୋଲି । ଦୈବାତ୍‍ ଦାମର ଏକଥା ହାବୁଡ଼େ ପଡ଼ିଲା । ସେ ତ ଆଗରୁ ଏମାନଙ୍କ ଗୁଣ ଜାଣେ । ତା’ ମନରେ କାହିଁକି ପାପ ଛୁଇଁଲା । ତେଣୁ ଗୋଟେ ବଡ଼ ଆମ୍ୱଗଛ ପଛରେ ଛପି ରହିଲା । ଅଳ୍ପସମୟ ପରେ କମଳ ଓ ସୁଧାଂଶୁ ହସଖୁସିରେ ସ୍କୁଲ୍‍ରୁ ସେଇ ବାଟରେ ଫେରିଲେ । ସେ ଦୁହେଁ ତ ଏତେ ଷଡ଼ଯନ୍ତ୍ର ଜାଣନ୍ତି ନାହିଁ । ଚପଳ ପ୍ରଥମେ ଭଦ୍ରଲୋକଙ୍କପରି ବାଟ କଡ଼ ବରଗଛ ଡାଳରୁ ଡେଇଁ ପଡ଼ିଲା । ତତ୍ପରେ ଜଣକ ପରେ ଜଣେ ବଂଶୀ, ହର, କାମରୂପ, ଶଙ୍କର, ମାୟାଧର ତା’ ସାଥିରେ ଯୋଗ ଦେଲେ ।

 

ଚପଳ କହିଲା–ହେଇ ଆସୁଛନ୍ତିରେ, ଖୁବ୍‍ ମନଖୁସ୍‍ । ଦୁଇଜଣ ତ ମରାଲିଷ୍ଟ । ଭାରି ଭଦ୍ରଲୋକ.....ଧରିବଟିରେ । ଏଠି କୋଉ ବାପା ପିଠିରେ ପଡ଼ିବ ଦେଖିବାନି ?

 

ଚପଳର କଥା ନସରୁଣୁ ସମସ୍ତେ କମଳ ଓ ସୁଧାଂଶୁକୁ ଘେରିଗଲେ । ସେ ଦୁହେଁ ଏହାର ଅର୍ଥ ବୁଝିପାରିଲେ ନାହିଁ । ନିରବ ହୋଇ ଚାହିଁ ରହିଲେ । କିଛି କହିବାକୁ ଅବସର ନାହିଁ । ତଥାପି କମଳ ଥରିଲା କଣ୍ଠରେ କହିଲା–କାମ ଭାଇ ! ଏଗୁଡ଼ାକ କ’ଣ ସୁନ୍ଦର କଥା ! ଆମର ଭୁଲଟା କହିଦେଲେ ଆମେ ସ୍ୱୀକାର କରି ନିଅନ୍ତୁ, ବାଟରେ ଏମିତି ଛପି ନିଛାଟିଆ ଦେଖି ମାଡ଼ ଦେବାଟା କ’ଣ ଉଚିତ ମନେ କରୁଛ ?

 

ଚପଳ ବିଦ୍ରୂପ କରି କହିଲା–କାହିଁକି ସେ ସାକୁଲିଆ କଥାଗୁଡ଼ାକ କହୁଛୁ କହିଲୁ । ଏତେବେଳକୁ କେଡ଼େ ମଧୁର ଭଦ୍ରସ୍ୱର ବାହାରୁଛି ବା (ଶଙ୍କର ଆଡ଼କୁ ଚାହିଁ) କିରେ ଚାହୁଁଚ କ’ଣ-? ଦବୁତ ମନଇଚ୍ଛା ତତଲା ମାଲ, କୋଉ ହେଡ଼୍‍ମାଷ୍ଟ୍ରଙ୍କୁ କହୁଛି କହୁ । ଆମର ତ ଟେଷ୍ଟ ସରୁଛି, କିଏ ଆଉ ଫାଶୀ କରି ଦେଉଛି ଯେ.... ।

 

ଶଙ୍କର ମାରିବାକୁ ଉଦ୍ୟତ ହେଲା । ଅନ୍ୟମାନେ ତା’ ସାଥିରେ ଯୋଗ ଦେଲେ । ଦାମ ଏଗୁଡ଼ାକ ସହି ପାରିଲା ନାହିଁ । ଗଛ ଉହାଡ଼ରୁ ଦଉଡ଼ି ଆସି ସୁଧାଂଶୁ ଓ କମଳ ଆଗରେ ଠିଆ ହେଲା । ହାତରେ କିଛି ନଥିଲା । ପାଖରୁ ଗୋଟେ କିଆଘୋଡ଼ି ଗୋଟେଇ ଆଣି ଆଖିବୁଜି ଆରମ୍ଭ କଲା । ଶଙ୍କର, ଚପଳ, ହର ସମସ୍ତଙ୍କ ପିଠିରେ ପାହାରେ ଦି’ ପାହାର ଲେଖା ହୋଇଗଲା । ପ୍ରାଣ ବିକଳରେ ସମସ୍ତେ ଦୌଡ଼ି ପଳେଇଲେ । ଦାମ, ସୁଧାଂଶୁ ଓ କମଳକୁ ସାଥିରେ ନେଇ ଗାଁକୁ ଫେରିଲା ।

 

ସେଦିନର ଘଟଣା ଚପଳ ତା’ର ବାପାଙ୍କୁ କହିଲା । ଚୌଧୁରୀଏ ନିଜ ପୁଅର ଦୋଷ ନ ଦେଖି ଅଗ୍ନିଶର୍ମା ହେଲେ ଦାମ ଉପରେ । ତେଣୁ ଦାମକୁ ହାତରେ ନମାରି ଭାତରେ ମାରିବା ତାଙ୍କର ହେଲା ଚିନ୍ତାର ବିଷୟ । କୌଣସି ରକମର ପେଞ୍ଚ ଖଞ୍ଜି ଦାମ ଉପରେ କିପରି ପ୍ରତିଶୋଧ ନେବେ ଏକଥା ଦିନରାତି ଭାବୁଥାନ୍ତି । ନିଜ ପୁଅକୁ ମାଡ଼ ଏକଥା କ’ଣ ସହିବାର କଥା !

 

ବହୁ ଦିନର କଥାଟା ଆଜି ମନେ ପଡ଼ିଗଲା । ତେଣୁ ପବନାକୁ ନିରୋଳାରେ ଦେଖି ଦାମ ବିରୁଦ୍ଧରେ ମତେଇଲେ । ପବନାତ ସରଳ ପ୍ରକୃତିକ–ସେ କାହୁଁ ମଣିଷର ଇନ୍ଦ୍ରଜାଲ ରହସ୍ୟ ବୁଝିବ । ସବୁ କଥାରେ ଅଧାଅଧି ବିଶ୍ୱାସ କଲା ।

 

ସେଦିନ ସଞ୍ଜବେଳେ ପବନା ବିଲରୁ ଫେରିଲା । ଘରକୁ ଆସି ଗଣ୍ଡେ ଖାଇ ପକେଇଲା-। ତା’ପରେ ରାତି ପିନ୍ଧାଲୁଗାଟା ପିନ୍ଧି ପାନ ଖିଲେ କଳରେ ଯାକି ନାସଦାନିଟା ଅଣ୍ଟାରେ ଖୋସି ବାହାରିଲା ଗାଁ ସେ ମୁଣ୍ଡ ଭାଗବତଟୁଙ୍ଗି ଆଡ଼େ । ସେଇଠି ସବୁଦିନ ଭାଗବତ ପଢ଼ାଯାଏ-। ଦିନତମାମ ମୁଣ୍ଡଝାଳ ତୁଣ୍ଡରେ ମାରି ବିଲରେ ଖାଟି ଖାଟି ଚାଷୀମାନେ ଅବଶ ହୋଇ ପଡ଼ିଥାନ୍ତି-। ସଞ୍ଜବେଳେ ଭାଗବତ ଘରକୁ ଆସି ଦୈନନ୍ଦିନ ଦୁଃଖର ହିସାବନିକାଶ କରନ୍ତି । ସେଇଠି ଗାଁର ସବୁକଥା ପଡ଼େ, କା ବିଲରେ କିମିତି ଫସଲ ହେଲା କିଏ ନୂଆ ପୋଢ଼ୁଅ କିଣିଲା କାର ବଳଦ କିମିତି ହୋଇଛନ୍ତି । ସବୁବିଷୟ ଆଲୋଚନା ହୁଏ । ସମସ୍ତଙ୍କର ଆନନ୍ଦ ଉପଭୋଗର ସମୟ ସେଇଟା । ସେଦିନ ପବନା ଆସିଲାବେଳକୁ ଦୁଇ ଚାରିଜଣ ଆସି ସାରିଥିଲେ । ସେମାନେ ବସି ଖୁସିଗପ କରୁ କରୁ ହୁରୁଷି, ହରିଆ, ମାଗା, ରଙ୍କ, ଅଇଣ୍ଠା, ଡୋମା, ହାଡ଼ୁ ସମସ୍ତେ ଜଣଜଣ ହୋଇ ଆସିଲେ । ହରିଆ ସବୁଠୁ ଭଲ ଭାଗବତ ପଢ଼ି ଜାଣେ । ସେ ବସି ପୁରାଣପଢ଼ା ଆରମ୍ଭ କଲା-। ସମସ୍ତେ ବସି ଏକଲୟରେ ତନ୍ମୟ ହୋଇ ଶୁଣିଲେ । ପବନାର ମନ କିନ୍ତୁ ଭାଗବତ ପଢ଼ା ଆଡ଼େ ନଥାଏ । ତା’ ମନଟା ଉଡ଼ୁଥାଏ ଅନ୍ୟ ଆଡ଼େ । ସେ ଚୁପ୍‍ ଚୁପ୍‍ ଟୁପ୍‍ ଟୁପ୍‍ କରି ମାଗା ଓ ହୁରୁଷି କାନରେ ଚୌଧୁରୀଙ୍କ କଥାଗୁଡ଼ାକ ବୟାନ କରିବାରେ ବ୍ୟସ୍ତ । ସେ ଦୁହେଁ ମଧ୍ୟ ଏ କଥାଗୁଡ଼ାକ ଶୁଣି ଅବାକ୍‍ । ଚୁପ୍‍ ଚୁପ୍‍ ପବନାକାନରେ କହିଲେ–କିରେ ପବନାଇ ଏଦୁନିଆ କ’ଣ ଓଲଟିଗଲା କିରେ ? ହଇରେ ଦାମ ପରି ନୋକ ଫିରି ଏମିତି...... ଯୁଗ ସିମିତି ହେଲାଣି । ଯେତେକ ଭଲ ନୋକ ବୋଲି ଦେଖେଇ ହୁଅନ୍ତି ସେଗୁଡ଼ାକ ସମସ୍ତେ ଚୋର–କୋଉ ଶଳାଟି ଭଲ ନୋକ କହିଲୁ-? ସାରୁଭିତରେ ମାରୁ । ହଉ ସମସ୍ତେ ଯାନ୍ତୁ ଭାରି, ମୁଖିଆ ମୁଖିଆ କେତେଜଣଙ୍କ ଆଗରେ କଥାଟା ପକାଇବା । ପରେ ଯାହା ବିଚାର...... ।

 

ରାତି ଆସି ପହରେ ହେଲା । ପୁରାଣପଢ଼ା ଶେଷ ହେଲା । ସମସ୍ତେ ଜଣ ଜଣ ହୋଇ ଯେ ଯାହା ଘରକୁ ଗଲେ । ଶେଷକୁ ରହିଲେ ପବନା, ହୁରୁଷି, ମାଗା, ହରିଆ, ରଙ୍କା । ପବନା ଏଥର କଥାଟା ଖୋଲାଖୋଲି କହିଦେଲା । ହୁରୁଷି ମାଗା ମଧ୍ୟ ପଦେପଦେ ପାଳି ଧରୁଥାନ୍ତି । କଥାର ଗୁରୁତ୍ୱ ବଢ଼ି ଚାଲିଲା । ଠିକ୍‍ ହେଲା, ପ୍ରତ୍ୟକ୍ଷରେ ଦାମକୁ ଘଟଣାଟା ପଚାରିଦବା । ପବନା କହିଲା–କାହିଁକି ମାଗା ? ଆମେ କ’ଣ ଏଡ଼େ ନିବଳୁଆ ? ତାକୁ କାହିଁକି ଖୋସାମତ୍‍ କରିବା ? ତା’ ହବନାଇଁ । ବକଟେ ବୋଲି ଲୋକ, ସେ ଆମ ନାଁରେ ନିନ୍ଦା କରିବ ପର ଗାଁରେ, ଆମେଯାଇ ତାକୁ ଗୁହାରି କରିବା, ସେ କଥା ମୋଦେଇ ହବନାହିଁ । ଚୌଧୁରୀ ସାଉକାରେ କହୁଥିଲେ । ସେ ମଧ୍ୟ ଆମକୁ ସାହାଯ୍ୟ କରିବେ । ଆମେ ତେବେ ତାକୁ କିଆଁ ଖୁସାମତ କରିବା କହିଲୁ ? ଟିକିଏ ଭିତିରି ଖବର ନେଇ, ଯଦି କଥାଟା ସତ ହୋଇଥାଏ, ତେବେ ଦାମକୁ, ଦରକାର ପଡ଼ିଲେ ସେ ଗାଁବାଲାଙ୍କୁ ଦେଖି ଦବାନି । ସେ କ’ଣ ଆମଠୁ ବଳି ଯିବେ ? ଆମ ଗାଁରେ ଆମେ ତିରିଶଘର । ମୁଣ୍ଡ ପିଛା ଶହେ ଛକୋଡ଼ି ପଡ଼ିଲେ ଦେବା । ଦେଖାଯାଉ କ’ଣ ହେଉଛି । ହୁରୁଷି ତମତମ ହୋଇ କହି ଉଠିଲା–ନାଇଁରେ, ସେ ସାଧୁବାବୁଘର ଭାତ ତା’ ଦେହରେ ଚେର ଲଗେଇ ଦେଲାଣି । ନହେଲେ ସେ ଏମିତି କୁଆଡ଼ୁ ହୁଅନ୍ତା । ବାପ ପୁଅ ଦି’ଜଣଯାକୁ ତ ସରଗ ଆଉ ଦିଆଙ୍ଗୁରୁ ଏ ଗାଁଟା ତାଙ୍କୁ କୁଠି ଭଲ ଲାଗୁଚି ?

 

ମାଗା ମଧ୍ୟ ପଦେଅଧେ ମିଶେଇବାକୁ ପଛେଇଲା ନାହିଁ ସେ କ’ଣ କି ପବନାଇ, ଖାଇବାକୁ ତ ମିଳୁ ନଥିଲା ଏବେ ଦିଓଳି ମୁଠେ ମୁଠେ ମିଳିଲା, ବଡ଼ ଚାଷୀ ତ ବନି ଗଲାଣି । ପୁଅର ଗୁଣ ବିକାଶୁଛି ।

 

ପବନା କହିଲା–ହଉ, ଛାଡ଼ ସେକଥା । ତା’ କଥା ତା’ର, ଆମ କଥା ଆମର ଯା ଦୁଃଖ ତାକୁ । ଦେଖ, କାହାଆଗରେ ଏ କଥାଟା ଯେପରି କହି ନ ଦିଅ । ଯାହା କରିବା ଆଗତ ଭବିଷ୍ୟତକୁ ବିଚାରି କରିବା । ଖାଲି ଟିକିଏ ଟିକିଏ ଖବରଟାକୁ ବାରୁଥାଅ । ଏଠି ଭଗବତଟୁଙ୍ଗିରେ ବସିଛେ ଭାଗବତ ପୋଥି ପାଖରେ ଥୁଆହୋଇଛି । ହଲପ କର କେହି ଯେପରି ଏ କଥାଟା କାହାକୁ ନ କୁହ ।

 

ସମସ୍ତେ ତା’ କଥାରେ ସମ୍ମତ ହେଲେ । ସେତେବେଳକୁ ଅଧରାତି ହେଲାଣି । ପବନା ଭାଗବତ ଘର ଚାବି ପକାଇ ଘରକୁଗଲା । ସମସ୍ତେ ନିଜ ନିଜ ଘରକୁ ଫେରିଲେ ।

 

ମେ ମାସ ୧୪ତାରିଖ ମଙ୍ଗଳବାର ଦିନ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ବାହାରିଲା-। ସୁଧାଂଶୁ ଓ କମଳ ଦୁହେଁ ପ୍ରଥମଶ୍ରେଣୀରେ ପାସ୍ । ବିମୋହନ ହାଇସ୍କୁଲର ୨୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୫ଜଣ ପାସ୍ । କେବଳ ଚପଳ ଓ ଶଙ୍କର ଫେଲ୍ । ଢୋଲବାଇଦ କୋଶେ ସିନା ତୁଣ୍ଡବାଇଦ ସହସ୍ର କୋଶ । କଥାଟା ଚାରିଆଡ଼େ ଖେଳିଗଲା । ଦାଣ୍ଡ ହାଟ ବଜାରରେ ସମସ୍ତଙ୍କ ତୁଣ୍ଡରେ କମଳ ଓ ସୁଧାଂଶୁର ପ୍ରଶଂସା ଗାନ । ସ୍କୁଲ୍ ଶିକ୍ଷକମାନେ ଖୁବ୍‍ ଆନନ୍ଦ-। କମଳର ପାସ୍ ଖବରଟା ସମସ୍ତଙ୍କ ମୁଖରୁ ଆହାପଦ ବାହାର କରିଛି । ଯିଏ ହେଲେ ପଦେ କହିଦିଏ–‘‘ଆହା, କମଳ କେଡ଼େ ଗରିବ ପିଲା ନୁହେଁ । ଗରିବ ହେଲେ କ’ଣ ହେବ ପାଠ ପ୍ରତି ତା’ର ଯେଉଁ ଆଗ୍ରହ, କେତେ ଦୁଃଖରେ ପାଠ ନ ପଢ଼ିଛି । ପରିଶ୍ରମ କ’ଣ ବୃଥା ଯାଏଁ !’’

 

ପାସ୍ ଖବରଟା ପାଇ କମଳ ଓ ସୁଧାଂଶୁ ଦୁହେଁ ଖବରକାଗଜଟା ଧରି ମନଖୁସିରେ ବସନ୍ତକୁମାରଙ୍କ ପାଖକୁ ଗଲେ । ବସନ୍ତକୁମାର ସେତେବେଳକୁ ଗୋଟିଏ ଚିଠି ଲେଖୁଥିଲେ । ଚିଠି ଲେଖାଟା ବନ୍ଦକରି ପେପର୍‍ଟା ପଢ଼ିଲେ । ମନେମନେ ଖୁବ୍‍ ଆନନ୍ଦିତ ହେଲେ । କମଳକୁ କହିଲେ–କମଳ, ତୁ ଆଉ ସୁଧା ଆଜି ଆମଘରେ ଏକାଠି ଖାଇବ । ମୋର ଆଜି ତୋତେ ଆମନ୍ତ୍ରଣ ରହିଲା ।

 

ହଉ ବସନ୍ତଭାଇ, କମଳ ନମ୍ରକଣ୍ଠରେ କହିଲା । ତାଙ୍କର ଏସବୁ କଥାବାର୍ତ୍ତାବେଳେ ସୁଧାଂଶୁର ମାଆ ସେଠାରେ ଆସି ପହଞ୍ଚିଗଲେ । ପିଲା ଦୁହିଁଙ୍କର ପାସ୍ ଖବରଟା ପାଇ ତାଙ୍କ ହୃଦୟ ଆନନ୍ଦରେ ନାଚି ଉଠିଲା । କୋମଳା ଆଦରରେ କମଳକୁ ତାଙ୍କଘରେ ଭୋଜନ ନିମିତ୍ତ ଆମନ୍ତ୍ରଣ କଲେ । କମଳ କୌତୁକରେ କହିଲା–ମାଉସୀ, ତୁମ ଘରେ ମୋର ଆଜି ଦୁଇଦୁଇଟା ଆମନ୍ତ୍ରଣ, କାହାକଥା ରଖିବି କହିଲ ? ତୁମର ନା ବସନ୍ତଭାଇଙ୍କର । କୋମଳା କିଛି ବୁଝିପାରିଲେ ନାହିଁ । ସୁଧାଂଶୁ ସାଙ୍ଗେ ସାଙ୍ଗେ ବୁଝାଇ ଦେଲା–ବସନ୍ତ ଭାଇ ତାଙ୍କୁ ଆମନ୍ତ୍ରଣ କରିଥିଲେ, ତୁ ମଧ୍ୟ ଆମନ୍ତ୍ରଣ କଲୁ । ତେଣୁ ସେ କହିଲେ ଦି’ଦିଟା ଆମନ୍ତ୍ରଣ ।

 

କୋମଳା ନ ହସି ରହି ପାରିଲେ ନାହିଁ । କମଳ ପିଠିରେ ହାତବୁଲାଇ ଧୀର ଗଳାରେ କହିଲେ–କମଳ ମୋର ଏକାହେ, ଭଗବାନ ସିନା ଧନ ଦେଇ ନାହାନ୍ତି, ହେଲେ ବୁଦ୍ଧିବିଦ୍ୟାରେ ତ ନିଉନ କରିନାହାନ୍ତି ।

 

କମଳର ମଥାଟି ତଳକୁ ନଇଁ ଆସିଲା ଠିକ୍‍ ଯେପରି ଲାଜକୁଳୀ ଲତା ।

 

ତା’ପରେ ଦୁହେଁ କମଳର ଘର ଆଡ଼େ ଚାଲିଲେ । ଆଗରୁ ଅଚଳ ବଡ଼ ଭାଇଙ୍କର ପାସ୍ ଖବରଟା କମଳିନୀଙ୍କୁ ଦେଇଥାଏ । ଘରେ ପହଞ୍ଚି ସୁଧାଂଶୁ କହି ଉଠିଲା ମାଉସୀ ! କମଳ ଭାଇ ଫାଷ୍ଟ ଡିଭିଜନ୍‍ରେ ପାସ୍ କରିଛନ୍ତି । ସୁଧାଂଶୁ ମୁହଁରୁ ‘ମାଉସୀ’ ପଦ କମଳିନୀଙ୍କର ହୃଦୟକୁ ଅଜଣା ଆନନ୍ଦରେ ଉତ୍‍ଫୁଲ କଲା । କମଳର ପାସ୍ ଖବରରେ ସେ ଅତ୍ୟନ୍ତ ଆନନ୍ଦିତ ହେଲେ । ଆନନ୍ଦରେ ତାଙ୍କର ଆଖି ଛଳଛଳ ହେଲା । ସେଦିନ ରାତିଟି ତାଙ୍କର ହୃଦୟକୁ ବାରମ୍ୱାର ଆଘାତ ଦେଲା । ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା–କମଳିନୀଙ୍କର ଆଖିରେ ଲୁହ ଦେଖି ସୁଧାଂଶୁ ରୁଦ୍ଧ କଣ୍ଠରେ କହିଲା–ମାଉସୀ ! କମଳ ଭାଇ ପାସ୍ କଲେ, ହସନ୍ତ କ’ଣ କାନ୍ଦୁଚ !

 

ଲୁହ ପୋଛୁ ପୋଛୁ କମଳିନୀ କହିଲେ ସୁଧା, ତୁ କ’ଣ ମୋ ପେଟ କଥା ବୁଝିବୁ । ତୁମ ଦୁହିଁଙ୍କର ହସହସ ମୁହଁ ଦେଖିଲେ ଆନନ୍ଦରେ ମୋ ପେଟ ପୂରିଯାଏ । ମୋତେ ଦୁଃଖ କଷ୍ଟ କିଛି ବାଧେନି । ଯେତେ ରୋଧ କଲେ ମଧ୍ୟ ଆଖିରୁ ଲୁହ ଝରିପଡ଼େ । ତୁମେ ଦୁହେଁ ସତେ ଯେପରି....ତାଙ୍କର କଣ୍ଠରୁଦ୍ଧ ହେଲା । ସୁଧାଂଶୁର ନରମ ଆଖିକୋଣ ସଜଳ ହେଲା କମଳିନୀଙ୍କର ଏଇ ସ୍ନେହସିକ୍ତ କଥା ପଦକରେ । କମଳ କୋହ ସମ୍ଭାଳି ନପାରି ସୁଧାଂଶୁର କାନ୍ଧ ଉପରେ ମୁହଁଟି ଥୋଇ ଦୁଇଧାର ଲୁହ ଗଡ଼ାଇ ଦେଲା । ହଠାତ୍‍ କାମିନୀ ଓ ରାଗିଣୀ ଘରେ ପହଞ୍ଚି ଗଲେ । ଦାଣ୍ଡରୁ କମଳର ପାସ୍ ଖବର ଶୁଣି ସେ ଦୁହେଁ ଧାଇଁ ଆସିଥିଲେ ଶିଶୁ ହୃଦୟର ଆବେଗରେ ତାଙ୍କର ବୋଉକୁ ସବୁ କହିଦେବାକୁ, କିନ୍ତୁ ସେ ଏସବୁ ଦୃଶ୍ୟ ଦେଖି ବିସ୍ମିତ ହେଲେ । କାମିନୀ ବୋଉ ପାଖେ ଠିଆ ହୋଇ ହଲାଇ ଦେଉ ଦେଉ କହିଲା–ବୋଉ, ଭାଇନା ଆଜି ପାସ୍ କଲେ ତୁ ଘରେ ଆନନ୍ଦ ଉତ୍ସବ କରନ୍ତୁ ନା, ଏଠି ଏମିତି ମନମାରି ଠିଆ ହୋଇଛୁ ? ରାଗିଣୀ କମଳ କାନ୍ଧରେ ଝୁଲି ପଡ଼ି କହିଲା–ଭାଇ ପାସ୍ କଲ, ଆମକୁ ଖୁସି କରାଇବ ନାହିଁ । ଆମପାଇଁ ମିଠେଇ ମଗାଅ । ଛୋଟ ଘରଟି ତାଙ୍କର ପୂରି ଉଠିଲା କାମିନୀ ଓ ରାଗିଣୀର ମଧୁମୟ ଦରୋଟି କଥାରେ, ସୁଧାଂଶୁ ଓ କମଳର ସ୍ନେହ ସହାନୁଭୂତିରେ, କମଳିନୀଙ୍କର ମାତୃ ହୃଦୟର ଗଭୀରତାରେ ।

 

କମଳିନୀ ଧୀରେ ଧୀରେ ପଚାରିଲେ–ସୁଧା କମଳର ତୋର ଏଡ଼େ ସାଙ୍ଗ, ସ୍ମୃତିରକ୍ଷା ପାଇଁ କ’ଣ କରିଛ କହିଲ ? ମୁଁ ଭାବୁଛି ତୁମ ଦୁହିଁଙ୍କୁ ଧର୍ମସଙ୍ଗାତ ବସାଇ ଦେବି, ତୋର ମନ କ’ଣ କହିଲୁ ।

 

ସୁଧାଂଶୁ କିଛି କହିପାରିଲା ନାହିଁ–ଅଲକ୍ଷ୍ୟରେ ତା’ର ହୃଦୟ କମଳ ଆଡ଼କୁ ଆହୁରି ଟାଣି ହୋଇଗଲା । ସେ କହିଲା–ତୁମ ଇଚ୍ଛା ।

 

କମଳିନୀ ତାଙ୍କ ଅଗଣାର ଚଉରା ମୂଳରେ ଦୁହିଁଙ୍କୁ ସଙ୍ଗାତ ବସାଇ ଦେଲେ । କମଳ ଓ ସୁଧାଂଶୁର ମନ ଦୁଇଟି କେଉଁ ଅସୀମ ଆନନ୍ଦ ଢେଉରେ ମିଶିଗଲା ।

 

କମଳିନୀଙ୍କର ଛୋଟ ମାଟିର କୁଡ଼ିଆଖଣ୍ଡିକ ହସି ଉଠିଲା । କେଉଁ ଅଦୃଶ୍ୟ ହସ୍ତର ଆଲୋକଛଟା ତାଙ୍କ ଘରଟିରେ ଖେଳିଗଲା ।

 

ସେତେବେଳକୁ ଦିନ ବାରଟା ହେଲାଣି । ତେଣେ କୋମଳା ଦେବୀ ଓ ବସନ୍ତ ଚାହିଁ ବସିଥାନ୍ତି ସୁଧାଂଶୁ ଓ କମଳକୁ । ଏଇ ସମୟରେ ଦୁହେଁ ହସଖୁସିରେ ଘରେ ଆସି ପହଞ୍ଚିଲେ । ସୁଧାଂଶୁ ହସି ହସି କହି ଉଠିଲା–ବୋଉ, ତୋତେ ଆଜି ଗୋଟେ ନୂଆ କଥା କହିବି । କ’ଣ ଦବୁ କହିଲୁ ?

 

କଥାଟା କ’ଣ କହୁନୁ । ଭଲ କଥା ହୋଇଥିଲେ ମୁଁ ବି ତୋତେ ଗୋଟେ ଭଲ ଜିନିଷ ଦେବି ।

 

ସୁଧାଂଶୁ କହିଲା–କଥାଟା କ’ଣ କି, କମଳ ଭାଇଙ୍କ ବୋଉ ମୋତେ ଆଜି ତାଙ୍କ ସହିତ ତାଙ୍କଘର ଚଉରା ମୂଳେ ଧର୍ମସଙ୍ଗାତ ବସାଇ ଦେଲେ ।

 

କୋମଳାଙ୍କର ଲଳିତ ଓଠରେ ହସର ଜୁଆରଟିଏ ଛୁଟିଗଲା । ସେ କହିଲେ ମୁଁ ବି ତା’ ଆଗରୁ ଭାବିଥିଲି । ହଉ, ଭଲ ହେଲା । ଆସ ଖାଇବ । ବସନ୍ତ ତୁମ ଦୁହିଁଙ୍କୁ ଚାହିଁ ବସିଛି ।

 

ଇତ୍ୟବସରରେ କମଳ ତାଙ୍କର ପାଦତଳେ ହାତଯୋଡ଼ି ପ୍ରଣାମ କଲା । କୋମଳା ଦୁହିଁଙ୍କୁ କୋଳକୁ ନେଇ ସ୍ନେହର ଚୁମ୍ୱନ ଦେଲେ । ସାଙ୍ଗେ ସାଙ୍ଗେ ବସନ୍ତକୁମାର ପାଖରେ ପହଞ୍ଚି କହିଲେ ବୋଉ, ତୁ ପରା ଭାତ ବାଢ଼ୁଛୁ । ତାଙ୍କୁ ଭୋକ ହେବଣି । ଶୀଘ୍ର ଯା, ବଢ଼ାବଢ଼ି କର ।

 

କୋମଳା ରୋଷେଇଘରକୁ ଗଲେ । ସୁଧାଂଶୁ ଓ କମଳ ଦୁହିଁଙ୍କୁ ଖାଇବାକୁ ଦେଲେ । ସେ ତାଙ୍କ ପାଖରେ ବସି ଥାଆନ୍ତି । ଏହି ସମୟରେ ଦାମ ବିଲରୁ ଫେରିଲା । ଗୁହାଳ ଘରେ ବଳଦ ହଳକ ବାନ୍ଧିଦେଇ ତରତରରେ ମା’ଙ୍କୁ ଡାକ ଛାଡ଼ିଲା । କୋମଳା ଧଡ଼ପଡ଼ ହୋଇ ତଳ ଘରକୁ ଗଲେ । ସବୁଦିନ ପରି ଦାମ ମୁହଁରେ ହସ ନ ଦେଖି ତାଙ୍କର ହୃଦୟ ବ୍ୟାକୁଳ ହୋଇ ଉଠିଲା । ମନ ମଧ୍ୟରେ କେତେଆଡ଼ୁ କେତେ କଥା ଉଙ୍କି ମାରିବାକୁ ଲାଗିଲା । ଦାମକୁ କାରଣଟା ପଚାରିବାରୁ ସେ କହିଲା–ମା’, ମୋ ଜୀବନରେ ଯାହା ଶୁଣି ନଥିଲି ଭଗବାନ ଆଜି ତାହା ଶୁଣେଇଲେ । ମୋର ଭାଗ୍ୟ ଦୋଷ ତ, କାହାକୁ କହିବି । ଆଜି ଫେରୁ ଫେରୁ ବାଟରେ ଗାଁର ପବନା, ହୁରୁଷିଙ୍କ ସହିତ ଦେଖା ହେଲା । ମୋତେ ଦେଖି ସେମାନେ କାହିଁକି କେଜାଣି ଅନେକ ଗାଳି ଦେଲେ ବାପ କକା ଚଉଦପୁରୁଷ । କାରଣଟା ପଚାରିବାରୁ ମାଡ଼ ଦେବାକୁ ଧମକେଇଲେ । ସେଥିଲାଗି ମନଟା କାହିଁକି ଖରାପ ଲାଗୁଛି । ମୋତେ କିଛି ଭଲ ଲାଗୁନି ।

 

କୋମଳା ଦେବୀ ଆଖି ଛଳଛଳ କରି କହିଲେ–ତୁ କିଛି ମନ ଖରାପ କରନା ଦାମ । ତୋର ଶ୍ରୀ ଦେଖି ସେମାନେ ସହିପାରୁ ନାହାନ୍ତି । ତୁ ସବୁ ସହିଯା । ଛାର ଦୁଇ ଦିନର ମଣିଷ ହୋଇ ସେମାନେ ତୋର କ’ଣ କରିବେ । ତତଲା ପାଣିରେ କ’ଣ ଘରପୋଡ଼ି ଯାଉଛି । ହଉ, ହଉ, ଆସିଲୁ ଆଗ ଖାଇ ପକେଇବୁ । ଆଜି ସୁଧାର ପରୀକ୍ଷା ଫଳ ବାହାରିଲା ଯେ ସେ ପାସ୍ କରିଛି । ତା’ ସାଥୀ କମଳର ମଧ୍ୟ ପାସ୍ । କମଳର ମା’ କମଳକୁ ମୋ ସୁଧା ସାଙ୍ଗେ ପରା ସଙ୍ଗାତ ବସାଇ ଦେଇଛନ୍ତି ତେଣୁ ଆଜି ପୁଞ୍ଜିଏ ଖେଚେଡ଼ି କରିଛି । ତୋତେ ଏଇଲେ ସୁଧାହାତରେ ଡକେଇ ପଠଉଥିଲି । ତୁ ଆସିଲୁ ଖାଇ ପକେଇବୁ ।

 

ମୁଁ ତ ମା’ ବାଟରୁ ସେଇ ଖବର ଶୁଣି ଆସିଲି । କମଳବାବୁ ଆଉ ଆମ ସୁଧାବାବୁ ଦୁଇଟିତ ପିଲା ମା’ । ଦୁଇଟି ରତନ ପରା ! ଏଡ଼େ ସାଙ୍ଗ ମୁଁ କୁ’ଠି କେବେ ଦେଖିନି । ସେ ଦିନ ପରା ବାଟରେ ଆସୁଥିଲେ ଯେ ତାଙ୍କୁ ସେ ଟାଉଟର ମାଧବାନନ୍ଦ ପୁଅ ଚପଳ କେତେଜଣ ସାଙ୍ଗ ପିଲାଙ୍କୁ ସାଥିରେ ଧରି ବାଡ଼େଇବ ବୋଲି ଜଗିଥିଲା । ଦୈବାତ୍‍ ମା’ ମୋର ହାବୁଡ଼େ ପଡ଼ିଗଲା । ଆଖି ବୁଜାଣି ଦେଲିତ, ସେ ଚପଳଟାର ପିଠି ଲାଲ ହୋଇଗଲା । ସେଇଦିନଠୁ ପରା ମାଧବାନନ୍ଦ ମୋ ଉପରେ ରକତଚାଉଳ ଚୋବୋଉଛି । ଦାମ ଈଷତ୍‍ ହସିଲା ।

 

ମୁଁ ଯାହା ଭାବୁଥିଲି ସତରେ ଦାମ । ଜାଣିଲୁ ତୋତେ ଆଜି କାହିଁକି ପବନା ହେରିକା ଗାଳି ଦେଲେ । ସେ ସବୁ କିଛି ନୁହେଁ । କେବଳ ମାଧବାନନ୍ଦର ଫାନ୍ଦ । ଘରବୁଡ଼ା ମରିବାକୁ ବସିଲାଣି, ତେବେ ତା’ର ଏ ଚୋର ପ୍ରକୃତି ଛାଡ଼ିଲାନି । ଗରିବଙ୍କ ତତଲା ନିଃଶ୍ୱାସରେ ତା’ର ସବଂଶ ଜଳିପୋଡ଼ି ପାଉଁଶ ହୋଇ ଯିବେନି ? ଦୁଧ ଉତୁରିଲେ ଚୁଲିରେ ପଶେ ମଣିଷ ଉତୁରିଲେ ମଶାଣିକି ଯାଏଁ । ହଉ ହଉ ସେ ଘରବୁଡ଼ା ତୋତେ ହଇରାଣ କରିବାକୁ ବସିଲାଣି । ଗାଁରେ ଟିକିଏ ଦେଖି ଚାହିଁ ଚଳୁଥିବୁ । କିଏ କ’ଣ କହିଲେ ଗାଳିଗୁଲଜ ଦେଲେ ତୁନି ହେଇ ରହୁଥିବୁ । କଣ୍ଟା ବାଡ଼ରେ ଲୁଗା ଛାଟି କଳି କରିବାକୁ ସେ ଚେଷ୍ଟା କରିବଟି । ଟିକିଏ ବୁଝିବିଚାରି ଚଳିବୁ । ଭଗବାନ ବିଚାରିଲେ ତୋର ଯାହା କରିବେ । ସିଏବା ତୋର କ’ଣ କରି ପାରିବ ।

 

ହଁ ମା’, ସିଏ ମୋର କ’ଣ କରିବ ? ମୁଁ କୁ ଗାଁରେ ବସି ରହୁଛି ଯେ । ରାତିଟା ଖାଲି ଘରେ ରହିବା କଥା । ସବୁ କଥାକୁ ମୁଣ୍ଡ ନୁଆଁଇ ଦେଲେ ଗଲା । ଛାର ମଣିଷୁଟେ ହୋଇ ସିଏ କାର କ’ଣ କରି ପାରିବ ? ଯାହା ଈଶ୍ୱରଙ୍କ ଇଚ୍ଛା । ‘‘ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣିଲେ ତେଣିକି ଯାଇ ।’’

 

କୋମଳା କଥା ବନ୍ଦ କରି ଦାମକୁ ଖାଇବାକୁ ଦେଲେ । ସୁଧା ଓ କମଳ ସେତେବେଳକୁ ଖାଇସାରି ସୁଧାର ଡ୍ରଇଂରୁମ୍‍ରେ ବସି ଗପ କରୁଥାଆନ୍ତି । ଦାମ ଖାଇ ବସିଛି । କୋମଳା ତା’ ପାଖରେ ବସିଛନ୍ତି । ଏ ସମୟରେ ଦାଣ୍ଡଦୁଆରେ କା’ର ତୁଣ୍ଡ ଶୁଭିଲା । କୋମଳା ଯାଇ ଦୁଆର ଖୋଲି ଦେଖନ୍ତିତ ନିଜର ସ୍ୱାମୀ ସାଧୁଚରଣ । ସେ ତାଙ୍କର ଚରଣଧୂଳି ଆଣି ମୁଣ୍ଡରେ ଲଗାଇଲେ-। ସୁଧା ଓ କମଳ ଆସି ତାଙ୍କୁ ନମସ୍କାର କଲେ । କୋମଳା ଦେବୀ ତରବରରେ ପାଣି ଢାଳେ ଆଣି ସ୍ୱାମୀଙ୍କର ପାଦ ଧୋଇ ଦେଲେ । ସାଧୁଚରଣ ଆଶ୍ୱସ୍ତି ହୋଇ ନିଃଶ୍ୱାସ ମାଇଲେ-। ଦାମ ତରବରରେ ଖାଇସାରି ଆସି ବାବୁଙ୍କୁ ନମସ୍କାର ହେଲା । ସାଧୁଚରଣ ସମସ୍ତଙ୍କୁ ଏକାଠି ଏକାମୁହୂର୍ତ୍ତରେ ଦେଖି ଆନନ୍ଦିତ ହେଲେ । କୋମଳାଦେବୀ ବ୍ୟଗ୍ର ହୋଇ କହି ପକାଇଲେ–ଆଜି କମ ଓ ସୁଧାର ପରୀକ୍ଷାଫଳ ବାହାରିଲା । ପୁଣି ସେ ଦୁହେଁ ଆଜି ଧର୍ମସଙ୍ଗାତ ବସିଲେ-। ତେଣୁ ଘରେ ପିଠାପଣା ଖିରି ଖେଚୁଡ଼ି କରିଛି । ବସନ୍ତ ଏଇଲେ ଖାଇସାରି ହାଟକୁ ବାହାରିଲା-। ଆଉ ସମସ୍ତେ ଖାଇ ସାରିଲେଣି–ତୁମେ ଆସ ଖାଇବ ।

 

ସାଧୁଚରଣଙ୍କର ଆନନ୍ଦର ସୀମା ରହିଲା ନାହିଁ । ସୁଧାଂଶୁ ଓ କମଳର ବନ୍ଧୁତା ସେ ଆଗରୁ ଜାଣିଥିଲେ । ଆଜି ତାଙ୍କର ସଙ୍ଗାତ ବସିବା ଖବରଟା ତାଙ୍କ ହୃଦୟରେ ଦ୍ୱିଗୁଣ ଆନନ୍ଦ ଢାଳି ଦେଲା । ସେ ସୁଧା ଓ କମଳକୁ ପାଖକୁ ନେଇ ପିତୃ ହୃଦୟର ଗଭୀର ଚୁମ୍ୱନ ଦେଲେ । ଘରଟି ପୂରି ଉଠିଲା । ସେତେବେଳକୁ ଦିନଦୁଇଟା ବାଜିବଣି । ସାଧୁଚରଣ ଖଟରୁ ଉଠି ଖାଇବାକୁ ଗଲେ ।

 

ସଞ୍ଜ ହେଲା । ପଶ୍ଚିମାକାଶ ବିଚିତ୍ର ବର୍ଣ୍ଣ ଧାରଣ କଲା । ସୁଧାଂଶୁ ସଞ୍ଜବତିକୂଳ ଗୋଲାପ ବଗିଚା ଆଡ଼ୁ ଘରକୁ ଫେରିଲା । ବସନ୍ତ ନିକଟସ୍ଥ ହାଟରୁ ଫେରିଲେ । ରାତିରେ ଘରେ ଖିଆପିଆ ସରିବା ପରେ କଥା ପଡ଼ିଲା । ସାଧୁଚରଣ ଖଟ ଉପରେ ବସି ଥାଆନ୍ତି । ଘରେ ଗୋଟିଏ ଛୋଟିଆ ଲ୍ୟାମ୍ପ ଜଳୁଥାଏ । ସୁଧା, ବସନ୍ତ ଓ କୋମଳା ପାଖରେ ବସି ଥାଆନ୍ତି । ସାଧୁଚରଣ କହିଲେ–ମୁଁ ଆସିଛି କାଲି ସୁଧାକୁ ପୁରୀ ନେଇ ଚାଲିଯିବି । ଗ୍ରୀଷ୍ମଛୁଟିଟା ତା’ର ସେଠାରେ କଟିବ । ଆଉ ତ ମାସେ ଦେଢ଼ମାସ ପରେ କଲେଜ ଖୋଲିବ । ଗାଁରେ ଅଯଥା ବସିରହି କ’ଣ କରିବ ? ସେଠାକୁ ଗଲେ ମୋ ନଜରରେ ରହି ହେଲେ ପଢ଼ାପଢ଼ି କରିବ ।

 

ବସନ୍ତକୁମାରଙ୍କ ମନକୁ କଥାଟା ପସନ୍ଦ ଦିଶିଲା । ସେ କହିଲେ–ହଁ ବାବା ମୁଁ ଆଗରୁ ତା’ ଠିକ୍‍ କରିଥିଲି । ଗାଁରେ ବସିରହି ଅବା ଲାଭ କ’ଣ ? ସେ ତୁମ ସାଥିରେ ଯାଉ ।

 

କୋମଳାକୁ କିନ୍ତୁ ଏସବୁ କଥାଗୁଡ଼ାକ ବଜ୍ରପରି ବୋଧ ହେଲା । ନିଜର କୋଡ଼ପୋଛା ପୁଅ ସୁଧା । ତାକୁ ସେ ଛାଡ଼ିବେ କିପରି ! ତେଣୁ ସେ ସ୍ୱାମୀଙ୍କୁ ଅନୁରୋଧ କରି କହିଲେ–ନାଇଁମ ଆଜିଠୁ ପୁରୀରେ ଯାଇ କ’ଣ କରିବ ? ଗାଁରେ ଛୁଟିଟା କାଟୁ । ପଢ଼ା ଆରମ୍ଭ ହେଲେ ପୁରୀ ଯିବ ।

ତୁମେ ସବୁ କିଛି ବୁଝନା । ପୁଅକୁ ତ ଆଜିଯାଏ ପାଖରେ ରଖିଥିଲ, ଏଣିକି ବଡ଼ ହେଲା । ପାଠଶାଠ ପଢ଼ିଲା, ବାହାରକୁ ଯିବ । ନୂଆ ନୂଆ କଥା ଶିଖିବ, ତାହାହେଲେ ମଣିଷ ହେବନା । ଖାଲି ଘର କୋଣରେ ବସିରହି କ’ଣ କରିବ କହିଲ ? ସେ ତ ଆଉ ଦୁଧଖିଆ ପିଲା ନୁହେଁ । ସାଧୁଚରଣ ଗମ୍ଭୀର ହୋଇ କହିଲେ–

ଗାଁର ସାଥୀସଙ୍ଗାତକୁ ଛାଡ଼ି ପୁରୀ ଯିବା ସୁଧାର ଆଦୌ ଇଚ୍ଛା ନୁହେଁ । ସେ ମନକୁମନ ଚୁପ୍‍ଚୁପ୍‍ ଯିବାକୁ ନାହିଁ କଲା । କିନ୍ତୁ ହେବ କ’ଣ । ସାଧୁଚରଣ ତ ଏକମନା ଲୋକ । କାଉଁରିଆ କାଠି ଭାଙ୍ଗିଯିବେ ସିନା ଲଇଁବେ ନାହିଁ । ଯାହା ଥରେ କହିଥିବେ ସେଇୟା ସେ କହିଲେ–ମୁଁ କାହା କଥା ଶୁଣିବି ନାହିଁ । କାଲି ସୁଧାକୁ ମୋ ସହିତ ଯିବାକୁ ପଡ଼ିବ ।

କୋମଳା ଦେବୀଙ୍କର କି ଆଉ କଥା ରହେ । କ’ଣ କରିବେ ? ମନଦୁଃଖରେ ସ୍ୱାମୀଙ୍କର କଥାରେ ହଁ ଭରିଲେ । ସୁଧାଂଶୁର ଆଦୌ ମନ ନଥାଏ । କିନ୍ତୁ ବାପାଙ୍କ କଥା ଅମାନ୍ୟ କରିବା ଦୁଃସାଧ୍ୟ । ରାତିରେ ସମସ୍ତେ ଶୋଇବାକୁ ଗଲେ । ସୁଧାଂଶୁର କିନ୍ତୁ ଆଖିପତା ପଡ଼ିଲା ନାହିଁ । ସେ କେବଳ ଶିଶୁପରି କଇଁକଇଁ ହୋଇ ବିଛଣାରେ ପଡ଼ି କାନ୍ଦିବାକୁ ଲାଗିଲା । ତା’ର ଚିରପ୍ରିୟ ସଙ୍ଗାତ କଥା ଭାବି ଭାବି ତା’ର ଆଖିକୋଣ ଲୁହ ଜଳରେ ଧୋଇ ହୋଇଗଲା । ଅତୀତର ସ୍ନେହ ସ୍ନିଗ୍ଧବେଳା ନୟନ ଆଗରେ ଚଳଚ୍ଚିତ୍ର ପରି ନାଚିବାକୁ ଲାଗିଲା । ସେଇ ସଞ୍ଜବତି ନଈ । ସେଇ ଗୋଲାପ ବଗିଚା । ସେଇ ସଞ୍ଜ ଆକାଶରେ ବସାବାହୁଡ଼ା ପକ୍ଷୀ ଗୋଟି ଗୋଟି ହୋଇ ମନ ଭିତରେ ଉଇଁ ଉଠିଲା । ଏ ସବୁର ମମତା ଭୁଲି ପୁରୀ ଚାଲିଯିବାକୁ ତା’ର ଇଚ୍ଛା ହେଉ ନଥାଏ । ବେଳେବେଳେ ବାପାଙ୍କ ଇଚ୍ଛା ବିରୁଦ୍ଧରେ ହୃଦୟ ବିପ୍ଳବ କରି ଉଠୁଥାଏ, କିନ୍ତୁ ସେ କ୍ଷଣକ ଲାଗି । ନୟନରୁ କେବଳ ଧାର ଧାର ଲୁହର ନଈ ବହି ଆସୁଥାଏ । ରାତି ଘନେଇ ଆସିଲା । ଭାବି ଭାବି କେତେବେଳେ ଯେ ଶୋଇ ଯାଇଛି ତା’ ସେ ଜାଣେନା ।

ତା’ ପରଦିନ ସକାଳ ହେଲା । ସାଧୁଚରଣ ନିତ୍ୟକର୍ମ ସାରି ଜିନିଷପତ୍ର ସଜ କରିବାକୁ ଲାଗି ପଡ଼ିଲେ । ସୁଧାଂଶୁକୁ ବେଡ଼ିଙ୍ଗ୍‍ ସଜ କରିବାକୁ କହିଲେ । ତା’ର କି ସେଥିରେ ମନ ଥାଏ ? କେବଳ ମନଦୁଃଖରେ ଗୁମ୍‍ ହୋଇ ବସିଥାଏ । କିପରି ସେ ତା’ର ସାଙ୍ଗସାଥୀମାନଙ୍କୁ ଛାଡ଼ି ପୁରୀ ଯିବ । ଗାଁର ମାୟାମମତା କିପରି ଭୁଲି ପାରିବ ? ତା’ର ମାଉସୀ କମଳିନୀଙ୍କ ସ୍ନେହ ଆକର୍ଷଣକୁ କିପରି ଏଡ଼ି ଚାଲିଯିବ ? ଏସବୁ ନେଇ ତା’ ମନରେ ଆନ୍ଦୋଳନ ଖେଳୁଥାଏ । ଯେତିକି ଭାବେ ସେତିକି ଆଖିରୁ ଲୁହ ଝରି ଆସେ । କିଛିକ୍ଷଣ ପରେ ସେ ଧୀରେ ଧୀରେ କମଳର ଘରଆଡ଼େ ଗଲା ।

ଠିକ୍‍ ସେଇ ସମୟକୁ କମଳ ଘରୁ ଗୋଡ଼ କାଢ଼ୁଥିଲା । ଦାଣ୍ଡଦୁଆର ପାହାଚ ତଳକୁ ଓହ୍ଲେଇଛି ଦେଖିଲା ସୁଧାଂଶୁ ତାଙ୍କ ଦୁଆର ଆଡ଼େ ମନମାରି ଆସୁଛି । ସୁଧାଂଶୁ କମଳକୁ ଦେଖି କିଛି କହି ପାରିଲା ନାହିଁ । ତା’ର ଆଖି କୋଣରୁ କେବଳ ଦୁଇଟି ଲୁହ ଧାର ବହିଗଲା । କମଳ ମୂକପରି ଚାହିଁ ରହିଲା ତା’ର ଲୁହଧୁଆ ମୁହଁ ଆଡ଼କୁ । ସୁଧାଂଶୁ ଆଖିରୁ ଲୁହ ପୋଛି ଦେଇ କମଳ ଦାଣ୍ଡଘରକୁ ଡାକି ଆଣିଲା । ଦାଣ୍ଡଘର ସପଟିରେ ଦୁହେଁ ବସି ରହିଲେ ନୀରବ ହୋଇ । କମଳ ସୁଧାଂଶୁର ଲୁହ ପୋଛୁ ପୋଛୁ କାରଣଟା ପଚାରିଲା । ସୁଧାଂଶୁର କଣ୍ଠ ଥରି ଉଠିଲା । ସେ ଶିଶୁପରି ଭଗ୍ନ ଗଳାରେ କହିଲା ସଙ୍ଗାତ ? ଭଗବାନଙ୍କର ଏୟା ବରାଦ ଥିଲା ? ଦୁଇଦିନ ହୋଇନି ପରୀକ୍ଷା ଫଳ ବାହାରିବାର, ଦୁଇଦିନ ହୋଇନି ଆମର ସଙ୍ଗାତ ବସିବାର, ବାପା ଆସି ମୋତେ....ସୁଧାଂଶୁର କଣ୍ଠ ବନ୍ଦ ହୋଇଗଲା । ଆଉ କହି ପାରିଲା ନାହିଁ । କଇଁକଇଁ ହୋଇ କାନ୍ଦି ଉଠିଲା । କମଳର ଆଖିରୁ ଥପଥପ ଦୁଇଟୋପା ଲୁହ ଗଡ଼ି ପଡ଼ିଲା । ସେ କୋହ ଚାପିରଖି ପୁଣି ଥରେ ପଚାରିଲା ।

ସୁଧାଂଶୁ କ୍ଷୀଣଗଳାରେ ଉତ୍ତର ଦେଲା–ସଙ୍ଗାତ, ବାପା ଆଜି ମୋତେ ପୁରୀ ନେଇଯିବେ–ଏଇ ପଦକରେ କମଳର ହୃଦୟ ଭାଙ୍ଗିପଡ଼ିଲା । ଭଗ୍ନହୃଦୟରେ ବ୍ୟଥିତ କଣ୍ଠରେ ଶୋକାକୁଳ ହୋଇ ସେ କହିଲା ହଉ ସଙ୍ଗାତ, ତୁମର ଭବିଷ୍ୟତ ଉଜ୍ଜ୍ୱଳପାଇଁ ବାପା ତୁମକୁ ପୁରୀ ନେଇଯିବେ । ସେଥିରେ ମୋର ମତ, କେବଳ ଏତିକି ଦୁଃଖ ଲାଗେ ଆଜିଠାରୁ ମୋର ଦିନଗୁଡ଼ାକ ନୀରବରେ କଟିଯିବ ସିନା । ଆଉ ସାଙ୍ଗସୁଖ ପାଇବା ସ୍ୱପ୍ନ ହେବ ମାତ୍ର । ତୁମପରି ସାଙ୍ଗକୁ ଛାଡ଼ି ମୁଁ କେବଳ ନିର୍ଜନ ଦ୍ୱୀପରେ ନିର୍ବାସିତ ପରି ଏ ଗାଁରେ ପଡ଼ି ରହିବି । ଏୟାହିଁ ମନରେ ଦାରୁଣ ଆଘାତ ଦିଏ । ତୁମେ ଯାଉଛ ମୁଁ ଆଶୀର୍ବାଦ କରିବି ତୁମର ଭବିଷ୍ୟତ ଆଲୋକମୟ ହେଉ । ଏତିକି ତୁମର ଏ ଦରିଦ୍ର ସଙ୍ଗାତକୁ ଟିକିଏ ମନେ ରଖିଥିବ । କମଳ ଶିଶୁପରି କାନ୍ଦି ଉଠିଲା ।

ଏହି ସମୟରେ କମଳିନୀ ଦାଣ୍ଡଘରକୁ ପଶି ଆସିଲେ । କମଳ ଓ ସୁଧାଂଶୁର ଲୁହଭରା ମୁହଁଦୁଇଟି ଦେଖି ସେ ସମ୍ଭାଳି ପାରିଲେ ନାହିଁ । ତାଙ୍କ ଚକ୍ଷୁ ଅଶ୍ରୁ ଢଳଢ଼ଳ ହେଲା । ସୁଧାଂଶୁ କମଳିନୀଙ୍କୁ ଦେଖି କହିଲା–ମାଉସୀ, ତୁମମାନଙ୍କ ସ୍ନେହମମତା ଛାଡ଼ି ମୁଁ ଆଜି ବାପାଙ୍କ ସାଥିରେ ପୁରୀ ଯାଉଛି । କେଉଁ କଇଦୀରେ ଯେ ସେ ମୋତେ ପୂରେଇବେ ଜାଣେନା । ମୁଁ ଯେ ସେଠି କିପରି ଚଳିବି ତାହା ମଧ୍ୟ ଭାବିପାରେନା । ତୁମମାନଙ୍କ ସ୍ନେହ ବନ୍ଧନ ଛିଣ୍ଡାଇ ଯିବାକୁ ମନ ଆଦୌ ନାହିଁ । ତେବେ ମୁଁ ନିରୁପାୟ । ଯେତେ କହିଲେ ମଧ୍ୟ ବାପାଙ୍କର ଏକା ଜିଦ୍‍ ପୁରୀ ଯିବି ।

କମଳିନୀ ସୁଧାଂଶୁକୁ କୋଳକୁ ଟାଣିନେଲେ । ପଣତ କାନିରେ ଲୁହ ପୋଛିଦେଇ ମଥାରେ ହାତ ବୁଲାଇ କହିଲେ–ସୁଧା ତୁ ଯାଉଛୁ ତୋର ଭବିଷ୍ୟତ ଗଢ଼ିବାପାଇଁ । ସେଥିରେ ଏତେ ଦୁଃଖ କାହିଁକି ? ମୁଁ ଆଶୀର୍ବାଦ କରୁଛି ଈଶ୍ୱର ତୋର ମଙ୍ଗଳ କରନ୍ତୁ । କେତେବେଳେ କ’ଣ ତିଆରି କହି ଦେଇଥିବି ସେଗୁଡ଼ାକ ମନରୁ ପୋଛିଦେବୁ । ମାଉସୀ ବୋଲି ଟିକିଏ ମନ ପକାଉଥିବୁ-। ମୋର ଆଉ କେତେଦିନ ଯେ–ତୋର ସଙ୍ଗାତ ପ୍ରତି ଟିକିଏ ଦୟା ରଖିବୁ । କମଳିନୀଙ୍କ ନୟନରୁ ଦୁଇଧାର ପାଣି ଗଡ଼ି ପଡ଼ିଲା ।

ହଁ ମାଉସୀ, ତୁମ ଘରର ପାଣି ମନ୍ଦିକ ମୋତେ ଅମୃତ ପରି ଲାଗେ । ତୁମକୁ ଦେଖିଲେ ମୁଁ ସବୁ ଦୁଃଖ ପାଶୋରି ପକାଏ । ତୁମ ପ୍ରତି ମୁଁ କି ଦୟା ରଖିବି ? ....ତୁମେ ଯେପରି ମୋତେ ଭୁଲି ନ ଯାଅ । ...ଅଚଳ କାମିନୀ ରାଗିଣୀ କାହାନ୍ତି ? ମୁଁ ତାଙ୍କୁ ଟିକିଏ ଦେଖି କରି ଯାଇଥାନ୍ତି ।

ସୁଧାଂଶୁର ତୁଣ୍ଡରୁ କଥା ନ ସରୁଣୁ ଅଚଳ, କାମିନୀ, ରାଗିଣୀ ଆସି ପହଞ୍ଚିଗଲେ । ସମସ୍ତଙ୍କ ମୁହଁରେ ବିଷାଦର ଚିହ୍ନ ଦେଖିପାରି ଅଚଳ ପଚାରିଲା ବୋଉ, ସୁଧାଭାଇ, କମଭାଇ କାହିଁକି ମନଦୁଃଖରେ ଠିଆ ହୋଇଛନ୍ତି ।

ସୁଧାଭାଇ ତୋର ପରା ଆଜି ପୁରୀ ଯାଉଛି । ଆମମାନଙ୍କୁ ଛାଡ଼ି ପାରିବ ନାଇଁ ବୋଲି ମନମାରି ଠିଆ ହୋଇଛି ? ଆମର ସ୍ନେହ ସହାନୁଭୂତି କିପରି ସେ ପାଶୋରି ପୁରୀ ଯିବ ଏଇଥିପାଇଁ ଆମକୁ କହିଯିବାକୁ ଆସିଛି ।

ଅଚଳ, ଏକଥା ଶୁଣି ତା’ର କିଶୋର ଚକ୍ଷୁରୁ ଦୁଇ ଟୋପା ଲୁହ ଗଡ଼ାଇ ଦେଲା । ସୁଧାଂଶୁ ପାଖେ ତୁନିହୋଇ ଠିଆ ହୋଇ ରହିଲା । କେଜାଣି କାହିଁକି ତା’ର ଚପଳ ହୃଦୟ କାନ୍ଦି ଉଠିଲା ।

ଅଚଳ, କାମିନୀ, ରାଗିଣୀ ତିନିଙ୍କପିଠିରେ ହାତ ବୁଲାଇ ବୁଲାଇ ସୁଧାଂଶୁ ଧୀରଗଳାରେ କହିଲା–ତୁମର ସୁଧାଭାଇକି ଟିକିଏ ମନେ ପକାଉଥିବ । କେତେବେଳେ ତୁମକୁ କ’ଣ କହି ଦେଇଥିବି–ସେଗୁଡ଼ାକ ମନରୁ ପାଶୋରି ଦେବ ।

 

ତିନିହେଁ କଇଁକଇଁ ହୋଇ କାନ୍ଦି ଉଠିଲେ । ତିନିଟି ପ୍ରାଣରୁ ସମସ୍ୱରରେ ବାହାରିଲା–ସୁଧା ଭାଇ, ତୁମକୁ କ’ଣ ଆମେ ଭୁଲିପାରିବୁ ? ତୁମର ହସହସ କଥା ଆମ ଆଖିରୁ କ’ଣ ଲୁଚିଯିବ ? ତୁମେ ହେଲେ ଆମକୁ..... । ନା, ନା, ଅଚଳ, ତୁମକୁ କେବେ ମୁଁ କ’ଣ ପାଶୋରି ପାରିବି ? ତୁମର ହସହସ ମୁହଁର ସ୍ନେହଳଚାହାଣି ମୁଁ କ’ଣ ଭୁଲିପାରିବି ? ହଉ, ଯାଉଛି । ମୋତେ ଟିକିଏ ମନେ ପକାଉଥିବ । ସୁଧାଂଶୁ କମଳିନୀଙ୍କୁ ନମସ୍କାର କଲା । ଚପଳ, ରାଗିଣୀ କାମିନୀ ସୁଧାଂଶୁକୁ ପ୍ରଣାମ କଲେ । ସୁଧାଂଶୁ ବିଦାୟ ନେଇ କମଳ ସହିତ ନିଜଘରକୁ ଗଲା । ସେତେବେଳକୁ ଦଶଟା ବାଜିଲାଣି । ସାଧୁଚରଣ ସବୁକାମ ସାରି ସୁଧାଂଶୁର ଅପେକ୍ଷାରେ ଚାହିଁରହିଥାନ୍ତି । ସୁଧାଂଶୁ ଘରେ ପହଞ୍ଚିବାବେଳକୁ ସୁଶୀଳ, ସରୋଜ ତା’ର ଅପେକ୍ଷାରେ ଥାନ୍ତି । ସେ ସେମାନଙ୍କଠାରୁ ବିଦାୟ ମାଗିନେଲା । ଘରକୁ ଯାଇ କାନ୍ଦକାନ୍ଦ ହୋଇ ଭାତ ଗଣ୍ଡାଏ ଖାଇ ପକାଇଲା । ଆଗରୁ ଦାମ ଶଗଡ଼ ସଜକରି ରଖିଥାଏ । ସୁଧାଂଶୁ ତା’ର ସ୍ନେହମୟୀ ଜନନୀଙ୍କଠାରୁ ବିଦାୟ ନେଲା । କୋମଳା ଦେବୀ ଆଖିଲୁହ ସିକ୍ତକରି ସୁଧାଂଶୁକୁ ଆଶୀର୍ବାଦ କଲେ । ସୁଧାଂଶୁ ପୁରୀ ଯାଉଛି ଶୁଣି ଦାମର ସ୍ତ୍ରୀ, ପୁଅ ଝିଅ ଆସି ସେଠାରେ ଠିଆ ହୋଇଥାନ୍ତି । ସୁଧାଂଶୁ ଲଳିତା, ରୂପ ସରଜୁଠାରୁ ବିଦାୟ ମାଗିନେଲା । ରୂପ ସୁଧାଂଶୁକୁ ମୁଣ୍ଡ ନୁଆଁଇ ନମସ୍କାର କଲା । କ୍ଷୀଣ ଗଳାରେ କହିଲା–ସାନବାବୁ, ଆମପ୍ରତି ଟିକିଏ ଦୟା ରଖିଥିବ ।

 

ରୂପକୁ ପ୍ରତିନମସ୍କାର ଦେଇ ଧୀରେ ଧୀରେ ସୁଧାଂଶୁ ଯାଇ ଶଗଡ଼ରେ ବସିଲା । କମଳକୁ ସେ ପାଖରୁ ଛାଡ଼ିଲା ନାହିଁ । ଷ୍ଟେସନ୍‍ଠାରୁ ଫେରି ଆସିବାକୁ ଅନୁରୋଧ କଲା । କମଳ ଅନୁରୋଧ ରକ୍ଷାକରି ଶଗଡ଼ରେ ବସିଲା । ସାଧୁବାବୁ ବସନ୍ତକୁମାରଙ୍କୁ ଘରକଥା ବୁଝେଇ ଦେଇ ଶଗଡ଼ରେ ବସିଲେ । ଆଗରୁ ସବୁ ଆସବାବ ପତ୍ର ବେଡ଼ିଙ୍ଗ୍‍ ଦାମ ଶଗଡ଼ରେ ସଜାଡ଼ି ରଖିଥିଲା । ବଳଦ ପିଠିରେ ହାତ ପକାଇ ଗାଡ଼ି ଛାଡ଼ିଲା । ଗାଁର ବଙ୍କା ସରୁ ରାସ୍ତା ଦେଇ ଶଗଡ଼ ଚାଲିଲା ଧୂଳି ଉଡ଼େଇ । କ୍ରମେ ଗାଁ ଦୂରେଇ ଦୂରେଇ ଗଲା । ଦିନ ଦୁଇଟାକୁ ଶଗଡ଼ ଆସି ଷ୍ଟେସନ୍‍ରେ ପହଞ୍ଚିଲା-। ସେତେବେଳକୁ ଗାଡ଼ିସମୟ ହୋଇ ଯାଇଥାଏ । ସାଧୁଚରଣ ଶୀଘ୍ର ଶଗଡ଼ରୁ ଓହ୍ଲେଇ ବୁକିଙ୍ଗ୍ ଅଫିସ୍‍ରୁ ଦୁଇଟା ୨ୟଶ୍ରେଣୀ ଟିକେଟ ନେଇ ଆସିଲେ । ଦାମ ଶଗଡ଼ରୁ ଜିନିଷପତ୍ର ଓହ୍ଲାଇ ପ୍ଲାଟ୍‍ଫର୍ମ୍‍ ଉପରେ ଥୋଇଲା । ସୁଧାଂଶୁ କମଳର ହାତଧରି ସେଠାରେ ଠିଆ ହୋଇଥାଏ-

 

ଠନ୍‍ ଠନ୍‍ ହୋଇ ତିନିଟା ବେଲ୍‍ ବାଜି ଉଠିଲା । ଗାଡ଼ି ଆସି ଷ୍ଟେସନ୍‍ରେ ଠିଆ ହେଲା-। ସେଦିନ ଲୋକ ଗହଳି ନଥାଏ । ସାଧୁଚରଣ ଗୋଟିଏ ଖୋଲା କମ୍ପାଟ୍‍ମେଣ୍ଟରେ ଉଠିଲେ-। ଦାମ ବେଡ଼ିଙ୍ଗ୍‍ ଇତ୍ୟାଦି ଡବାରେ ଥୋଇ ଦେଇ ଆସିଲା । ଗାଡ଼ି ଷ୍ଟେସନ୍ ଛାଡ଼ିବାର ବେଳ ପାଖେଇ ଆସିଲା । ସୁଧାଂଶୁର ବିଚ୍ଛେଦ କ୍ରମେ ଘନେଇ ଆସିଲା । କମଳର ହାତ ଧରି ସେ ବିଦାୟ ମାଗିନେଲା । କମଳ ଲୁହବୁହା ନୟନରେ ସୁଧାଂଶୁର ମଥା ଉପରେ ଥରେ ହାତ ବୁଲାଇ ଆଣିଲା । ସୁଧାଂଶୁ ଗାଡ଼ି ଡବାରେ ଚଢ଼ିଲା । କମଳ ସାଧୁଚରଣଙ୍କୁ ନମସ୍କାର ଜଣାଇଲା-। ଦାମ କାନ୍ଦି କାନ୍ଦି ସୁଧାଂଶୁଠାରୁ ବିଦାୟ ମାଗିନେଲା । ହାତଯୋଡ଼ି ସାଧୁଚରଣଙ୍କୁ ପ୍ରଣାମ କଲା-। ଇତ୍ୟବସରରେ ଠନ୍‍ ଠନ୍‍ ହୋଇ ବେଲ୍‍ ବାଜି ଉଠିଲା । କୋଳାହଳ ମୁଖର ଷ୍ଟେସନ୍ ଛାଡ଼ି ଓ୍ୟାଲ୍‍ଟିଅର ପୁରୀ ପାସେଞ୍ଜର ଚାଲିଲା ଦ୍ରୁତଗତିରେ । ସୁଧାଂଶୁ ଝରକା ବାଟେ ଚାହିଁ ରହିଥାଏ କମଳଆଡ଼କୁ–କମଳ ମଧ୍ୟ ଏକଲୟରେ ସେ ଆଡ଼କୁ ଅନାଇଥାଏ । ଦୁହିଁଙ୍କର ଆଖି ଲୁହ ଢଳଢ଼ଳ–କ୍ରମେ ଗାଡ଼ି ଭୀମଗର୍ଜନ ଛାଡ଼ି ଦୂରେଇ ଗଲା । ଦାମର ଶଗଡ଼ଟି ଗହୀର ମାଳର ଉଡ଼ନ୍ତା ଧୂଳିରେ ଅଦୃଶ୍ୟ ହେଲା ।

 

ଦିନ ପରେ ଦିନ ବହି ଚାଲିଲା । ଗ୍ରୀଷ୍ମଛୁଟି ଆସି ଶେଷ ହେବା ଉପରେ । କମଳର ପାଠପଢ଼ା ବାସନା ଖୁବ୍‍ ଥିଲା । କଲେଜ ପଢ଼ିବା ତା’ର ପୂର୍ଣ୍ଣ ଆକାଂକ୍ଷା, କିନ୍ତୁ ଘରର ଆର୍ଥିକ ଅନାଟନ ତାକୁ ସବୁବେଳେ ଆଶାହୀନ କରୁଥାଏ । କଥାରେ କହନ୍ତି–ଯାହାର ମନ ଯେଡ଼େ, ତା’ର ପ୍ରଭୁ ତେଡ଼େ । କମଳକୁ ଏକ ଆକସ୍ମିକ ସୁବିଧା ଜୁଟିଲା ।

 

ଦିନେ ଦୈବାତ୍‍ କଟକର ଜଣେ ନାମଜାଦା ଓକିଲଙ୍କ ସହ ତା’ର ଦେଖା ହେଲା । ତାଙ୍କ ନାଁ ଗୌରହରି ମହାନ୍ତି । ଓକିଲାତି କରି ବୁଢ଼ା ହେଲେଣି । ବୟସ ପଞ୍ଚାବନ ପରେ ହେବ । ତାଙ୍କର ଗୋଟିଏ ବୋଲି ଝିଅ; ସରଳା । ସେତିକି ମାତ୍ର ଦୁନିଆରେ ତାଙ୍କର ଶଙ୍ଖାଳି । ସରଳାକୁ ତିନିବର୍ଷବେଳେ ତାଙ୍କର ସ୍ତ୍ରୀ ଆଖି ବୁଜିଥିଲେ । ତେଣୁ ସେ ଝିଅଟିକୁ ଅଲିଅଳିରେ ନିଜ ହାତରେ ବଢ଼େଇ ଆଣିଛନ୍ତି । ସେ ବର୍ତ୍ତମାନ ନବମ ଶ୍ରେଣୀରେ ପାଠ ପଢ଼େ ।

 

ସେ ଦିନ କମଳ ସହିତ ତାଙ୍କର ପ୍ରଥମ ଦେଖା ହେଲା । କମଳର ଭଦ୍ର ବ୍ୟବହାରରେ ସେ ଖୁବ୍‍ ସନ୍ତୁଷ୍ଟ ହେଲେ । ତା’ ସହିତ ଅନେକ କଥାବାର୍ତ୍ତା ହେବାପରେ ସେ ନିଜ ମନକଥା ଖୋଲି ତାକୁ ପଚାରିଲେ । କମଳ ତାଙ୍କ କଥାରେ ହଁ ଭରିଲା । କଥା ହେଲା–ସେ ଗୌରହରିବାବୁଙ୍କ ଘରେ ରହି ପାଠ ପଢ଼ିବ । କେବଳ ଦିନକୁ ଦୁଇଘଣ୍ଟା ସରଳାକୁ ପଢ଼ାଇବ । କମଳ ଏକଥା ନିଜର ବୋଉକୁ କହିଲା । ସେ ଏଥିରେ ରାଜି ହେଲେ । ଶେଷରେ କମଳ କଟକ ଆସିବା ସ୍ଥିର କଲା । ଜୁନ୍‍ ମାସ ୨୫ ତାରିଖରେ କଟକ ଆସିବାର କଥା । ସେ ଦିନ ସକାଳୁ କମଳ ବସନ୍ତକୁମାରଙ୍କ ଘରକୁ ଗଲା । ତା’ର ମାଉସୀ ଓ ବସନ୍ତ ଭାଇଙ୍କଠାରୁ ବିଦାୟ ମାଗି ଆସିଲା । ସୁଧାଂଶୁ ପୁରୀ ଗଲା ଦିନ କୋମଳାଙ୍କ ଆଖିରୁ ଯେପରି ଧାର ଧାର ଲୁହ ବୋହି ଆସିଥିଲା ଆଜି ମଧ୍ୟ ଠିକ୍‍ ସେପରି ତାଙ୍କର ନୟନ କଣରୁ ଲୁହ ଝରି ଆସିଲା । କମଳ ଶିଶୁପରି କାନ୍ଦି ଉଠିଲା । ମାଉସୀଙ୍କଠାରୁ ଆଶୀର୍ବାଦ ନେଇ ଘରକୁ ଫେରିଲା । ଘର ଛାଡ଼ି ଷ୍ଟେସନ୍ ଯିବାବେଳ ପାଖେଇ ଆସିଲା । କମଳ, କାମିନୀ, ରାଗିଣୀ ଅଚଳ ଏମାନଙ୍କୁ ପାଖକୁ ଡାକି ଅନେକ ବୁଝେଇଲା–ଦେଖ ଅଚଳ, ଘରେ ବୋଉ ଏକୁଟିଆ । ମୁଁ ଗାଁରୁ ଯାଉଛି । ତୁମେ କାହା ସାଥିରେ ଲାଗିବ ନାହିଁ । କାହାକୁ କିଛି କହିବ ନାହିଁ । ଘରେ ଯାହା ଥିବ ତାହା ଖାଇ ସ୍କୁଲ୍‍କୁ ଯାଉଥିବ । ସ୍କୁଲ୍‍ରେ କାହା ସହିତ କଳିଗୋଳ କରିବ ନାହିଁ । କିଏ କ’ଣ କହିଲେ ତୁନି ହୋଇ ରହୁଥିବ । ସବୁ ସହି ଯାଉଥିବ । ଆମର ପରଧନ ନାହିଁ । ହଉ, ଆଉ ଦୁଇଟା ବର୍ଷ ପରେ ଭଗବାନ ଆମର ଗୁହାରି ଶୁଣିବେ ଯେ । ଅଚଳ, କାମିନୀ, ରାଗିଣୀ ନୀରବ ରହିଲେ । ଜୁଳୁଜୁଳୁ ଛଅଟି ଆଖିରୁ ତାଙ୍କର ଛଅ ଧାର ଲୁହ ଗଡ଼ି ପଡ଼ିଲା । କମଳ ଆଖି ପୋଛିଲା ।

 

ଘରୁ ବୋଉଠାରୁ ବିଦାୟ ନେଇ କମଳ ଗାଁ ଛାଡ଼ିଲା । ଗାଁ ସେ ମୁଣ୍ଡ ପାର ହୋଇ ସେ ଥରେ ପଛକୁ ଚାହିଁଲା । ତା’ର ଛୋଟ ଚାଳଘର ଖଣ୍ଡି ଗଛ ଉହାଡ଼ରେ ଲୁଚି ଗଲାଣି ।

 

ଏହା ଭିତରେ ଛଅ ମାସ ବିତିଗଲାଣି । ମାଧବାନନ୍ଦଙ୍କ କୁଚକ୍ରାନ୍ତ, କୁ–ପ୍ରବର୍ତ୍ତନାରେ ଶ୍ୟାମସୁନ୍ଦରପୁରର ମୁଖିଆ ମୁଖିଆ ଲୋକେ ଦାମ ଉପରେ ରକ୍ତମୁଖା ହେଲେଣି । ଦିନେ ଦିପହରେ ପବନା, ହୁରୁଷି, ମାଗା, ପରିଆ ବସି ତାସ୍‍ ଖେଳୁଥିଲେ । ପାଖରେ ଆଉ କେହି ନଥିଲେ । ପବନା କହିଲା–ଜାଣିଲୁ ମାଗା, ମଲ୍ଲୀକାଶପୁରିଆଙ୍କ ଦାଉ ଆଉ ସମ୍ଭାଳି ହେବନି । ତାଙ୍କ କଥା ପଛେ, ଆଗ ଦାମକୁ ଦେଖି ଦେବା । ଚୌଧୁରୀ ସାଉକାରେ ମୋତେ ସବୁ କହିଛନ୍ତି । ପରଦିନ ରାତିରେ..... । ଚୁପ୍‍ ଚୁପ୍‍ ସମସ୍ତଙ୍କ କାନରେ କ’ଣ କହିଲା । ସମସ୍ତେ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ । ଖେଳ ଚାଲିଲା । ବେଳ ଗଡ଼ିଲା । ଖେଳ ଭାଙ୍ଗିଲା ପବନା ତାସ୍‍ ମୁଠାକ ଧରି ଘରକୁ ଫେରୁଛି, ଦେଖିଲା ସାଉକାରେ ଦାଣ୍ଡଦୁଆରେ ବସିଛନ୍ତି । ତାଙ୍କୁ ଏକୁଟିଆ ଦେଖି ପବନା ତାଙ୍କ ପାଖେ ଯାଇ ବସିଲା । ଚୌଧୁରୀଏ ପଚାରିଲେ...କିରେ ପବନା ! କଥା କେତେ ବାଟ ଗଲାଣିରେ... ? ଖବରଟା କ’ଣ କହିଲୁ ଶୁଣେ ?

 

ପବନା ଧୀରେ ଧୀରେ କହିଲା ସବୁ ହୋଇଗଲାଣି ସାଉକାରେ । ପାଣି ଫୁଟିଲାଣି । ଚାଉଳ ପଡ଼ିବାକୁ କେତେ ଘଡ଼ି...... । କାଲିରାତିରେ ସବୁ ନିକାଶ । ଯାହା କହ ସାଉକାରେ, ତୁମ କଥାଟା ଚୁମ୍ୱକ ରକମର କାମ ଦେଲା ।

 

ମୁରୁକି ହସାଟେ ଦେଇ ଚୌଧୁରୀଏ କହିଲେ–କିରେ ଏ ଚୌଧୁରୀ କି କ’ଣ ବୋଲି ଭାବିଲୁକି ? ଏଇଥିରେ ପରା ମୁଣ୍ଡବାଳ ଧଳା ହେଲାଣି । ଏ ଯାହା କହିବେ ତାହା କେବେ ଭୁଲ ହେବନି । ମୁଁ ପରା ଦିଦିନ ଭାବି ଉପାୟଟା ସ୍ଥିର କରିଛି । ହଉଯାଆ, କାହାକୁ ଯେପରି ଏ କଥାଟା ନ କୁହ । ସାବଧାନ, ଯଦି ମଲ୍ଲୀକାଶପୁରିଆ ଆସନ୍ତି, କଦାପି ଛାଡ଼ିବ ନାହିଁ । ପବନା ସବୁକଥାରେ ହଁ ମାରି ଘରକୁ ଫେରିଲା ।

 

ଗୁରୁବାର ଦିନ ରାତି, ଶୀତଦିନ । ଚାରିଆଡ଼ ନୀରବ ନିସ୍ତବ୍ଧ ଗଛ ପତ୍ରରୁ ଟପ୍‍ଟପ୍‍ କାକର ପଡ଼ୁଥାଏ । ଚଉଦିଗ ଢେଉଢ଼େଉକା କୁହୁଡ଼ି ଭିତରେ ଲୁଚି ରହିଥାଏ । ଗମ୍ଭୀର ନିର୍ଜନତା–ଶୂନଶାନ୍‍ । ସେତବେଳକୁ ଅଧରାତି ହେବଣି । ବାରିଆଡ଼ ଗଛ ଉହାଡ଼ରେ ହୁଁହାଁ ଚଢ଼େଇ ବସି ଶବ୍ଦ କରିବାରେ ବ୍ୟସ୍ତ–ହୁଁ–ହାଁ, ହୁଁ–ହାଁ, ହୁଁ–ହାଁ । ପ୍ରତ୍ୟେକ ନିଘୋଡ଼ ନିଦରେ ଶୋଇଛନ୍ତି । ଏଇ ସମୟରେ ଦାମପଧାନ ଦାଣ୍ଡଘର ଚାଳରୁ କୁହୁଡ଼ି ପରି ଧୂଆଁ ଉପରକୁ ଉଠିଲା । କିଏ ଦେଖୁଛି ? କ୍ରମଶଃ ଧୂଆଁ ପାତଳ ପଡ଼ିଗଲା । ତା’ ଭିତରୁ ଲାଲଶିଖା ଧରି ନିଆଁ ଉପରକୁ ଉଠିଲା । ସେତେବେଳକୁ ଦାମର ନିଦ ଭାଜିଲା । ସେ ଦାଣ୍ଡକୁ ବାହାରି ପଡ଼ି ଦେଖେତ ଚାଳରୁ ନିଆଁ ଶିଖାମେଲି ହୁତୁହୁତୁ ହୋଇ ଉଠିବାକୁ ଲାଗିଛି । ସେ ଅବାକ୍‍ ହୋଇଗଲା । ଶୀଘ୍ର ଘରେ ପଶି ଲଳିତା, ରୂପ ଓ ସରଜୁକୁ ଉଠାଇଦେଲା । ସେମାନେ ଉଠି ବାରିପଟକୁ ଚାଲିଗଲେ । କାହାପାଟିରୁ କଥା ବାହାରୁ ନଥାଏ । ସତେକି ଚାରଟି ପାଷାଣପ୍ରତିମା ମୂକ, ନିର୍ଜୀବ, ନିଶୁଳ । ଘଡ଼ିକରେ ଦାମ ଖନେଇ ଖନେଇ ଡକାପାରିଲା ବଡ଼ ବିକଳରେ ଧା...ଇଁଆ...ସ...ହେ । ଘ....ଘ...ର ପୋଡ଼ି....ଯାଉଛି । ଦାମର ବିକଳ ଚିତ୍କାର ମଲ୍ଲୀକାଶପୁରିଆଙ୍କ ନିଦ ଭାଜିଗଲା । ସେମାନେ ତତ୍‍କ୍ଷଣାତ୍‍ ଦଉଡ଼ି ଆସିଲେ । କିନ୍ତୁ ହାୟ, ଶ୍ୟାମସୁନ୍ଦରପୁରର ଚାରିପାଖେ ଘେରାଉ ହୋଇଛି । ସେ ଗାଁର ପ୍ରତ୍ୟେକେ ଗାଁମୁଣ୍ଡରେ ଠେଙ୍ଗା ବାଡ଼ିଧରି ଠିଆ ହୋଇଛନ୍ତି । କାହାକୁ ନିଆଁ ଲିଭେଇବା ପାଇଁ ଛାଡ଼ିବେ ନାହିଁ । କି ନିଷ୍ଠୁର ! ଗାଁ ପଶ୍ଚିମ ମୁଣ୍ଡେ ଦାମର ଏକୁଟିଆ ଘରଟିଏ । ଆଉ କାହା ଘର ପୋଡ଼ିବାର ଆଶଙ୍କା ନାଇଁ । ତେଣୁ ସମସ୍ତେ ନିଶ୍ଚିନ୍ତରେ ଗାଁ ଚାରିପଟେ ଜଗି ରହିଛନ୍ତି । ଦାମର ଘନଘନ ବିକଳ ଚିତ୍କାର ତାଙ୍କୁ ସତେ ଯେପରି ଜଣାପଡ଼ୁନି । କିନ୍ତୁ ମଲ୍ଲୀକାଶପୁରିଆ ଆଉ ସମ୍ଭାଳି ପାରିଲେ ନାହିଁ । ଦାମର ହୃଦ୍‍ଫଟା କରୁଣଚିତ୍କାର ସେମାନଙ୍କ ଅନ୍ତରକୁ ବାରମ୍ୱାର ଆଘାତ ଦେଲା । ସେମାନେ ମାଡ଼ ଖାଇ ଦାମର ଘରଆଡ଼େ ଧାଇଁ ଆସିଲେ । ଆସି ଦେଖନ୍ତି ବାରିପଟେ ଦାମ ପାଷାଣ ପରି ଛିଡ଼ାହୋଇ ରହିଛି । ରୂପ, ସରଜୁ, ଲଳିତା, ଅଚେତା ହୋଇ ଭୂଇଁରେ ଲୋଟି ପଡ଼ିଛନ୍ତି । ଘରଟି ଅଗ୍ନିଶିଖାରେ ହୁତୁହୁତୁ ହୋଇ ଜଳିଯାଉଛି ଅବାଧରେ । କିଏ ଜଣେ ହେଲେ ଛଡ଼ାଇବାକୁ ଚେଷ୍ଟା କରୁନି । ସେମାନେ କେତେଜଣ ବା କ’ଣ କରନ୍ତେ ! ଘରୁ ନିଆଁ ଲିଭେଇବେ, ନା ଦାମକୁ ଚେତା କରିବେ, ନା ଘରୁ ଆସବାବପତ୍ର ଉଠାଇ ଆଣିବେ, କିଛି ସ୍ଥିରକରି ପାରିଲେ ନାହିଁ । ସେମାନଙ୍କର ହାତ ଚଳିଲା ନାହିଁ । କେହି କେମିତି ପ୍ରାଣପଣେ ଲାଗିପଡ଼ିଲେ ନିଆଁ ଲିଭାଇବାରେ । ବାରିଆଡ଼ ଚୁଆରୁ ପାଣି ଆଣି ଅଜାଡ଼ିଲେ । ସେଥିରେ କି କାମ ହୁଏ ! ଚାହୁଁଚାହୁଁ ଆଖିଆଗରେ ଘରଟି ଜଳିପୋଡ଼ି ପାଉଁଶ ହୋଇଗଲା । ସତେ ଯେପରି ମଶାଣିର ପାଉଁଶ ଗଦାଏ-

 

କେତେଜଣ ରୂପ, ସରଜୁ, ପ୍ରଭୃତିଙ୍କୁ ଚେତା କରିବାରେ ଲାଗିପଡ଼ିଲେ । କିଛିକ୍ଷଣ ପରେ ସେମାନେ ଚେତା ହେଲେ । ଘରର ପାଉଁଶଗଦାଟିକୁ ଦେଖି ଚାରିଟି ପ୍ରାଣୀ ମୁଣ୍ଡରେ ହାତଦେଇ ଥକ୍କା ହୋଇ ବସିରହିଲେ । ଚାରିଟି ମଣିଷର ଆଠଟି ଲୁହଭରା ଆଖିରୁ ସତେ ଯେପରି ଅଭିଶାପର ତୀବ୍ର ହୁତାଶନ ଗାଁସାରା ଖେଳିଗଲା । ପୁଣି ସେମାନେ ଅଚେତା ହେଲେ । ଦିନ ବାରଟାବେଳକୁ ଚେତାପାଇ ଦେଖିଲେ ସେମାନେ ଯାଇ ସାଧୁଚରଣବାବୁଙ୍କ ଘରେ ବସିଛନ୍ତି ।

 

ତା’ ଆରଦିନ କଥାଟା ଆଖପାଖ ସବୁ ଗାଁରେ ରଟିଗଲା । ଦାମପରି ଲୋକର ସର୍ବନାଶ, ତା’ ସାଥି ସାଥି ନିଜ ଗାଁ ଲୋକଙ୍କ ଉପରେ ମାଡ଼ । ଏକଥା ଭାବି ଭାବି ମଲ୍ଲୀକାଶପୁରର ରତନା, ବିଲୋଳ ନାରଣ, ଅନନ୍ତ, ବରଜୁ ଇତ୍ୟାଦି କେତେଜଣ ରାଗରେ ନିଆଁ ହେଲେଣି । କିପରି ପ୍ରତିଶୋଧ ନେବେ ଏଇୟା ଚିନ୍ତା କିନ୍ତୁ ବସନ୍ତକୁମାର ସେମାନଙ୍କୁ ବୁଝାଇ ସୁଝାଇ ରଖିଥାନ୍ତି । ‘‘ବାପା ଆସିଲେ ଯାହା କରିବେ’’ ଭାବି ସେ ତାଙ୍କ ପାଖକୁ ଟେଲିଗ୍ରାମ୍ କରି ନିଜଘରକୁ ଫେରିଲେ-। ଘରେ କୋମଳା ଦାମକୁ ଦମ୍ଭଧରି ବୁଝାଉଥାନ୍ତି । କିନ୍ତୁ କ’ଣ ହେବ ? ପାଷାଣ ଫାଟି ପାଣି ଝରୁଛି-। ତାକୁ ବା ରୋଧକରିବେ କୋମଳା କିପରି । ଦାମର ସୁନାର ସଂସାର ଚୁନା ହୋଇ ଯାଇଛି-। ସେ କେବଳ ମୂକପରି ବସି ରହିଥାଏ । କାନ୍ଧର ଗାମୁଛା ଖଣ୍ଡିକ ଲୁହରେ ଓଦା ହୋଇଗଲାଣି-। ଲଳିତାର କଥା କହିଲେ ନସରେ । ସେ କେବଳ ବାୟାଣୀପରି ହେଉଥାଏ । ଯେତେ ବୁଝେଇଲେ ସେ କ’ଣ ବୁଝୁଛି । କୋମଳା, କମଳିନୀ ଦୁହେଁ ଅନେକ ବୋଧ କଲେ । କିନ୍ତୁ କାହିଁରେ କିଛି ହେଲାନାହିଁ । ବସନ୍ତକୁମାର ଅନେକ ସାନ୍ତ୍ୱନା ଦେଲେ । ସେଥିରେ ମଧ୍ୟ ତିଳେ ସେ ବୁଝିଲା ନାହିଁ-। ସେତେବେଳକୁ ସୂର୍ଯ୍ୟଆସି ଅସ୍ତାଚଳ ପାଖାପାଖି ହେଲେଣି । କୋମଳା ଉପାୟ ନ ଦେଖି ରୂପ ଓ ସରଜୁକୁ ନେଇ ଖାଇବାକୁ ଦେଲେ । ଦାମ ଓ ଲଳିତା ଖାଇବାକୁ ମନାକଲେ-। ରାତି ଦଶଟାବେଳକୁ ଦୁହେଁ ତାଙ୍କ ଘରେ ଶୋଇପଡ଼ିଲେ ।

 

ତା’ ପରଦିନ କୁହୁଡ଼ିଆ ପାହାନ୍ତା ପହରକୁ ସାଧୁଚରଣ ଆସି ଘରେ ଉପସ୍ଥିତ ହେଲେ । ବସନ୍ତକୁମାରଙ୍କଠାରୁ ସବୁ ଖବର ଶୁଣି ସେ ମୁଣ୍ଡରେ ହାତ ଦେଲେ । ଦାମ, ତାଙ୍କ ନିଜର ପୁଅଠାରୁ ବଳି, ନିଜ ଘର ମଣିଷପରି । ତା’ ପ୍ରତି ଏ ପ୍ରକାର ବ୍ୟବହାର କରିଛନ୍ତି ଶ୍ୟାମସୁନ୍ଦରପୁରିଆ; ତାଙ୍କର ମନ କ୍ରୋଧରେ ଜଳିଉଠିଲା । କିନ୍ତୁ ପରର ଅନିଷ୍ଟ କରିବା ତାଙ୍କର ପ୍ରକୃତି ବିରୁଦ୍ଧ । ଭାବିଲେ, ପାଖଆଖ ଗାଁରୁ ପଚାଶଜଣ ଭଦ୍ରଲୋକ ଡକେଇ ଶ୍ୟାମସୁନ୍ଦରପୁର ଭାଗବତଘରେ କଥାଟା ନିଶାପ କରିବେ । ଦୋଷଟା କା’ର ବୁଝାଗଲେ, ଯାହା ବିଚାର କରିବେ ସେମାନେ । ଏ କଥା ବିଚାର କରି ସେ ଦାଣ୍ଡଆଡ଼କୁ ବାହାରୁଛନ୍ତି ଦେଖିଲେ ରତନା, ବିଲୋଳ, ନାରଣ, ଅନନ୍ତ, ବରଜୁ ରାଗରେ ତମତମ ହୋଇ ତାଙ୍କ ଦୁଆର ଆଡ଼କୁ ଆସୁଛନ୍ତି । ସାଧୁଚରଣଙ୍କୁ ଦେଖି ପ୍ରତ୍ୟେକେ ନମସ୍କାର ହେଲେ । ରତନା ରାଗରେ କହିଲା–ସାଆନ୍ତେ କଥାଟା ତ ଶୁଣିଥିବେ । ଆମେ ଆଉ ସମ୍ଭାଳିବୁନି, ଆମେ ମରୁ, ନହେଲେ ସେ ଗାଁବାଲା ମରନ୍ତୁ । ସେ କ’ଣ ଆମକୁ ମାଛି ବୋଲି ଭାବିଲେ ନା କ’ଣ ? ଯାହା ହବାର ହବ, ଆଜି ଖଣ୍ଡପ୍ରଳୟ କରିଦେବୁ ।

 

ନାରଣ, ବରଜୁ, ଅନନ୍ତ, ବିଲୋଳ ସମସ୍ୱରରେ ସେହିକଥା କହିଉଠିଲେ–ନାଇଁ ସାଆନ୍ତେ, ଆମେ ଆଉ କାହାକଥା ଶୁଣିବୁ ନାହିଁ । ଆଜି ଏ ମୁଣ୍ଡ ଯାଉ, ନୋହିଲେ ସେ ମୁଣ୍ଡ ଯାଉ-। ସବୁ ବରଷ ଆମ ଫସଲ ନଷ୍ଟ କରନ୍ତି ପାଚିଲା କ୍ଷେତ କିଆରିରେ ରାତିରାତି ଗୋରୁ ଚରେଇ ଦିଅନ୍ତି । ସବୁ ସହିଯାଉ ଖାଲି ଆପଣଙ୍କ ଯୋଗୁଁ । କ’ଣ ଗୋଟେ ଗାଁ ଗାଁ ଭିତରେ କଳି କରିବା, ଏ କଥା ଭାବିଲାରୁ ଆମ ଉପରେ ବେଶୀ ବେଶୀ ଚଢ଼ୋଉ ହେଉଛି, ଆରେ, ହବାର କଥା ନାଇଁ-। କାଲି ରାତିରେ ଦାମଘରେ ନିଆଁ ଲଗେଇ ଦେଲେ ଆମେ ନିଆଁ ଲିଭାଇବାକୁ ଯିବାରୁ ଆମ ଉପରେ ମାଡ଼ ! ଆମ ପିଠିରୁ ଆଜ୍ଞା ଏପର୍ଯ୍ୟନ୍ତ ବଥା ଯାଇନି । ବିଲୋଳ, ରତନା ସାଧୁଚରଣଙ୍କୁ ନିଜ ନିଜର ପିଠି ଦେଖେଇ ଦେଲେ ।

 

ସାଧୁଚରଣ ଦାମର ଘରପୋଡ଼ି ଖବର ଶୁଣିଲେ । କିନ୍ତୁ ଗାଁବାଲାଙ୍କୁ ମାଡ଼ ହେବା ଖବର ସେ ଆଦୌ ଜାଣି ନଥିଲେ । ବିଲୋଳର ପିଠିଟା ଦେଖି ସେ ଅବାକ୍‍ ହୋଇ କହି ଉଠିଲେ ହଇରେ ରତନା, ସେ ଗାଁରୁ କ’ଣ ଧର୍ମ ଛାଡ଼ିଗଲା କିରେ ? ତମେ ନିଆଁ ଲିଭେଇଗଲ ବୋଲି ତୁମ ଉପରେ ମାଡ଼ ? ହଉ ହଉ, କଳି ତକରାଳ କରିବା ଠିକ୍‍ ନୁହେଁ । ସହିବା ଲୋକ ବଡ଼ଲୋକ । ଆଖପାଖ ଗାଁରୁ ପଚାଶଜଣ ଭଦ୍ରଲୋକ ଡକାଇ କଥାଟା କାଲି ନିଶାପ କରିବା । କାହାର ଦୋଷ ଆଗ ଜଣାଗଲେ ପଛେ ସିନା ଯାହା ବିଚାର ।

 

ରତନା, ବରଜୁ ଇତ୍ୟାଦିଙ୍କର ଏଥିରେ ଆଦୌ ମନ ନଥାଏ । ସେମାନେ ପ୍ରତିବାଦ କରି କହିଲେ–ନାଇଁ ସାଆନ୍ତେ ! ଆମେ ଆଜିଯାଏ ସବୁ ସହି ଆସିଥିଲୁ, ଆଜି କଥା କିନ୍ତୁ ସମ୍ଭାଳି ହେବନି । ନିଶାପ କଲେ କ’ଣ ଆମର ପିଠିରୁ ବଥା ଛାଡ଼ିବ ଆଜ୍ଞା ।

 

ଆଉ କ’ଣ, ସେ ଗାଁବାଲାଙ୍କୁ ଧରି ମାଡ଼ ଦେଲେ ତୁମର ବଥା ଛାଡ଼ିଯିବ ସାଧୁଚରଣ ଗମ୍ଭୀର ହୋଇ କହିଲେ ।

 

ହଁ ଆଜ୍ଞା, ସେଇୟା । ତାଙ୍କୁ ଧରି ମାଡ଼ ନ ଦେଲାଯାଏ ଏ ପିଠିରୁ ବଥା ଛାଡ଼ିବ ନାଇଁ ।

 

ନା, ନା, ସେପରି ବୁଦ୍ଧି ଛାଡ଼ । ମୋ କଥା ଶୁଣ । ମୁଁ ଯାଉଛି ସେ ଗାଁର ମୁଖିଆ ମୁଖିଆ କେତେଜଣଙ୍କୁ ମୁହେଁ ମୁହେଁ ଘଟଣାଟା ପଚାରି ଆସିବି । ରତନା ମୋ ସାଥିରେ ଆସୁ । ସେମାନଙ୍କ ମତଟା ବୁଝି ସାରିଲେ ଯାହା କରିବା । ସାଧୁଚରଣଙ୍କ କଥାରେ ସମସ୍ତେ ଅନିଚ୍ଛାସତ୍ତ୍ୱେ ରାଜି ହେଲେ । ସାଧୁଚରଣ ସାଙ୍ଗରେ ରତନାକୁ ଧରି ଶ୍ୟାମସୁନ୍ଦରପୁର ଆଡ଼େ ଚାଲିଲେ ।

 

ସେତେବେଳକୁ ଦିପହର ବେଳ ହୋଇଥାଏ । ପବନା, ହୁରୁଷି, ମାଗା, ହରିଆ ବିଲରୁ ଫେରି ଗଣ୍ଡେ ଗଣ୍ଡେ ଖାଇଦେଇ ମାଧବାନନ୍ଦଙ୍କ ଦୁଆରେ ହାଜର । ସେଠି ବସି ଗଲା ପରଦିନ ରାତିର ବାହାଦୁରି ବିଚାର ଚାଲିଥାଏ ।

 

ପବନା କହୁଥାଏ ସାଉକାରେ, ସେ ଯେଉଁ ଠେଙ୍ଗାଟା ରତନା ଭୋଳ ପିଠିରେ ବସିଛି, ସେ କ’ଣ ମଲା ପରିଯନ୍ତେ ତା’ ଭୁଲି ପାରିବ ?

 

ତା’ କଥାରେ ଚାପା ପକାଇ ହୁରୁଷି କହିଲା–ହଁ ସାଉକାରେ, ମୋ ଠେଙ୍ଗା ଯେ କାହା ପିଠିରେ ନ ବାଜିଛି, ସେ କଥା ପଚାରନ୍ତୁ ନାହିଁ । ଆଜ୍ଞା, ମୋର ଖାଲି ଆଖିବୁଜାଣି ମାଡ଼ ।

 

ଏପରି ପ୍ରତ୍ୟେକେ ପ୍ରତ୍ୟେକର ବାହାଦୁରି ଦେଖେଇ ହେଉ ଥାଆନ୍ତି । ମାଧବାନନ୍ଦ ମଧ୍ୟ ମଝିରେ ମଝିରେ ବିଦ୍ରୂପ ହସଟାଏ ହସି କହି ଦେଉଥାନ୍ତି–ଏସବୁ କାହାର କରାମତି ଜାଣ, ଏସବୁ ଏଇ ଚୌଧୁରୀର କାରସାଦି । ଏ ମୁଣ୍ଡ କ’ଣ ସିମିତି ମସଲାରେ ତିଆରି । ଅନ୍ୟମାନେ ତାଙ୍କ କଥାରେ ହଁ ହଁ, କରୁଥାନ୍ତି । ମଝିରେ ମଝିରେ ସେମାନଙ୍କ ଭିତରେ ହସର ଜୁଆର ବହି ଯାଉଥାଏ । ଏଇ ସମୟରେ ଦେଖିଲେ, ସାଧୁଚରଣବାବୁ ଓ ରତନା ସେ ଆଡ଼କୁ ଆସୁଛନ୍ତି । ମାଧବାନନ୍ଦ ହଠାତ୍‍ କଥାଟା ବନ୍ଦ କରି ଜମିବାଡ଼ି କଥା ଆରମ୍ଭ କଲେ । ପବନାକୁ ପଚାରିଲେ–କିରେ ପବନା, ତୋର କିମିତି ଫସଲ ହୋଇଛିରେ ?

 

ଇତ୍ୟବସରରେ ସାଧୁବାବୁ ଆସି ସେଠାରେ ପହଞ୍ଚି ଗଲେ । ମାଧବାନନ୍ଦ ଚୌକିରୁ ଉଠିପଡ଼ି ସାଧୁବାବୁଙ୍କୁ ବସିବାକୁ କହିଲେ । ପବନା, ହୁରୁଷି ଇତ୍ୟାଦି ସାଧୁବାବୁଙ୍କୁ ନମସ୍କାର କଲେ-

 

ସାଧୁବାବୁ ଚୌକିରେ ବସିବାକୁ ଅସମ୍ମତ ଜଣାଇ କହିଲେ–ନାଇଁ ମାଧବବାବୁ ବସିବା ଦରକାର ପଡ଼ୁନି । ପରଦିନର ଘଟଣାଟା କ’ଣ ଖାଲି ଶୁଣିଲେ ଆମେ ଚାଲିଯିବୁ ।

 

ମାଧବାନନ୍ଦ ନଜାଣିଲା ପରି କହିଲେ–କ’ଣ ପରଦିନର ଘଟଣା, କିହୋ ସାଧୁବାବୁ ? କାହିଁ ମୁଁ ତ କ’ଣ କିଛି ଜାଣି ନାହିଁ । ଆପଣ ବସୁନାହାନ୍ତି, ତା’ପରେ କହିଲେ ହେବନି ।

 

ସାଧୁବାବୁ ଗମ୍ଭୀର ହୋଇ ପଚାରିଲେ–ଏତେ କଥା କହିବା ଦରକାର ନାହିଁ । ସଫା କହନ୍ତୁ, ପରଦିନ ରାତିରେ ଦାମ ଘରେ ଯେ ନିଆଁ ଲାଗିଲା ସେଥିରେ ଆପଣଙ୍କ ଗାଁବାଲା ସଂପୃକ୍ତ ଅଛନ୍ତି, କି ନା ? ଯଦି ସେ ବିଷୟରେ ଆପଣ କିଛି ଜାଣନ୍ତି, ତେବେ କହନ୍ତୁ ।

Unknown

 

ମୁଁ ତ ସେ ବିଷୟନେଇ କିଛି ଜାଣିନି । କେବଳ ଏତିକି ଶୁଣୁଥିଲି ଏଇ ପବନା ହୁରୁଷି ଇତ୍ୟାଦିଙ୍କ ମୁହଁରୁ ଯେ ପରଦିନ ରାତିରେ କୁଆଡ଼େ ଜଣେ ଦି’ଜଣ ଚୋର ଗାଁରେ ପଶିଥିଲେ । ବୋଧହୁଏ ସେଇମାନଙ୍କର ଏ କାଣ୍ଡ ।

 

ଆଚ୍ଛା, ଚୋରସିନା ନିଆଁ ଲଗେଇଦେଲା, ଆମ ଗାଁର ରତନା, ବିଲୋଳ ଇତ୍ୟାଦିଙ୍କୁ ମାଡ଼ଦେଲା କିଏ ? ଚୋର ତେବେ ଏମାନଙ୍କୁ ମାଡ଼ ଦେଇଛନ୍ତି ନା ? ସେସବୁ ପବନା, ହୁରୁଷି, ମାଗା ଏଇମାନଙ୍କର କାମ.... ।

 

ସେ ଯାହା ହେଉ ବର୍ତ୍ତମାନ କୁହନ୍ତୁ, କଥାଟା କ’ଣ ଆମ ଆମ ଭିତରେ ଛିଣ୍ଡେଇ ଦବା ନା ଆଉକିଛି ? ସାଧୁବାବୁ କ୍ରୋଧମିଶ୍ରିତ କଣ୍ଠରେ କହିଲେ ।

 

ପାଖରେ ପବନା, ହୁରୁଷି ମାଗା ଠିଆ ହୋଇଥିଲେ । ତାଙ୍କ ନାଁ ସାଧୁବାବୁଙ୍କ ମୁହଁରେ ଶୁଣି ସେମାନେ ରାଗିଲାପରି କହିଲେ–ସାଧୁବାବୁ, ଏତେ ମିଛ କୁହନ୍ତୁ ନାଇଁ । ତା’ ଘର ନିଆଁ ଲିଭାଇ ଯିବାର ଫଳ କ’ଣ ଏଇୟା ? ଆମେ କାହିଁକି କାହାକୁ ମାରିବୁହେ । ଆମର କ’ଣ ଭାତ ଜୀର୍ଣ୍ଣ ହେଉନି ସେମାନଙ୍କୁ ମାଡ଼ ନ ଦେଲେ ।

 

ମାଧବାନନ୍ଦବି ସେଇ କଥା କହିଲେ–ସେ ଯାହା ହେଉ ସାଧୁବାବୁ, ଆପଣ ମାଡ଼ କଥା ଜମା ତୁଣ୍ଡରେ ଧରନ୍ତୁ ନାହିଁ । ପବନା, ହୁରୁଷି, ମାଗା ଏମାନେ କିପରି ମଣିଷ ମୋତେ ଭଲ ଭାବରେ ଜଣା । ସେମାନେ କ’ଣ ଏଡ଼େ ଅମଣିଷ ଯେ ଘରପୋଡ଼ି ବିପତ୍ତିବେଳେ ପରଲୋକକୁ ମାଡ଼ ଦେବେ । ଏମିତି କିଏ କେବେ କେଉଁଠି କଲାଣି ? ଘର ଭିତରେ ପଶି ଜିନିଷପତ୍ର ବାହାର କଲାବେଳେ କାର ଦେହ କେଉଁଠି ମାଡ଼ ହୋଇଥିବ ସିନା–ମାଡ଼ ଦେବାଟା ମିଛ ।

 

ତାହାହେଲେ ତୁମ ଇଚ୍ଛା । ନ୍ୟାୟକୁ ନ ଯିବା ନା କ’ଣ ?–ସାଧୁବାବୁ ବଡ଼ ଗମ୍ଭୀର ଭାବରେ ପଚାରିଲେ ।

 

ସାଙ୍ଗେ ସାଙ୍ଗେ ପବନା, ହୁରୁଷି, ମାଗା କହି ଉଠିଲେ–ଆମେ କାଇଁକି ନ୍ୟାୟକୁ ଯିବୁହେ, ଆମେ କ’ଣ କାର କ୍ଷତି କରିଛୁ ନା ଚୋରୀ କରିଛୁ ? ନ୍ୟାୟକୁ କାହିଁକି ଯିବୁ ? ସେ କଥା ହେବ ନାହିଁ ।

 

ମାଧବାନନ୍ଦଙ୍କ ବିକୃତ ମୁଖରୁ ସେଇ ଭାବର ସୂଚନା ମିଳିଲା ।

 

ରତନା ସାଧୁବାବୁଙ୍କୁ କହିଲା–ନାଇଁ ସାଆନ୍ତେ ସେ ସବୁ କଥା ଛାଡ଼ନ୍ତୁ । ଆମ କଥା ଆମେ କରିବୁ । ଆପଣ ମଝିରେ କାହିଁକି ଅପମାନ ପାଇବେ କହିଲେ ? ଚାଲନ୍ତୁ ଫେରିଯିବା ।

 

ସାଧୁଚରଣ ପୁଣି ଥରେ ସେଇକଥା ପଚାରିଲେ । ତାଙ୍କଠାରୁ ପୂର୍ବ ଉତ୍ତର ପାଇ ସେ ରତନାକୁ ସାଥିରେ ଧରି ନିଜ ଗାଁକୁ ଫେରି ଗଲେ ।

 

ଗାଁରେ ନାରଣ, ଅନନ୍ତ, ବରଜୁ ଚାହିଁ ବସିଥାନ୍ତି ସାଧୁଚରଣଙ୍କ ଫେରନ୍ତା ବାଟକୁ । ସାଧୁବାବୁ ପହଞ୍ଚି ଯିବାରୁ ସମସ୍ତେ କଥା କ’ଣ ହେଲା ପଚାରିଲେ । ସାଧୁବାବୁ ସବୁ ଗୋଟି ଗୋଟି କରି କହିଗଲେ । ଏଥିରେ ସେମାନେ ଅତ୍ୟନ୍ତ ଉତ୍ୟକ୍ତ ହେଲେ । ରତନା କହିଲା–କ’ଣ କହୁଥିଲି ମୁଁ ସାଆନ୍ତେ ? ସେ ମାଧବାନନ୍ଦ ନାଟୁଆ ଗୋବର୍ଦ୍ଧନ । ପବନା, ହୁରୁଷି, ମାଗା ଏମାନେ ଜଣେ ଜଣେ ଗୋପୀ । ଗୋପୀ ଯେଉଁଠି କୃଷ୍ଣ ସେଇଠି । ହଉ; ଆମ କଥା ଆମେ କରିବୁ । ଆପଣ ପୁରୀ ଚାଲିଯାନ୍ତୁ ।

 

ସାଧୁବାବୁ ସେମାନଙ୍କୁ ଅନେକ ବୁଝାଇଲେ । ସେ ନିଜେ କଥାଟା ବିଚାର କରି ଯାହା ହେଲେ କରିବେ ବୋଲି ଠିକ୍‍ କଲେ ।

 

ଶୀତ ଝୁରୁଝୁରୁ ପଉଷ ମାସ । ଧାନ କଟାକଟି ଆରମ୍ଭ ହେଲାଣି । ଧାନକଟା ନେଇ ବସନ୍ତକୁମାରଙ୍କୁ ଅଧିକାଂଶ ସମୟ ଜମିରେ ରହିବାକୁ ପଡ଼େ । ଦିନେ ବିଲରୁ ଫେରି ଶୁଣନ୍ତି ପୋଷ୍ଟ୍‍ମ୍ୟାନ୍‍ ଗୋଟିଏ ରେଜିଷ୍ଟ୍ରି ଚିଠି ନେଇ ଆସିଥିଲା । ସେ ନଥିବାରୁ ଫେରିଗଲା । ବସନ୍ତକୁମାର ତତ୍‍କ୍ଷଣାତ୍‍ ସାଇକଲ୍‍ଟା ଧରି ପୋଷ୍ଟ୍ ଅଫିସ୍ ଆଡ଼େ ଛୁଟିଲେ । ବାଟରେ ପୋଷ୍ଟ୍‍ମ୍ୟାନ୍‍ ସହିତ ଦେଖା ହେଲା । ତା’ଠାରୁ ଚିଠିଟି ନେଇ ଆସି ଫେରୁ ଫେରୁ ବାଟରେ ଉଦ୍‍ବେଗର ସହିତ ଚିଠିଟି ଖୋଲିଲେ । ଚିଠିଟି ଇଂରାଜୀରେ ଲେଖା, ଅଫିସିଆଲୀ । ବସନ୍ତକୁମାର ଚିଠିଟି ଆମୂଳଚୂଳ ଦୁଇ ତିନି ଥର ପଢ଼ି ଆଶ୍ୱସ୍ତିରେ ଏକ ନିଃଶ୍ୱାସ ମାଇଲେ । ଭାବିଲେ ଯାହା ହେଉ, ମଣିଷ ଏଥର ଶାନ୍ତିରେ ଟିକିଏ ରହିବ । ବିଲବାରିକୁ ଯାଇ ଝାଳନାଳ ହୋଇ ମଣିଷର ପ୍ରାଣ ଯାଉଥିଲା । ସେ ଚିଠିଟି ଏକ ନିଯୁକ୍ତିପତ୍ର । ବହୁଦିନ ତଳେ ବସନ୍ତକୁମାର ସେଲ୍‍ସ୍ ଟାକସ୍ ବିଭାଗୀୟ ଇଣ୍ଟରଭିଉକୁ ଯାଇଥିଲେ । ଆଜି ନିଯୁକ୍ତିପତ୍ର ପହଞ୍ଚିଲା । ଆଉ ଚାରି ଦିନ ପରେ ଚାକିରିରେ ଯୋଗ ଦେବେ । ଘରକୁ ଫେରି ବସନ୍ତକୁମାର କୋମଳାଙ୍କୁ ଏକଥା କହିଲେ । ପୁଅର ଚାକିରି ଖବର ଶୁଣି ସେ ବା ଖୁସି ନ ହୁଅନ୍ତେ କିପରି ? ଖୁସି ହେଲେ, କିନ୍ତୁ କେଜାଣି କାହିଁକି ତାଙ୍କର ଆଖିରୁ ଦୁଇଧାରା ଲୁହ ଗଡ଼ିପଡ଼ିଲା । ସୁଧା ତ ପୁରୀ ଯାଇଥିଲା । ଘରେ ଥିଲା କେବଳ ବସନ୍ତ । ସେ ଆଜି ଚାକିରି କରି ଦୂର ବିଦେଶ ଯିବ । ଘରଟି ଶୂନ୍ୟ ହୋଇ ରହିବ ସିନା ଏ କଥା ଭାବିଲାବେଳେ କୋମଳାଙ୍କ ମାତୃହୃଦୟ ଭିତରୁ ଅସରନ୍ତି କୋହ ଛୁଟିଲା ।

 

ବସନ୍ତ ସେଦିନ ସାଧୁଚରଣଙ୍କ ପାଖକୁ ଏ ବିଷୟ ନେଇ ଚିଠି ଲେଖିଲେ । ଉତ୍ତରରେ ସାଧୁଚରଣ ଲେଖିଲେ ଚାକିରି ନ କରିବାକୁ । କିନ୍ତୁ ବାପାଙ୍କ ଅନିଚ୍ଛାସତ୍ତ୍ୱେ ସେ ଚାକିରି ଉଦ୍ଦେଶ୍ୟରେ ଘରୁ ଗୋଡ଼ କାଢ଼ିଲେ ।

 

ଏଣେ ବିଲରେ ଧାନ କଟାକଟି ଚାଲିଥାଏ । ତା’ର ଦାୟିତ୍ୱ ପଡ଼ିଲା ଦାମ ଉପରେ । ଦାମ ନିଜର ପରିବାରସହ ସାଧୁବାବୁଙ୍କ ଘରେ ରହିଥାଏ । ତାଙ୍କର ସବୁକାମ ନିଜର ପରି ମନେକରି ଚଳାଇ ନିଏ । ରୂପ ତା’ର ବାପା ସହିତ ମିଶି ସବୁ କାମ କରୁଥାଏ । ବାପ ପୁଅ ଦୁହେଁ ଦିନରାତି ଧାନକଟା ଧାନ ବୁହାରେ ଲାଗି ପଡ଼ିଥାନ୍ତି । ସବୁ ଦିନ ସଞ୍ଜ ପହରୁ ଖାଇସାରି ଭାଡ଼ିକି ଯାନ୍ତି ।

 

ଘରର ଅନ୍ୟାନ୍ୟ କାମ କୋମଳାଙ୍କୁ କରିବାକୁ ପଡ଼େନି । କେବଳ ଗଣ୍ଡେ ରାନ୍ଧିବାଛଡ଼ା ଅନ୍ୟାନ୍ୟ କାମ ଲଳିତା ଓ ସରଜୁ ତୁଲେଇ ନିଅନ୍ତି । କୋମଳାଙ୍କର ଝିଅ ନଥାଏ । ଗୋଟିଏ ବୋଲି ଝିଅ ମନୋରମା । ଦୁଇବର୍ଷ ଦିନୁ ରୋଗରେ ପଡ଼ି ଆଖି ବୁଜିଛି । କୋମଳା ତେଣୁ ସରଜୁକୁ ନିଜ ଝିଅପରି ମନେ କରନ୍ତି । ସରଜୁ ନ ଖାଇଲେ ତାଙ୍କୁ ଭାତ ରୁଚେନି । ଟିକିଏ ସମୟ ପାଇଲେ ଦିପହରବେଳେ ସରଜୁକୁ ପାଖକୁ ଡାକି ତା’ର କଳା କଳା ଲମ୍ୱା ବାଳରେ ତେଲ ଲଗାଇ ବେଣୀ ପକାଇ ଦିଅନ୍ତି । ସତେ ଯେପରି ଜନମକଲା ଝିଅ । ମନେମନେ ତାଙ୍କର ଥାଏ ସରଜୁକୁ ଧର୍ମ ଝିଅ କରି ବାହା କରେଇ ଦେବେ ।

 

ସେ ଦିନର କୁହୁଡ଼ିଆ ସଞ୍ଜ । ଦାମ ପୁଅ ସହିତ କଳେଇ ଶଗଡ଼ ଧରି ବିଲରୁ ଫେରିଲା-। କଳେଇତକ ଖଳାରେ ରଖି ଦେଇ ଝଅଟ ପୁଞ୍ଜିଏ ଖାଇ ପକେଇଲା । ରୂପ ସେତେବେଳକୁ ଖାଇସାରି ଲୁଗାପଟା ସଜ କରୁଥାଏ । ଭାଡ଼ିକି ଯିବେ । ଦାମ ଲଣ୍ଠନଟା ନେଇ ଖଳାବାରି ପାଳଗଦାରୁ ତିନିହାତ ଲମ୍ୱର ମୋଟା ଅଟାଟିଏ ମୋଡ଼ି ଆଣିଲା । ତା’ ଭିତରେ ରଡ଼ନିଆଁ ଦିଖଣ୍ଡ ପକେଇ ଟିକିଏ ଫୁଙ୍କିଦେଲା ଅଟାରେ ନିଆଁ ଧରିଲା । ଦାମ ବାଁ କାନ୍ଧରେ ଚାଦରଟା ପକେଇ ମୁଣ୍ଡରେ ଆଚ୍ଛାକରି ଠେକାଟିଏ ଭିଡ଼ିଲା । ଅଣ୍ଟାରେ ଦୁଇ ଚାରିଖଣ୍ଡ ପାନ ନାସଦାନି ଖୋସା ହୋଇଥାଏ । ବାଁ ହାତରେ ଚାରିହାତ ଲମ୍ୱ ଗଣ୍ଠିଆ ବାଉଁଶ ଠେଙ୍ଗାଟା ଧରି ଡାହାଣ ହାତରେ ନିଆଁ ଅଟାଟା ହଲେଇ ହଲେଇ ବିଲ ଆଡ଼େ ଚାଲିଲା । ରୂପ ଦାମ ପଛେ ପଛେ ବାପପରି ବେଶ ପକାଇ ଗୋଟିଏ ହାତରେ କନ୍ତ ଆଉ ଗୋଟିଏ ହାତରେ ମିଞ୍ଜି ମିଞ୍ଜି ଜଳୁଥିବା ଲଣ୍ଠନଟିଏ ଧରି ଚାଲିଥାଏ-। ଚଷା–ଘରପିଲା । ଏଇତ ତାଙ୍କର ବରଷସାରା ବେଉସା । ରାତି ଦୁଇଘଡ଼ିକି ବାପ ପୁଅ ଦୁହେଁଯାକ ବିଲମୁଣ୍ଡ ଭାଡ଼ିପାଖେ ପହଞ୍ଚିଲେ । ସେତେବେଳକୁ ଗହୀର ପ୍ରାୟ ନିର୍ଜନ ହୋଇ ଆସୁଥାଏ । ଗାଁମୁଣ୍ଡ ମଶାଣି ପାଖରୁ ଦୁଇ ଚାରିଟା ଡାହାଣି ନିଆଁ ଏପାଖ ସେପାଖ ହୋଇ ପବନରେ ଖେଳୁଥାନ୍ତି । କେତେବେଳେ କିମିତି ପବନ ବେଗରେ ଉଡ଼ି ଯାଉଥାନ୍ତି ଡାହାଣିଆ ବରଆଡ଼େ । ଖଣ୍ଡେଦୂରୁ ତଳନାଳ କିଆ ବଣିଆରୁ ବିଲୁଆଗୁଡ଼ାକ ହୁକେ–ହୋ, ହୁକେହୋ, ରଡ଼ି ଛାଡ଼ିଥାନ୍ତି । ଚକୁଳିଆ ଆମ୍ବ ଗଛରୁ ହୁଁହାଁ ଚଢ଼େଇର ହୁଁହାଁ ହୁଁହାଁ । ଶବ୍ଦ ଗହୀର ତମାମ ଭାସି ଯାଉଥାଏ । ପାଖପାଖ ବରଗଛରୁ ବାଦୁଡ଼ିଗୁଡ଼ାକ ଫଡ଼୍ ଫଡ଼୍ ହୋଇ ଉଡ଼ି ଯାଉଥାନ୍ତି-। ଗହୀର ଚାରିଆଡ଼ ଧଳା ଧଳା ଢେଉଢ଼େଉକା କୁହୁଡ଼ି ଘୋଡ଼େଇ ହୋଇଥାଏ । ସମୟ ସମୟରେ କାକରିଆ ପବନ ଗଛ ପତର ସାଇଁସାଇଁ କରି ବହି ଯାଉଥାଏ । ଶୀତ ଜୁଡ଼ୁବୁଡ଼ୁ, ଦିହ ଥରଥର, ଭାରି ଶୀତ । ଦଶ କିଆରି ପନ୍ଦର କିଆରି ଅନ୍ତରରେ କେଉଁଠି କେମିତି ଠାଏଠାଏ ନିଆଁହୁଳାଟିଏ ଜଳି ଉଠୁଥାଏ । ଭାଡ଼ିଆଳ ଲୋକେ ନିଆଁ ପୋଉଁଥାନ୍ତି । କିଆରି କିଆରି ହୋଇ ରଙ୍ଗ ରଙ୍ଗ ପାଚିଲା ଧାନକଟା ହୋଇ ପଡ଼ିଛି । ଚାରିଆଡ଼େ ନୀରବ ନିସ୍ତବ୍ଧ । ନିଶା ଗରଜୁଥାଏ ସାଇଁସାଇଁ-। ସତେ ଯେପରି ପଉଷ ଲକ୍ଷ୍ମୀ ଏଇ ନିଜନ ରାତିରେ ହସି ଉଠୁଛନ୍ତି । ଦାମ ଆଉ ରୂପ କାକରିଆ ହିଡ଼ ତଳେ ବସି ନିଆଁ ଜାଳି ଦିହ ସେକି ହେଉଥାନ୍ତି । ବିଲ ଚାରିପାଖେ ହିଡ଼ କଣରେ ଧୂଆଁ ଦେଇଥାନ୍ତି । ପାତଳା କୁହୁଡ଼ି ଭେଦକରି ବହଳିଆ ଧୂଆଁ ଉପରକୁ ଉଠୁଥାଏ ଘେରା ମାରି ମାରି-। କ୍ରମେ ରାତି ଘନେଇ ଆସିଲା । ଦାମ ଓ ରୂପ ଶୋଇବାକୁ ଭାଡ଼ିରେ ପଶିଲେ । ଭାଡ଼ି ପାଖେ ଲଣ୍ଠନଟା ଦିକ୍‍ ଦିକ୍‍ ହୋଇ ଜଳୁଥାଏ ।

 

ଠିକ୍‍ ପାହାନ୍ତିଆ ପହର ହେବ । ଦାମର ନିଦ ଭାଜିଲା । ସେ ଭାଡ଼ି ଟେକି ବାହାରକୁ ଯିବାପାଇଁ ଚେଷ୍ଟାକଲା, କିନ୍ତୁ ପାରିଲା ନାହିଁ । ବହୁତ ଚେଷ୍ଟା କଲା । ଦିହର ସବୁ ବଳ ଖଟେଇ ଟେକିବାକୁ ଚେଷ୍ଟା କଲା କିନ୍ତୁ ଭାଡ଼ିଟା ଜମା ଆଙ୍ଗୁଳେ ହେଲେ ତଳୁ ଉଠିଲା ନାହିଁ । ବର୍ତ୍ତୁଳାକାର ଅର୍ଦ୍ଧଗୋଲକ ପରି ଭାଡ଼ି । ତଳମୁହାଁ ହୋଇ ପଡ଼ିଛି । ଉପରୁ ଯେମିତି କିଏ ଖୁବ୍‍ ଜୋରରେ ମାଡ଼ି ବସିଛି । ଭୂତ କି ଡାଆଣୀ କି ଚୋର, ସେ କିଛି ଠିକ୍‍ କରି ପାରିଲା ନାହିଁ । ଖୁବ୍‍ ଜୋରରେ ଭାଡ଼ିଟା ଟେକିଲା । ହେଲେ ସବୁ ବିଫଳ । ସେତେବେଳକୁ ରୂପ ଉଠି ଭୟରେ ଥରୁଥାଏ । ଦାମ କିଛି ଉପାୟ ନ ପାଇ ପାଟିକରି ଡାକିଲା । ନିବୁଜ ଭାଡ଼ି ଭିତରେ ତା’ ଡାକ ଅବା କା କାନରେ ବାଜୁଛି । ଚିତ୍କାର କରି କରି ଥକା ହେଲା । ଘଡ଼ିଏ ଗଲା । ତା’ପରେ ଦାମ ଆଉଥରେ ବଳ କଳ ଖର୍ଚ୍ଚ କରି ଭାଡ଼ିଟା ଟେକିଲାବେଳକୁ ଭାଡ଼ିଟା ଧୀରେ ଧୀରେ ଟେକି ହୋଇଗଲା । ସେ ବାହାରିଲା ବାହାରକୁ-। ଚଉଦିଗକୁ ଭୟବିହ୍ୱଳ ନୟନରେ ଚାହିଁ ଦେଖିଲା । ପଶ୍ଚିମମୁଣ୍ଡ ଘାସୁଆ ହିଡ଼ରେ କେତେଜଣ କଳା ମସ୍‍ ମସ୍‍ ମଣିଷ ଏକାମୁହାଁ ହୋଇ ଧାଇଁ ଯାଉଛନ୍ତି । ତା’ ପଛେ ପଛେ ପାଞ୍ଚହାତ ଲମ୍ୱର ଅସ୍ପଷ୍ଟ ଛାଇ ମାଡ଼ି ମାଡ଼ି ଚାଲିଛି । ସେଟା କୃଷ୍ଣପକ୍ଷ ଦ୍ୱାଦଶୀ । ପାହାନ୍ତା ପହରକୁ ପୂର୍ବାକାଶରୁ ଚନ୍ଦ୍ରର କ୍ଷୀଣ ଆଲୋକ ଗହୀରସାରା ବିଛେଇ ହୋଇ ପଡ଼ିଥାଏ । ଦାମ ଅନୁମାନ କଲା, ଲୋକଗୁଡ଼ାକ କିଏ ? ଖୁବ୍ ଜୋରରେ ହୁରିକଲା । ଆଖପାଖ ଭାଡ଼ିଭିତରୁ କିଏ କେମିତି ଉଠି ଠିଆ ହୋଇ ପାଟି ଦେଲେ, ଅଟାକୁ ହଲେଇ ହଲେଇ ଉଠିଥିବାର ସୂଚନା କଲେ । ଦାମ ପାଟିଶୁଣି ଦୂରରେ ଜଣେ ଡାକିଲା–ହଇରେ ଦାମ ଭାଇ, ଏ ଦାମ ଭାଇ, ଦାମଭାଇହେ–ଆରେ କ’ଣ ହେଲା-?

 

ଦାମ ରତନାର ତୁଣ୍ଡ ବାରିଲା । ବଡ଼ପାଟିରେ ଗହୀର ଫଟାଇ ହୁରିକଲା–ଏ ରତନା, ରତନାରେ ହେ ଆରେ ସେଗୁଡ଼ାକ କିଏ ସେ ପଶ୍ଚିମ ମୁଣ୍ଡ ହିଡ଼ରେ ତଳନାଳ ପାଖେପାଖେ ଧାଇଁଛନ୍ତି ଅନୁମାନ କରିବୁଟିରେ । କଳେଇ ଚୋର କିରେ ?

 

ରତନା ନିଆଁ ଅଟାଟା ହଲେଇ ହଲେଇ ନାଳହୁଡ଼ା ଉପର ହିଡ଼ ବାଟେ ବାଟେ ହାତରେ ଠେଙ୍ଗାଟାକୁ ଜୋରକରି ଧରି ଆସିଲା । ତା’ର ନଜର କଳା ମସ୍‍ ମସ୍‍ ଲୋକଗୁଡ଼ାକ ଉପରେ ଥାଏ-। ଆଖି ପିଛୁଳାକେ ସେମାନେ କୁହୁଡ଼ି ଭିତରେ ଅଦୃଶ୍ୟ ହେଲେ । ସେଇ ସମୟକୁ ଡାକଗାଡ଼ି ବାଘଗର୍ଜନ ଛାଡ଼ି ଚାଲିଗଲା । ରତନା ଭାବିଲା ରାତି ପାହା ପାହା ହେଲାଣି । ଧୀରେ ଧୀରେ ଦାମ ପାଖରେ ପହଞ୍ଚିଲା । ଦାମକୁ କହିଲା–ବୁଝିଲୁ ଦାମଭାଇ, ସେଗୁଡ଼ାକ ଶ୍ୟାମସୁନ୍ଦରପୁରିଆ କିରେ-? ପବନା ପରିଡ଼ାଟା ପରି ତ ମୋତେ ପଛଲୋକଟା ଦିଶିଲା । ପାଞ୍ଚହାତ ମଣିଷ, ଦେଢ଼ହାତ ଓସାର ଛାତି, କଳାମସ୍‍ମସ୍‍ ପୋଛିଦେଲା ପରି ।

 

ଦାମ କହିଲା ହଁରେ ରତନା, ମୋର ସେଇ ଅନୁମାନ, ଆଚ୍ଛା ଆସିଲୁ ସାଉକାରଘର ବଡ଼ କିଆରି ଆଡ଼େ ଯିବା । ଦୁହେଁ ଓଦାଳିଆ ଘାସୁଆ ହିଡ଼େ ହିଡ଼େ ବଡ଼ କିଆରି ଆଡ଼େ ଗଲେ ।

 

ବଡ଼ କିଆରିରେ ଦାମ ଯାହା ଦେଖିଲା ସେଥିର ତା’ର ଆଖି ବୁଜି ହୋଇଗଲା । ସେ ମୁଣ୍ଡରେ ହାତଦେଇ ଥକାହୋଇ ବସି ରହିଲା । ଆଖିରୁ ଶ୍ରାବଣର ଧାରା ପରି ଲୁହ ଗଡ଼ିଲା । ସେ କାନ୍ଦି କାନ୍ଦି କହିଲା ସରିଗଲାରେ ରତନା, ସବୁ ସରିଗଲା । ସେଇ ପବନା ଛଡ଼ା ଆଉ କେହି ନୁହେଁ-। ଶ୍ୟାମସୁନ୍ଦରପୁରିଆ । ମୁଁ ସିନା ତାଙ୍କର ଦୋଷ କରିଥିଲି ସାଧୁବାବୁ ତାଙ୍କର କି ଦୋଷ କରିଥିଲେ-? ରାତିରାତି ମୋ ଭାଡ଼ି ମାଡ଼ିବସି ସବୁ କଳେଇ ଲୁଟି ନେଇଛନ୍ତିରେ ରତନା ।

 

ରତନା ଦାମକୁ ଅନେକ ବୁଝେଇଲା । ସେ କିନ୍ତୁ ବୁଝିଲାନି ଫସର ଫାଟିଲା–ଗହୀରର ହିଡ଼ କାକର ଉପରେ ହୀରାଫୁଲ ଫୁଟିଲା । ଦାମ ଦୁଃଖ ଆଉ ଭଗ୍ନହୃଦୟରେ ଘରକୁ ଫେରିଲା ଘଡ଼ିଏବେଳକୁ ।

 

ସେତେବେଳକୁ କୋମଳା ଘରକୁ ପାଣି ଆଣୁଥିଲେ । ଦାମ ଯାଇ ତଳଘରେ ଗୁମ୍‍ ହୋଇ ବସି ରହିଲା । ଆଜି ଦାମର ଏ ପ୍ରକାର ଉଦାସିଆଭାବ ଦେଖି କୋମଳା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘କିରେ ଦାମ, ଆଜି କାହିଁକି ସକାଳଟାରୁ ମନମାରି ବସିଛୁ କି ?’’

 

ଦାମ ବହୁକ୍ଷଣ ପରେ ରୁଦ୍ଧ ଗଳାରେ କହିଲା–‘‘ମା’ ମୋର ଘରଖଣ୍ଡି ଯାଇଥିଲା । ମୋତେ ଏତେ ବାଧି ନଥିଲା, ଆଜି ବିଲରୁ କଳେଇ ଚୋରୀଗଲା ମୋର ମନକୁ ଅଧିକ ବାଧୁଛି । ସେଇ ଶ୍ୟାମସୁନ୍ଦରପୁରିଆ ମା’, ଆଉ କେହି ନୁହନ୍ତି–ଆଜି ରାତିରେ ମୋର ଭାଡ଼ି ମାଡ଼ିବସି ବଡ଼ କିଆରିରୁ ସବୁତକ କଳେଇ ନେଇ ଯାଇଛନ୍ତି ।’’ ଦାମ ଗାମୁଛାରେ ଆଖି ପୋଛିଲା ।

 

କୋମଳା ଦେବୀ ଅବାକ୍‍ ହେଲେ । ହଇରେ ଦାମ, କ’ଣ ନ କଲେରେ ? ମୋର ପଉଷ ଲକ୍ଷ୍ମୀକୁ ବିଲରୁ ଚୋରେଇ ନେଲେ ? ହଉ, ଧର୍ମଥିଲେ ବୁଝିବ ଯେ... । ଘରେ ମରଦ ବୋଲି କେହି ନାହାନ୍ତି । ପେଟଭୋକ ପେଟରେ ମାରି କୋମଳା ଘରେ ରହିଲେ ।

 

ସେଇଦିନ ରୂପ ହାତରେ ଲେଖେଇକରି ଦାମ ସାଧୁଚରଣଙ୍କ ପାଖକୁ ଚିଠିଟିଏ ଦେଲା-। ସାଧୁଚରଣ ଚିଠି ପାଇ ମନେମନେ ରାଗ ଗଲେ । ଭାବିଲେ ଦାମର ଘର ପୋଡ଼ିଲେ, ମନ ଶାନ୍ତି ହେଲାନାହିଁ । ଆଜି ମୋ ବିଲରୁ କଳେଇ ଚୋରିକରି ନେଲେ, କାଲି ଦାମକୁ ଭାଡ଼ି ଭିତରେ ହାଣିଦେଇ ପାରନ୍ତି । ଏ କଥା ହେଳା କଲେ ଚଳିବ ନାହିଁ । କୌଣସି ପ୍ରକାର ଏହାର ବିଚାର ଦରକାର । ଠିକ୍‍ କଲେ ବିଷୟଟା କୋର୍ଟ ଉପରକୁ ଗଲେ ହେବ । କିନ୍ତୁ ପ୍ରମାଣ ଦରକାର-। ପ୍ରମାଣ ନ ଥାଇ ମକଦ୍ଦମା କଲେ ନିଜେ ଦୋଷୀ ହେବେ ସିନା । ବହୁ ବିଚାର ପରେ ପନ୍ଦରଦିନ ଛୁଟି ନେଇ ଘରକୁ ଆସିଲେ । ଘରେ ପହଞ୍ଚି ନିକଟସ୍ଥ ଥାନାରେ ଏକ ଗୁପ୍ତ–ଡାଏରି କରିଦେଇ ନିଜେ ପ୍ରମାଣ ଖୋଜି ବୁଲିଲେ । ଡି.ଏସ୍‍.ପି. ସାଧୁଚରଣ ପଟ୍ଟନାୟକ । ଗୋଇନ୍ଦା ବିଭାଗରେ ମୁଣ୍ଡବାଳ ପାଚିବାକୁ ବସିଲାଣି । ତାଙ୍କୁ ଅବା ଏ କଥାଟା କେତେ !

 

ସେଦିନର ସଞ୍ଜୁଆ ପହର । ଶ୍ୟାମସୁନ୍ଦରପୁର ଗୋପୀନାଥ ମନ୍ଦିରରେ ଆଳତି ଶେଷ ହେଲା । ଗାଁ ଚାଷୀମାନେ ପୁରାଣପଢ଼ା ଶୁଣି ଭାଗବତ ଘର ଆଡ଼େ ଆସିଲେ । ପବନା, ହୁରୁଷି, ମାଗା, ରଙ୍କ ହସଖୁସିରେ ଆସି ଭାଗବତ ବାରଣ୍ଡାରେ ନଡ଼ିଆଚାଞ୍ଚ ପକାଇ ବସିଲେ । ହରିଆ ପୁରାଣ ଆରମ୍ଭ କଲା । ମାଗା ଘଡ଼ିକେ ପହରକେ ତେଲ ଦୀପ ବଳିତାଟି ଖଡ଼ିକାରେ ତେଜି ଦେଉଥାଏ । ପୁରାଣପଢ଼ା ଚାଲିଥାଏ । ସମସ୍ତେ ତନ୍ମୟ ହୋଇ ଶୁଣୁଥାନ୍ତି । କିଏ କିଏ ମଝିରେ ମଝିରେ ପଦେଅଧେ ପାଳି ଧରୁଥାନ୍ତି । କିଏବା ମୁଗ୍ଧ ବିଭୋର ହୋଇ ମୁଣ୍ଡ ହଲାଇ ହଲାଇ ଗୁଣୁଗୁଣୁ ହେଉଥାଏ–ଭାଗବତ ଘର କରକୁଲାଗି ଆରସାଇ ବାରଣ୍ଡାରେ ଜଣେ ବାବାଜି ବାଘଛାଲ ପକାଇ ବସିଥାନ୍ତି । ପାଖରେ କମଣ୍ଡଳୁ ଲୁହାର ତ୍ରିଶୂଳ, କମଳ ଖଣ୍ଡିଏ ଓ ଜଡ଼ିବୁଟି ମୁଣିଟାଏ ଥୁଆ ହେଇଥାଏ । ବାବାଜିଙ୍କ ମସ୍ତକରେ ନିଘଞ୍ଚ ଜଟା, ଶରୀରରେ ବିଭୂତି, ବେକରେ ରୁଦ୍ରାକ୍ଷମାଳି । ବାବାଜି ପୁରାଣ ଶୁଣୁଥାନ୍ତି । ତାଙ୍କ ଆଡ଼କୁ ବୋଧହୁଏ ସମସ୍ତଙ୍କର ନଜର ନଥାଏ ।

 

ପହରେ ରାତି ହେଲା । ପୁରାଣ ପଢ଼ା ଶେଷ ହେଲା । ପ୍ରତ୍ୟେକେ ଜଣ ଜଣ ହୋଇ ନିଜ ନିଜ ଘରକୁ ଫେରିଲେ । ଶେଷକୁ ରହିଲେ ମାଗା, ହୁରୁଷି, ପବନା, ହରିଆ । ପବନା ଗଲା ମାସେ ହେଲା ଭାଗବତ ଘର ମାଲିକ ହୋଇଛି । ଭାଗବତ ଘର ଚାବି ତା’ ହାତରେ । ତେଣୁ ସବାଶେଷରେ ସେ ଯାଏଁ । ସେମାନେ ବସି ଗପ କରୁକରୁ ନଜର ପଡ଼ିଲା ବାବାଜିଙ୍କ ଆଡ଼େ । ହରିଆର ଦେବତା ବୈଷ୍ଣବ ପ୍ରତି ବେଶି ଭକ୍ତି ଥାଏ । ସେ ପଚାରିଲା ଆପଣଙ୍କ ଘର କୋଉଠିକି ? ଏଠି ବହୁତବେଳ ହେଲା ବସିଲେଣି ଯେ ।

 

ଆମର ଘର ବାବା ବହୁତ ଦୂର । ଆମେ ଜଣେ ସାଧୁ । ପୁରୀ ଜଗନ୍ନାଥ ଦର୍ଶନରେ ଆସିଥିଲୁ । ଆଜି ଏବାଟେ ଯାଉ ଯାଉ ଏଠାରେ ରାତ୍ର ହେଲା । ତେଣୁ ଏଠାରେ ଆଜି ରାତିକ ବିଶ୍ରାମ କରି ସକାଳୁ ଅନ୍ୟତ୍ର ଯିବୁ । ଏଇଟା ଭାଗବତ ଘରତ ?

 

ହଁ, ଆଜ୍ଞା, ଏଇଟା ଭାଗବତ ଘର । ଆପଣ ବାରଣ୍ଡାରେ ବସି ରହିଛନ୍ତି ଯେ, ଶୀତ ହେବ, ଘର ଭିତରକୁ ଯାନ୍ତୁ ବସିବେ । ମାଗା କହିଲା ।

 

ବାବାଜି ଘର ଭିତରକୁ ଯାଇ ପୂର୍ବପରି ବାଘ ଚମଡ଼ାରେ ବସିଲେ । ମାଗା ଆଡ଼କୁ କିଛିକ୍ଷଣ ନିରୀକ୍ଷଣ କରି ଟିକିଏ ଭାବିଲାପରି କହିଲେ–ତୋର କପାଳ ବଡ଼ ଟାଣରେ । ତୁ ବଡ଼ ଭାଗ୍ୟବାନ । ତୋର ଦୁଇଟି ଲଡ଼କା ନା ?

 

ବାବାଜିଙ୍କର ଅଯାଚିତ କଥାରେ ମାଗାର ବିଶ୍ୱାସ ଜନ୍ମିଲା । ସେ ସଙ୍ଗେ ସଙ୍ଗେ ବାବାଜିଙ୍କ ପାଦତଳେ ମୁଣ୍ଡିଆମାରି ନିଜ ହାତ ଦେଖେଇଲା । ବାବାଜି ତା’ ହାତ ଦେଖି ଗୋଟି ଗୋଟି କରି କହିଗଲେ । ସବୁ ସତ; ନିରୋଳା ସତ । ମାଗାପରେ ହୁରୁଷି, ହରିଆ, ପବନା ଜଣ ଜଣ କରି ହାତ ଦେଖେଇଲେ । ବାବାଜି ସମସ୍ତଙ୍କୁ ସତ ସତ କଥା କହିଗଲେ ।

 

ଶେଷକୁ ପବନାର ପାଳି ପଡ଼ିଲା । ପବନାର ହାତ ଦେଖି ସମସ୍ତଙ୍କୁ କହିଲାପରି ସବୁ କହିଗଲେ, ତା’ର କେତେ ଜମିଅଛି, ପୁଅ ଝିଅ କେତୋଟି, କେତେ ବରଷ ଆୟୁଷ, କ’ଣ କ’ଣ ଗ୍ରହଦୋଷ ଅଛି, ସବୁକଥା । ଶେଷରେ କହିଲେ–ତତେ ଆଉ ଏକ କଥା କହିବି, ବଡ଼ ଗୋପନୀୟ ଗୁପ୍ତ କଥା । ଯଦି ସତ ମଣିବୁ ତେବେ କହିବି । କ’ଣ କହୁଛୁ ? ସେ ରିଷ୍ଟଖଣ୍ଡନର ମଧ୍ୟ ଉପାୟ କହି ଦେବା.... ।

 

ହଁ ଆଜ୍ଞା, ସତ ହୋଇଥିଲେ ନିଶ୍ଚେ ମାନିଯିବି । ଏତେ ଲୋକଙ୍କ ଆଗରେ କହିଲେ କ୍ଷତି ନାଇଁଟି ? ବାବାଜି ପଚାରିଲେ ।

 

ତାଙ୍କ ତୁଣ୍ଡରୁ କଥା ନ ସରୁଣୁ ପବନା କହିଲା–ନା, ନା, ସେମାନେ ମୋର ନିଜ ଲୋକଠୁ ବଳି, ତାଙ୍କ ଆଗରେ କହିଲେ କିଛି କ୍ଷତି ନାଇଁ କହନ୍ତୁ ।

 

ବାବାଜି ମୁହୂର୍ତ୍ତେ ଭାବି ବଡ଼ ସ୍ଥିର ଗଳାରେ କହିଲେ–ତୋର ବାରିଖଳାରେ କିଛି ଚୋରୀ ମାଲ ଅଛି । କ’ଣ କହୁଛୁ ? ସତ ନା ମିଛ ?

 

ପବନା ଥଙ୍ଗେଇ ଥଙ୍ଗେଇ କହିଲା–ହଁ ଆଜ୍ଞା ସତ । ହେଲେ କଥାଟା କିମିତି ଛପିଯିବ ଉପାୟଟା କହିଦିଅନ୍ତୁ ?

 

ଆଚ୍ଛା, ଆଚ୍ଛା ବାପା, ବ୍ୟସ୍ତ ହୁଅନା, କହିଦେବା । ତୁ ଆଗ ଆମକୁ ସେ ଜିନିଷର ବିବରଣୀ କିଛି ଦିଏ । ତା’ପରେ ଆମେ ଉପାୟଟେ ବତେଇ ଦେବା ।

 

ପବନା ସରଳ ବିଶ୍ୱାସରେ ସବୁକଥା ଗୋଟି ଗୋଟି କରି କହିଗଲା । ମୋର ଖଳା ମଝି କଳେଇ ଗଦାର ମଝିଥାକରେ ୮୦ଟି ରତନଚୁଡ଼ୀ ଧାନର କଳେଇ ଅଛି । ସେତକ ଚୋରୀ କଳେଇ । ମୋର ଏକା ତା’ ଉପରେ ଅଧିକାର ନାଇଁ । ଗାଁଯାକର ସିଏ କୋଠ କଳେଇ ।

 

ବାବାଜି ଟିକିନିଖି ସବୁ ଶୁଣିଲେ । ଝୁଲାମୁଣିରୁ ଗୋଟିଏ ମଣି କାଢ଼ି କହିଲେ–ଆଚ୍ଛା ହଉ ବାବା ନେ, ଧର ଏଇ ମଣିଟା ନେ, କାଲି ସକାଳୁ ଉଠି ଗାଧୁଆପାଧୁଆ ସାରି ଯେଉଁ ଗଦାରେ କଳେଇ ଅଛି ସେଇ ଗଦାମୂଳେ ଗୋଟିଏ ଗାତକରି ମଣିଟା ତା’ ଭିତରେ ପୋତି ଦେବୁ । କ୍ଷୀର ଚାଉଳ ଫୁଲ ତା’ ଉପରେ ପକାଇ, ମୁଣ୍ଡିଆମାରି ଆସିବୁ । ଏ ମଣି ନା ହେଉଛି ‘ଚିତ୍ତବିଭ୍ରାନ୍ତ ମଣି’ ସେ ଗଦାମୂଳକୁ ଯିଏ ଯିବ ତା’ର ମନ ଏ ହରଣ କରିନେବ । ଦେଖିବୁ, କଳେଇ କଥା କେହି ଜାଣି ପାରିବେ ନାହିଁ ।

 

ପବନାର ଏଥିରେ ବିଶ୍ୱାସ ଜନ୍ମିଲା । ସେ ମଣିଟାକୁ ନେଇ ଲୁଗା କାନିରେ ବାନ୍ଧି ରଖିଲା । ରାତି ସେତେବେଳକୁ ଅଧାରୁ ଗଡ଼ିଯାଇଥାଏ । ବାବାଜି ଭାଗବତ ଘରେ ବିଶ୍ରାମ ନେଲେ-। ପବନା, ହୁରୁଷି, ମାଗା, ହରିଆ ନିଜ ନିଜ ଘରକୁ ଫେରିଲେ । ବାବାଜି ରାତି ଥିବ ଚାଲିଯିବାକୁ କହିଥାନ୍ତି । ତେଣୁ ପବନା ରାତି ଥିଲା ଆସି ଭାଗବତ ଘରେ ହାଜର ହେଲା । ବାବାଜି ପବନାକୁ ସବୁକଥା ବୁଝେଇ ନିଜ ରାସ୍ତା ଧରିଲେ । ପବନା ଖୁସି ହୋଇ ଘରକୁ ଫେରିଲା । ସେତେବେଳକୁ କୁଆ ରାବିଲେଣି ।

 

ତା’ ପରଦିନ ସକାଳ । ପଶୁପକ୍ଷୀ ମଣିଷ ନିଜ ନିଜ ଦୈନନ୍ଦିନ କର୍ମରେ ଲାଗି ପଡ଼ିଲେ-। ଶ୍ୟାମସୁନ୍ଦରପୁର ଶୂନଶାନ୍‍ । କେବଳ କେତେକ ବୁଢ଼ା ପିଲା ମାଇପିଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସମସ୍ତେ ଜମିବାଡ଼ିକୁ ଚାଲି ଯାଇଛନ୍ତି । ଗାଁ ଦାଣ୍ଡ ଗହଳିଆ ଦିଶୁନି । ଦିନ ଦଶଟା ହେବଣି ଦେଖୁଦେଖୁ ଗାଁରେ ନାଲିପଗଡ଼ିଆ ଭରି ହୋଇଗଲେ । ପିଲା ବୁଢ଼ା ମହଲରେ ଚହଳ ପଡ଼ିଗଲା-। କଥା କ’ଣ କେହି ବୁଝିପାରିଲେ ନାହିଁ । ଚାହୁଁଚାହୁଁ ପବନାପରିଡ଼ା ଖଳାରେ ପଶି ପୁଲିସ ଚଉକିଆ କଳେଇ ବୋହି ଲାଗିଲେ । ଭାଗବତଘର ଆଗସାମନାରେ କଳେଇ ଥୁଆହେଲା-। କ୍ରମେ ଜଣ ଜଣ ହୋଇ ବିଲରୁ ଫେରିଲେ । ଜଣ ଜଣ ହୋଇ ସମସ୍ତଙ୍କ ହାତରେ ହାତକଡ଼ା ପଡ଼ିଲା-। କେହି କିଛି ବୁଝିପାରିଲେ ନାହିଁ । ସମସ୍ତେ ମୂକ, ଅବାକ୍‍ । ମାଗା, ହରିଆ, ହୁରୁଷି, ପବନା ମଧ୍ୟ ଏଥିରୁ ବାଦ୍‍ ଯାଇ ନାହାନ୍ତି । ବର୍ତ୍ତମାନ ପବନା ବୁଝିଲା, ଏହାର କାରଣ କ’ଣ-। ଗଲା ରାତିର ଖବର ତା’ର ମନେପଡ଼ିଲା । ସେ ନିଜକୁ ନିଜେ ବହୁତ ଧିକ୍‍କାର କଲା । ବାବାଜି ମଧ୍ୟ ସେଥିରୁ ବାଦ୍‍ଗଲେ ନାହିଁ । ବାବାଜି କେହି ନୁହନ୍ତି, ନିଜେ ସାଧୁଚରଣବାବୁ ।

 

ଚୋରୀ ଅପରାଧରେ ଗାଁଟିସାରା ଦୋଷୀ ସାବ୍ୟସ୍ତ ହେଲେ । ଗାଁର ତିରିଶଟି ପରିବାରରୁ ୨୯ଜଣ ଦୋଷୀ । ଏକା ମାଧବାନନ୍ଦ ନିର୍ଦ୍ଦୋଷ । କାରଣ ହାକିମହୁକୁମା, ପୁଲିସ ମହଲରେ ତାଙ୍କର ନାଁ ଅଛି । ଆଉମାନେ, ମୂର୍ଖ, ମଳିମୁଣ୍ଡିଆ, ଲାଗିଖିଆ କଳାମଣିଷ, ଚାଷୀ ।

 

ଦୁଇ ଗାଁ ଭିତରେ ମକଦ୍ଦମା ଚାଲିଲା ।

 

କେଉଁ ଅନାଦି ଅତୀତରୁ ସମୟର ସୁଅ ବହି ଆସିଛି । କେଉଁ ଅସୀମ ଭବିଷ୍ୟତରେ ତା’ର ପରିସମାପ୍ତି, କିଏ ଜାଣେ ? ବର୍ଷ ପରେ ବର୍ଷ ବହିଯାଉଛି । କେତେ ମଶାଣି ଭୂଇଁରେ ଧୋବଲା କୋଠା ମୁଣ୍ଡ ଟେକିଲାଣି । କେତେ ଶଙ୍ଖମଲମଲ କୋଠା ମଶାଣି ପାଉଁଶରେ ପରିଣତ ହେଲାଣି । କେତେ ମଣିଷ ଆସିଲେଣି, କେତେ ଗଲେଣି, କଳନା ନାଇଁ । ସୃଷ୍ଟିର ଏ କି ଅଦ୍ଭୁତ ନିୟମ ! ବିଧାତାର ଏ କି ବିଚିତ୍ର ବିଧାନ ! ଯୁଗଯୁଗ ଧରି ଲାଗି ରହିଛି । ଫୁଲ ଫୁଟୁଛି, ଚଉଦିଗ ଭୁରୁଭୁରୁ ଗନ୍ଧ ବାଣ୍ଟି ଦେଉଛି, ପୁଣି ଶ୍ଳଥ ହୋଇ ଝଡ଼ିପଡ଼ୁଛି । ସୂର୍ଯ୍ୟ ଉଉଁଛି, ପଦ୍ମ ଫୁଟୁଛି କଳା କଳା ଭ୍ରମର ମଧୁ ସଂଗ୍ରହରେ ଲାଗି ପଡ଼ୁଛନ୍ତି । ପୁଣି ସଞ୍ଜ ଆସୁଛି, ସୂର୍ଯ୍ୟ ଡୁବୁଛି ପଦ୍ମ ମୁଦିହୋଇ ଯାଉଛି ଆପେଆପେ । ବିକାଶ ପରେ ବିନାଶ, ଉଦୟ ପରେ ଅସ୍ତ, ମିଳନ ପରେ ବିଚ୍ଛେଦ–ଏଇ ନିୟମରେ ଦୁନିଆଟା ସତେ ଯେପରି ଗଡ଼ି ଚାଲିଛି । ଏହି ନିୟମର ସୁଅ ମୁହଁରେ ପଡ଼ି କମଳ ମଧ୍ୟ ଭାସି ଭାସି ଚାଲିଛି । କେଉଁ ଅନନ୍ତ ସମୁଦ୍ର ଭିତରେ ସେ ସ୍ରୋତ ଯେ ମିଳାଇ ଯିବ ତାହା ତାକୁ ଅଜଣା । ଅଥବା କାହିଁ କେଉଁଠି ତୀର ଦେଶରେ ସେ କୁଟାକାଠି ପରି ଲାଗିଯିବ ତାହାବି ସେ ଜାଣେନା ।

 

କମଳ କଟକରେ ପାଠ ପଢ଼େ, ରେଭେନ୍‍ସା କଲେଜରେ । ମଝିରେ ମଝିରେ ଗାଁରୁ ଖଣ୍ଡିଏ ଖଣ୍ଡିଏ ଚିଠି ପାଏ । ଆଉ ବେଶୀ ଚିଠିପାଏ ସାଥୀ ସୁଧାଂଶୁଠାରୁ । ଚିଠିରୁ ସେ ଦାମର ଘରପୋଡ଼ି ଖବର, ସାଧୁଚରଣଙ୍କ ବିଲରୁ କଳେଇ ଚୋରୀ, ଗାଁ ଗାଁ ଭିତରେ ମାଲିମକଦ୍ଦମା ଖବର ବସନ୍ତକୁମାରଙ୍କ ଚାକିରି ଖବର ସବୁ ପାଇଛି । କିନ୍ତୁ ସମୟ ଅଭାବରୁ ଥରେ ସୁଦ୍ଧା ଗାଁକୁ ଯାଇ ପାରିନାହିଁ ମୁହଁ ଦେଖାଇ ଆସିବାକୁ ।

 

ଗୌରବାବୁଙ୍କ ଘରେ କମଳ ରହେ । ଗୌରବାବୁ ଓକିଲ, ଦଶଟାରୁ ଚାରିଟା ସେ ଘର ବାହାରେ, କଚେରିରେ । ଘରେ ଏକମାତ୍ର ନୟନର ପିତୁଳା ଝିଅ ସରଳା । ତା’ର ପଢ଼ାଭାର କମଳ ହାତରେ । କମଳ ସକାଳୁ ନିଜେ ପଢ଼େ ସରଳାକୁ ମଧ୍ୟ ପଢ଼ାଇଦିଏ । ଦଶଟା ହେଲେ କମଳ କଲେଜ ଯାଏଁ, ସରଳା ସ୍କୁଲ୍‍କୁ ଯାଏଁ । ଗୌରବାବୁ କଚେରି ଯାନ୍ତି, ଘର ଜଗି ରହେ ଏକମାତ୍ର ପୂଜାରୀ, ଭଗୀ ।

 

ଚାରିଟାବେଳକୁ କମଳ, ସରଳା ଘରକୁ ଫେରନ୍ତି । ଗୌରବାବୁ କଚେରିରୁ ଫେରି ଜଳଖିଆ ଖାଇ ବଜାରଆଡ଼େ ବୁଲି ଯାଆନ୍ତି ।

 

କମଳ ଘର କାମଦାମ ଯାହା ଥାଏ କରେ । ସମୟ ସମୟରେ ବଜାର ସଉଦା ମଧ୍ୟ କରେ । ଅନ୍ୟ ସମୟରେ ସରଳା ସହିତ ଖେଳି ବସେ କ୍ୟାରମ୍‍ । ସରଳା କମଳକୁ ଭାଇ ବୋଲି ଡାକେ । ସେଇ ଭାଇ ଡାକରେ ଯେଉଁ ଗୁପ୍ତ ପ୍ରେମର ମୋହନ ରାଗିଣୀ ଭରିଥାଏ କମଳର ଯୁବକସୁଲଭ ତରଳ ମନକୁ ତାହା କ୍ଷଣକ ଲାଗି ପାଗଳ କରେ । କିନ୍ତୁ କମଳ ନିଜକୁ ସଂଯତ କରି ରଖେ–ତା’ର ଲକ୍ଷ୍ୟ ଭିନ୍ନ ।

 

ତଥାପି ପ୍ରେମର ଆହ୍ୱାନ ଏଡ଼ି ଚାଲିଯିବା ଦୁଃସାଧ୍ୟ ? ସେ ମଧୁର ନିନାଦରେ, ସେ ମଧୁମୟ ଲଳିତ ସଙ୍ଗୀତରେ କା’ର ପ୍ରାଣ ଝଙ୍କୃତ ନ ହେବ ? ପ୍ରେମ, ଗୋପନରେ ଯା’ଠି ଭରି ରହିଛି ପ୍ରଣୟର ପିପାସା, ମଣିଷକୁ ନ କରେ କ’ଣ ? ପାଗଳ, ଉନ୍ମତ୍ତ, ବିଭୋଳ । କମଳର ଚପଳ ମନ ଏଇଥିରେ ଥରେ ଥରେ ଝଙ୍କୃତ ହୁଏ, କିନ୍ତୁ ସେ ବାଧ୍ୟ ହୋଇ ନିଜକୁ ପଛକୁ ଟାଣି ଧରେ । ତା’ର ଭବିଷ୍ୟତ ଜୀବନ ଯେ କି ରୂପ ଘେନି ଆସେ ସେ ସେଥିପାଇଁ ଜାଗ୍ରତ । ଅତୀତର ଦାରୁଣ ଦୁଃଖ ଯନ୍ତ୍ରଣା ସେ ଉପଲବ୍ଧ କରିପାରେ–ତେଣୁ ଗୌରହରିଙ୍କ ଘରେ ସେ ଖୁବ୍‍ ଗୋଡ଼ ଚିପି ଚିପି ଚଳେ, କାଳେ ଖସି ପଡ଼ିବ ।

 

ଗୌରହରିବାବୁ କମଳର ବ୍ୟବହାରରେ ଖୁବ୍‍ ସନ୍ତୁଷ୍ଟ । ନିଜର ପୁଅପରି ସେ କମଳକୁ ଦେଖନ୍ତି । କମଳର ହସହସ ମୁହଁଟି ଦେଖିଲେ ତାଙ୍କର ପୁତ୍ରଶୋକ ଦୂର ହୁଏ, ଗତ ଦୁଇବର୍ଷ ତଳର କଥା । ସ୍ତ୍ରୀ ଯମୁନା, ତା’ପରେ ପୁଅ ଗୋପାଳ, ଏକମାସ ବ୍ୟବଧାନରେ ସଂସାରକୁ ଶୂନ୍ୟ କରି ଚାଲିଗଲେ । ସେ ଦୁଃଖରେ ଗୌରହରିବାବୁ ମ୍ରିୟମାଣ ହୋଇ ପଡ଼ିଥିଲେ, କିନ୍ତୁ ଆଜି କମଳର ଗୋରା ତକତକ ଫୁଲିଲା ମୁହଁଟି ଦେଖିଲେ ସେ ସବୁ ପାଶୋରି ପକାନ୍ତି । କମଳକୁ ଦଣ୍ଡେ ନ ଦେଖିଲେ ତାଙ୍କୁ ଦଣ୍ଡକ ଯୁଗପରି ବୋଧହୁଏ ।

 

କମଳ ଅନେକ ସମୟରେ ସୁଧାଂଶୁଠାରୁ ଚିଠି ପାଏ । ଚିଠିଟି ପାଇବା ମୁହୂର୍ତ୍ତରେ ସେ କେଉଁ ଅସୀମ ଆନନ୍ଦ ରାଜ୍ୟକୁ ଭାସିଯାଏ ବୁଝିବା କଷ୍ଟକର । ସ୍ନେହର ବନ୍ଧନ କିଭଳି ଶକ୍ତ ତାହା ଜାଣେ କେବଳ ଅନୁଭବୀ । ବନ୍ଧୁତା ! ସ୍ନେହ ! ଶ୍ମଶାନର ଚିତାନଳ ନୁହେଁ । ସମର ଭୂଇଁର ରଣତାଣ୍ଡବ ନୁହେଁ । ହିଂସା ଦ୍ୱେଷର ବାତ୍ୟା ନୁହେଁ । ସେ ମଧୁମୟ ଅମୃତ । ହୃଦୟ ପ୍ରତି ହୃଦୟର ଅନାବିଳ ଆହ୍ୱାନ । ପ୍ରାଣ ପ୍ରତି ପ୍ରାଣର ସ୍ୱର୍ଗୀୟ ମମତା । ଦୁଇଟି ଅଚ୍ଛେଦ୍ୟ ଅନ୍ତରର ସୂକ୍ଷ୍ମ ବନ୍ଧନ; ଅନ୍ତଃକରଣର ମିଳନ । ଊର୍ମିମୁଖରା ତରଙ୍ଗିଣୀର କଳ ତାନଭରା ସଲିଳ ପରି ସ୍ୱଚ୍ଛ ନିର୍ମଳ, ସ୍ନିଗ୍ଧ, ସୁନ୍ଦର, ପବିତ୍ର, ମହତ୍‍ । ସେ ସତ୍ୟ, ଶିବ, ସୁନ୍ଦର, ଅମର । ସେଇ ସ୍ୱର୍ଗୀୟ ବନ୍ଧୁତାର କ୍ଷୀଣସ୍ମୃତି ଚିଠି ପାଇବାମାତ୍ରେ କମଳକୁ ଯେ କେଉଁ ଅସୀମ ରାଜ୍ୟକୁ ଟାଣିନିଏ ସେ ଜାଣିପାରେନା, ପାରେ କେବଳ ଅନୁଭବ କରି ସେ ଦେଶର ଅସରନ୍ତି ଆନନ୍ଦ ଓ ଶାନ୍ତି । ତା’ର ଦୁଃଖମୟ ଜୀବନ ହସି ଉଠେ ସେହି ଅବ୍ୟକ୍ତ ରାଜ୍ୟରୁ ବୀଚି ବିକ୍ଷୁବ୍ଧ ବେଳାଭୂମିରେ ।

 

ସରଳା ସମୟେ ସମୟେ ସୁଧାଂଶୁ ଦେଇଥିବା ଚିଠି ପଢ଼େ କମଳର ଅନୁପସ୍ଥିତିରେ । ସେଥିରୁ ସେ କ’ଣ ବୁଝେ କେଜାଣି ତା’ର ମୁଣ୍ଡ ଆପେଆପେ କମଳର ପାଦ ତଳେ ନଇଁଯାଏ । ଅଜାଣତରେ ଆଖି ଛଳଛଳ ହୁଏ । ସେ ବିହ୍ୱଳ ହୋଇ ଉଠେ ।

 

କମଳ ଭଲ ପଢ଼େ । କଲେଜରେ ତେଣୁ ତା’ର ଆଦର ବେଶୀ । ବକ୍ତୃତା ଦେବାରେ ସେ ଯେପରି ପାରଗ, ପାଠ ପଢ଼ିବାରେ ସେପରି ବିଚକ୍ଷଣ । ଖେଳିବାରେ ମଧ୍ୟ ଧୁରନ୍ଧର । ସମୟ ସମୟରେ ପତ୍ରପତ୍ରିକାରେ ମଧ୍ୟ ତା’ର ଲେଖା ବାହାରେ । ଭଲ ଲେଖେ । ପ୍ରତି କ୍ଷେତ୍ରରେ କମଳ କିଛି ନା କିଛି ଆଗେଇ ଥାଏ । ତେଣୁ ତା’ର ଆଦର ସବୁରିଙ୍କ ମୁହଁରେ । ହେଲେ ଦୁଃଖ ଦାରିଦ୍ର୍ୟର ପ୍ରଭାବ ତାକୁ ଆଜିଯାଏ ଅଫୁଟା କରି ରଖିଥିଲା । ଫୁଟିବାକୁ ଉପଯୁକ୍ତ ଉପଯୋଗ ସେ ପାଉ ନଥିଲା । ପ୍ରକୃତିର ତ ଏହାହିଁ ନିୟମ । ପ୍ରତିଭାଶାଳୀ ମଣିଷ ସବୁଯୁଗେ ଦୁଃଖଦାରିଦ୍ର୍ୟର କରାୟତ-। ସତେ ଯେପରି ସେ ଅଭିଶପ୍ତ–କେତେ କେତେ ତା’ରିପରି ମଣିଷ ଦୁନିଆର କେଉଁ କଣରେ ଅଫୁଟା ରହୁଛନ୍ତି ତା’ ବୁଝୁଛି କିଏ ? ତା’ର ହିସାବ ରଖୁଛି କିଏ ? ଦୁଃଖ ଦାରିଦ୍ର୍ୟ ଅଭାବ ଅନାଟନ ଅତ୍ୟାଚାର ଅନାଚାର ସବୁରି ଭିତରେ ଜୀବନର ପଳ ପଳ ମାଂସ, ଛାତିର ବିନ୍ଦୁ ବିନ୍ଦୁ ରକ୍ତକୁ ପୋଡ଼ିଜାଳି ସେମାନେ ଶୁଦ୍ଧ ସୁବର୍ଣ୍ଣପରି ଉକୁଟି ଉଠନ୍ତି, ପଦ୍ମପରି ଫୁଟି ଉଠନ୍ତି-। ତା’ପରେ ସେମାନେ ପାଆନ୍ତି ପୂଜା ଅର୍ଚ୍ଚନା–ଜଗତରେ ହୁଅନ୍ତି ମହାପୁରୁଷ । ବରେଣ୍ୟ, ନମସ୍ୟ-

 

ଏକବର୍ଷ ଭିତରେ ଶ୍ୟାମସୁନ୍ଦରପୁର ଓ ମଲ୍ଲୀକାଶପୁରରେ କେତେ ଯେ କଳିଗୋଳ ସୃଷ୍ଟି ହେଲାଣି ତା’ର ହିସାବ ନାହିଁ । ପ୍ରତିଦିନ ପ୍ରାୟ ଖଣ୍ଡଯୁଦ୍ଧର ସୃଷ୍ଟି । ଦିନକର ଘଟଣା, ଶ୍ୟାମସୁନ୍ଦରପୁର ଗାଁ ଗୋହିରି ବାଟ ଦେଇ ମଲ୍ଲୀକାଶପୁରର ଗାଈଗୋଠ ସେ ଗାଁର ଗଉଡ଼ ଓଡ଼େଇ ଆଣୁଥିଲା । ଏକଥା ପବନା, ହୁରୁଷି ଇତ୍ୟାଦିଙ୍କ ଆଖିରେ ପଡ଼ିଲା । ସେ କି ସହିବା ଲୋକ ! ଗଉଡ଼କୁ ଧରି ଆଚ୍ଛାକରି ମାଡ଼ ଦେଲେ । ଗଉଡ଼ ବିଚରା ନିରୀହ । କରିବ କ’ଣ ? ଆଜି ଏ ଗାଁର ଗାଈ ଜଗୁଛି । କାଲି ହୁଏତ ସେ ଗାଁର ଗାଈ ଜଗିପାରେ । ତା’ର ତେବେ ଦୋଷ କ’ଣ ? କିନ୍ତୁ ପବନା, ହୁରୁଷି ଇତ୍ୟାଦି ଯେ ପ୍ରତିହଂସା ଭିତରେ ଜଣେ ଜଣେ ଅମଣିଷ ହୋଇଗଲେଣି ସେଆଡ଼କୁ ତାଙ୍କର ଖିଆଲ ନାହିଁ । ମଣିଷ ମଣିଷ ମଧ୍ୟରେ ଈର୍ଷା, ଦ୍ୱେଷ, ହିଂସା, ହାଇରେ ମଣିଷ..... !

 

ଗଉଡ଼ ସେଦିନ ମାଡ଼ ଖାଇ ଘରକୁ ଫେରିଲା । କିନ୍ତୁ କଥାଟା ଅଧିକ ବାଧିଲା ମଲ୍ଲୀକାଶପୁରିଆଙ୍କୁ । ସେମାନଙ୍କ ହୃଦ ଭିତରେ କ୍ରୋଧବହ୍ନି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ସାଧୁଚରଣବାବୁ ସେ ସମୟକୁ ଗାଁରେ ନାହାନ୍ତି । ବସନ୍ତକୁମାର ଖୋର୍ଦ୍ଧାରେ । ତେଣୁ ରତନା, ବିଲୋଳ, ବରଜୁ, ଅନନ୍ତ ନିଜ ଇଚ୍ଛାରେ କାମ କରି ଚାଲିଲେ । ରାତିରାତି ଗାଁରେ ସଭା ବସିଲା । ରାତିରାତି ସେମାନେ ପଶିଲେ ଶ୍ୟାମସୁନ୍ଦରପୁରରେ । ଘରେ ଘରେ ପଶି ମାଡ଼ । ଠେଙ୍ଗା ବାଡ଼ି ମାଳମାଳ, ଫୌଜଦାରି ।

 

ପାହାନ୍ତା ପହରକୁ ଦୁଇ ଗାଁ ଭିତରେ ରକ୍ତର ସୁଅ ବହିଗଲା । କେତେ ଯେ ଖଣ୍ଡିଆଖାବରା ହେଲେ ଠିକଣା ନାଇଁ । କାର ହାତ ଭାଙ୍ଗିଲା, କାର ଗୋଡ଼ ଖଣ୍ଡିଆ ହେଲା, କାର ମୁଣ୍ଡ ଫାଟିଲା, କାର ଆଖି ଫୁଟିଲା । ଦିପହରବେଳକୁ ଦୁଇଗାଁ ଭିତରେ ବିଳାପର ଏକ କରୁଣଲହରୀ ଖେଳି ବୁଲିଲା । ଦୁଇଗାଁଯାକର ମରଦ ପୁଲିସ ଥାନାରେ ହାଜର ହେଲେ । ପୁଲିସ ମକଦ୍ଦମା ରୁଜୁ କଲା ।

 

ଏତିକିବେଳେ ରତନାର ମନେ ପଡ଼ିଲା ସାଧୁଚରଣଙ୍କ ଉପଦେଶ । କଳିଗୋଳର ପରିଣତିଟା କ’ଣ ? ମର୍ମନ୍ତୁଦ, ବ୍ୟଥାମୟ, କିନ୍ତୁ ହାୟ ଧରାର ମଣିଷ ଏଥିରୁ ନିବର୍ତ୍ତି ରହିପାରେନା-। କେଉଁ ଆଦିଯୁଗରୁ କଳିଗୋଳ ସୃଷ୍ଟି କରିଛି ମଣିଷ ମଣିଷ ଭିତରେ ଜାତିଭେଦ, ଉଚ୍ଚନୀଚର ଭାବ-। ଏହାରି ଭିତର ଦେଇ ଇତିହାସ ଗର୍ଭରେ ସୃଷ୍ଟି ହୋଇଛି ଶୌର୍ଯ୍ୟଶାଳୀ ସାମ୍ରାଜ୍ୟ–ପୁଣି ଏହାରି ଭିତରେ ବିଲୀନ ହୋଇ ଯାଇଛନ୍ତି ସେଗୁଡ଼ିକ ଗୋଟିକ ପରେ ଗୋଟିଏ । ଆଜି ସେଗୁଡ଼ିକର ଚିହ୍ନବର୍ଣ୍ଣ ନାଇଁ । ଅଛି କେବଳ ଇତିହାସ ବହିରେ କେତେଗୁଡ଼ିଏ କଳା କଳା ଲିପି ସେଗୁଡ଼ିକର ସାକ୍ଷୀ ହୋଇ । ରତନାର ଆଖି ଆଗରେ ସତେ ଯେପରି ଏଗୁଡ଼ିକ ମୂର୍ତ୍ତିମାନ୍ ହୋଇ ନାଚି ଉଠିଲା-

 

ଚାରିଦିନ ପରେ ସାଧୁଚରଣଙ୍କ କାନକୁ ଏକଥା ଗଲା । ସେ ପୁରୀରୁ ଗାଁକୁ ଆସିଲେ । ସେତେବେଳକୁ ମକଦ୍ଦମା ଚାଲିଥିଲା । ବନ୍ଦ କରିବାର କୌଣସି ଉପାୟ ନଥିଲା । ଆଗରୁ କଳେଇ ମକଦ୍ଦମା ଚାଲିଥିଲା । ବର୍ତ୍ତମାନ ଆଉ ଗୋଟିଏ । ଦୁଇ ଦୁଇଟା କେସ୍‍ର ଭାର । ସେ ନିରୁପାୟ ହୋଇ ଖୋର୍ଦ୍ଧା ଗଲେ । ସେଠାରେ ବସନ୍ତକୁମାରଙ୍କୁ ନିଜ ଗାଁ ତରଫ ମକଦ୍ଦମାର ଭାରଦେଇ ପୁରୀ ଫେରିଲେ ।

 

ଏଣେ ଶ୍ୟାମସୁନ୍ଦରପୁରର ଦାୟିତ୍ୱ ପଡ଼ିଥାଏ ଚୌଧୁରୀଙ୍କ ହାତରେ । ଚୌଧୁରୀଏ ଚପଳକୁ ସବୁ ବିଷୟ ବୁଝାଇ ଦେଇଥାନ୍ତି । ଓକିଲ ମୋହରିର ମହଲରେ ତାକୁ ପରିଚିତ କରାଇ ଦେଇଥାନ୍ତି । ସେ ସାମୟିକ ଏ କଥା ବୁଝେ । ଏପରି ଭାବରେ ଦୁଇଗାଁ ଭିତରେ ଦୁଇଦୁଇଟା ମକଦ୍ଦମା ଲାଗି ରହିଲା ।

 

ଦିନ ପରେ ଦିନ ଗଡ଼ି ଚାଲିଛି । ମାଧବାନନ୍ଦଙ୍କୁ ଦଶଦିନ ହେଲା ଜର । ଟିକିଏ ହେଲେ କମିବାକୁ ନାହିଁ । ଦି’ଦିଟା କବିରାଜ ଚିକିତ୍ସା କରୁଛନ୍ତି ଫଳ କିଛି ହେଉନାହିଁ । ଦିନକୁଦିନ ରୋଗର ମାତ୍ରା ବଢ଼ିଚାଲିଛି । କୋଟିଏ ପ୍ରାଣୀର ତତଲାଲୁହ ଯା ଉପରେ ପଡ଼ିଛି ତା’ ଉପରେ କି ଔଷଧ କାମ କରେ । ରୋଗ କେହି ଚିହ୍ନିପାରିଲେ ନାହିଁ । ରୋଗଶଯ୍ୟାରେ ଚୌଧୁରୀଙ୍କର ଏକମାସ ବିତିଗଲା । ଶେଷକୁ ଦିନେ ସନ୍ଧ୍ୟା ସମୟରେ ହଠାତ୍‌ ସେ ଅଚେତ ହୋଇଗଲେ । ପାଖରେ ପୁଅ ଚପଳ, ସ୍ତ୍ରୀ ଭାନୁମତୀ ଗାଁର ପବନା, ହୁରୁଷି, ମାଗା, ହରିଆ ବସିଥାଆନ୍ତି । କେତେ ସମୟ ଛିଞ୍ଚା ବିଞ୍ଚା ପରେ ତାଙ୍କର ସାମାନ୍ୟ ଚେତା ଆସିଲା । ପ୍ରଳାପରେ ସେ ଜୀବନର ସବୁଘଟଣା ଗାଇଗଲେ । ମଣିଷ ମଲାବେଳେ ସତ କହେ ପରା ।

 

କ୍ଷୀଣ ଗଳାରେ ମାଧବାନନ୍ଦ ପ୍ରଳାପ କରି ଲାଗିଛନ୍ତି–ଚପଳ, ମୋ ଜୀବନରେ କେତେ ନିରୀହ ଗରିବଙ୍କ ଘର ଡୁବାଇଛି କେତେ ଭୋକିଲାଙ୍କ ଖାଇବା ଦାନାରେ ଧୂଳି ଭରିଛି । କେତେ ଶୀତାର୍ତ୍ତଙ୍କ ଦେହରୁ ଶୀତଲୁଗା ଛଡ଼େଇ ନେଇଛି, ପବନା, ତୁମପରି ଅନେକ ଚାଷୀମୂଲିଆଙ୍କ ବିଲରୁ ପାଚିଲା କ୍ଷେତ ଅପହରଣ କରି ନେଇଛି, କେତେ ଚାଷୀଙ୍କୁ ଘରୁ ବାହାର କରି ଦେଇଛି....ଓଃ ଭାନୁ, ତୁମ କଥା ଶୁଣିନି, ତୁମ ମନା ମାନିନି, ସହଧର୍ମିଣୀ ବୋଲି ଦିନେ ତୁମ କଥାରଖିନି, ତା’ରି ପାପଫଳ ଆଜି ଭୋଗୁଛି....ଓଃ....ଓଃ ଚପଳ, କେତେ ମା’ଙ୍କ କୋଳରୁ ଶିଶୁକୁ ଛଡ଼ାଇ ନେଇଛି, କେତେ ନିଃସ୍ୱ ପରିବାରର ଜ୍ୱଳନ୍ତଦୀପ ଲିଭେଇ ଦେଇଛି ମୁଁ ମହାପାପୀ....ଓଃ...ଓଃ–ତାଙ୍କର ତୁଣ୍ଡ ଖନିମାରିଗଲା । କିଏସେ ସତେ ଯେପରି ତାଙ୍କ ଆଖିରୁ ସମସ୍ତ ଆଲୋକ ଛଡ଼େଇ ନେଲା–ସେ ଶୂନ୍ୟକୁ ଚାହିଁ ଚିତିହୋଇ ନିଶ୍ଚଳ ହେଲେ । ଦେହ ହାତ ଅବଶ, ପିଣ୍ଡରୁ ପ୍ରାଣବାୟୁଟିକ ଉଡ଼ିଗଲା ।

 

ପ୍ରାଣୀର ଭଲମନ୍ଦ ବାଣୀ

ମରଣ କାଳେ ତାହା ଜାଣି ।

 

ମାଧବାନନ୍ଦଙ୍କ ମୃତ୍ୟୁରେ ଆଖପାଖ ଗାଁର ସମସ୍ତ ଲୋକ ଆଶ୍ୱସ୍ତିରେ ନିଃଶ୍ୱାସ ମାଇଲେ । କାହା ପାଟିରୁ ଆହାପଦବି ବାହାରିବାର କିଏ ଶୁଣିନି ।

 

ଚୌଧୁରୀଙ୍କ ମୃତ୍ୟୁରେ ଦୁଃଖିତ ହେଲେ କେବଳ ଶ୍ୟାମସୁନ୍ଦରପୁରିଆ । ଦୁଇ ଦୁଇଟା ମକଦ୍ଦମା ତା’ର କାମ କରିବ କିଏ ? କିନ୍ତୁ ଚପଳ ବାପାଙ୍କର ଯୋଗ୍ୟ ଦାୟାଦରୂପେ ସେ କାମ ଏଣିକି ଚଳାଇଲେ–

 

ସେଦିନ କମଳ କଲେଜରୁ ଫେରୁ ଫେରୁ ସନ୍ଧ୍ୟା ହେଲା । କୋର୍ଟରୁ ଫେରି ଗୌରବାବୁ କମଳକୁ ନ ଦେଖି ବଡ଼ ଅସ୍ଥିର ହେଉଥାନ୍ତି । ପୂଜାରୀ ଭଗୀକି ପଚାରି ବୁଝିଲେ ସେ ଆସି ନାହିଁ । ମନଟା ତାଙ୍କର କାହିଁକି ଗୋଳେଇଘାଣ୍ଟି ହେଲା । ଚଉକିଟାଉପରେ କ’ଣ ଭାବି ବସିଛନ୍ତି କମଳ ଆସି ପହଞ୍ଚିଲା । ସବୁଦିନ ପରି ତା’ର ମୁହଁର ତେଜ ନାହିଁ । ମଉଳା ଫୁଲପରି ମଉଳି ଯାଇଛି । ମୁହଁରେ ବିଷାଦର ଚିହ୍ନ ପୂରିରହିଛି । ଗୌରବାବୁ ଡେରି ହେବାର କାରଣ ପଚାରିବାରୁ କମଳ ଧୀରେ ଧୀରେ ଖଣ୍ଡିଏ ଲଫାଫା ତାଙ୍କ ହାତକୁ ବଢ଼ାଇ ଦେଇ ମୁହଁକୁ ତଳକୁ ନୁଆଁଇ ଠିଆହୋଇ ରହିଲା । ଗୌରବାବୁ ଏ ସବୁର ଅର୍ଥ ବୁଝିପାରିଲେ ନାହିଁ । ଲଫାଫାଟା ଖୋଲି ପଢ଼ିଲେ । ସେଟା ଗୋଟିଏ ଶମନ । କୋର୍ଟର ତଲବ । ସେ ବିସ୍ମିତ ହେଲେ । କମଳ ପାଖକୁ ଶମନ । କାହିଁକି ଆସିଛି ସେ ବୁଝିପାରିଲେ ନାହିଁ । ପଚାରିଲେ–କମଳ, ଏ ସବୁ କ’ଣ ତ ମୁଁ ବୁଝିପାରୁନାହିଁ , କଥାଟା କ’ଣ କହିଲ ?

 

କମଳ ଭଗ୍ନଗଳାରେ କହିଲା; ତା’ ଲାଗି ଯେ ମୋର ଘରର ୪ଟି ପ୍ରାଣୀ ନିଆଶ୍ରିକ ହେବେ ସାର୍‌ । ବିଧବା ମା’, ପିତୃହୀନା ଦୁଇଟି ଭଉଣୀ ଆଉ ମୋର ସାନଭାଇକି ନେଇ ମୁଁ ଯେ କେଉଁ ସଂସାରରେ ମୁଣ୍ଡ ଗୁଞ୍ଜିବି–କିଛି ଭାବିପାରୁନି, ଆଜୀବନ ମୁଁ ଗୋଟେ ହତଭାଗା ସାର୍‌ । ମୋର ଭବିଷ୍ୟତ ଖାଲି ବିପଦମୟ । କମଳର ଆଖିରୁ ଥପଥପ ଲୁହ ଗଡ଼ିପଡ଼ିଲା ।

 

ଗୌରହରିବାବୁ ସବୁକଥା ଶୁଣୁଥିଲେ । କମଳର ଆଖିରେ ଲୁହ ଦେଖି ତାଙ୍କର ଆଖି ଛଳଛଳ ହେଲା । ସେ ପୁଣି ଥରେ ପଚାରିଲେ ତୁମ କଥାରୁ ମୁଁ ପୂରା ବୁଝିପାରୁନି । ଖୋଲିକରି କଥାଟା କୁହ । ଅଧୀର ହେଲେ ଲାଭ କ’ଣ ?

 

ଏ ସମ୍ୱାଦ ମୋତେ ବଳେ ବଳେ ଅଧୀର କରି ପକାଏ ସାର୍‌ । ଯେତେ ଚେଷ୍ଟା କଲେବି ମୁଁ ପାରେନି ଆଖିର ଲୁହ ବନ୍ଦ କରି । ସେ ବହୁତ ଦିନର କଥା । ଆଜିକୁ ଦୀର୍ଘ ଚାରିବର୍ଷ ହେଲାଣି । ବାପା ଆଖିବୁଜିଲାବେଳକୁ ଘରେ କିଛି ନଥିଲା । କୌଣସି ପ୍ରକାରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଚଳେଇ ନେଲି । ତା’ପରେ ଆସିଲା ମୋର ମାଟ୍ରିକ ପରୀକ୍ଷା । ହାତରେ ଅଧଲାଏ ନଥାଏ ସାର୍‌ । ମୋର ପୈତୃକ ସମ୍ପତ୍ତି ବୋଲି ଯେଉଁ ମାଟିର କୁଡ଼ିଆ ଖଣ୍ଡିକ ଥିଲା ତାକୁ ବନ୍ଧା ଦେଇ ମାଧବାନନ୍ଦ ଚୌଧୁରୀଙ୍କଠାରୁ ଶହେ ଟଙ୍କା ଆଣିଥିଲି । ସେ କଥା ମୋର ଆଜିସୁଦ୍ଧା ମନେ ଅଛି । ହାତରେ ପଇସାପତ୍ର ନାହିଁ ବୋଲି ସୁଝି ପାରିନି । ଏବେ ମାସକ ତଳେ ମାଧବାନନ୍ଦ ଆଖି ବୁଜିଲେ-। ତାଙ୍କ ପରେ ତାଙ୍କ ପୁଅ ଚପଳ ଘରର ମାଲିକ ହେଲେ । ମୋର ଛାତ୍ରଜୀବନର ଚିରଶତ୍ରୁ ସେ-। ବର୍ତ୍ତମାନ ମୋ ନାଁରେ ଏକହଜାର ଟଙ୍କାପାଇଁ ନାଲିଶ୍ କରିଛି । କ’ଣ କରିବି, କିଛି ଉପାୟ ପାଉନି-। ମୋର ଘର ଖଣ୍ଡକ ତ ଯିବ । ଭାଇଭଉଣୀଙ୍କୁ ନେଇ ମୁଁ ଯେ କେଉଁଠି ମୁଣ୍ଡ ଗୁଞ୍ଜିବି..... । କମଳ ପୁଣି ଥରେ କାନ୍ଦି ଉଠିଲା । କଥା ଅଧାରୁ ସରଳା ଆସି ପାଖରେ ଠିଆ ହେଲାଣି । ସେଆଡ଼କୁ ତା’ର ନଜର ନାହିଁ । କମଳର କଥା ଶୁଣି ସରଳାର ଆଖି ଲୁହ ଛଳଛଳ ହେଲା । ମଣିଷ ହୃଦୟ-। ଏକା ଉପାଦାନରେ ଗଢ଼ା । ଜଣକପାଇଁ ଆଉ ଜଣେ ନ କାନ୍ଦିବ ବା କିପରି ? ଯେଉଁଠି ସ୍ନେହର ପରଶ ଲାଗି ରହିଛି.... ।

 

ଗୌରବାବୁ ସେଠାରୁ ଉଠିପଡ଼ି ତାଙ୍କର ଅଫିସ୍ ରୁମ୍‌କୁ ଗଲେ ।

 

ସରଳା କମଳର ହାତ ଧରି ଖାଇବାକୁ ଡାକିଲା । କମଳ କିନ୍ତୁ କହିଲା–ସରଳା ! ତୁ ବୁଝିପାରିବୁନି ମୋର ହୃଦୟ ଆଜି କ’ଣ ହେଉଛି । ତୋରି ପରି ମୋର ଦୁଇଟି ଭଉଣୀଙ୍କ ମୁହଁରୁ ହସ ଶୁଖି ଯାଇଥିବ । ସେମାନେ କ’ଣ କରୁଥିବେ ? ବିଧବା ବୋଉର ତୁହାଇ ତୁହାଇ କୋହ ଉଠୁଥିବ । ପାଖରେ କେହି ନଥିବେ ଲୁହ ପୋଛି ଦେବାକୁ । ସରଳା ତୁ ସେ ଭିତର ଦେଇ ଗତି କରିନୁ । କ’ଣ ବା ବୁଝିବୁ ?

 

ଏତିକି କହିଲାବେଳେ ସରଳାର ଲୁହଭରା ମୁହଁଟି ତଳକୁ ନଇଁଗଲା । କମଳ ତା’ ଆଡ଼କୁ ଚାହିଁ ରହିଲା, ସ୍ନେହର ମଧୁର ଦୃଷ୍ଟିଢାଳି । ଦୁହିଁଙ୍କର ଚାରିଟି ଆଖି ଏକ ସମୟରେ ଛଳଛଳ ହୋଇ ଉଠିଲା । କମଳ ସରଳା ମଥାରେ ହାତ ବୁଲାଇ କହିଲା ସରଳା, ବାସ୍ତବରେ ତୁ ସରଳା । ହଉ, ମୁଁ ଆଜି ଖାଇବି ନାହିଁ । ମୋର ମନଟା କାହିଁକି ଗୋଳେଇଘାଣ୍ଟି ହେଉଛି । ତୁ ଯା ଖାଇ ପକାଇବୁ ।

 

ନା କମଳଭାଇ, ତୁମେ ନ ଖାଇଲେ ମୁଁ ଖାଇବି ନାହିଁ । ତୁମ ଦୁଃଖରେ ମୁଁ କ’ଣ ଭାଗୀ ନୁହେଁ । ସରଳା ନରମ ଗଳାରେ କହିଲା । କମଳ ମନକୁ ମନ କ’ଣ ଭାବି ଖାଇବାକୁ ଗଲା । କିନ୍ତୁ ଖାଇବାକୁ ତା’ର ଆଦୌ ଇଚ୍ଛା ନଥାଏ । କ’ଣ ଦି’ଟା ଖାଇ ଦେଇ ଚାଲି ଆସିଲା ।

 

ଏଣେ ଅଫିସ୍‌ ରୁମ୍‌ରେ ବସି ଗୌରବାବୁ ବହିଖଣ୍ଡିକର ପୃଷ୍ଠା ଲେଉଟାଉ ଲେଉଟାଉ ଆକାଶପାତାଳ ଚିନ୍ତା କରୁଥାନ୍ତି । ତାଙ୍କର ମନମୁତାବକ ପାତ୍ରଟିଏ ସେ ପାଇଛନ୍ତି । ତା’ର ଦୁଃଖରେ ସେ ଆଜି ନିଜେ ଦୁଃଖିତ । କୌଣସି ରକମର କେସ୍‍ଟା ନିଜ ହାତକୁ ନେଇ ବୁଝାସୁଝା କରିବେ ବୋଲି ଚିନ୍ତା କରୁଥାନ୍ତି । ଘଡ଼ିକ ପରେ କମଳକୁ ପାଖକୁ ଡାକି କହିଲେ–ଦେଖ କମଳ, ତୁମେ ଏ ବିଷୟରେ ଆଦୌ ଅଧୀର ହୁଅନାହିଁ । ପଢ଼ାପଢ଼ିରେ ମନ ଦିଅ । ମୁଁ ନିଜେ କେସ୍‍ଟା ହାତକୁ ନେଉଛି । ଦେଖିବା, ଲଢ଼ୁ ଲଢ଼ୁ ଯଦି ନହୁଏ ତେବେ ହଜାରଟଙ୍କା ମୁଁ ଦେଇଦେବି । ଦୁଃଖ କରିବାର କୌଣସି କାରଣ ନାହିଁ ।

 

ନାଇଁ ସାର୍‌, ଦୁଃଖ କରନ୍ତି ବା ନ କରନ୍ତି ! ଶହେଟଙ୍କା ସ୍ଥଳରେ ସେ ଯେ ହଜାରେଟଙ୍କା ପାଇଁ ନାଲିଶ୍‍ କରିଛି, ସେଇଟାହିଁ ମନକୁ ଅଧିକ ଦୁଃଖହେଉଛି । ମଣିଷ ଏପରି ଅନ୍ୟାୟ କରିପାରେ ? ମୁଁ ଆଶ୍ଚର୍ଯ୍ୟ ହୁଏ ସାର୍‌ । ଆଜିର ବିଜ୍ଞାନ ଯୁଗରେ ପୃଥିବୀ ପ୍ରତି ମୁହୂର୍ତ୍ତରେ ବଦଳି ଯାଉଛି, ନୂଆ ନୂଆ ଆବିଷ୍କାର ଉଦ୍ଭାବନ ଲାଗି ରହିଛି ହେଲେ ମଣିଷ ପ୍ରକୃତିଟାର ତ କାହିଁ କିଛି ପରିବର୍ତ୍ତନ ଦେଖା ଯାଉନି.... ।

 

ତୁମେ ସେ ସବୁ ବୁଝିପାରିବନି କମଳ । ପୃଥିବୀ ଯେତେ ବଦଳିଲେ ମଧ୍ୟ ମଣିଷର ଏ ବର୍ବର ପ୍ରକୃତି କଦାପି ବଦଳିବ ନାହିଁ । ଏଇଟା ତା’ର ସହଜାତ ପ୍ରକୃତି । ଏଇଥିଲାଗି ତ ଆଜି ପଲ୍ଲୀଭୂମି ଛାରଖାର ହେଉଛି । ଲକ୍ଷ ଲକ୍ଷ ପଲ୍ଲୀବାସୀ ଆସାମର ଚା’ ବଗିଚାରେ କୁଲିଗିରି କରି କରି ଶେଷରେ କେଉଁଠି କିଏ ବା ଉପାୟ ନ ପାଇ ରେଲଲାଇନ୍‌ ତଳେ ଆଖି ବୁଜୁଛନ୍ତି, କିଏ ବା କାଳିମାଟିରେ ମାଟି ହାଣି ହାଣି ମାଟିରେ ମିଶୁଛନ୍ତି । କିଏ ବା କାରଖାନାର ଲେଲିହାନ ଧୂଆଁ ଭିତରେ ଧୂଆଁ ହୋଇ ଆକାଶରେ ମିଶୁଛନ୍ତି । ଏଇତ ଗାଁ ଗହଳ ମଣିଷର ପରିଣତି–କାଲି ଯେଉଁ ପଲ୍ଲୀଲକ୍ଷ୍ମୀ ଏଇମାନଙ୍କୁ କୋଳରେ ଧରି ହସି ଉଠୁଥିଲେ, ଆଜି ସେ ହସ ଟିକକ ତାଙ୍କ ଅଧରରୁ ଶୁଖିଯାଇଛି । ଗାଁ ଗାଁକେ ଖାଲି ଦେଖିବ ଡିହ–ଡିହ, ଖଣ୍ଡିଆକାନ୍ଥ, ଭଙ୍ଗାଚାଳ । କେଉଁଠି ଡିହରେ ବିଲୁଆ ବସାକଲେଣି, କେଉଁଠି ଡିହ କିଆବଣ ହେଲାଣି, କେଉଁଠି ଡିହରେ ଦୁଦୁରା ଉଠିଲାଣି । ଗାଁ ଗାଁରେ ପୂରିରହିଛି କେବଳ ଦୁଃଖ ଓ ବିଷାଦର ଏକ ବିରାଟ ଆବରଣ । ସେଇ ନଗ୍ନ ଆବରଣରେ ଛନ୍ଦି ହୋଇ ମଣିଗୁଡ଼ାକ ପୋକମାଛି ପରି ଶଢ଼ୁଛନ୍ତି । ଜୀବନର ବର୍ତ୍ତମାନ ନାଇଁ, ଭବିଷ୍ୟତ ନାଇଁ–ନିଃସ୍ୱ, ଦୁର୍ବଳ କାଙ୍ଗାଳ, ନିରନ୍ନ, ବସ୍ତ୍ରହୀନ, ଅସହାୟ, ଅଭିଶପ୍ତ..... ।

 

ଏ ସବୁ କାହିଁକି ହୁଏ ଜାଣ କମଳ ? କେବଳ ଚପଳ ପରି, ‘‘ମାଧବାନନ୍ଦ ପରି ମଣିଷହିଁ ଏଇଥିପାଇଁ ଦାୟୀ, ନୁହେଁକି ?’’

 

ହଁ ସାର୍‌ । ବାସ୍ତବିକ ଏହାହିଁ ନିରାଟସତ । ଗାଁ ଗହଳରେ ଲୁଚିରହି ଯେଉଁମାନେ ମଣିଷ ବେକରେ ଛୁରି ଦେଇ ତାଙ୍କରି ଲହୁ ଲୁହରେ ନିଜର ବିଳାସବ୍ୟସନ ବଢ଼େଇ ଚାଲିଛନ୍ତି ସେମାନେ କ’ଣ ମଣିଷ ? ସେଇଠି ତ ସ୍ୱର୍ଗ ଆଉ ନର୍କର ତଫାତ୍‌ ।

 

ସେ ଯାହାହେଉ କମଳ, ତୁମେ ନିଜେ ଯଦି ସତ୍‌ପଥରେ ଥିବ, ଦୁନିଆ ବଜାରରେ ତୁମକୁ କେହି ପ୍ରତାରିତ କରିପାରିବେ ନାହିଁ । ମୁଁ ଦେଖୁଛି ତୁମପରି ସରଳ ଲୋକକୁ ଯେ ଠକିବାକୁ ଚେଷ୍ଟାକରେ ସେ ଆଉ ମଣିଷକୁ ନ କରୁଥିବ ବା କ’ଣ ? ହେଉ ତୁମେ ମନ ଖରାପ କର ନାହିଁ । ମୁଁ କେସ୍‍ର ଦାୟିତ୍ୱ ନେଉଛି ।

 

ଏତିକିବେଳକୁ କାନ୍ଥର ଘଡ଼ିରେ ବାଜିଉଠିଲା ଠନ୍‌ ଠନ୍‌ ହୋଇ ଏଗାର । ଗୌରବାବୁ କମଳକୁ ଶୋଇବାକୁ ପଠାଇ ଦେଲେ ତା’ର ନିଜ ରୁମ୍‌କୁ । ନିଜେ ବିଛଣାପାରି ଶୋଇଗଲେ... ।

 

ଖୋର୍ଦ୍ଧାର ଗୋଟିଏ କଚାସଡ଼କ । ବହୁଦୂରକୁ ସର୍ପିଳ ଗତିରେ ଲମ୍ୱିଯାଇଛି, ଆଖିପାଏନା । ସଡ଼କ ଦୁଇକଡ଼ରେ ଧାଡ଼ି ଧାଡ଼ି କରି, ଖଜୁରି ଗଛ ଠିଆ ହୋଇଛି । ସ୍ଥାନେ ସ୍ଥାନେ ଛୋଟ ବୁଦାଲଟା, ବୁଦବୁଦିକିଆ ଜଙ୍ଗଲ । ଘଣ୍ଟେ, ଅଧଘଣ୍ଟେ ବାଦ କିଏ କିମିତି ଜଣେ ଅଧେ ସାଇକଲ୍‌ଧରି ସେ ବାଟରେ ଚାଲିଯାଉଛନ୍ତି । ରାସ୍ତା ବିଲ୍‌କୁଲ୍ ନିଜନ, ନୀରବ । ଆକାଶରେ ସପ୍ତମୀଚନ୍ଦ୍ର ରୁପାର ଜୁଆର ଢାଳି ଦେଇଛନ୍ତି । ଧରଣୀ ପ୍ରଶାନ୍ତ । ରାସ୍ତା ଉପରେ ବରଗଛର ଲମ୍ୱା ଲମ୍ୱା ଝଙ୍କାଳିଆ ଛାଇ ପବନର ଛନ୍ଦଭରା ଶୀତଳ ସ୍ପର୍ଶରେ ଦୋହଲି ପଡ଼ୁଛି–ପତ୍ରଗହଳର ଫାଙ୍କବାଟେ ଠାଏଠାଏ ଢେଉଢ଼େଉକା ଧଳାକିରଣ ରାସ୍ତା ଉପରେ ବିଛେଇ ହୋଇ ପଡ଼ିଛି । ଅଦୂରରେ ଗୋଟିଏ ପୋଲ । ପୋଲ ତଳେ ଗୋଟିଏ ଛୋଟିଆ ନାଳ କୁଳୁକୁଳୁ ହୋଇ ବହିଯାଉଛି-। ବସନ୍ତ ଚାଲି ଚାଲି ଯାଇ ସେଇ ପୋଲ ଉପରେ ବସିଲେ । ମନ ଭିତରେ ଅଶାନ୍ତିର ବାତ୍ୟା ଦ୍ରୁତ ବେଗରେ ଛୁଟି ଚାଲିଛି । ପ୍ରକୃତିର ରଜତ ରଜନୀ ତାଙ୍କ ପ୍ରାଣରେ ଅତୀତର ସବୁକଥା କହିଯାଉଛି-। ରାତ୍ରିର ନିରବତା ଘନେଇ ଆସୁଛି । ଗାଁର ଅଳ୍ପ କେଇଦିନର କଥା ଗୋଟି ଗୋଟି ହୋଇ ମନେ ପଡ଼ୁଛି । ବାପାଙ୍କର ଚାକିରିର ପ୍ରଥମ ଦିନର ଚିଠିଟା ସତେ ଯେପରି ମୂର୍ତ୍ତିମାନ୍‌ ହୋଇ ତାଙ୍କ ଆଖିଆଗରେ ନାଚିଉଠୁଛି । ମୋର ଇଚ୍ଛା ତୁ ଚାକିରି କରନା ଚାକିରିର ଦାୟିତ୍ୱ ତୁ ବୁଝିନୁ, ତୁ ଅନୁଭବ କରିନୁ ତା’ର ଅଶାନ୍ତି କୁହେଳିକା । ଥରେ ସେଥିରେ ମୁଣ୍ଡପୂରାଇଲେ ବୁଝିବୁ ସେ କିଭଳି ଜିନିଷ ।’’ ଏ କଥାଗୁଡ଼ାକ ତାଙ୍କ ଅନ୍ତର ଭିତରେ ବାରମ୍ୱାର ପ୍ରତିଧ୍ୱନିତ ହୋଇଉଠୁଛି-। ମନ ବେଳକୁବେଳ ଅସ୍ଥିର, ଆନ୍ଦୋଳିତ, ଅଧୀର ହୋଇ ପଡ଼ୁଛି ।

 

ଚାକିରି କରିବାର ବହୁଦିନ ପରେ ଆଜି ତାଙ୍କ ହୃଦୟରେ ଆସିଛି ଅବସୋସ, ପରିବର୍ତ୍ତନ । ଗାଁର ଶାନ୍ତିମୟ ଜୀବନ ଆଗରେ ଚାକିରିର ଦୁର୍ବିସହ ଜୀବନ କିଭଳି ବ୍ୟଥାମୟ ସେ ଆଜି ମର୍ମେ ମର୍ମେ ଅନୁଭବ କରିଛନ୍ତି । ଗାଁର ପ୍ରାଣଭରା ମଧୁର ଜୀବନ ସତେ ଯେପରି ତାଙ୍କୁ ହାତଠାରି ଆହ୍ୱାନ କରୁଛି, ସତେ ଯେପରି ତା’ର ଶୀତଳ କୋଳକୁ ଟାଣି ନେବାକୁ ଚେଷ୍ଟାକରୁଛି । ତାଙ୍କ ପ୍ରାଣ ଉଦ୍‌ବେଗରେ ଉଦ୍‌ବେଳି ଉଠୁଛି । କାହିଁକି ସେ ଚାକିରି କଲେ ଏ କଥାଟା ଭାବି ଭାବି ମୁଣ୍ଡଟା ଭାରୀ ହୋଇଗଲାଣି । ଗାଁର ସକଳ ମୋହ ମମତା, ଗାଁ ମାଟିରମାୟା ତାଙ୍କୁ ଅଧିକ ବିଚଳିତ କରି ଦେଉଛି । ଗାଁର ନଈ ନାଳ ବିଲ ବନ ସବୁ ଯେପରି ତାଙ୍କ ଆଖି ଆଗରେ ନାଚିଉଠୁଛି । ଗାଁ ଆମ୍ୱତୋଟାର କଳା କୋଇଲିଟି ସତେ ଯେପରି ତାଙ୍କ କାନ ପାଖରେ ଗାଇ ଉଠୁଛି ଜୀବନର ପ୍ରାଣଖୋଲା ସ୍ୱାଧୀନ ସଙ୍ଗୀତ–ମୁଁ ମୁକ୍ତ–ମୁଁ ମୁକ୍ତ–ମୁଁ ସ୍ୱାଧୀନ–ତୁମେ ପରାଧୀନ ପରର ଗୋଲାମ । ବସନ୍ତକୁମାରଙ୍କ ଆଖିରୁ ଝରିପଡ଼ୁଛି ଧାରାଶ୍ରାବଣର ବାରି ଧାରାପରି ଲୁହଧାର–ଇଚ୍ଛା ହେଉଛି–ଏଇ ମୁହୂର୍ତ୍ତରୁ ଚାକିରି ଛାଡ଼ି ଗାଁକୁ ଚାଲିଯିବେ । ସେଠାରେ ଶାନ୍ତିରେ ଆନନ୍ଦରେ ଜୀବନଟା କାଟିବେ । ଏ ସବୁ କଥା ଭାବି ଭାବି ସେ ବଡ଼ ଅଧୀର ହୋଇ ପଡ଼ୁଥାନ୍ତି । ଠିକ୍‌ କଲେ, ଗାଁ ମାଟିକୁ ପୁଣିଥରେ ଫେରି ଯିବେ । ଚାକିରି ଛାଡ଼ିବେ । ଭୁଲପାଇଁ ବାପାଙ୍କଠାରୁ କ୍ଷମା ମାଗି ନେବେ ।

 

ପୁଣିଥରେ ମନରେ ଆଉ ଏକ କଥା ଉଙ୍କି ମାରିଲା । ତାଙ୍କରି ସାମ୍ନାରେ ପଡ଼ିରହିଛି ଦୁଇଦୁଇଟା ମକଦ୍ଦମାର ଦାୟିତ୍ୱ । କିଛିକ୍ଷଣ ପରେ ସ୍ଥିର କଲେ ମକଦ୍ଦମାଗୁଡ଼ିକ ଆପୋସ ମିଳାମିଶା କରିଦେବାକୁ ଚେଷ୍ଟା କରିବେ । କିନ୍ତୁ ପରେ ଭାବିଲେ, ତାଙ୍କ କଥା ଅବା ରଖିବ କିଏ ? ସେମାନେ ଯେ ମକଦ୍ଦମା ମୋହରେ ଅନ୍ଧ । ଜାଣିପାରନ୍ତିନି ମଶା ରକ୍ତ ଶୋଷିଲାପରି ଓକିଲ ମୋହରିର, ମାମଲତ୍‍କାର, ହାକିମହୁକୁମା କିପରି ତାଙ୍କର ରକ୍ତ ଶୋଷି ନିଅନ୍ତି । ମନରେ ତାଙ୍କର ଆହୁରି ଆନ୍ଦୋଳନ ସୃଷ୍ଟି ହେଲା । କୌଣସି ଗୋଟିକର ସମାଧାନ ସେ ପାଇଲେ ନାହିଁ । ସେତେବେଳକୁ ସପ୍ତମୀଚନ୍ଦ୍ର ପଶ୍ଚିମଦିଗନ୍ତରେ କ୍ଷୀଣ ହୋଇ ଆସୁଥିଲେ । ଧୀରେ ଧୀରେ ବସନ୍ତକୁମାର ବସାଆଡ଼େ ଏକାକୀ ଫେରିଲେ । ତା’ ପରଦିନ ଦଶଟାରେ ବସନ୍ତକୁମାର ଅଫିସ୍‍କୁ ଗଲେ । ମନରେ ତାଙ୍କର ଚାକିରି ପ୍ରତି ବିତୃଷ୍ଣା ପୂରି ରହିଥାଏ । ମୁହଁରେ ମଧ୍ୟ ବିରାଗର ଆଭାସ ଚାକିରି ପ୍ରତି ସତେ ଯେପରି ଆଉ ମମତା ନାଇଁ । ଶୁଷ୍କମନରେ ଚୌକି ଉପରେ ବସି ପଡ଼ିଲେ । ଅଫିସ୍ କାମରେ ମନ ନଥାଏ । କାଗଜ ଖଣ୍ଡେ ଧରି ବାପାଙ୍କ ପାଖକୁ ଚିଠି ଲେଖିଲେ ।

 

ଖୋର୍ଦ୍ଧା

 

ପୂଜ୍ୟପାଦ ବାପା,

 

ମୋର ନମସ୍କାର ଗ୍ରହଣ କରିବ । ତୁମ କଥାକୁ ଆଡ଼େଇ ଦେଇ ମୁଁ ଜୀବନରେ ବହୁତ ଅବସୋସ ପାଇଲିଣି । ଆଜି ମୋର ମନରେ ସେଇ ଗତ ଚିଠିଟା ବାରମ୍ୱାର ଆଘାତ କରୁଛି । ମୁଁ ତୁମ କଥାକୁ ଅବମାନନା କରି ଯେଉଁ ଭୁଲଟା କରି ପକାଇଛି ତା’ର କ’ଣ କ୍ଷମାନାହିଁ ? କ୍ଷମା କରିବ ବାପା, ଜୀବନରେ ଏଣିକି ତୁମ କଥାରୁ ତିଳେହେଲେ ଆଡ଼େଇ ହେବି ନାହିଁ । ମୁଁ ଆଜି ପ୍ରାଣେ ପ୍ରାଣେ ଅନୁଭବ କରିଛି ଚାକିରିର ଦାୟିତ୍ୱ କିଭଳି ଅସହନୀୟ । ମଣିଷ ପ୍ରତି ସେ କିପରି ଭଗବାନଙ୍କର ଅଶାନ୍ତି ଅଭିଶାପ । ଗାଁର ଶାନ୍ତିମୟ ଜୀବନ ଆଗରେ ଚାକିରିର ଅର୍ଥପୂର୍ଣ୍ଣ ଜୀବନ କିପରି ଦୁର୍ବିସହ । ଗାଁର ଶାଗଭାତ ଆଗରେ ଚାକିରି ଜୀବନର ମାଛ, ମାଂସ କେତେ ବିଷମୟ, ଅସ୍ୱାଦ । ମୁଁ ଆଜି ବୁଝିଛି ଚାକିରି କିପରି ମଣିଷର ବ୍ୟକ୍ତିତ୍ୱକୁ ଦଳି ଦିଏ । ସେଥିଲାଗି ମୋର ଚାକିରି ପ୍ରତି ପୂର୍ଣ୍ଣ ବିରାଗ ଜନ୍ମିଛି । ବାପା, ମୁଁ ଇଚ୍ଛା କରୁଛି ଚାକିରି ଛାଡ଼ି ଗାଁକୁ ଚାଲିଯିବି । ଗାଁ ମାଟିର ସେବାରେ ଜୀବନଟା ନିୟୋଗ କରିବି ।

 

ଆଉ ଗୋଟିଏ କଥା, ତୁମକୁ ତୁମର ପ୍ରାଣକୁ ଆଘାତ ଲାଗିପାରେ କିନ୍ତୁ ମୁଁ ଅନୁରୋଧ କରେ ତୁମେ ମୋ କଥାରେ ଏକମତ ହେବ । ମୋର ଭବିଷ୍ୟତ କର୍ମମୟ ଜୀବନପାଇଁ ମୁଁ ଚିରକୁମାର ବ୍ରତ ଅବଲମ୍ୱନ କରିବି ବୋଲି ଠିକ୍‌ କରିଛି । ତୁମେ ଯେପରି ଏଥିରେ ସମ୍ମତ ହୁଅ । ତୁମେ ତ ଦେଖୁଛ ଶ୍ୟାମସୁନ୍ଦରପୁରର ରଙ୍କ, ମାଗା, ହୁରୁଷି ଇତ୍ୟାଦି ଟଙ୍କାଲାଗି କେତେ ହନ୍ତସନ୍ତ ହେଉଛନ୍ତି । ମାଟିକାମକୁ ଯାଇ ମୁଣ୍ଡଝାଳ ତୁଣ୍ଡରେ ମାରି ମାଟି ବୋହି ବୋହି ଟଙ୍କା ଆଣି ମକଦ୍ଦମା ଚାନ୍ଦା ଦେଉଛନ୍ତି । ଘରେ ହୁଏତ ପୁଅ ମାଇପ ଉପାସ ଭୋକରେ କଣ୍ଟା ହେଲେଣି । ମୁଁ ଏସବୁ ଜାଣିପାରୁଛି ତେଣୁ ଭାବୁଛି କୌଣସି ରକମର ଦୁଇ ଗାଁ ଭିତରେ ମକଦ୍ଦମାଗୁଡ଼ିକ ଆପୋସରେ ମୀମାଂସା କରିବାକୁ ଚେଷ୍ଟା କରିବି । ତେଣିକି ଯାହା ହେବ । ଏଥିରେ ତୁମର ଇଚ୍ଛା କ’ଣ ଲେଖିବ-। ସୁଧାକୁ ଆଶୀର୍ବାଦ ଦେବ । ଇତି ।

 

ତୁମର ଆଶୀର୍ବାଦାର୍ହ

ବସନ୍ତ

 

ଚିଠିଟି ଲେଖିସାରି ବସନ୍ତ ଲଫାଫା ଭିତରେ ପୂରେଇ ଦେଲେ । ଲଫାଫାଟା ବନ୍ଦକରି ପିଅନକୁ ଡାକି ଲେଟର୍‌ ବକ୍‌ସରେ ଚିଠିଟା ପକେଇ ଆସିବାକୁ କହୁଛନ୍ତି ଏ ସମୟରେ ତାଙ୍କର ସହକର୍ମୀ ନରେନ୍ଦ୍ରବାବୁ ପାଖରେ ଆସି ପହଞ୍ଚିଲେ । ଟେବୁଲପାଖ ଚୌକିଉପରେ ବସିପଡ଼ି ସେ କହିଲେ–କିହୋ ବସନ୍ତବାବୁ ଆଜି କ’ଣ ମନଖରାପ ହେଲାପରି ଜଣାଯାଉଛି ? କ’ଣ ହୋଇଛି କି-?

 

ବସନ୍ତକୁମାର କୃତ୍ରିମ ହସଟାଏ ହସି କହିଲେ–ନାଁ ନରେନ୍ଦ୍ରବାବୁ ସେପରି କିଛିନୁହେଁ । ଚିଠି ଖଣ୍ଡିଏ ଲେଖିବାରେ ଟିକିଏ ବ୍ୟସ୍ତଥିଲି ।

ଏ ଭିତରେ ପିଅନ ଚିଠିଟା ପକେଇ ଆସିଲା । ତା’ ପରେ ପରେ ପୋଷ୍ଟ୍‍ମ୍ୟାନ୍‌ ଅଫିସ୍ ଚିଠି ଧରି ପହଞ୍ଚିଲା । ଅଫିସ୍‍ର ସମସ୍ତ ଚିଠି ବସନ୍ତକୁମାରଙ୍କ ହାତକୁ ବଢ଼େଇ ଦେଇ ସେ ଚାଲିଗଲା । ବସନ୍ତକୁମାର ସବୁ ଚିଠିର ଉପର ଠିକଣା ପଢ଼ିଗଲେ । ତା’ ଭିତରେ ତାଙ୍କର ନିଜର ଖଣ୍ଡିଏ ଚିଠି ଥିଲା । ଉଦ୍‌ବେଗର ସହିତ ସେ ଚିଠିଟି ଖୋଲି ପଢ଼ିଲେ । ଚିଠିଟି କମଳ ଦେଇଥିଲା । ସେଥିରେ ଲେଖାଥିଲା–

ମାନନୀୟ ବସନ୍ତ ଭାଇ, କଟକ

ନମସ୍କାର । ବହୁଦିନ ପରେ ଆଜି ତୁମ ପାଖକୁ ଚିଠିଟିଏ ଲେଖୁଛି । କ’ଣ ବା ଲେଖିବି କିଛି ଠିକ୍‌ କରି ପାରୁନାହିଁ । ମୋ ଜୀବନର ଇତିହାସ ତୁମେତ ଜାଣ । ଜନ୍ମଠାରୁ ଆଜିପର୍ଯ୍ୟନ୍ତ ସେ ଦଶା ମୋ କପାଳରୁ ଘୁଞ୍ଚିଲା ନାହିଁ । ତୁମେ ଭଲରୂପେ ଚପଳକୁ ଚିହ୍ନ ସେ ମୋର ପିଲାଦିନର ଶତ୍ରୁ-। ମାଧବାନନ୍ଦଙ୍କ ଅନ୍ତେ ତାଙ୍କ କୀର୍ତ୍ତି ରଖିବାକୁ ବାହାରିଲେ ଚପଳବାବୁ । ସେ ଯାହାହେଉ, ମୁଁ ମାଟ୍ରିକପରୀକ୍ଷାବେଳେ ମାଧବାନନ୍ଦଙ୍କୁ ଘର ଖଣ୍ଡିକ ବନ୍ଧକ ଲେଖିଦେଇ ଶହେଟଙ୍କା କରଜ ଆଣିଥିଲି, ତୁମେ ସେକଥା ଜାଣ । ମାସକ ତଳେ ଚପଳ ଶହକସ୍ଥଳେ ଏକହଜାରଟଙ୍କା ପାଇଁ ମୋ ନାଁରେ ନାଲିଶ୍ କରିଥିଲା । ଗୌରବାବୁ ମୋପାଇଁ ବହୁତ ଲଢ଼ିଲେ । କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା । ପରିଶେଷରେ ହଜାରେଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଲେ । ପାଖରେ ଟଙ୍କା ନଥିଲା ତେଣୁ ସେହି ମୁହୂର୍ତ୍ତରେ ଦେଇପାରି ନଥିଲେ । ତଥାପି କୌଣସି ଫଳ ହେଲାନାହିଁ-। ମୋର ଘରଖଣ୍ଡିକ ଡିଗ୍ରୀ କରାଗଲା । ବର୍ତ୍ତମାନ ଚପଳକୁ ମୋର ଘରଖଣ୍ଡିକ ଛାଡ଼ିଦେବାକୁ ପଡ଼ିବ-। ମୁଁ ଯେ ମୋର ଦୁଇଟି ଭଉଣୀ, ଛୋଟଭାଇ ଓ ବିଧବା ମା’ଙ୍କୁ ନେଇ କେଉଁଠି ମୁଣ୍ଡଗୁଞ୍ଜିବି କିଛି ଠିକ୍‌ କରି ପାରୁନି । କେବଳ ଗୌରବାବୁ ଯାହା ମୋତେ ଦମ୍ଭ ଦେଉଛନ୍ତି । ତାଙ୍କ ଘରେ ମୋତେ ଆଶ୍ରୟ ଦେବେ ବୋଲି କହିଛନ୍ତି । ତେଣୁ ମୁଁ ଏହି ଦୁଇଦିନ ଭିତରେ ଗାଁକୁ ଯାଇ ପିଲାମାନଙ୍କୁ ଏଠାକୁ ନେଇ ଆସିବି । ତୁମଘରର ମାୟା ମୋତେ ଆଜିଠାରୁ ଛିଣ୍ଡାଇବାକୁ ପଡ଼ିବ, ହେଉ, ଯାହା ଭଗବାନଙ୍କର ଇଚ୍ଛା । ମୋ ପ୍ରତି ଟିକିଏ ଦୟା ରଖିଥିବ ।

। ଇତି ।

ତୁମର

ଅଭାଗା

କମଳ

ଚିଠି ପଢ଼ିସାରି ବସନ୍ତକୁମାର ବଡ଼ ଅସ୍ଥିର ହେଲେ । ଅଫିସ୍ କାମରେ ତାଙ୍କର ଆଦୌ ମନ ଲାଗିଲା ନାହିଁ । ଆଖିରୁ ଲୁହର ଝରଣା ଛୁଟି ଚାଲିଲା । ସେ ସାଙ୍ଗେ ସାଙ୍ଗେ ଅଫିସ୍ ଛାଡ଼ି ବସାକୁ ଫେରି ଆସିଲେ ।

ପୁରୀ ସାଗରବେଳା । ପଶ୍ଚିମ ଆକାଶର ଦିଗଚକ୍ର ତଳେ ଲୋହିତ ଅରୁଣ ଧୀରେ ଧୀରେ ନୋଇଁ ଯାଉଛନ୍ତି, ଠିକ୍‌ ଯେପରି ଏକ ଜଳନ୍ତା ନିଆଁ ପିଣ୍ଡୁଳା ବର୍ତ୍ତୁଳାକାର । ଫେନିଳ ଜଳରାଶି ଉପରେ ଉଛୁଳି ପଡ଼ୁଛି ସୁନାର କୁସୁମ ସମ୍ଭାର । ସାଗରର ବୁକୁ ଫଟାଇ ଜୁଆର ଉପରେ ଜୁଆରେ ଉଠୁଛି–ଢେଉଢ଼େଉକା ଜଳ ଉପରେ କେଉଁଠି କିମିତି ଗୋଟିଏ ଗୋଟିଏ ନୌକା ଉଠପଡ଼ ହେଉଛି । ତା’ ଭିତରେ ଜଣେ ଅଧେ ମଣିଷ ଆହୁଲା ଧରି ଏପାଖ ସେପାଖ କରୁଛନ୍ତି । ତଟ ଦେଶରେ ଦଳଦଳ ତରୁଣ ତରୁଣୀ ପଦଚାରଣ କରୁଛନ୍ତି । କିଏ ବାଲି ଗଦା ଉପରେ ବସି ପବନ ଖାଉଚି, କିଏ ସନ୍ତସନ୍ତିଆ ସ୍ନିଗ୍ଧ ବେଳାରୁ ଚିତ୍ରବିଚିତ୍ର ଶାମୁକା ଗୋଟେଇବାରେ ବ୍ୟସ୍ତ । କିଏ ବା ବଂଶୀଟିଏ ହାତରେ ଧରି ସାଗର ଲହରୀର ସ୍ୱର ସାଥିରେ ବଂଶୀର ସ୍ୱର ମିଶାଇ ଦେଉଛି । ସମ୍ମୁଖରେ ନୀଳସାଗର ନୀଳଜଳ, ଆଖି ଝଲସି ଉଠେ ।

ସମୁଦ୍ର କୂଳର ଧାଡ଼ି ଧାଡ଼ି ବତିଖୁଣ୍ଟରେ ଆଲୁଅ ଜଳି ଉଠିଲାଣି । ସେଇ ବତିଖୁଣ୍ଟ ତଳେ ସୁଧାଂଶୁ କ’ଣ ଭାବି ବସି ରହିଛି ଏକାକୀ । ସାଗରର ଅସୀମ ଢେଉ ଭିତରେ ତା’ର ଭାବନାର ଢେଉ ମିଳାଇ ଯାଉଛି । ତା’ର ମନରେ ଛୁଟିଛି ଅବିଶ୍ରାନ୍ତ ଝଡ଼ । ଭାବୁଛି, ସଙ୍ଗାତ ଏପରି ଚିଠି ତେବେ ଲେଖିଲେ କାହିଁକି ? ତାଙ୍କ ହାତ ଗଲା କିପରି ? କଲମ ଚାଲିଲା କିପରି ! ତେବେ ଏସବୁ କ’ଣ ମିଛ । ମୁଁ କ’ଣ ଜାଗ୍ରତ ନା ନିଦ୍ରିତ ! ଏସବୁ ସ୍ୱପ୍ନ ନା ସତ୍ୟ ! ଏଇତ ତାଙ୍କର ହାତଲେଖା ଅକ୍ଷର ପରି ଜଣାପଡ଼ୁଛି । ତେବେ ଏସବୁ କ’ଣ ସତ ? ହଁ, ପରିବର୍ତ୍ତନଶୀଳ ଜଗତ ତାଙ୍କର ବା ପରିବର୍ତ୍ତନ ନ ହେବ କାହିଁକି ?

ଧୀରେ ଧୀରେ ସୁଧାଂଶୁ ପ୍ୟାଣ୍ଟ ପକେଟରୁ ଚିଠି ଖଣ୍ଡିକ କାଢ଼ି ସେଇ ବତିଖୁଣ୍ଟ ତଳେ ବସି ଛଳଛଳ ଆଖିରେ ପଢ଼ିଲା ।

କଟକ

ସ୍ନେହର ସଙ୍ଗାତ,

ପ୍ରଣାମ । ଆଜି ତୁମେ ଯେ ମୋତେ କେଉଁ ଅତଳ ସାଗରକୁ ଫିଙ୍ଗିଦେଇଛ ମୁଁ ବୁଝିପାରେନା । ଅତୀତର ମଧୁମୟ ସ୍ମୃତି ମୁହଁରେ କାଳି ବୋଳି ତୁମେ ମୋର ବନ୍ଧୁତାକୁ ଅବମାନନା କରିଛ; ପରିଶେଷରେ ତୁମ ହୃଦୟରେ ଏଇୟା ଥିଲା ? ମୁଁ ଅବା ତୁମର କି ଦୋଷ କରିଥିଲି ? ତୁମେ ମୋତେ ବାସହୀନ କରିବାକୁ ଚେଷ୍ଟା କଲ ? ଚପଳ ଆମ ଦୁହିଁଙ୍କର ପିଲାଦିନର ଶତ୍ରୁ–ତା’ର କୁଚକ୍ରାନ୍ତରେ ତୁମେ ନିଜକୁ ନିଜେ ଭୁଲିଯାଇ ମୋତେ ଗାଁରୁ ତଡ଼ିଦେବାର ଚେଷ୍ଟା କଲ-? ହେଉ, ସେଥିରେ ମୋର ତିଳେ ଦୁଃଖ ନାହିଁ । କେବଳ ଅଭିମାନ ରହେ, ତୁମେ ଯେ ମୋତେ ଭୁଲିଗଲ ! ମନେ ପଡ଼ୁନି ତୁମର ସେଇ ସଞ୍ଜବତିର କଳଗାନ, ତା’ର କୂଳର ଗୋଲାପ ଉପବନ, ତା’ ମଧ୍ୟରେ ତୁମେ ଆଉ ମୁଁ । ସଞ୍ଜବେଳରେ ବସି ମନର କେତେ ଅକୁହା କଥାବାର୍ତ୍ତା ହୁଏ-। ସେକଥା ଏତେଶୀଘ୍ର ତୁମେ ପାଶୋରି ପାରିଲ ? ମୁଁ ବା ଆଜି ତୁମ ଆଗରେ କେଉଁ ସାହସରେ ମୁହଁ ଦେଖାଇବି, ମୁଁ ଯେତେବେଳେ ତୁମ ଚକ୍ଷୁରେ ସନ୍ଦେହୀ... । ଭୁଲ ଥାଇପାରେ, କ୍ଷମା କରିବ ସଙ୍ଗାତ । ମୁଁ କିନ୍ତୁ ଭୁଲି ପାରେନା । ଇତି ।

 

ତୁମର ସନ୍ଦେହଭାଜନ

କମଳ

 

ଚିଠିଟି ଯେତେ ଜୋରରେ ପଢ଼ିବାକୁ ଲାଗିଲା ସେତେ ଦ୍ରୁତଗତିରେ ତା’ ଆଖିରୁ ଲୁହ ଝରି ଆସିଲା । ମନ ମଧ୍ୟରେ ଆକାଶପାତାଳ କ’ଣ ଗୁଡ଼ାଏ ଭାବିଗଲା–ମୁଁ ତ ଦିନେହେଲେ ଚପଳ ସାଥିରେ ପଡ଼ି ସଙ୍ଗାତଙ୍କ ବିରୁଦ୍ଧରେ କିଛି କରିନି । ତେବେ ସଙ୍ଗାତ ଏପରି ଲେଖିଲେ କାହିଁକି ? ତାହାହେଲେ ଏ କ’ଣ ମିଛ ? ସଙ୍ଗାତ କ’ଣ କାହା ପ୍ରବର୍ତ୍ତନାରେ ପଡ଼ି ଏପରି ଲେଖିଛନ୍ତି ? ଏପରି ଅନେକ ସମୟ ଭାବିଲା ପରେ ଛାତି ପକେଟରୁ ଖଣ୍ଡେ କାଗଜ କାଢ଼ି ସେଇ ବତିଖୁଣ୍ଟ ତଳେ ବସି କ’ଣ ଦିପଦ ଲେଖି ବନ୍ଦ କରିଦେଲା । ଧୀରେ ଧୀରେ ବ୍ୟାକୁଳ ହୃଦୟରେ ବସାକୁ ଫେରିଲା ।

 

ସେତେବେଳକୁ ସାଧୁଚରଣ ଚୌକି ଉପରେ ବସି କ’ଣ ଭାବୁଥିଲେ । ସେ ମଧ୍ୟ ସୁଧାଂଶୁପରି ଖଣ୍ଡିଏ ଚିଠିଲାଗି ପାଗଳ । ବସନ୍ତକୁମାରଙ୍କ ଚିଠିଟା ତାଙ୍କ ପ୍ରାଣରେ କେତେ ଯେ ଭାବନାର ସୁଅ ଛୁଟେଇ ଦେଇଛି ସେ ଭାବିପାରୁ ନାହାନ୍ତି । ସେ ଆଜି ବୁଝୁଛନ୍ତି ତାଙ୍କର ଆଶା ପ୍ରକୃତରେ ଠିକ୍‌ ଅଛି । ବସନ୍ତକୁ ଆଜି ସେ ମଣିଷ କରି ପାରିଛନ୍ତି । ସେ ଆଜି ଅନୁଭବ କରିଛନ୍ତି, ଅନୁଭୂତିହିଁ ମଣିଷ ପ୍ରାଣରେ ଚେତନା ଆଣେ । ସେଥିଲାଗି ଏଣୁତେଣୁ ଭାବି ଭାବି ସେ ଗମ୍ଭୀର ହୋଇ ଚୌକି ଉପରେ ବସି ରହିଛନ୍ତି । ସୁଧାଂଶୁ ଆସି ଘରେ ପହଞ୍ଚିଲା । ସାଧୁଚରଣ ତା’ ହାତକୁ ବସନ୍ତକୁମାରଙ୍କ ଚିଠିଟା ବଢ଼ାଇ ଦେଲେ । ସୁଧାଂଶୁ ଚିଠିଟି ଆମୂଳଚୂଳ ପଢ଼ିଗଲା । ମନେମନେ ବସନ୍ତ ଭାଇଙ୍କ ପାଦତଳେ ପ୍ରଣାମ କଲା ।

 

ପରେ ସାଧୁଚରଣ ଓ ସୁଧାଂଶୁ ଶୋଇବାକୁ ଗଲେ ।

 

ଏହା ଭିତରେ ଆଠ ଦଶଦିନ ବିତି ଗଲାଣି । ଅକସ୍ମାତ୍‌ କମଳ ଦିନେଯାଇ ଘରେ ପହଞ୍ଚିଲା । ତା’ର ଏପରି ଆସିବାର କାରଣ କେହି ଜାଣିପାରିଲେ ନାହିଁ । ଘରେ ପହଞ୍ଚି କମଳ ତା’ର ବୋଉକୁ ସବୁ କହିଗଲା । କମଳିନୀଙ୍କ ମୁଣ୍ଡ ଉପରେ ସତେ ଯେପରି ବଜ୍ରଭାଙ୍ଗି ପଡ଼ିଲା । ଆଖିରୁ ତାଙ୍କର ଦୁଇଧାର ଲୁଣିପାଣି ଝରି ଆସିଲା ।

 

ତା’ ପରଦିନ କମଳିନୀ ଘରର ସମସ୍ତ ଜିନିଷ ସଜବାଜ କଲେ । ଆଜି କମଳ ସାଥିରେ କଟକ ଯିବା କଥା । ସାଧୁଚରଣ ହଳିଆ ଦାମ ଶଗଡ଼ ସଜକଲା । ସବୁ ଜିନିଷ ଲଦିଦେଲା । ରାଗିଣୀ, କାମିନୀ ଅଚଳ ଶଗଡ଼ରେ ବସିଲେ । କମଳିନୀ ସାଇ ମାଇପିଙ୍କଠାରୁ ବିଦାୟ ନେଇ କୋମଳାଙ୍କ ପାଖକୁ ଗଲେ । କମଳିନୀ କଟକ ଯିବାର ଖବର ଶୁଣି ସେ ଅଧୀର ହେଲେ । କମଳିନୀ ଲୁହ ପୋଛୁ ପୋଛୁ କହିଲେ–ଥାଅ ଭଉଣୀ, ମନେ ପକାଉଥିବ, ଆଉ କ’ଣ ସତେ ଏ ଗାଁକୁ ଫେରିବି ? କୋମଳାଙ୍କ ଆଖିରୁ ଲୁହ ଝରିଲା ।

 

ପଣତ କାନିରେ ଲୁହ ପୋଛିଦେଇ କମଳିନୀଙ୍କ ହାତଧରି କୋମଳା କହିଲେ–ଭଉଣୀ, ଗାଁରେ ଥିଲଟିକିଏ ବେଳ ମିଳିଲେ ତୁମ ଘରକୁ ଯାଉଥିଲି । ଏବେ ତୁମେ ଗଲ । ଦିନଗୁଡ଼ାକ ଏଣିକି ତୁଚ୍ଛାରେ ତୁଚ୍ଛାରେ କଟିବ ସିନା । କୋମଳାଙ୍କ ଆଖି ଲୁହପୂର୍ଣ୍ଣ ହେଲା । କମଳିନୀ କାନ୍ଦି କାନ୍ଦି ବିଦାୟ ନେଲେ । ପାଖରେ ଲୁହଭରା ଆଖିରେ ଲଳିତା ସରଜୁ ଠିଆ ହୋଇଥାନ୍ତି । ସରୋଜିନୀକୁ ଆଉଁଷି ଦେଇ କମଳିନୀ କହିଲେ–ମା’ ମୋର, ମତେ ଟିକିଏ ମନେ ରଖିଥିବୁ ଆଉ ମୋର କେତେ ଦିନ ଯେ ।

 

ସରୋଜିନୀ ଲଳିତା, କୋମଳା, କମଳିନୀଙ୍କୁ ଓଳଗି ହେଲେ । କମଳିନୀ କଲ୍ୟାଣ କରି ବିଦାୟ ନେଲେ । ସମସ୍ତେ ଆସି ଶଗଡ଼ ପାଖେ ଠିଆ ହେଲେ । କମଳ କୋମଳାଙ୍କୁ ନମସ୍କାର କଲା । କାମିନୀ ରାଗିଣୀ ଅଚଳ ମଧ୍ୟ କୋମଳାଙ୍କୁ ପ୍ରଣାମ ଜଣାଇଲେ । ଦାମ ଶଗଡ଼ ଛାଡ଼ିଲା ।

 

ଘରଟି ଶୂନ୍ୟ ହୋଇ ପଡ଼ିରହିଲା ।

 

ଦୁଇ ଗାଁ ଭିତରେ ମକଦ୍ଦମା ଲାଗି ରହିଛି । ଆଜିକୁ ତିନିବର୍ଷ ହେଲାଣି । ତାରିଖ ଉପରେ ତାରିଖ ପଡ଼ୁଛି । ନିଷ୍ପତ୍ତି ହେବାର ସୂଚନା ନାଇଁ । ଖୋର୍ଦ୍ଧା କୋର୍ଟକୁ ଧାଇଁ ଧାଇଁ ଗାଁବାଲା ହନ୍ତସନ୍ତ ହେଲେଣି । ମକଦ୍ଦମାର ଦାଉ ଅଧିକ ପରିମାଣରେ ବାଧିଲାଣି ଶ୍ୟାମସୁନ୍ଦରପୁରିଆଙ୍କୁ । ମଲ୍ଲୀକାଶପୁର ଦାୟିତ୍ୱ ବସନ୍ତବାବୁଙ୍କ ହାତରେ ଥାଏ । ସେ ଥାନ୍ତି ଖୋର୍ଦ୍ଧାରେ । ତେଣୁ କୌଣସି ପ୍ରକାରେ ବସନ୍ତକୁମାର ତାଙ୍କ ଗାଁର ଭାରନେଇ ସବୁ କଥା ତୁଲେଇ ନେଉଥାନ୍ତି । କିନ୍ତୁ ଅପରପକ୍ଷରେ ଶ୍ୟାମସୁନ୍ଦରପୁରିଆ ବଡ଼ ହଇରାଣ ହେଉଥାନ୍ତି । ପ୍ରତି ତାରିଖରେ ଗାଁର ପ୍ରାୟ ଅଧିକାଂଶ ଲୋକଙ୍କୁ ଖୋର୍ଦ୍ଧା ଆସିବାକୁ ପଡ଼େ । କାରଣ ସେମାନେ ମୁଦାଲା । ଚପଳ ଏମାନଙ୍କର ଦଳପତି ପରି କାମ କରେ । ଗାଁ ସପକ୍ଷରେ ରହି ଓକିଲ ମୋହରିର ମହଲରେ ପରିଚିତ ହୋଇ ବେଶ୍‌ ଚାରିପଇସା ତା’ର ଆଦାୟ ଥାଏ । ଗାଁବାଲା ଏତେ କଥା ଜାଣନ୍ତି ନାହିଁ । ଚପଳକୁ ବଡ଼ କରି ଧରିଥାନ୍ତି ।

 

ଏମିତି ଅନେକ ଦିନ ମକଦ୍ଦମା ଚାଲିଲା । ଶ୍ୟାମସୁନ୍ଦରପୁରିଆଙ୍କର କୋଠଧନ ବୋଲି ଯାହା ଥିଲା ତାହା କ୍ରମେ ଶେଷ ହୋଇ ଆସିଲା । ଏଣିକି ଦେଖାଗଲା ଅର୍ଥ ଅନାଟନ । ତେଣୁ ଗାଁବାଲା ଘରପିଛା ଚାନ୍ଦା ଆଦାୟ କରିବାର ସ୍ଥିର କଲେ । ଚାନ୍ଦା ଆଦାୟ ହେଲା । ଯେଉଁମାନଙ୍କର ବାଟି ବାଟି ଚାଷ ସେମାନେ ଚାନ୍ଦା ଦେଲେ । ମାତ୍ର ଗରିବ ଶ୍ରେଣୀର ଲୋକମାନେ, ଯେଉଁମାନେ ମୂଲଲାଗିଲେ ପେଟ ପୋଷନ୍ତି, ପଇସା କେଉଁଠୁଁ ପାଇବେ ? ବାଧ୍ୟ ହୋଇ ଗାଁ ଗଣ୍ଡା ପୁଅମାଇପ ଛାଡ଼ି କାଳିମାଟି ଗଲେ । ନ ଗଲେ ନିସ୍ତାର ନାଇଁ । ଗାଁବାଲା ଏକଘରକିଆ କରିବେ, ନିଆଁପାଣି ବାସନ୍ଦ କରିବେ, ଚଳିବା ମୁସ୍କିଲ୍ ।

 

କେଉଁ ସୁଦୂର ଦେଶକୁ ଯା’ନ୍ତି ମାଟିକାମ କରି, କାହିଁ କେତେ ଦୂର କାଳିମାଟି । ସେଠି ମୁଣ୍ଡଝାଳ ତୁଣ୍ଡରେ ମାରି ଭୋକଶୋଷ ଭୁଲି ମାଟି କାଟନ୍ତି, ଦିନ ନାହିଁ, ରାତି ନାହିଁ, ସୁଖ ନାହିଁ । ଟଙ୍କା ଆଣନ୍ତି, ଗାଁରେ ଚାନ୍ଦା ଦିଅନ୍ତି । ମକଦ୍ଦମା ଚାଲେ, ଚପଳବାବୁ କୋଠା ତିଆରି କରନ୍ତିସେଇ ପଇସାରେ ।

 

ରକ୍ତମାଂସ ହାଡ଼ର ଶରୀର–ମଣିଷ । କେତେଦିନ ସହିବ ପେଟର ଭୋକ । ମାଟିକାମକୁ ଯାଇ ଯାଇ ଗରିବ ଶ୍ରେଣୀର ଲୋକ ଦଳକ ସନ୍ତୁଳି ହୋଇ ଗଲେଣି । ସଂସାରର ସୁଖ କ’ଣ ସେମାନେ ଜାଣିଲେ ନାହିଁ । ଜାଣିଲେ କେବଳ ରୋଗକଷ୍ଟ । ସବୁବେଳେ ଗାଁଠାରୁ ଦୂରରେ ରହି ରହି ସେମାନେ ରୁଗ୍‍ଣ ହେଲେ । ଏଣିକି ସେମାନଙ୍କ ଭିତରେ ଚେତା ପଶିଲା କ୍ଷଣକର ରାଗ ସମ୍ଭାଳି ନ ପାରି ସେମାନେ କ’ଣ ନ କରିଛନ୍ତି ? ହେଲେ ସେ ଅତୀତ କଥା ଅତୀତ ରହୁ, ବର୍ତ୍ତମାନ ଭବିଷ୍ୟତର ପଛରେ ଧାଇଁ ଚାଲୁ । ମାଗା, ହରିଆ, ରଙ୍କ ଇତ୍ୟାଦି କେତେଜଣ ଏଣିକି ଗାଁବାଲାଙ୍କଠାରୁ କରଛଡ଼ା ଦେଲାପରି ଜଣାଗଲେ । ଏମାନେ ଗାଁର ମୁଖିଆ ନେତା । କିନ୍ତୁ ଏମାନେ ମୁଖିଆ କଥାରେ; ଧନରେ ନୁହନ୍ତି । ଧନ ଉପରେ ଯେତେବେଳେ ଜୋର ପଡ଼ିଲା ସେତେବେଳେ ଅବା ନେତାସାଜି ଲାଭ କ’ଣ ? କ୍ରମେ ଗାଁବାଲାଙ୍କଠାରୁ ଅଲଗା ହୋଇ ରହିବା ମନୋଭାବ ଦେଖେଇଲେ । ଥରେ ଥରେ ଚାନ୍ଦା ଦେବାକୁ ପଛେଇଲେ । ପବନା ଗାଁର ଚାଷୀମାନଙ୍କ ଭିତରେ ମୁଖିଆ । ସେ ଏ କଥା କେତେ ପରିମାଣରେ ଠଉରେଇ ନେଲା । ଦିନେ ସଞ୍ଜରେ ଭାଗବତ ଘରକୁ ସମସ୍ତଙ୍କୁ ଡାକିଲା । ସଭା ବସିଲା ।

 

ପବନା ପ୍ରଥମେ ଠିଆହୋଇ ହାତ ହଲେଇ କହିଲା–ଭାଇମାନେ ! ଯାହା ହବାର ହୋଇଯାଇଛି । ଗତକଥାଭାବି କିଛିଲାଭ ନାହିଁ । ଆଜିଯାଏ ମକଦ୍ଦମା ଲଢ଼ି ଆସିଲେ । ଏବେ ମକଦ୍ଦମା ଆସି ଶେଷ ହେବାକୁ ବସିଲାଣି । ଆଉ କେତେ ଦିନ ପରେ ରାୟ ମିଳିବ । ତୁମେମାନେ ସମସ୍ତେ ଆଜିପର୍ଯ୍ୟନ୍ତ ସାହାଯ୍ୟ ଦେଇ ଆସିଲ, ବର୍ତ୍ତମାନ କରଛଡ଼ା ଦେଲେ ଚଳିବ ନାହିଁ । ଯଦି କାହାର କିଛି ଆପତ୍ତି ଥାଏ ତେବେ ମୁହଁ ଖୋଲି କହିଦିଅ । ଆଗରେ ହଁ କରି ପଛରେ କରଛଡ଼ା ଦେବା ଠିକ୍‌ ନୁହେଁ ।

 

ପବନାର କଥାରେ କେତେକ ହଁ ଭରି ସମସ୍ୱରରେ କହିଲେ, ଠିକ୍‌ କଥା ପବନାଭାଇ ଯାହା କହୁଛି ବିଲ୍‌କୁଲ୍‌ ସତ । ଆଗରେ ହଁ କରି ପଛରେ ଗୁଁପୁଁ ହେବା ଲାଭ କ’ଣ ?

 

ସମସ୍ତଙ୍କ ଭିତରେ ବସିରହି ହରିଆ, ମାଗା, ରଙ୍କ ପବନା କଥାରେ ରାଜି ହେବେନାହିଁ ବୋଲି ଠିକ୍‌ କଲେଣି । କିନ୍ତୁ ଭୟକରି କିଏ ହେଲେ ଉଠି କହୁ ନଥାନ୍ତି । ଶେଷରେ ହରିଆ ଚୁପ୍‌ ଚୁପ୍‌ ମାଗା କାନରେ କହିଲା–ହଇରେ ମାଗାନା, ପେଟରେ ଭୋକଥାଇ ମୁହଁରେ ଲାଜ କ’ଣ ? ସାଫାତ ଠିଆ ହୋଇ କହିବୁ । ଡରୁଛୁ କାହିଁକି ? ଆମେ ତୋ ପଛକୁ ନାଉଁ...

 

ମାଗା ଛଅନଅ ଭାବି ଉଠି ଠିଆ ହେଲା । ଟିକିଏ ନୀରବ ରହି କହିଲା–ଭାଇମାନେ, ପବନା ଭାଇ ଯାହା କହିଗଲା ପ୍ରକୃତରେ ଅକ୍ଷରେ ଅକ୍ଷରେ ସତ । କିନ୍ତୁ ତା’ କଥାରେ ମୁଁ, ହରିଆ ରଙ୍କ ଏକମତ ନୋହୁ । ଆମେ ସାହାଯ୍ୟ କରିବୁ ଯେ ଟଙ୍କାପଇସା ଚାନ୍ଦା ଦେଇପାରିବୁ ନାହିଁ । ଆମର ତ ଘରେ ଚୁଲି ଜଳୁନି ପିଲାକବିଲା ଉପାସ ରହୁଛନ୍ତି, ଆମେ ଥରକୁ ଦଶଟଙ୍କା କେଉଁଠୁଁ ପାଇବୁ । ତୁମେ ଯାହା କରୁଛ କର ପଛେ, ଆମେ ଚାନ୍ଦା ଦେଇପାରିବୁ ନାହିଁ ।

 

ରଙ୍କ, ହରିଆ, ମାଗା କଥାରେ ପାଳି ଧରିଲେ ।

 

ପବନା ସାଙ୍ଗେ ସାଙ୍ଗେ ଉଠିପଡ଼ି ରାଗ ତମତମ ହୋଇ କହିଲା ତୁମେତ ଚାନ୍ଦା ଦେବନାହିଁ ସାହାଯ୍ୟ ଦେବ କ’ଣ ? କାଲି ମଟରରେ ବସି ଖୋର୍ଦ୍ଧା ଦେଖିଯିବ ? ତା’ ସାଥିରେ କେତେଜଣ ମଧ୍ୟ ଯୋଗ ଦେଲେ–ହଁ ହଁ ଠିକ୍‌ କଥା, ଚାନ୍ଦା ନଦେଇ ସାହାଯ୍ୟ ଦେବେ ଆଉ କ’ଣ-?

 

ହରିଆ ଠିଆ ହୋଇ କହିଲା ତାହାହେଲେ ଆମେ ମକଦ୍ଦମାରେ ସାହାଯ୍ୟ କରିପାରିବୁ ନାଇଁ । ମାଟି ବୋହି ବୋହି ଆଜିଯାଏ ମୁଣ୍ଡରୁ ଦରଜ ଛାଡ଼ିନି । ଆମର ସେ ମକଦ୍ଦମା ଦରକାର ନାଇଁ ।

 

ପବନା ସେତେବେଳକୁ ରାଗରେ ଲାଲ ପଡ଼ିଗଲାଣି । ଉଠିପଡ଼ି କହିଲା–ତେବେ ତୁମେ ଆମର ଆଉ ଭାଇ ନୁହ । ଜାଣିଲ ଆମର କେତେଜଣ ଗାଁଭାଇ ଆମ ତୋଟିରେ ଛୁରି ଦେଲେ । ଏଣିକି ତୁମ କଥା ତୁମର, ଆମ କଥା ଆମର...ତୁମ ଆମର ଆଉ ସମ୍ୱନ୍ଧ କ’ଣ ?

 

ମାଗା, ହରିଆ, ରଙ୍କ ତିନିହେଁ କହି ଉଠିଲେ ହେଲେ ହେଲା ପଛେ, ଆମେ ପଛେ ତୁମର ଭାଇ ନହେଉ, ମକଦ୍ଦମା ଚାନ୍ଦାରୁ ଆମକୁ ରକ୍ଷା ମିଳିଲା । ଏତିକି କହି ତିନିହେଁ ଭାଗବତ ଘରୁ ଉଠି ଚାଲିଗଲେ ।

 

ପବନାକୁ ଏ କଥାଟା ବିଷପରି ବୋଧ ହେଲା । ସେ ପୁଣି ଥରେ କହିଲା– ଭାଇମାନେ-! ସେ ତିନିଜଣଙ୍କର ହାବଭାବ ଦେଖିଲ ତ ? ଆଜିଠାରୁ ହରିଆ, ମାଗା, ରଙ୍କ ଆମର ଭାଇ ନୁହନ୍ତି-। ତାଙ୍କଠାରୁ ନିଆଁପାଣି ସମ୍ୱନ୍ଧ ତୁଟେଇଦିଅ । ତାଙ୍କ ସହିତ ମିଳାମିଶା କରନାହିଁ-। ଏଣିକି ତାଙ୍କ କଥା ତାଙ୍କର, ଆମ କଥା ଆମର ।

 

ଅନ୍ୟ ସମସ୍ତେ ସମସ୍ୱରରେ କହି ଉଠିଲେ–ଠିକ୍‌ କଥା ପବନା ଭାଇ ସେ ଯଦି ବିପଦବେଳେ ଆମକୁ ସାହାଯ୍ୟ ନ ଦେଲେ ତେବେ ସେ ଆମର ଆଉ କି ଭାଇ ?

 

ତା’ପରେ ସଭା ଭାଙ୍ଗିଲା । ସମସ୍ତେ ଯେ ଯାହା ଘରକୁ ଗଲେ ।

 

ସେଦିନ କମଳ କଲେଜରୁ ଫେରିଲା । ଘରେ ପାଦ ଦେଉ ଦେଉ ସରଳା କହିଲା–କମଳ ଭାଇ ! ତୁମର ଆଜି ଚିଠିଟିଏ ଆସିଛି ।

 

କମଳ ବହିପତ୍ର ରଖିଦେଇ ଆଗ୍ରହର ସହିତ ଚିଠିଟି ଖୋଲିଲା । ଚିଠିଟି ସୁଧାଂଶୁ ଦେଇଥିଲା । ସବୁଦିନ ପରି ସେଦିନ ଚିଠିରେ ସେତେ ଲେଖା ନଥିଲା । କେବଳ ଦୁଇଧାଡ଼ି ।

 

ପୁରୀ

 

ଅନ୍ତରଙ୍ଗ ସଙ୍ଗାତ,

 

ପ୍ରଣାମ ନେବ, ଦୀର୍ଘଜୀବନ ପାଇଁ ମୁଁ ଆଜି ତୁମଠାରୁ ଲୁହର ବିଦାୟ ନିଏ । ମୋର ନାଁଟି ତୁମ କପାଳରୁ ପୋଛି ଦେବ । ଜାଣିବ, ତୁମର ସଙ୍ଗାତ ସୁଧା ଆଉ ଏପାରରେ ନାହିଁ । ମୁଁ ଯେତେବେଳେ ତୁମ ଚକ୍ଷୁରେ ଆତତାୟୀ, ସନ୍ଦେହୀ । ବିଦାୟ । ଇତି ।

 

ତୁମର ସୁଧା

 

ଚିଠି ଶେଷ ନ ହେଉଣୁ କମଳ ମନରେ ଆକାଶପାତାଳ ଚିନ୍ତା ପଶି ଆସିଲା । ପୁଣି ଥରେ ପଢ଼ିଲା । ଆଖି ଛଳଛଳ ହେଲା । ନାନା କଥା ତା’ ମନକୁ ଆନ୍ଦୋଳିତ କରିବାକୁ ଲାଗିଲା । ଚିଠିର ରହସ୍ୟ ସେ ବୁଝି ପାରିଲା ନାହିଁ । ସେଦିନ ରାତିରେ ମନଦୁଃଖରେ ଶୋଇ ରହିଲା । ସକାଳୁ ଗୌରବାବୁଙ୍କୁ କହି ପୁରୀ ବସ୍‍ରେ ଚଢ଼ିଲା । ପୁରୀ ଯିବ ।

 

ଶନିବାର କମଳ ଚାଲିଯିବାର ଦୁଇ ତିନିଘଣ୍ଟା ପରେ ଗୌରହରିବାବୁଙ୍କ ଦାଣ୍ଡଦୁଆରେ କା’ର ଡାକ ଶୁଣାଗଲା । ଘରେ କମଳିନୀ ବ୍ୟତୀତ କେହି ନଥିଲେ । ପିଲାମାନେ ସ୍କୁଲ୍‍କୁ ଯାଇଥିଲେ । କମଳିନୀ ଡାକ ଶୁଣି ଦାଣ୍ଡଦୁଆର ଖୋଲିଲେ । ବସନ୍ତକୁମାର କମଳିନୀଙ୍କୁ ଦେଖି ନମସ୍କାର କଲେ । କମଳିନୀ ବସନ୍ତକୁମାରଙ୍କୁ ଦେଖିଲାମାତ୍ରେ ତାଙ୍କର ଗାଁ କଥା ମନେ ପଡ଼ିଗଲା । ଆଖି ଛଳଛଳ ହେଲା । ନିଜକୁ ସମ୍ଭାଳି ନେଇ ସେ ବସନ୍ତକୁ ଘର ଭିତରକୁ ଡାକି ନେଲେ । କମଳିନୀ ବସନ୍ତ କଥାବାର୍ତ୍ତା ହେଉଛନ୍ତି । ଅଚଳ, କାମିନୀ, ରାଗିଣୀ, ସରଳା ସ୍କୁଲ୍‍ରୁ ଫେରିଲେ । ବସନ୍ତକୁମାରଙ୍କୁ ଦେଖି ଅଚଳ ପ୍ରଣାମ କଲା, କାମିନୀ, ରାଗିଣୀ ଓଳଗି ହେଲେ । ସରଳା ତୁନିହୋଇ ତାଙ୍କ ଆଡ଼େ ଚାହିଁ ରହିଲା, ତାକୁ ସେ ନୂଆ ।

 

କମଳିନୀ ସରଳାକୁ କହିଲେ–ସରଳା, ୟାଙ୍କୁ ଓଳଗି ହ । ଏ ପରା କମଳର ବଡ଼ଭାଇ । ସରଳା ଓଳଗି ହୋଇ ଘର ଭିତରକୁ ଚାଲିଗଲା । ବସନ୍ତ ସମସ୍ତଙ୍କୁ ଶୁଭାଶିଷ ଦେଲେ ।

 

କମଳିନୀ ବସନ୍ତକୁ ଗାଁ ଗଣ୍ଡା ହାଲ୍‍ଚାଲ୍ ପଚାରି ବସିଲେ ।

 

ବସନ୍ତ କହିଲେ–ନାଇଁ ମାଉସୀ । ମୁଁ ତ ଗାଁ ମୁହଁ ଦୁଇବର୍ଷ ହେଲା ଚାହିଁ ନାହିଁ । ଗାଁ ମକଦ୍ଦମା ଭିତରେ ବ୍ୟସ୍ତରହି ସେଆଡ଼କୁ ମୋର ଆଦୌ ନଜର ନାଇଁ । ରତନା ଇତ୍ୟାଦି ଗାଁରୁ କିଏ କେମିତି ଆସିଲେ ଯାହା ଶୁଣାନ୍ତି ସେତିକି ମାତ୍ର । କମଳ କୁଆଡ଼େ ଯାଇଛି କି ?

 

ସେ ଆଜି ସକାଳୁ ପୁରୀ ଯାଇଛି, ସଞ୍ଜକୁ ଫେରି ଆସିବ କହିଛି । କ’ଣତ କାମ ଅଛି ବୋଲି କହିଗଲା । ଆଉ ସବୁ ଖବର କ’ଣ ? ସବୁ ଭଲ ତ ?

 

ଭଲ କ’ଣ ? ସବୁ ସେମିତି । ତୁମର କଟକ ଆସିବା ଖବର କମଳ ଚିଠିରେ ଜଣେଇଥିଲା । ଚପଳ ତୁମର ଘର ଦଖଲ ନେବାର ଶୁଣିଛି । ହେଉ ‘‘ଅଧର୍ମେ ବିତ, ବଢ଼େ ବହୁତ, ଗଲାବେଳେ ଯାଏଁ ମୂଳ ସହିତ ।’’ କେତେଦିନକୁ ଏସବୁ.... । ଧର୍ମ କ’ଣ ନାହିଁ ? ମୋର ଟିକିଏ କମଳ ପାଖେ ଜରୁରୀ କାମ ଥିଲା । ମୁଁ ବର୍ତ୍ତମାନ ଯାଉଛି ପୁରୀ, ସେଠାରେ ତା’ର ଭେଟ ପାଇବି ଯେ ।

 

ଏଇଲେ ଆସି ପହଞ୍ଚିଲୁ । ଏଇଲେ ଚାଲିଯିବୁ କହୁଛୁ । ଖାଇନୁ ପିଇନୁ, ଉପାସରେ ଚାଲିଯିବୁ ?

 

ନା ମାଉସୀ ସେଥିରେ କ’ଣ ଅଛି । ତୁମକୁ ଦେଖି ଦେଲେ ମୋର ପେଟ ପୂରିଯାଏ....-। ଆଉ ଖାଇବି ଗୋଟେ କ’ଣ–

 

ନା, ନା, ଏଗୁଡ଼ାକ କ’ଣ ସୁନ୍ଦର ? ଗୌରବାବୁ ଘରେ ନାହାନ୍ତି, ସେ ଆସନ୍ତୁ, ତାଙ୍କ ସହିତ କଥାବାର୍ତ୍ତା ହେବୁ । କାଲି କି ପରଦିନ ଆଡ଼କୁ ଯିବୁ ।

 

ବସନ୍ତକୁମାର ମାଉସୀଙ୍କ କଥା ଏଡ଼ାଇ ପାରିଲା ନାହିଁ । ବାଧ୍ୟହୋଇ ରହିଲେ । କମଳିନୀ ତାଙ୍କୁ ଖାଇବାକୁ ଡାକି ନେଲେ ।

 

ଖାଇସାରି ବସନ୍ତକୁମାର, କାମିନୀ, ରାଗିଣୀ ଏମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି, ଗୌରବାବୁ ଘରେ ପହଞ୍ଚିଲେ । ବସନ୍ତକୁମାର ଗୌରବାବୁଙ୍କୁ ଆଗରୁ ଜାଣିଥିଲେ ତାଙ୍କୁ ଦେଖି ନମସ୍କାର କଲେ ।

 

ପ୍ରତିନମସ୍କାର ଦେଇ ଗୌରବାବୁ କହିଲେ–ଆପଣଙ୍କୁ ମୁଁ କେଉଁଠି ଥରେ ଦେଖିଲାପରି ମନେ ହେଉଛି ।

 

ରାଗିଣୀ ହସି ହସି କହିଲା–ସାର୍‌, ସେ ଆମ କମଳଭାଇଙ୍କର ଧର୍ମରେ ବଡ଼ଭାଇ । ତାଙ୍କ ନାଁ ବସନ୍ତକୁମାର ପଟ୍ଟନାୟକ, ବି.ଏ. ଅନର୍ସ ।

 

ତୁମେ ତାହାହେଲେ କମଳର ବଡ଼ଭାଇ ହେବନା ?

 

ଆଜ୍ଞା ହଁ ।

 

ଗୌରବାବୁ ଖୁସି ହୋଇ କହିଲେ–ଯାହାହେଉ ଆପଣଙ୍କୁ ପାଇ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି । ଆଚ୍ଛା ଟିକିଏ ବସନ୍ତୁ ମୁଁ ଖାଇବା କାମଟା ସାରିଦିଏ ।

 

ବସନ୍ତକୁମାର ମୁଣ୍ଡ ହଲାଇ ସମ୍ମତ ଜଣାଇଲେ । ଗୌରବାବୁ ଖାଇବାକୁ ଗଲେ । ଇତ୍ୟବସରରେ ବସନ୍ତକୁମାର ରାଗିଣୀ ସହିତ ବସି ଖୁସିଗପ ଆରମ୍ଭକଲେ । ରାଗିଣୀ ତାଙ୍କୁ ସରଳାର ପୂର୍ଣ୍ଣ ପରିଚୟ ଦେଲା । ବସନ୍ତକୁମାର ସରଳା ରୂପଗୁଣରେ ଖୁବ୍‌ ଆନନ୍ଦିତ ହେଲେ ।

 

ଗୌରବାବୁ ଖାଇସାରି ଆସିଲେ । ବସନ୍ତକୁମାରଙ୍କୁ ନିଜର ଡ୍ରଇଂରୁମ୍‌କୁ ନେଇଗଲେ । ସେଠାରେ ବସି ଦୁହିଁଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହେଲା । କଥାପ୍ରସଙ୍ଗରେ ଗୌରବାବୁ କମଳର କେସ୍ ବିଷୟ କହିଲେ ବୁଝିଲ ବସନ୍ତକୁମାର ! ମୁଁ ମୋର ସମସ୍ତ ଶକ୍ତି ଖର୍ଚ୍ଚ କଲି । କିନ୍ତୁ ଫଳ କିଛି ହେଲା ନାହିଁ । ଜୀବନରେ ହାର ମାନିବା ସେଇ ମୋର ପ୍ରଥମ । ପାପର ପ୍ରଭାବରେ ସବୁପରା ମଳିନ ପଡ଼ିଯାଏ...ମୁଁ ନିଜେ ହଜାରେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଲି । ହାତରେ ଟଙ୍କା ନଥିଲା ବୋଲି ସେଇ ମୁହୂର୍ତ୍ତରେ ଦେଇପାରି ନଥିଲି । ମାତ୍ର ଦୁର୍ଭାଗ୍ୟକୁ କିଛି କାମ ଦେଲାନି ।

 

ହଁ ସାର୍‌, କ’ଣ କରାଯିବ ! କପାଳଲେଖନ, କେକରିବ ଆନ, ଯାହା ଯେତେବେଳେ ହବାକୁ ଥିବ ସେ ନିଶ୍ଚୟ ହେବ । କିନ୍ତୁ ଶହକ ସ୍ଥଳରେ ଯେ ହଜାରେଟଙ୍କା ପାଇଁ ଚପଳ ନାଲିଶ୍ କଲା, ଏ କଥାଟା ଦୁଃଖ ଲାଗୁଛି । କମଳ ଭଳି ପିଲାକୁ ଯେ ଠକେ–

 

ତାଙ୍କ କଥା ଛଡ଼ାଇ ନେଇ ବସନ୍ତ କହିଲେ, ମୋରବି ଅନୁମାନ ସେୟା ସାର୍ । ତା’ ଚାଲିଚଳନ, ଢଙ୍ଗଢ଼ାଙ୍ଗରୁ ମୁଁ ଭାବୁଛି ସେ ହିଁ ମୋର ସରଳାର ଉପଯୁକ୍ତ ପାତ୍ରହେବ । ମୋର ଆସି ବୟସ ଶେଷ ହେଲାଣି । ଭାବୁଛି, ସରଳାକୁ ତା’ ହାତରେ ଦେଇ ଏ ଘରର ସମସ୍ତ ଦାୟିତ୍ୱ ତାକୁ ଛାଡ଼ିଦେବି । ତୁମର ମତାମତ କ’ଣ କହିଲ ବସନ୍ତକୁମାର ?

 

ମୁଁ ତ ଆଗରୁ ସେକଥା କହିସାରିଛି । ମୋର ଅନୁମାନ ଠିକ୍‌ । ସରଳାର ଉପଯୁକ୍ତ ପାତ୍ର କମଳ । ଆପଣ ଶୀଘ୍ର ଏ କାମଟା ଶେଷକରି ଦିଅନ୍ତୁ ।

 

ଭାବୁଛି, ନିକଟରେ ଏ କାମଟା କରିଦେବି କିନ୍ତୁ ତାଙ୍କ ମା’ଙ୍କର ମତଟା ନେଇନି ବୋଲି–

 

ସେ ଭାର ମୋ ଉପରେ ରହିଲା ସାର୍ । ମାଉସୀ ଏକଥାରେ ନିଶ୍ଚୟ ରାଜି ହେବେ । ଆଚ୍ଛା ମୁଁ ତାଙ୍କୁ ପଚାରି ଆସୁଛି, କହି ବସନ୍ତକୁମାର ଡ୍ରଇଂରୁମ୍‌ରୁ କମଳିନୀଙ୍କ ରୁମ୍‌କୁ ଗଲେ । ତାଙ୍କୁ ପଚାରି ସମସ୍ତ କଥା ବୁଝିନେଲେ । କମଳିନୀ ଏ ପ୍ରସ୍ତାବରେ ରାଜି ହେଲେ । ବସନ୍ତକୁମାର ସବୁ ଠିକଣା କରି ଗୌରବାବୁଙ୍କୁ କହିଲେ । ଗୌରବାବୁଙ୍କ ଆନନ୍ଦର ସୀମା ରହିଲା ନାହିଁ । ବହୁଦିନ ପରେ ଆଜି ତାଙ୍କର ମନୋକାମନା ପୂରଣ ହେଲା । ସେ ନିଶ୍ଚିନ୍ତ ରହିଲେ ।

 

ସଞ୍ଜ ହେଲା । ବସନ୍ତକୁମାର ଗୌରବାବୁଙ୍କୁ କହି ପୁରୀ ଯିବାକୁ ବାହାରିଲେ । କିନ୍ତୁ ଗୌରବାବୁ ଅନିଚ୍ଛା ପ୍ରକାଶ କରିବାରୁ ସେଦିନ ରାତିଟି ତାଙ୍କ ଘରେ ରହିଲେ । ରାତିରେ କମଳ ଅସୁବିଧା ହେତୁ ପୁରୀ ଫେରିପାରିଲା ନାହିଁ । ବସନ୍ତକୁମାର ତା’ ପରଦିନ ସକାଳୁ ପୁରୀ ଚାଲିଲେ ।

 

ପୁରୀରେ ବସନ୍ତକୁମାର ପହଞ୍ଚି ଦେଖିଲେ ସାଧୁଚରଣ ବସାରେ ନାହାନ୍ତି । ଅଫିସ୍‍ କାମରେ ଯାଇଛନ୍ତି । ଘର ଭିତରେ କମଳ ଓ ସୁଧାଂଶୁ ଶୁଷ୍କ ହୃଦୟରେ ବସି ରହିଛନ୍ତି । କାହାର ମୁହଁରେ ହସ ନାହିଁ ଦୁହେଁ ନୀରବ । କମଳ ହାତରେ ଚିଠିଟିଏ ଧରିଥାଏ । ବସନ୍ତକୁମାର ଅକସ୍ମାତ୍‌ ଘରେ ପଶିଗଲେ । କମଳ ଓ ସୁଧାଂଶୁ ଦୁହେଁ ବସନ୍ତକୁ ନମସ୍କାର କଲେ । ବସନ୍ତକୁମାର ସେ ଦୁହିଁଙ୍କ ମୁହଁରେ ବିଷାଦର ଚିହ୍ନ ଦେଖିପାରି ଘଟଣା କ’ଣ ପଚାରିଲେ । କମଳ କିଛି ନ କହି ବସନ୍ତକୁମାରଙ୍କ ହାତକୁ ଧରିଥିବା ଚିଠିଟା ବଢ଼େଇ ଦେଲେ । ବସନ୍ତ ଉଦ୍‌ବେଗର ସହିତ ଚିଠିଟି ଆମୂଳଚୂଳ ତନ୍ନତନ୍ନ କରି ପଢ଼ିଗଲେ–ସେ ଚିଠିଟା ସୁଧାଂଶୁ ପାଇଥିବା ଚିଠି ।

 

ଚିଠିଟି ପଢ଼ିସାରି ବସନ୍ତ ଈଷତ୍‌ ହସ ହସି କମଳ ଓ ସୁଧାଂଶୁକୁ କହିଲେ କମଳ, ସଂସାର କ୍ଷେତ୍ରରେ ତୁମେ ଦୁହେଁ ପ୍ରତାରିତ ହୋଇଯାଇଛ । ତୁମ ଦୁହିଁଙ୍କର ବନ୍ଧୁତା ଭିତରେ ଏ ଚିଠିଖଣ୍ଡି ହଳାହଳ ଢାଳିଛି ନୁହେଁ କି ? ଜାଣ ଏ ଚିଠି କିଏ ଲେଖିଛି ? ସେଇ ବିଶ୍ୱାସର କାରଣ ଜାଣିବାପାଇଁ ନିଅ ଏ ଚିଠିଟା ପଢ଼ । ବସନ୍ତକୁମାର ଦୁହିଁଙ୍କ ହାତକୁ ପକେଟରୁ କାଢ଼ି ପତ୍ର ଖଣ୍ଡିଏ ବଢ଼ାଇଦେଲେ ।

 

ସେ ଚିଠିଟି ଚପଳ ଖୋର୍ଦ୍ଧାର ଜଣେ ଓକିଲ ନରହରି ବେବର୍ତ୍ତାଙ୍କ ପାଖକୁ ଦେଇଥିଲା । ଠିକଣା ଭୁଲ୍‌ଥିବାରୁ ତାହା ବସନ୍ତକୁମାରଙ୍କ ଅଫିସ୍‍ରେ ପହଞ୍ଚିଥିଲା । ସୁଧାଂଶୁ ଚିଠିଟି ପାଠକଲା–

 

ଶ୍ୟାମସୁନ୍ଦରପୁର

 

ପ୍ରିୟ ନରହରିବାବୁ,

 

ନମସ୍କାର । ଆପଣଙ୍କ ଚିଠିଟି କାଲିପାଇଛି । ଆପଣ ଲେଖିଛନ୍ତି କଳେଇ ଚୋରୀ କେସ୍‍ଟା ଆପୋସରେ ରଫା କରି ଦେବାକୁ; କିନ୍ତୁ ତାହାହେଲେ ବଡ଼ ଅସୁବିଧା ହେବ । ଅନ୍ତତଃ ଆପଣ ଆଉ ବର୍ଷେ ଦି’ବର୍ଷ ଅପେକ୍ଷା କରିଯାନ୍ତୁ । ଆପଣଙ୍କର ତ କିଛି କ୍ଷତି ହେଉନି । ବେଶ୍‌ ମାସୁଲ ପାଉଛନ୍ତି । ତା’ ସାଥିସାଥି ମୋର ମଧ୍ୟ ସାମାନ୍ୟ ଆୟ ହେଉଛି । ଆପଣ ଏତେଶୀଘ୍ର ରଫା କରିବାକୁ ବସିଲେ ଚଳିବ ନାହିଁ । ଗାଁବାଲା, ଆଉ କେତେ ଟଙ୍କା ଦିଅନ୍ତୁ । ଯଜମାନ ତ ଘିଅ ଦେଉଛି ସ୍ୱାହା ସ୍ୱାହା କରିବାକୁ ଭାରୀ ଲାଗୁଛି କାହିଁକି ? ଆଉ ଅନ୍ତତଃ ଏକବର୍ଷ ଯାଉ ।

 

ଆଉସବୁ ଭଲ । ଆଶା ଭଲରେ ଥିବେ । ଇତି ।

 

ଆପଣଙ୍କର

ଚପଳକୁମାର ଚୌଧୁରୀ

 

ଚିଠିଟି ପଢ଼ିସାରି ସୁଧାଂଶୁ ସବୁକଥା ବୁଝିଗଲା । ଧୀରେ ଧୀରେ ନରମ ଗଳାରେ କହିଲା–ମୁଁ ତେବେ ଭୁଲ ବୁଝିଛି । ବସନ୍ତ ଭାଇ !

 

ହଁ ସୁଧା, ତୁ ଭୁଲ୍‌ ବୁଝିଛୁ । କମଳ କଦାପି ଏପରି ଚିଠି ଲେଖି ପାରିବ ନାହିଁ । ଏସବୁ ଚପଳର ଛଳନା ।

 

ସୁଧାଂଶୁ ବସନ୍ତକୁମାରଙ୍କ କଥାରେ ଅସ୍ଥିର ହେଲା । କମଳର ହାତ ଦୁଇଟା ଯାକିଧରି କହିଲା–ସଙ୍ଗାତ, ମୋର ଭୁଲ୍‌ପାଇଁ ମୋତେ କ୍ଷମା ଦେବନି ? ନ ବୁଝି ମୁଁ ଯେଉଁ ପାପ କରିଛି ତା’ର କ’ଣ ପ୍ରାୟଶ୍ଚିତ୍ତ ନାହିଁ । ସୁଧାଂଶୁର ଆଖିରୁ ଲୁହ ଗଡ଼ି ଆସିଲା ।

 

କମଳ କାନ୍ଦ କାନ୍ଦ ହୋଇ ସୁଧାଂଶୁର ପିଠିରେ ହାତବୁଲାଇ କହିଲା–ସଙ୍ଗାତ, ମୁଁ ଯଦି ତୁମକୁ ଭୁଲି ପାରିଥାନ୍ତି, ତେବେ ଏଠାକୁ ଆସିଥାନ୍ତି କାହିଁକି ? ମୁଁ କ’ଣ ତୁମକୁ ପାଶୋରି ପାରିବି ?

 

ସୁଧାଂଶୁ ଓ କମଳର ଆବେଗଭରା କଥାବାର୍ତ୍ତାରେ ବସନ୍ତଙ୍କ ଆଖି ଲୁହ ଢଳଢ଼ଳ ହେଲା । ସେ ପଛକଥାକୁ ପଛରେ ପକାଇ କହିଲେ–କମଳ ! ମୁଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ତୁମ ଦୁହିଁଙ୍କ ପାଖକୁ ଧାଇଁ ଆସିଛି । ତୁମ ଦୁହିଁଙ୍କ ସାହାଯ୍ୟ ଏକାନ୍ତ ଦରକାର । କ’ଣ କହୁଛ ?

 

ଦୁହେଁ କହିଉଠିଲେ–ଆମେ ତୁମକୁ ସହଯୋଗ କରିବୁ । ଆମକୁ ଆଗ ସମସ୍ୟାଟା କୁହ-

 

ସମସ୍ୟାଟା ଆଉ କିଛି ନୁହେଁ, ଆମଘର କଥା, ଗାଁ ଗାଁ କଥା, ଆମ ଦୁଇଗାଁ ଭିତରେ କଳିଗୋଳ ଲାଗିବାଫଳରେ କିପରି ଦୁର୍ଦ୍ଦିନ ଉପୁଜିଲାଣି ତୁମେ ତ ବୁଝୁଛ । ମାମଲତ୍‍କାର ସାଜି ପରକୁ ସର୍ବସ୍ୱାନ୍ତ କରି ଯେଉଁମାନେ ସ୍ୱାର୍ଥସିଦ୍ଧି ଆଶାରେ ଧାଇଁଛନ୍ତି ତାଙ୍କୁ କ’ଣ ସବୁଦିନ ଧରି ଆଗକୁ ଆଗକୁ ମାଡ଼ିଯିବାକୁ ସୁଯୋଗ ଦେବା ? ପାଠଶାଠ ପଢ଼ି ତେବେ ଗ୍ରାମର ମଙ୍ଗଳ କରିବା କ’ଣ ? ଏହା ବିରୁଦ୍ଧରେ ଅଭିଯାନ ଚଳେଇବା ପାଇଁ ମୋର ବହୁଦିନରୁ ଭାବନା ଥିଲା । କିନ୍ତୁ ପ୍ରମାଣ ପାଉ ନଥିଲି । ଆଜି ଚପଳର ଚିଠିଖଣ୍ଡି ଆମର ଜ୍ୱଳନ୍ତ ପ୍ରମାଣ । ଦୁଇ ଗାଁ ଭିତରେ ମାଲିମକଦ୍ଦମା ଆପୋସରେ ତୁଟେଇ ଦେଇ ସମସ୍ତଙ୍କ ଆଗରେ ଦେଖେଇଦେବା ଚପଳର କୀର୍ତ୍ତି । ତା’ ଯୋଗୁଁ ସେମାନେ ନ ହୋଇଛନ୍ତି କ’ଣ ? ମାଟିକାମକୁ ଯାଇ ଆଜିଯାଏ ମୁଣ୍ଡରୁ ବଥା ଛାଡ଼ି ନଥିବ । ଘରେ ଖାଇବାକୁ ନାଇଁ, ପିନ୍ଧିବାକୁ ଲୁଗାନାଇଁ, ଘର ସତରଠା କଣା, ନଡ଼ା ବିଡ଼ାଟେ ଛପର କରିବାକୁ ପାଉନାହାନ୍ତି, ହୁଏତ ମାଲିମକଦ୍ଦମାରେ ଚାନ୍ଦା ନଦେଇ ଗାଁରେ ଏକଘରିଆ ରହୁଛନ୍ତି । ଆମେ ଜାଣିଶୁଣି ଏ ଅନ୍ୟାୟ ଅନୀତିକ ପ୍ରଶ୍ରୟ ଦେବା ଉଚିତ ନୁହେଁ ।

 

ଆମର ମଧ୍ୟ ସେଇୟା ଇଚ୍ଛା । ଗାଁ ଗାଁ ଭିତରେ କଥା ତୁଟେଇ ଦେଇ ସେମାନଙ୍କୁ ଦେଖେଇଦେବା ଚପଳ କିପରି ମଶା ପରି ସେମାନଙ୍କ ଦେହରୁ ରକ୍ତ ଶୋଷି ନେଇଛି ।

 

ଏମାନଙ୍କର ଏ କଥାବାର୍ତ୍ତାବେଳେ ସାଧୁଚରଣ ଆସି ଘରେ ପହଞ୍ଚିଲେ । ବସନ୍ତ, କମଳ, ସାଧୁଚରଣଙ୍କୁ ନମସ୍କାର କଲେ । ସାଧୁଚରଣ ସେ ଦୁହିଁଙ୍କୁ ଆଶୀର୍ବାଦ ଦେଲେ । ବହୁଦିନ ପରେ ବସନ୍ତ, କମଳ, ସୁଧା ତିନିହିଁଙ୍କୁ ଏକାଠି ଦେଖି ଖୁବ୍‌ ଖୁସି ହେଲେ । ବସନ୍ତକୁମାର ନିଜର ଅଭିପ୍ରାୟ ବାପାଙ୍କୁ କହିଗଲେ । ସାଧୁଚରଣ ସବୁଶୁଣି ବସନ୍ତକୁମାରଙ୍କ ଉଦ୍ୟମକୁ ଆନ୍ତରିକ ଧନ୍ୟବାଦ ଦେଲେ । ଚପଳର ଚିଠି ଖଣ୍ଡି ପଢ଼ି ସେ ବିସ୍ମିତ ହେଲେ । ଇତ୍ୟବସରରେ ବସନ୍ତ ସାଧୁଚରଣଙ୍କ ହାତକୁ ନିଜର ଚାକିରିର ଇସ୍ତଫା ପତ୍ରଟା ବଢ଼ାଇ ଦେଲେ । ବସନ୍ତକୁମାର ଚାକିରି ଛାଡ଼ିଛନ୍ତି ଶୁଣି ସାଧୁଚରଣ ଅତ୍ୟନ୍ତ ପ୍ରୀତ ହେଲେ । ସେ ଖୁସିରେ କହି ଉଠିଲେ–ବସନ୍ତ, ଏତେ ଦିନରେ ମୋର ଅଭିଳାଷ ପୂର୍ଣ୍ଣ ହେଲା । ଏଣିକି ଗାଁର ଶାନ୍ତିମୟ କୋଳରେ ବିଶ୍ରାମ ନେଇ ତୁ ଗ୍ରାମ ସଙ୍ଗଠନ କାର୍ଯ୍ୟ ଆରମ୍ଭ କର । ସେଟାହିଁ ଦେଶର ପ୍ରଗତିର ମୂଳ ।

 

ବସନ୍ତକୁମାର ସେ ଦିନ ରାତିରେ ଗ୍ରାମକୁ ଫେରିଲେ ।

 

ବସନ୍ତକୁମାର ଗାଁରେ ଆଠଦଶ ଦିନ ରହି ତା’ ଭିତରେ ଦୁଇ ଗାଁର ଭିତର ଖବର ତନ୍ନତନ୍ନ କରି ବୁଝିଗଲେ । ଆହା, ଦୁଇଟି ଫୁଲ ଫଳଭରା ଗାଁ କି ଦୁର୍ଦ୍ଦିନରେ ପହଞ୍ଚିଲାଣି । ଅଛି କେବଳ ଅସ୍ଥିମୟ ପିଞ୍ଜରାଟା, ରକ୍ତମାଂସ ସବୁ ଶୁଖିଗଲାଣି ।

 

ବସନ୍ତକୁମାର ଦିନେ ରତନା, ବିଲୋଳ, ନାରଣକୁ ଧରି ଶ୍ୟାମସୁନ୍ଦରପୁର ଆଡ଼େ ଗଲେ-। ଦିପହର ବେଳ, ସେ ଗାଁ ଭାଗବତ ଘରେ ହୁରୁଷି, ପବନା ଇତ୍ୟାଦି ତାସ୍‌ ଖେଳୁଥାନ୍ତି-। ବସନ୍ତ ସେଠାରେ ଯାଇ ଉପସ୍ଥିତ ହେଲେ । ତାଙ୍କୁ ଓ ତାଙ୍କ ସହିତ ରତନା ଇତ୍ୟାଦିଙ୍କୁ ଦେଖି ସେମାନେ ମନେମନେ ରାଗିଗଲେ । ଏ ଆଡ଼କୁ ନଜର ନଥିଲା ଭଳି ଖେଳରେ ରତ ହେଲେ ।

 

ବସନ୍ତ ଭାଗବତ ଦୁଆରମୁହଁରେ ଠିଆ ହୋଇ କହିଲେ–ପବନା, ମୋ ଆଡ଼େ ଟିକିଏ ଶୁଣିଲ ।

 

କ’ଣ କହନ୍ତୁ–ବିରକ୍ତିରେ ପବନା ହୁରୁଷି କହି ଉଠିଲେ ।

ବସନ୍ତକୁମାର ପକେଟରୁ ଚିଠିଟି କାଢ଼ି ପବନା ହାତକୁ ବଢ଼େଇ ଦେଇ କହିଲେ ପବନା, ତୁମ ଭିତରୁ କିଏ ହେଲେ ଜଣେ ଏ ଚିଠିଟା ପଢ଼ । ତା’ପରେ ଯାହା ହେଲେ କହିବି ।

ହୁରୁଷି ସାମାନ୍ୟ ପଢ଼ାଶୁଣା କରିଥିଲା । ସେ ପଢ଼ିଲା । ଚପଳର ଗୁପ୍ତ ଚିଠି ଖଣ୍ଡି ପଢ଼ି ସାରିବା ପରେ, ଅଗାଧୁ, ହୁରୁଷି ଇତ୍ୟାଦି ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ ।

ବସନ୍ତକୁମାରଠାରୁ ସମସ୍ତ ଘଟଣା ଶୁଣିସାରି ସେମାନେ ଅବାକ୍‌ ହେଲେ । ପବନା–ହଇରେ ହୁରୁଷି, ଚପଳବାବୁଟା ଏମିତି ଲୋକ ଛି ଛି, ଛି ଛି–ତା’ ବୋଲରେ ଆମେ ତଳିତଳାନ୍ତ ହେଲେଣି । ସେ ପୁଣି ଆମ ବିରୁଦ୍ଧରେ ଏମିତି ଲେଖାଲେଖି କରୁଛି । ତା’ ଯୋଗୁଁ ଆମେ ଗାଁ ଭିତରେ ଭାଇ ଭାଇ ଭିତରେ ଫାଙ୍କଫାଙ୍କ ହେଲେ । ସେ ଫେରେ ଏମିତି ମଣିଷ ।

ହୁରୁଷି କହିଲା–ଏବେ ଆଉ ଭାବିଲେ କ’ଣ ହେବ ଯେ...କ’ଣ କରିବା କହୁନ ?

ଯାହା କରିବ ଶାନ୍ତ ଭାବରେ କର । କଳିଗୋଳ ଆଡ଼କୁ ଯାଅ ନାହିଁ । ମୋ କଥା କର । ଆଖପାଖ ଗାଁରୁ ଦଶ ପଚିଶ ଭଦ୍ରଲୋକ ଡକେଇ କଥାଟା ନିଶାପ ଉପରକୁ ଆଣ ସେ । ଭଲ ହେବ । ବସନ୍ତକୁମାର କହିଲେ । ପବନା, ହୁରୁଷି ଇତ୍ୟାଦି ଏଥିରେ ସମ୍ମତ ହେଲେ ।

ବସନ୍ତ ଲାଗି ପଡ଼ିଲେ କର୍ତ୍ତବ୍ୟ ସମ୍ପାଦନରେ । ସେଦିନ ଶ୍ୟାମସୁନ୍ଦରପୁରରେ ପବନା ପ୍ରଭୃତି ଚାରି ପାଞ୍ଚ ଜଣଙ୍କୁ ଭଦ୍ରଲୋକମାନଙ୍କୁ କହି ଆସିବାପାଇଁ ପଠାଇଲେ । ନିଜେ ଘରକୁ ଫେରି କମଳ, ସୁଧାଂଶୁ ଓ ସାଧୁଚରଣଙ୍କ ପାଖକୁ ପତ୍ର ଦେଲେ ନିର୍ଦ୍ଦିଷ୍ଟ ଦିବସରେ ନ୍ୟାୟ କାର୍ଯ୍ୟରେ ଯୋଗ ଦେବାକୁ ।

ଏକ ସପ୍ତାହ ପରେ......

ବୁଧବାର ଦିନ ରାତି । ଶ୍ୟାମସୁନ୍ଦରପୁର ଭାଗବତ ଘର ଫାଟି ପଡ଼ୁଥାଏ । ଆଖପାଖ ଗାଁମାନଙ୍କରୁ ପଚିଶ ଜଣ ହେବ ଭଦ୍ରଲୋକ ଜମା ହୋଇଥାନ୍ତି । ଶ୍ୟାମସୁନ୍ଦରପୁର, ମଲ୍ଲୀକାଶପୁରର ସପ୍ତମ ଚାଷୀ ଦେଉଳ ଦୁଆରପରି ଭାଗବତ ଘର ପାଖେ ରୁଣ୍ଡ ହୋଇଥାନ୍ତି । ସାଧୁଚରଣବାବୁ, କମଳ, ସୁଧାଂଶୁ ସେଠାରେ ଉପସ୍ଥିତ ଥାନ୍ତି ।

ଚପଳବାବୁଙ୍କୁ ତିନିଥର ଡକା ହେବାପରେ ସେ ଆସି ପହଞ୍ଚିଲେ । ସଭା କାର୍ଯ୍ୟ ଆରମ୍ଭ ହେଲା ।

ପ୍ରଥମେ ପବନା ପରିଡ଼ା ଠିଆ ହୋଇ ମାଧବାନନ୍ଦଙ୍କ ଅମଳରୁ ଆଜିପର୍ଯ୍ୟନ୍ତ ସମସ୍ତ ଘଟଣା ଗାଇଗଲା । ଦାମ ଘରପୋଡ଼ି କଥା, ସାଧୁବାବୁଙ୍କ ଜମିରୁ କଳେଇ ଚୋରୀ କଥା, ପାନିଆରେ ବାଳ କୁଣ୍ଡେଇଲା ପରି ଟିକିନିଖି କହିଗଲା । ସମସ୍ତେ ଧୀରସ୍ଥିର ହୋଇ ଶୁଣିଲେ ।

ତା’ପରେ ଦାମ ଉଠି ନିଜର ସମସ୍ତ ଘଟଣା ବର୍ଣ୍ଣନା କଲା । ଦାମ ପରେ ଉଠିଲେ ବସନ୍ତକୁମାର । ସେ କମଳର ଘରବନ୍ଧା କେସ୍ କଥା ଆରମ୍ଭ କଲେ । ସମସ୍ତେ ଶୁଣି ଅବାକ୍‌ । ତା’ ପରେ ପରେ ସେ ଚପଳର ଚିଠି ଖଣ୍ଡି ପଢ଼ି ଦେଲେ । ଏଥର କାହାର ଅବିଶ୍ୱାସ ରହିଲା ନାହିଁ । ଭଦ୍ରଲୋକ ଚପଳକୁମାରଙ୍କୁ ଏସବୁ ଘଟଣା ସତ ନା ମିଛ ପଚାରିଲେ । ଚପଳ ପ୍ରଥମେ ଚୌଧୁରୀ ପରିବାରର ମାନସମ୍ମାନ ଇଜ୍ଜତକୁ ଘୋଡ଼େଇ ରଖିବାଲାଗି ସବୁ କଥାକୁ ମିଛ କହି ମୁଣ୍ଡ ହଲାଇଲେ, ମାତ୍ର କଥାଟା ଯେତେବେଳେ ଭଲ କରି ଚଲା ହୋଇଗଲା ସେତେବେଳେ ସେ ବା ଯାଆନ୍ତି କୁଆଡ଼େ, ବାଧ୍ୟ ହୋଇ ସବୁ କଥାରେ ହଁ ଭରିଲେ ।

ଦୋଷ ବଛା ହେଲା । ଚପଳକୁମାର ନିଜର ଭୁଲ ଅନିଚ୍ଛାସତ୍ତ୍ୱେ ପରିସରର ତାଡ଼ନାରେ ପଡ଼ି ସ୍ୱୀକାର କଲେ । ଜରିମାନାସ୍ୱରୂପ ସେ କମଳର ଘରଖଣ୍ଡି କମଳ ନାଁରେ କରିଦେବେ ବୋଲି ରାଜି ହେଲେ । ପବନା, ହୁରୁଷି ଇତ୍ୟାଦି ହରିଆ, ରଙ୍କ, ମାଗ, ତିନିହିଁଙ୍କୁ ପୁଣି ଥରେ ପାଖକୁ ନେଲେ । ସେ ଗାଁବାଲା ଦାମକୁ ଦୋଷ ମାଗି ନେଲେ । ସବୁ ସମାଧାନ କରାହେଲା । ଦୁଇ ଗାଁ ଭିତରେ ପୁଣି ଫେରି ଆସିଲା ଫଗୁଳ ବସନ୍ତ । ତା’ ପରଦିନଠୁ ଦୁଇ ଗାଁ ଭିତରେ ସୌହାର୍ଦ୍ଦ୍ୟର ସୁନାକିରଣ ବିଛାଇଦେଇ କନକିତ ସୂର୍ଯ୍ୟ ଉଇଁଲେ । ଶ୍ୟାମସୁନ୍ଦରପୁରର ଚାଷୀମାନେ ଦାମର ଘରଖଣ୍ଡି ପୁଣି ଥରେ ନୂଆ କରି ଗଢ଼ିବାକୁ ଲାଗି ପଡ଼ିଲେ । ଆଠଦିନ ଭିତରେ ଦାମର ଘରଖଣ୍ଡି ହସି ଉଠିଲା । ପୁଣି ଅତୀତର ଢେଉଢ଼େଉକା ସୁନେଲି ସପନ ଫେରି ଆସିଲା । ଦାମର ଛୋଟ କୁଟୀରଟି ମୁଖରିତ ହୋଇ ଉଠିଲା ।

ବସନ୍ତକୁମାର ଏ ଭିତରେ ଦୁଇ ଗାଁର କେତେଜଣ ଚାଷୀଙ୍କୁ ନେଇ ଗ୍ରାମ ଅଭ୍ୟୁଦୟ ସେବାସଂଘ ଗଠନ କଲେ । ତା’ରି ଜରିଆରେ ସେ ଲାଗି ପଡ଼ିଲେ ଦୁଇ ଗାଁର ଉନ୍ନତି ଚେଷ୍ଟାରେ । ଦିନେ ବସନ୍ତକୁମାର ଦାସ ଓ ପବନକୁ ଧରି କଟକ ଗଲେ । ସେଠାରେ ଗୌରବାବୁଙ୍କୁ ସମସ୍ତ ଘଟଣା ପ୍ରାଞ୍ଜଳଭାବରେ କହିଗଲେ । ଗୌରବାବୁ ବସନ୍ତକୁମାରଙ୍କ ସାଧୁ ଉଦ୍ୟମକୁ ପ୍ରଶଂସା କଲେ । ତା’ ପରଦିନ ବସନ୍ତକୁମାର, କାମିନୀ, ରାଗିଣୀ, ସରଳା, ଅଚଳ, କମଳିନୀ, ଗୌରବାବୁ ସହ ନିଜ ଗାଁକୁ ଫେରି ଆସିଲେ ।

କମଳର ବିଭାଘର ଆୟୋଜନ କରାଗଲା । ଦୁଇ ଗାଁର ଆବାଳ ବୃଦ୍ଧ–ବନିତା ଏଥିରେ ଯୋଗଦେଲେ । ବିଭାଘର ଦିନ ବେଳ ଦୁଇଘଡ଼ିକି ଗାଁ ଦାଣ୍ଡ ଉଛୁଳି ପଡ଼ିଲା । ପଲ୍ଲୀଲଳନାଙ୍କର ହୁଳହୁଳୀ ନାଦରେ ଗଗନ ପବନ ଫାଟି ପଡ଼ିଲା, ଶଙ୍ଖ ମହୁରିରେ । ଗାଁସାରା ପୂରି ଉଠିଲା ।

ଦୁଇ ଗାଁର ପଲ୍ଲୀଲକ୍ଷ୍ମୀ ହସି ଉଠିଲେ ।

ସଞ୍ଜ ମାଡ଼ି ମାଡ଼ି ଆସିଲା । ଗୋଧୂଳି ଗୋଲାପୀ ହସ ହସି ଦୂର ଦିଗ୍‌ବଳୟର ଗିରି ଆରପାଖେ ଧୀରେ ଧୀରେ ମୁହଁ ଲୁଚେଇଦେଲା । ପଶ୍ଚିମ ଗଗନର ଢେଉଢ଼େଉକା ଦିଗଚକ୍ରକୁ ସଙ୍ଗୀତ ମୁଖର କରି ଧଳା ଧଳା ବଗପକ୍ଷୀ ଦଳଦଳ ହୋଇ ଉଡ଼ି ଆସିଲେ । କୁଆଗୁଡ଼ିକ ବସାକୁ ଫେରିଲେ ସଞ୍ଜରଆଗମନ ସୂଚେଇ । କାଆ କାଆ କାଆ । ସଞ୍ଜବତି ନଈର କ୍ଷୀଣଜଳ ଧାର ଉପରେ ଉଛୁଳି ଉଠିଲା ଗୋଧୂଳିର ଲୋହିତ ଆଲୋକ ଛଟା । ତରଳଜଳ ରାଶିଉପରେ ସଞ୍ଚରି ଗଲା ମୃଦୁ ସମୀରର କୋମଳ ସ୍ପର୍ଶ । ନଦୀର ତୀର ଦେଶରେ ସେଇ ଅନାଦି କାଳର ଗୋଲାପ ଉପବନଟି ଲହରୀ ମାଳର କଳତାନରେ ନିଜକୁ ମିଶାଇ ଦେଇ ହସିଉଠିଲା । ନାନା ରଙ୍ଗର ଫୁଲଗୁଡ଼ିକ ଲତାଗୁଡ଼ିକରେ ମଥାଉପରେ ଲୋଟି ପଡ଼ିଲେ । ସେଇ ଅତି ପୁରୁଣା ଖରା ବର୍ଷାଖିଆ ସିମେଣ୍ଟ ଚୌକି ସାମନା ଗୋଲାପ ଗଛଟିରେ ଗୋଲାପ କଳିଗୁଡ଼ିକ ନାଚି ନାଚି ପରସ୍ପରକୁ ଆଲିଙ୍ଗନ କଲେ । ମୌନମୟୀ ସଞ୍ଜ ବିଶ୍ୱଜଗତର ମନପ୍ରାଣକୁ ବିମୋହିତ କରି ଘନେଇ ଆସିଲା-। ସୁଧାଂଶୁ ଓ କମଳ ସେଇ ଅତି ପରିଚିତ ଗୋଲାପ ବଗିଚାରେ ପ୍ରବେଶ କଲେ ।

କମଳର ଭାବନା ବିସ୍ମିତ ନୟନ ଆଗରେ ଗୋଲାପକଳିଟି ସତ୍ୟଶିବ ସୁନ୍ଦର ପରି ଖେଳିଗଲା । ଗୋଲାପ କଳିର ପାଖୁଡ଼ାଗୁଡ଼ିକ ସତେ ଯେପରି ତା’ କାନ ପାଖରେ ସୁମଧୁର ସ୍ୱରରେ ତା’ର ଜୀବନର ସକଳ ଘଟଣା ଗାଇଗଲେ । ସେ ମନେକଲା, କେତେ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ସେ ଆଜି ମଣିଷଟିଏ ହୋଇ ପାରିଛି । ଜୀବନଟା ତେବେ କ’ଣ ଏଇୟା ? ଝଞ୍ଜାଭିତରେ ଜୀବନର ବିକାଶ ? ଦହନ ଭିତରେ କ’ଣ ସୁନାର ପରଖ ?

କମଳ କ୍ଷୀଣଗଳାରେ କହିଲା–ସଙ୍ଗାତ ! ଶୈଶବର ସେଇ ଗୋଲାପ ଗଛଟିକୁ ଦେଖୁଛ ! କେତେ ଗ୍ରୀଷ୍ମ ବର୍ଷା ଶୀତ କାକର ଗଲାଣି, ତେବେ ଗଛଟି ଯେପରି ଥିଲା ସେପରି ଅଛି-। ଜଗତ ଆଗରେ ଏକ ନୀରବ ପ୍ରେରଣା ଢାଳିଦେବାକୁ ସତେ ଯେପରି ସେ ଉନ୍ମୁଖ । ଗୋଲାପ, କେଡ଼େ ସୁନ୍ଦର, ଫୁଲଟିଏ–କେଡ଼େ ସୁନ୍ଦର, ମନୋରମ ତା’ର ରକ୍ତଲାଲ ପାଖୁଡ଼ାଗୁଡ଼ିକ, କିନ୍ତୁ ଗୋଲାପ ତରୁଟି କେତେ କଣ୍ଟକମୟ । ମଣିଷ ଜୀବନ କେଡ଼େ ସୁନ୍ଦର, ପବିତ୍ର, ସରସ, ମଧୁର-। କିନ୍ତୁ ମଣିଷ ଏଇ ଜୀବନ ପାଏ ଶତ ବାଧା ବିପଦ ଝଡ଼ଝଞ୍ଜା ଦେଇ ଗୋଲାପ ବିକଶିତ ହେଲେ ଜଗତରେ ହୁଏ ଆଦରଣୀୟ, ଭିତର ମଣିଷ ମଣିଷତ୍ୱ ପାଇଲେ ଦୁନିଆ ଦରବାରରେ ପାଏ ପୂଜା ଅର୍ଚ୍ଚନା–’’

ସୁଧାଂଶୁର ଚଟୁଳ ଅଧରରେ ସ୍ମିତର ଏକ କ୍ଷୀଣ ଜୁଆର ଖେଳିଗଲା । ସେ ନରମ ଗଳାରେ କହିଉଠିଲା ଗୋଲାପ...ମଣିଷ–ଗୋଲାପ ଜୀବନ....ମଣିଷ ଜୀବନ....ସତ୍ୟ, ଶିବ, ସୁନ୍ଦର, ସନାତନ–

ଦୁଇବନ୍ଧୁ ବିଶ୍ୱପିତାଙ୍କ ପାଦତଳେ ମଥାନୁଆଁଇଲେ–

୧୩–୧୦–୧୯୫୮, ସୋମବାର

ଭୀମପୁର, ବାଣପୁର

ପୁରୀ

Image